ପବିତ୍ର ଦୋଳ ପୂର୍ଣ୍ଣିମା; କାହିଁକି ପାଳନ ହୁଏ ଏହି ପର୍ବ ?

 ପବିତ୍ର ଦୋଳ ପୂର୍ଣ୍ଣିମା; କାହିଁକି ପାଳନ ହୁଏ ଏହି ପର୍ବ ?



ଫଗୁ ଦଶମୀରୁ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ । ଏହାର ଗୁରୁତ୍ୱ ବୈଷ୍ଣବ ଧର୍ମ ପରମ୍ପରାର ପ୍ରଚାର ଓ ପ୍ରସାର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ତେବେ ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍‌ଭାବ ଓ ପାରମ୍ପରିକ ସୌହାର୍ଯ୍ୟର ପରିଚାୟକ ପର୍ବ ଭାବରେ ପାଳିତ ହୋଇଥାଏ । 

ତେବେ ମୁଖ୍ୟତଃ ଏହି ଦୋଳ ମେଲଣ ତିନି ଭିନ୍ନ ଭିନ୍ନ ପ୍ରକାରର 

  • ଫାଲଗୁନର ରାଜଦୋଳ ମେଲଣ, ଅର୍ଥାତ ଫଗୁ (ଶୁକ୍ଳପକ୍ଷ) ଦଶମୀଠାରୁ ଫଗୁଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ।
  •  ପଞ୍ଚୁଦୋଳ ମେଲଣ , ପାଞ୍ଚଦିନ ଅର୍ଥାତ ଫଗୁଣ ପୂର୍ଣ୍ଣିମାଠାରୁ ଚୈତ୍ରମାସ କୃଷ୍ଣ ପଞ୍ଚମୀ ପର୍ଯ୍ୟନ୍ତ । 
  • ଦଶଦୋଳ, ଦଶଦିନ ବ୍ୟାପୀ ମେଲଣ ଅର୍ଥାତ ଫଗୁଣ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ଚୈତ୍ର କୃଷ୍ଣ ନବମୀ ପର୍ଯ୍ୟନ୍ତ ।

  1. ସାଧାରଣତଃ ଏହି ଯାତ୍ରା ପାଞ୍ଚଦିନ ପାଇଁ ମହାସମାରୋହରେ ପାଳିତ ହୋଇ ରଜଦୋଳ ବା ପଞ୍ଚୁଦୋଳ ନାମରେ ନାମିତ ହୋଇଥାଏ । 
  2. କେତେକ ସ୍ଥାନରେ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ପାଞ୍ଚଦିନ ପର୍ଯ୍ୟନ୍ତ ପଞ୍ଚଦୋଳ ଭାବେ ଯାତ୍ରା ପାଳନ କରାଯିବ |
  3. ଆଉ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନକୁ ପର୍ବର ଶେଷ ଦିବସ ରୂପେ ରଜଦୋଳ ନାମରେ ନାମିତ ହୋଇ ଏହି ଯାତ୍ରା ଶେଷହୁଏ । 
  4. ଯେଉଁ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନରୁ ଆରମ୍ଭ ହୋଇ ଛଅଦିନ ପର୍ଯ୍ୟନ୍ତ ଏହି ପର୍ବ ପାଳିତ ହୋଇଥାଏ, ସେଠାରେ ଛଅଦୋଳ |
  5. ଯେଉଁଠି ନଅଦିନ ପର୍ଯ୍ୟନ୍ତ ପାଳନ କରାଯାଇପାରେ ସେଠାରେ ଏହାକୁ ନବଦୋଳ ବୋଲି କୁହାଯାଏ।
  6. ଅନେକ ସ୍ଥାନରେ ସାତଦିନ ଓ ଦଶଦିନ ଧରି ଦୋଳଯାତ୍ରା ଆୟୋଜିତ ହେବାର ଦୃଷ୍ଟାନ୍ତ ମଧ୍ୟ ରହିଛି ।

କାହିଁକି ପାଳନ ହୁଏ ଏହି ପର୍ବ ?

