ମାଘମାସ ଅମାବାସ୍ୟାରେ, ତ୍ରିବେଣୀରେ ସ୍ନାନ କଲେ ମହାପୁଣ୍ୟ ମିଳିଥାଏଏହାର
ମାଘମାସ ଅମାବାସ୍ୟାରେ, ତ୍ରିବେଣୀରେ ସ୍ନାନ କଲେ ମହାପୁଣ୍ୟ ମିଳିଥାଏ
ତ୍ରିବେଣୀ ଅମାବାସ୍ୟାର ମହତ୍ତ୍ୱ
- ମାଘ ମାସରେ ସେହିପରି କେତେକ ପୁଣ୍ୟତିଥି ରହିଛି। ସେ ମଧ୍ୟରୁ ତ୍ରିବେଣୀ ଅମାବାସ୍ୟା ଅନ୍ୟତମ। ମାଘ ମାସଟି ଆପାତତଃ ସ୍ନାନ, ଜପ ଓ ଧ୍ୟାନ ଆଦିର ମାସ। ତ୍ରିବେଣୀ ସେ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଗଙ୍ଗା, ଯମୁନା ଓ ସରସ୍ୱତୀର ମିଳନ ସ୍ଥଳକୁ ତ୍ରିବେଣୀ କୁହାଯାଏ। ମାଘ ଅମାବାସ୍ୟା ଦିନ ତ୍ରିବେଣୀରେ ସ୍ନାନ କଲେ ମହାପୁଣ୍ୟ ମିଳେ। ଏଣୁ ଏହି ଅମାବାସ୍ୟାକୁ ତ୍ରିବେଣୀ ଅମାବାସ୍ୟା କୁହାଯାଏ।
- ମାଘ ମାସର ଅମାବାସ୍ୟାକୁ ମୌନୀ ଅମାବାସ୍ୟା ବା ତ୍ରିବେଣୀ ଅମାବାସ୍ୟା କହାଯାଏ । ଏହି ଦିନ କୁମ୍ଭ ମେଳାର ପବିତ୍ର ସ୍ଥାନରେ ବୁଡ଼ ପକାଇବାକୁ ଶ୍ରଦ୍ଧାଳୁମାନେ ଅଧିକ ପସନ୍ଦ କରନ୍ତି । ଅନେକ ଧାର୍ମିକ ବ୍ୟକ୍ତି ଏହିଦିନ ତ୍ରିବେଣୀ ସଙ୍ଗମରେ ସ୍ନାନ ପୂର୍ବକ ମୌନବ୍ରତ ପାଳନ କରନ୍ତି ।
- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୌନୀ ଅମାବାସ୍ୟାରେ ଆମ ମନ ଓ ଭାବର ଦେବତା ଚନ୍ଦ୍ର ଦେଖାଯା’ନ୍ତି ନାହିଁ ଏବଂ ଦୁର୍ବଳ ରହନ୍ତି । ତେଣୁ ବ୍ୟକ୍ତି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏହିଦିନ ନେଇପାରେ ନାହିଁ ।
- ତା'ଛଡ଼ା ବର୍ଷକରେ ଥରେ ମକର ରାଶିକୁ ଗମନ କରନ୍ତି ରବି ବା ସୂର୍ଯ୍ୟ । ଶନି ହେଉଛନ୍ତି ମକରର ସ୍ୱାମୀ ବା ପ୍ରଭୁ ଏବଂ ଚନ୍ଦ୍ରଙ୍କ ବିରୋଧୀ । ମକରରେ ରବିଙ୍କ ଅବସ୍ଥାନଦ୍ୱାରା ମକର ଓ ଶନିଙ୍କ ପ୍ରଭାବ ବୃଦ୍ଧିପାଏ । ଫଳରେ ଚନ୍ଦ୍ର ଆହୁରି ଦୁର୍ବଳ ହୋଇଯାଆନ୍ତି ।
