ଜାଣନ୍ତୁ ଭଗବାନ ବାମନ ଅବତାରର ରହସ୍ୟ ଓ ସୁନିଆ ପର୍ବ
ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ଏହି ପର୍ବକୁ ପାଳନ କରାଯାଏ । ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଏହି ପର୍ବକୁ ପାଳନ କରାଯାଏ । ପୌରାଣିକ କଥାକୁ ଯଦି ଦେଖିବା ତେବେ ଏହି ଦିନ ଭଗବାନ ବିଷ୍ଣୁ ନିଜର ୫ମ ଅବତାର ନେଇଥିଲେ । ଏହିଦିନ ବାମନ ରୂପରେ ଧରାପୃଷ୍ଠରେ ଅବତରଣ କରିଥିଲେ । ପୁରାଣରେ ରହିଛି ବାମନ ଅବତାରରେ ବିଷ୍ଣୁ ଏ ଦିନ ଅଦିତିଙ୍କ ଗର୍ଭରୁ ଜନ୍ମ ହୋଇଥିଲେ । ଯିଏ ବଳିଙ୍କ ଅହଙ୍କାରକୁ ଦମନ କରିଥିଲେ ।
ପିଣ୍ତ-ବ୍ରହ୍ମାଣ୍ତ : ବାମନ ଅବତାର
- ଧ୍ୟାନରୁ ଜାତ ଆନନ୍ଦ ବା ଧ୍ୟାନର ଆନନ୍ଦର ଦୀପ୍ତିରେ ସାଧକର ପିଣ୍ଡବ୍ରହ୍ମାଣ୍ଡ ଜାଜ୍ଜ୍ୱ୍ୱଲ୍ୟମାନ ହୋଇଯାଏ । ଧ୍ୟାନରୁ ପ୍ରାପ୍ତ ଏହି ଅବସ୍ଥାରୁ ଜାତ ହୁଏ ବଳି ବା ଧ୍ୟାନର ଅହଂକାର ।ବଳି ଶବ୍ଦ ସଂସ୍କୃତ ‘ବଳ୍’ ଧାତୁରୁ ଆସିଛି । ଏହାର ଅର୍ଥ- ଦାନ କରିବା ବା ବଧ କରିବା । ଧ୍ୟାନର ଅହଂକାର ପ୍ରକୃତ ଜ୍ଞାନ ପ୍ରାପ୍ତିର ଆକାଂକ୍ଷାକୁ ବଧ କରିବା ଆରମ୍ଭ କରେ ।
- ପିଣ୍ଡବ୍ରହ୍ମାଣ୍ଡର ପ୍ରତ୍ୟେକ ତତ୍ତ୍ୱକୁ ଧ୍ୟାନର ପ୍ରାରମ୍ଭିକ ଅବସ୍ଥାର ଆନନ୍ଦ ଉପଲବ୍ଧ କରାଇ, ସନ୍ତୁଷ୍ଟ କରାଇ, ଶରୀରର ସ୍ୱର୍ଗ, ମର୍ତ୍ତ୍ୟ, ପାତାଳରୂପୀ ତ୍ରିପୁରକୁ ତାହା ନିଜର ଅଧିକାରକୁ ନେଇଯାଏ । ଏହି ଅହଂକାର ଶ୍ରେଷ୍ଠ ଦାନୀ, କାରଣ ଏହା କାହାକୁ ବି ନିଜ ଲବ୍ଧ ଆନନ୍ଦ ଦେବାପାଇଁ କୁଣ୍ଠା ଅନୁଭବ କରେ ନାହିଁ। କିନ୍ତୁ ଏହି ଅବସ୍ଥା ଧ୍ୟାନ ଓ ସାଧନାର ଲକ୍ଷ୍ୟ ନୁହେଁ ।
- ମୂଳ ଅବ୍ୟକ୍ତ ସ୍ଥିତିକୁ ଫେରିବା ହେଉଛି ପ୍ରକୃତ ଲକ୍ଷ୍ୟ । ଏହାକୁ ଚେତାଇଦେବାପାଇଁ ସାଧକଙ୍କ ଚେତନାର ଆଜ୍ଞାଚକ୍ରରେ ଉଭା ହୁଅନ୍ତି ବାମନ ଅବତାର ।
- ‘ବାମି’ ଧାତୁରୁ ସୃଷ୍ଟ ବାମନ ଶବ୍ଦର ଅର୍ଥ ସାଧାରଣ ପ୍ରାଣୀଙ୍କ ବିରୁଦ୍ଧ, ଯାହାକୁ ଆମେ ଖର୍ବ ବା ଗେଡ଼ା ଭାବେ ଗ୍ରହଣ କରୁ । ଧ୍ୟାନର ଅହଂକାରକୁ ଦମନ କରିବାପାଇଁ ସାଧକଙ୍କ ଆଜ୍ଞାଚକ୍ରରେ ଏକ ଛୋଟ ଜ୍ଞାନର ଆଭା ଅବତରିତ ହୁଏ ।
ଜାଣନ୍ତୁ ଭଗବାନ ବିଷ୍ଣୁଙ୍କ ବାମନ ଅବତାରର ରହସ୍ୟ
ବାମନ ଅବତାର ଭଗବାନ ବିଷ୍ଣୁଙ୍କ ପଞ୍ଚମ ଅବତାର। ବାମନ ଅବତାର ତ୍ରେତୟା ଯୁଗର ପ୍ରଥମ ଅବତାର ମଧ୍ୟ। ଭାଗବତ ପୁରାଣରେ ବର୍ଣ୍ଣିତ ଅନୁଯାୟୀ ଭଗବାନ ବିଷ୍ଣୁ ଆକାଶରେ ଭଗବାନ ଇନ୍ଦ୍ରଙ୍କ ଶକ୍ତିକୁ ପୂର୍ନସ୍ଥାପନ କରିବା ପାଇଁ ବାମନ ଅବତାର ଧାରଣ କରି ଅବତରିତ ହୋଇଥିଲେ, ଯେପରି ରାଜା ବଳୀଙ୍କ ଯଜ୍ଞରେ ବାମନ ଅବତାର ଧାରଣ କରି ଅବତରିତ ହୋଇଥିଲେ।