ଦୋଳ ସହିତ ବିଭିନ୍ନ ପୁରାଣର କାହାଣୀ ସଂଯୁକ୍ତ ହୋଇରହିଛି । 

  • ପୁତନା ରାକ୍ଷସୀ ଉପାଖ୍ୟାନ

  1. କେତେକ ଅଞ୍ଚଳରେ ମଥୁରାରୁ ପ୍ରେରିତ ଛଦ୍ମ ଖଳନାୟିକା ପୁତନାର ଗୋପପୁର ପ୍ରବେଶ ଓ ସ୍ତନ୍ୟପାନ କରାଇ କୃଷ୍ଣ ଉଦ୍ୟମର କାହାଣୀକୁ ହୋଲି ଉତ୍ସବ ସହିତ ଯୋଡାଯାଇଥାଏ । ପୁତନା ରାକ୍ଷସୀର ଅନ୍ତ ଓ ତାହାର ଅନ୍ତ୍ୟେଷ୍ଟିକୁ ଏହି ଅଗ୍ନି ପ୍ରଜ୍ୱଳନ ସହିତ କେତେକ ସଂପୃକ୍ତ କରିଥାନ୍ତି ।
  2. ଗୋଟିଏ ପଟେ ରାଧା-କୃଷ୍ଣ ପ୍ରେମ ଗାଥାର ଭବ୍ୟ ଉତ୍ତାଳ ଉତ୍ତରଣ ଓ ଅନ୍ୟ ପକ୍ଷରେ ଅନ୍ୟାନ୍ୟ ପୌରାଣିକ ଆଖ୍ୟାନର ଗୁନ୍ଥନ । ଶ୍ରୀରାଧା - ଶ୍ରୀକୃଷ୍ଣଙ୍କ ପ୍ରେମପ୍ରଣୟର ଲୀଳା, ଦୋଳ ଓ ରଙ୍ଗର ଖେଳ ବ୍ୟତୀତ ଅନ୍ୟଯେଉଁ ସବୁ ଆଖ୍ୟାନ ଉପାଖ୍ୟାନ ଏହି ଦୋଳ-ହୋଲି ଯୁଗ୍ମପର୍ବ ଦିବସ ସହିତ ସଂପୃକ୍ତ । ରଙ୍ଗର ରଙ୍ଗୀନ ଖେଳ ଓ ହୋଲିକା ଦହନର ଅଗ୍ନି ଔଜ୍ଜଲ୍ୟ ଏ ଉଭୟ ଦୁଷ୍ଟ ଶକ୍ତି ଉପରେ ଶୁଭଙ୍କର ପ୍ରତୀକର ବିଜୟକୁ ଏହି ପର୍ବ ସହିତ ସମ୍ମିଳିତ କରି ରଖିଛି ।  