- ଚନ୍ଦ୍ରଙ୍କଦ୍ୱାରା ଆମର ମନ ଓ ଭାବ ନିୟନ୍ତ୍ରଣ ହୋଇଥାଏ । ତେଣୁ ଆମର ଚିନ୍ତା କରିବା ଏବଂ ନିଷ୍ପତ୍ତି ନେବାର ଶକ୍ତି ଅପେକ୍ଷାକୃତ ଦୁର୍ବଳ ହୁଏ । ତେଣୁ ମୌନୀ ଅମାବାସ୍ୟା ଦିନ ଅଧିକ କଥାବାର୍ତ୍ତା ନକରି ମୌନବ୍ରତ ଅବଲମ୍ବନ କରିବା ଭଲ ।
- ମାଘସ୍ନାନଦ୍ୱାରା ପୁଣ୍ୟ ଅର୍ଜନ ହୁଏ ବୋଲି ବିଶ୍ୱାସ ରହିଛି । ମୌନୀ ଅମାବାସ୍ୟାରେ ତୀର୍ଥସ୍ଥଳରେ ବୁଡ଼, ଉପବାସ ପାଳନ ଓ ବିଷ୍ଣୁଙ୍କୁ ପୂଜା କଲେ ମହାପୁଣ୍ୟ ମିଳେ ।
- ପିପଳ ବୃକ୍ଷକୁ ଏହିଦିନ ପ୍ରଦକ୍ଷଣ କରିବାର ମଧ୍ୟ ବିଧି ରହିଛି । ମକର ମାସସାରା ପ୍ରୟାଗର ସଙ୍ଗମ ସ୍ଥଳରେ ହିନ୍ଦୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ସ୍ନାନ, ଦାନ ଓ ପୂଜାର୍ଚ୍ଚନା ବା ‘କଳ୍ପବାସ’ କରି ମୌନି ଅମାବାସ୍ୟାକୁ ଅପେକ୍ଷା କରି ରହିଥାନ୍ତି ।
- ମାସବ୍ୟାପୀ କେତେକ ସାଧୁସନ୍ଥ କେବଳ ଜଳପାନ କରନ୍ତି ଏବଂ ଆଉ କେତେକ ଦିନକୁ ଥରେ ହବିଷ ପାଳନ କରନ୍ତି ।
- ଏକଥା ମଧ୍ୟ କୁହାଯାଏ ଯେ ସୃଷ୍ଟିର ଆରମ୍ଭରେ ସବୁ ଶାନ୍ତ, ନିରବ ଥିଲା । ତାପରେ ସୃଷ୍ଟିହେଲା ଶବ୍ଦ ଏବଂ ଏହି ଶବ୍ଦ ଥିଲା ଓଁ ବା ବ୍ରହ୍ମନାଦ । ପ୍ରତ୍ୟେକ ଶବ୍ଦରେ ଅଛି ଶକ୍ତି ଏବଂ ଏହି ଶକ୍ତି ହିଁ ଚତୁଃପାର୍ଶ୍ୱର ସ୍ଥିତିକୁ ପରିବର୍ତ୍ତନ କରିପାରେ ।
- ମୌନୀ ଅମାବାସ୍ୟାରେ ମୌନ ରହିଲେ ଶରୀରରେ ପ୍ରାଣ ସଂରକ୍ଷିର ହୋଇ ରହେ । ଏହା ଶକ୍ତି, ସାମର୍ଥ୍ୟ ପ୍ରଦାନ କରେ I
ପୂଜା ବିଧି
- ତ୍ରିବେଣୀ ଅମାବାସ୍ୟାର ଅନ୍ୟ ଏକ ବିଶେଷତ୍ୱ ହେଉଛି, ଜ୍ୟେଷ୍ଠ ଅମାବାସ୍ୟାରେ ହେଉଥିବା ସାବିତ୍ରୀ ବ୍ରତ ପରି, ଏହି ଅମାବାସ୍ୟାରେ ମଧ୍ୟ ସାବିତ୍ରୀ ଦେବୀଙ୍କର ଆରାଧନା କରାଯାଇଥାଏ।
