ଗର୍ଭଣା ସଂକ୍ରାନ୍ତି: ମହିଳାଙ୍କ ପରି ଶସ୍ୟ ଯେବେ ଗର୍ଭ ଧାରଣ କରେ

ଗର୍ଭଣା ସଂକ୍ରାନ୍ତି: ମହିଳାଙ୍କ ପରି ଶସ୍ୟ ଯେବେ ଗର୍ଭ ଧାରଣ କରେ

ଗର୍ଭଣା ସଂକ୍ରାନ୍ତି ଉପରେ ଏକ କୃଷି ବଚନ ଅଛି -ଆଗେ ବୁଣୁ ପଛେ ବୁଣୁ, ଗର୍ଭଣାକୁ ଟୁଣୁଟୁଣୁ । ଅର୍ଥାତ ଧାନ ଆଗ ପଛ ହୋଇ ବୁଣା ହେଲେ ମଧ୍ୟ, ଗର୍ଭଣା ସଂକ୍ରାନ୍ତିବେଳକୁ ଧାନଗଛରେ ଥୋଡ଼ ଧରିଥାଏ ।

ଭାରତ ବର୍ଷରେ ବିଭିନ୍ନ ପର୍ବପର୍ବାଣି ଗୁଡିକ ଋତୁ, ଧର୍ମ ଓ ସାମାଜିକ ଭିତ୍ତିରେ ପାଳନ କରାଯାଏ । ତନ୍ମଧ୍ୟରୁ ଅନେକ ପର୍ବ କୃଷି ସମ୍ବନ୍ଧିୟ । ଓଡ଼ିଶାରେ କୁହାଯାଏ ୧୨ ମାସରେ ୧୩ ପର୍ବ । ତନ୍ମଧ୍ୟରୁ ଗର୍ଭଣା ସଂକ୍ରାନ୍ତି ଅନ୍ୟତମ । ତୁଳା ମାସର ସଂକ୍ରାନ୍ତିରେ ପାଳିତ ହୁଏ ଗର୍ଭଣା ସଂକ୍ରାନ୍ତି । ଗର୍ଭଣା ସଂକ୍ରାନ୍ତିକୁ ତୁଳା ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ । ଏହି ଦିନ ସୂର୍ଯ୍ୟ ତୁଳା ରାଶିକୁ ଗମନ କରିଥାଆନ୍ତି । କାର୍ତ୍ତିକ (ତୁଳା  )ମାସର ସଂକ୍ରାନ୍ତିରେ ପାଳିତ ହୁଏ ଗର୍ଭଣା ସଂକ୍ରାନ୍ତି । ଇଂରାଜୀ ମାସ ଅକ୍ଟୋବରରେ ପଡେ ଏହି ସଂକ୍ରାନ୍ତି । ଗର୍ଭ କହିଲେ ଭୃଣକୁ ବୁଝାଯାଏ । ଏହି ସଂକ୍ରାନ୍ତି ବେଳକୁ ଧାନଗଛର ଗର୍ଭରେ ଧାନ କେଣ୍ଡା ବାହାରେ । ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ପ୍ରବାଦ ରହିଛି । 


ଗର୍ଭଣା ଗଛକୁ କେତେକ ସ୍ଥାନରେ ଅଙ୍କରାନ୍ତି ଗଛ ମଧ୍ୟ କହନ୍ତି । ଏହାର ଅନେକ ଔଷଧୀୟ ଗୁଣ ରହିଛି । ଚାଷୀମାନେ ଏହିଦିନ ନିଷ୍ଠାର ସହିତ ପାଳନ କରନ୍ତି । ଗୃହମାଲିକ ତଥା କୃଷକ ସ୍ନାନାଦି କର୍ମ ସାରି ଗର୍ଭଣା ଗଛର ଡାଳ ଆଣି ବିଧିପୂର୍ବକ ପୂଜା କଲା ପରେ ଧାନ କ୍ଷେତରେ ପୋତି ଦିଅନ୍ତି ଏବଂ ଭଲ ଫସଲ ପାଇଁ ପ୍ରାର୍ଥନା କରନ୍ତି ।ଜମିରେ ଖିରି ପ୍ରସ୍ତୁତ କରି ପୂଜା କରନ୍ତି।କେତେକ ସ୍ଥାନରେ ଘରେ ତିଆରି ହୋଇଥିବା ପିଠାକୁ ନେଇ ଚାଷ ଜମିରେ ପୋତି ପୂଜା କରନ୍ତି। ଆଜି ସେହି ପବିତ୍ର ତିଥି ଓଡିଶାର ପୁର ପଲ୍ଲୀରେ ପାଳିତ ହେଉଛି ଏହି କୃଷି ଭିତ୍ତିକ ପର୍ବ ।