  • କାମଦହନ

  1. ଅନ୍ୟ ପକ୍ଷରେ ସତୀଙ୍କର ଅକାଳମୃତ୍ୟୁ ପରେ ରୁଦ୍ର ମହାତପସ୍ୱୀ ମହାଦେବ ଶିବ ରୂପରେ ଧ୍ୟାନମଗ୍ନ । ତେଣେ ଦେବ ଗଣ ତାରକାସୁରର ଅତ୍ୟାଚାରରେ ଭୀତ, ସଂତ୍ରପ୍ତ ଆଉ ଉଚ୍ଚକିତ ଭାବରେ ପ୍ରତୀକ୍ଷାମାଣ- ଏକ ଶୁଭଲଗ୍ନର । ମହାଯୋଗୀ ଶିବଙ୍କର ଧ୍ୟାନ ଭାଙ୍ଗିଲେ ହିଁ ମଦନଙ୍କ ପଞ୍ଚଶରରେ ତାଙ୍କୁ ଆକ୍ରାନ୍ତ କରାଯାଇପାରେ ଏବଂ ଅନିନ୍ଦ୍ୟ ରୂପବତୀ ହିମବନ୍ତ କନ୍ୟା ପାର୍ବତୀଙ୍କ ସହିତ ମହାଦେବ ଶିବ ମିଳିତ ହେଲେ ହିଁ କାର୍ତ୍ତିକେୟଙ୍କର ଜନ୍ମ ସମ୍ଭବ । ଏହି କାର୍ତ୍ତିକେୟ ହିଁ ଦେବଗଣଙ୍କ ସେନାପତି ଭାବରେ ତାରକାସୁରକୁ ନିଧନ କରି ଦେବତାଙ୍କୁ ଅଭୟ ପ୍ରଦାନ କରିବାରେ ଏକମାତ୍ର ସମର୍ଥ । 
  2. ଗୋଟିଏ ଗୋଟିଏ କରି ପଞ୍ଚବାଣ ନିକ୍ଷେପ କଲେ କାମଦେବତା ମଦନ, ଉନ୍ମୁକ୍ତ ହେଲା ଶିବଙ୍କର ମୁଦ୍ରିତ ଚକ୍ଷୁ । କପାଳରେ ଜଳି ଉଠିଲା ତୃତୀୟ ଚକ୍ଷୁ । ନିମିଷକରେ ଭସ୍ମୀଭୂତ ହେଲେ କାମଦେବତା ମଦନ । ଉଚ୍ଚସ୍ୱରରେ ବିଳାପ କରି ରତିଦେବୀ ଆବିର୍ଭାବ ହେଲେ । ନିଜର ସ୍ୱ-ଦେହ ଜ୍ୱଳନରେ ମଦନ କିନ୍ତୁ ସେଦିନ ଦେବତାଙ୍କ ସୁରକ୍ଷା ପାଇଁ ମହାଦେବଙ୍କ ମାଧ୍ୟମରେ ଏକ ଇପ୍ସିତ ଲକ୍ଷ୍ୟ ସାଧନ କରିଦେଇ ଗଲେ । କେହି କେହି କହନ୍ତି , ହୋଲିର ଦିବ୍ୟ ଦହନ କ୍ରିୟା ଏହି ଅନଙ୍ଗଙ୍କୁ ଅଗ୍ନିରେ ଦାହ କରିବାର ଏକ ପ୍ରତିଛବି 

  • ହୋଲିଦହନ

  1. ଦୋଳ ପୂର୍ଣ୍ଣିମୀ ରାତିରେ ବା ହୋଲି ଉତ୍ସବରେ ଯେଉଁ ଅଗ୍ନି ଜ୍ୱଳନର ପରମ୍ପରା ଅଛି, ତାହା ଭକ୍ତ ପ୍ରହ୍ଲାଦଙ୍ ଏବଂ ହୋଲିକା ଦହନ ନାମରେ ପରିଚିତ । ହୋଲିକା ଏକ ରାକ୍ଷସୀ ଓ ତାହାର ଦହନ ରାଜା ହିରଣ୍ୟକଶିପୁର ନାସ୍ତିକତା ପ୍ରେରିତ ଦୁଷ୍ଟ ଶକ୍ତି ଉପରେ ଭକ୍ତ ଓ ଶିଶୁ ପ୍ରହ୍ଲାଦ ପ୍ରତି ଆଶିର୍ବାଦ ପ୍ରଦାନ କରୁଥିବା ଦୈବୀଶକ୍ତିର ପ୍ରତୀକାତ୍ମକ ବିଜୟ ରୂପେ ଅନୁଷ୍ଠିତ ହୋଇଥାଏ । ପୌରାଣିକ କଥାବସ୍ତୁ ଅନୁଯାୟୀ ହୋଲିକା ଥିଲା ହିରଣ୍ୟକଶିପୁର ଭଉଣୀ- ଯେ କି ଶିବଙ୍କଠାରୁ ବର ପ୍ରାପ୍ତ ହେଇଥିଲା ଯେ ସେ ଜଳରେ ବୁଡ଼ିବ ନାହିଁ କି ନିଆଁରେ ପୋଡ଼ିବ ନାହିଁ । ନାସ୍ତିକତା ପ୍ରମତ୍ତ ହିରଣ୍ୟକଶିପୁକୁ ଭଗବାନ ବିଷ୍ଣୁଙ୍କ ମାୟାରେ ଶିକ୍ଷା ଦେବାପାଇଁ ହୋଲିକା ରାକ୍ଷସୀକୁ ପୁତ୍ର ପ୍ରହ୍ଲାଦ ସହିତ ଅଗ୍ନିରେ ପ୍ରବିଷ୍ଟ କରାଇଥିଲା, ସେଥିରେ ଶିଶୁ ପୁତ୍ରଟି ରକ୍ଷା ପାଇଯାଇଥିବା ବେଳେ ହୋଲିକା ଭସ୍ମୀଭୂତ ହୋଇଥିଲା ।
  2. ପୁଣି କେତେକଙ୍କ ମତରେ ପ୍ରବଳ ପରାକ୍ରମୀ ରାକ୍ଷସ ମେର୍ଦ୍ଧାସୁରର ମୃତ୍ୟୁର ଭଗବାନ କାରଣ ହୋଇ ପୃଥିବୀରୁ ପାପର ମାତ୍ରା ହ୍ରାସ କରିଥିବା ଯୋଗୁଁ ଏହିପର୍ବ ଆୟୋଜିତ ହୋଇଥିଲା |