- ଗ୍ରାମର କୌଣସି ଏକ ସ୍ଥାନରେ ଏକ ପୂଜାମଣ୍ଡପ କରାଯାଏ।
- ଗୃହିଣୀମାନେ ଉପବାସ କରି ତୁଳସୀ, ବର ଓ ଅଶ୍ୱତ୍ଥ ଏହି ତିନି ବୃକ୍ଷକୁ ଗୋଟିଏ ଗୋଟିଏ ରେଶମୀ ଡୋରରେ ବାନ୍ଧି ପୂଜା ମଣ୍ଡପରେ ବିଜେ କରାନ୍ତି।
- ବୃକ୍ଷ ପାଖରେ ଶିବ-ପାର୍ବତୀ, ଓ ଲକ୍ଷ୍ମୀ-ନାରାୟଣଙ୍କର ମୂର୍ତ୍ତି ରଖାଯାଏ।
- ପୂଜା ମଣ୍ଡପଟିକୁ ଫୁଲ, ପତ୍ର ଓ ଚାଉଳବଟା ଚିତାରେ ଅତି ସୁନ୍ଦର ଭାବରେ ସଜାଯାଏ।
- ଅବନ୍ତୀରାଜ ଚନ୍ଦ୍ରଧ୍ୱଜଙ୍କର କନ୍ୟା ଚନ୍ଦ୍ରକାନ୍ତି ଓ ବଜ୍ରବାହୁଙ୍କର ବିବାହ, ଅଳ୍ପାୟୁଷ ବଜ୍ରବାହୁଙ୍କ ମୃତ୍ୟୁ ଏବଂ ପୁନଶ୍ଚ ତ୍ରିବେଣୀଙ୍କ ଦୟାରୁ ପ୍ରତି ତ୍ରିବେଣୀରେ ସେମାନଙ୍କର ମିଳନ ଆଦି ସଂପର୍କରେ ଲେଖାଯାଇଥିବା ବ୍ରତକଥା ପଢ଼ାଯାଇ ପୂଜା କରାଯାଏ।
- ପୂଜା ମଣ୍ଡପରେ ତିନିବୃକ୍ଷଡାଳ ତଳେ ଦୁଇଟି ଲେଖାଏଁ ଗୁଆ ଓ ବେଲ, ହଳଦୀ ଓ ସିନ୍ଦୂରରେ ବିଭୂଷିତ କରି ରଖାଯାଏ।
- ପୂଜା ଶେଷରେ ଯିଏ ଯାହାର ଗୁଆ ଓ ବେଲ ନେଇ ଘରକୁ ଯାଆନ୍ତି।
- ଏହିପୂଜାରେ ଦେବତାଙ୍କୁ ସାତପ୍ରକାରର ଫଳ ଓ ସାତପ୍ରକାରର ଫୁଲ ଅର୍ପଣ କରାଯାଏ।
- ପୂଜା ସମାପ୍ତି ପରେ ବ୍ରତଚାରିଣୀମାନେ ଯାଇ ବରଗଛରେ ସୂତାବାନ୍ଧି, ତା’ର ପୂଜା କରନ୍ତି।
- ଏହାର କାରଣ ଭାବରେ ଏତିକି କୁହାଯାଇପାରେ ଯେ ସାବିତ୍ରୀ ଯେତେବେଳେ ଯମଙ୍କର ପଶ୍ଚାତ୍ଧାବନ କରିଥିଲେ, ସେତେବେଳେ ବଟବୃକ୍ଷ ସତ୍ୟବାନଙ୍କର ମୃତପିଣ୍ଡକୁ ଜଗି ରହିଥିଲା।
- ଏହି ଦିନ ପୂଜା ସମାପ୍ତି ପରେ, ବ୍ରତଚାରିଣୀମାନେ ହଳଦୀ ପାଣିରେ ନିଜ ପତିଙ୍କର ପାଦ ଧୋଇ, ପୂଜାର ଭୋଗ ତାଙ୍କୁ ଖୁଆଇ ନିଜେ ଖାଇବାର ବିଧି ରହିଛି।
0 Comments
Do you have any doubts or suggestions? Ask them here in the comments!