ସୂର୍ଯ୍ୟ ବିଷୁବ ରେଖାକୁ ଟପି ଏହି ଦିନ ଦକ୍ଷିଣ ଆଡ଼କୁ ଅର୍ଥାତ ମକର କ୍ରାନ୍ତି ଆଡ଼କୁ ଗତି କରନ୍ତି । ଏହି ସଂକ୍ରାନ୍ତିର ଅନ୍ୟନାମ ହେଉଛି ‘ଶାରଦ’ ବା ‘ହୈମନ୍ତିକ’ ଧାନ । କାରଣ ଏହି ଧାନ ଫସଲର ମୁଖ୍ୟ ସମୟ ଶରତ ଓ ହେମନ୍ତ । ପୃଥିବୀର ଏହି ପ୍ରଧାନ ଶସ୍ୟକୁ ମହାଲକ୍ଷ୍ମୀ ଭାବରେ ଗ୍ରହଣ କରାଯାଏ । କାରଣ ଏହା ଏକାଧାରରେ ଶସ୍ୟ, ବୀଜ, ତଣ୍ଡୁଳ, ପତ୍ର, ଅଙ୍କୁର, କାଣ୍ଡ, କୋଷ, ପୁଷ୍ପ ଓ କ୍ଷୀର ଅଟେ ।


‘ମହାଭାରତ’ ଅନୁସାରେ, ଏହା ମଧ୍ୟ ଏକାଧାରରେ- ଦେବତାମାନଙ୍କ ନିମିତ୍ତ ଅନ୍ନ (ଅମୃତ) ଚରୁ ଭାବରେ, ନାଗମାନଙ୍କର ଅନ୍ନ ସୁଧା (କ୍ଷୀର) ଭାବରେ, ପିତୃପୁରୁଷଙ୍କ ନିମିତ୍ତ ଅନ୍ନ ସ୍ୱଧା (ପିଣ୍ଡ) ଭାବରେ ଏବଂ ପଶୁମାନଙ୍କର ଅନ୍ନ ତୃଣଲତା ଆଦି ଭାବରେ ଉତ୍ପନ୍ନ ହୋଇ ଅନ୍ନଦାନରେ ସମର୍ଥ ହୋଇଥାଏ । ଲକ୍ଷ୍ମୀଙ୍କ ସହିତ ସର୍ବଦା ଜଡ଼ିତ ହୋଇଥିବାରୁ ଏହାକୁ ପ୍ରଜନନ ଶକ୍ତିର ପ୍ରତୀକ (ଧାନମେଣ୍ଟା, ମାଣଧାନ ଆଦି) ଭାବରେ ପୂଜା କରାଯାଇଥାଏ । ଏହା ସମସ୍ତ ପ୍ରାଣୀଙ୍କର ପ୍ରାଣାଧାର ହୋଇଥିବାରୁ ଏହାର ସର୍ବମାନ୍ୟତା ସର୍ବଦା ରହିଆସିଛି । ଅକ୍ଷୟତୃତୀୟାଠାରୁ ଆରମ୍ଭ କରି ମାର୍ଗଶିର ମାସ ଗୁରୁବାର ପର୍ଯ୍ୟନ୍ତ ଏହିପୂଜନ ପରିବ୍ୟାପ୍ତ । ତେଣୁ କୃଷକମାନେ ସର୍ବଦା ଏହି ଫସଲର ଯତ୍ନ ନେବାକୁ ତତ୍ପର ।


ଏଥିପାଇଁ ଗର୍ଭଣା ସଂକ୍ରାନ୍ତି ଦିନ ଏକ ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହିଦିନ କୃଷକ ପରିବାର ଗୃହ ମଧ୍ୟରେ ନାନା ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଦେବୀ ଲକ୍ଷ୍ମୀଙ୍କୁ ଭୋଗ ଲଗାଇ ଥାଆନ୍ତି ଏବଂ ଗର୍ଭଣା ଗଛକୁ ପୂଜାକରି ଧାନ କ୍ଷେତରେ ପୋତିଥାନ୍ତି । ବିଶ୍ୱାସ ଅଛି, ଏହି ଗଛ କ୍ଷେତରେ ରହିଲେ ଧାନକ୍ଷେତ ପୋକଜୋକ ତଥା ଫସଲ ନଷ୍ଟକାରୀ କୀଟପତଙ୍ଗଠାରୁ ସୁରକ୍ଷିତ ରହେ ଏବଂ ଉତ୍ତମ ଶସ୍ୟ ଉତ୍ପାଦିତ ହୁଏ । ଯଦିଓ ଏହା ପଛରେ କୌଣସି ବୈଜ୍ଞାନିକ କାରଣ ଥିବାର ଜଣାଯାଏ ନାହିଁ, ତଥାପି ଲୋକବିଶ୍ୱାସକୁ ଭିତ୍ତି କରି  ଏହାକୁ ନିଷ୍ଠାର ସହିତ ପାଳନ କରାଯାଇଥାଏ ।


ନାରୀ ଯେମିତି ଗର୍ଭବତୀ ହେଲେ ତାର ମଙ୍ଗଳ କାମନା କରି ତାର ସୁସ୍ଥ ସନ୍ତାନ କାମନା କରାଯାଇ ପୂଜା କରାଯାଏ । ଠିକ୍ ସେମିତି ଧାନ ଗଛରେ ପ୍ରଥମ ଗର୍ଭ ସ୍ଥାପନ ହେଲେ କୃଷକଟିଏ ଭଲ ଧାନ ଅମଳ ପାଇଁ ପୂଜା କରିଥାଏ । 

Post a Comment

0 Comments