କିପରି ପାଳନ କରାଯାଏ ?

  1. ଫାଲଗୁନ ମାସର ପୂର୍ଣ୍ଣିମା ତିଥି ଦୋଳ ପୂର୍ଣ୍ଣିମା ନାମରେ ଅଭିହିତ। ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ । 
  2. ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧା ଓ କୃଷ୍ଣଙ୍କ ନିକଟରେ ଏହି ଦିନଠାରୁ ଅବିର ଅର୍ପଣ କରାଯାଇଥାଏ । 
  3. ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଛୋଟ ଛୋଟ ବିମାନରେ ମହାଡମ୍ବର ସହକାରେ ଗ୍ରାମର ପ୍ରାୟ ପ୍ରତ୍ୟେକଙ୍କ ଦ୍ୱାରକୁ ନିଆଯାଇଥାଏ । 
  4. ପ୍ରାୟତଃ ପ୍ରତ୍ୟେକ ଦ୍ୱାରରେ ଠାକୁରଙ୍କୁ ଭୋଗ ଅର୍ପଣ କରାଯିବା ସଙ୍ଗେସଙ୍ଗେ ପୁରୋହିତଙ୍କୁ ମଧ୍ୟ ଦକ୍ଷିଣା ଦିଆଯାଇଥାଏ । 
  5. ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଦ୍ୱାରରେ ଅର୍ପିତ ଭୋଗକୁ ଦ୍ୱାରୀ ଭୋଗ କୁହାଯାଇଥାଏ । 
  6. ଦୋଳପୂର୍ଣ୍ଣମୀ ଦିନ ସାଧାରଣତଃ ଠାକୁରମାନଙ୍କୁ ମନ୍ଦିରର ଦକ୍ଷିଣପୂର୍ବ ଦିଗରେ ନିର୍ମିତ ହୋଇଥିବା ଏକ ମଣ୍ଡପ ଉପରକୁ ନିଆଯାଇଥାଏ । ସେହି ମଣ୍ଡପର ନାମ ଦୋଳ ମଣ୍ଡପ ।
  7.  ସେଠାରେ ପୂଜାର୍ଚ୍ଚନା କରାଯିବା ସଙ୍ଗେସଙ୍ଗେ ଠାକୁରମାନେ ଦୋଳି ଖେଳନ୍ତି ଓ ସେଠାରେ ନାଲି ଅବିର ଅର୍ପଣ କରାଯାଇଥାଏ ।
  8. ବାସ୍ତବରେ କହିବାକୁ ଗଲେ ଏହି ରାଜଦୋଳ ଉତ୍ସବ ଅର୍ଥାତ ଫଗୁଦଶମୀଠାରୁ ସମସ୍ତ ସମସ୍ତ ବୈଷ୍ଣବ ପୀଠରେ ଝୁଲଣ ମଣ୍ଡପରେ ଦୋଳିରେ ଝୁଲନ୍ତି କିମ୍ବା ସୁସଜ୍ଜିତ ବିମାନରେ ବିଜେ କରନ୍ତି ଶ୍ରୀରାଧାକୃଷ୍ଣ ଯୁଗଳ ମୂର୍ତ୍ତି ।

Post a Comment

0 Comments