ମହାପ୍ରଭୁଙ୍କ ବାମନ ବେଶ
- ବାମନ ବେଶ ବା ବଳିବାମନ ବେଶ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ଦିନ ଜଗନ୍ନାଥ ମନ୍ଦିରରେ ପାଳନ କରାଯାଏ ।
- ପୌରାଣିକ ଉପାଖ୍ୟାନ ଅନୁସାରେ ଏହିଦିନ ଏକ ଶୁଭ ମୁହୂର୍ତରେ ଭଗବାନ ବିଷ୍ଣୁ ନିଜ ପଞ୍ଚମ ଅବତାରରେ ଏକ ଦିବ୍ୟ, ଜ୍ୟୋତିର୍ମୟ ବାମନ ବାଳକ ରୂପରେ ଧରିତ୍ରୀରେ ଅବତରଣ କରିଥିଲେ ।
- ନୃସିଂହ ଜନ୍ମ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପରି ଶ୍ରୀମନ୍ଦିରରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ଦିନ ବାମନ ଜନ୍ମ ପାଳିତ ହେବା ସଙ୍ଗେ ସଙ୍ଗେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଏକ ବାମନରୂପ ବାଳ୍କା ବେଶରେ ସଜ୍ଜିତ କରାଯାଇଥାଏ ।
ନୀତି
- ଶ୍ରୀମନ୍ଦିରରେ (ବାମନଙ୍କ) ଜନ୍ମୋତ୍ସବ ନୀତି ଓ ଦ୍ୱିପ୍ରହର ଧୂପ ଶେଷ ହେବା ପରେ ଜଗନ୍ନାଥ ମହାପ୍ରଭୁ ବାମନ ବେଶ ଧାରଣ କରନ୍ତି ।
- ଏଥିରେ ସୁଭଦ୍ରା ସାଧାରଣ ବେଶ ଓ ବଳଭଦ୍ର ରାଜ ବେଶରେ ଦୃଶ୍ୟମାନ ହେବା ସଙ୍ଗେ ସଙ୍ଗେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀଭୂଜ, ଶ୍ରୀପୟର ଓ କିରୀଟରେ ଆଭୁଷିତ ହୋଇଥାନ୍ତି ।
- ଶ୍ରୀଜଗନ୍ନାଥଙ୍କ ଶ୍ରୀଭୂଜର ବାମ ହସ୍ତରେ ଛତା ଓ ଡାହାଣ ହସ୍ତରେ କୁଶବଟୁ ଗଡୁ ଧରାଯାଇ ଏକ ବାମନରୂପୀ ନୈଷ୍ଠିକ ବ୍ରାହ୍ମଣ ବେଶରେ ଭୂଷିତ କରାଯାଏ ।
- ପୁଷ୍ପାଳକ ସେବକମାନେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଏପରି ବେଶ କରିଥାନ୍ତି, ଜଣାଯାଏ ସତେ ଯେପରି ଜଗନ୍ନାଥ ମହାପ୍ରଭୁ ସ୍ୱୟଂ ଏକ ବାମନ ବା କ୍ଷୁଦ୍ରକାୟ ବିପ୍ର ।
- ଶ୍ରୀଜଗନ୍ନାଥ ବାମନ ଭାବେ ପରିଚିତ । ବିଶେଷ କରି ରଥ ଯାତ୍ରା ସମୟରେ ତାଙ୍କୁ ବାମନ ଭାବରେ ବର୍ଣ୍ଣନା କରାଯାଇ କୁହାଯାଇଛି : ରଥେତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ । ଜଗନ୍ନାଥଙ୍କର ହସ୍ତପଦ ବିହୀନ ଅବୟବକୁ ଦର୍ଶନ କଲେ ସେ ସ୍ୱତଃ ବାମନ ଭଳି ଦେଖାଯାନ୍ତି ।
- ବାମନ ବେଶରେ ଠାକୁରଙ୍କୁ ଲାଗି କରାଯାଉଥିବା ସ୍ୱର୍ଣ୍ଣ ଅଳଙ୍କାର ଇତ୍ୟାଦି ବେଶ ଦିବସ ପୂର୍ବରୁ ରତ୍ନଭଣ୍ଡାରରୁ ବାହାର କରାଯାଇ ଭଣ୍ଡାର ମେକାପ ସେବକଙ୍କ ତତ୍ତ୍ୱବଧାନରେ ରହିଥାଏ ।
- ଭଗବାନ ଠାରେ ଖିର, ଦହି ଏବଂ କୋରା ଲାଗି ହୋଇଥାଏ ।
- ବର୍ଷକୁ ଥରେ ଏହିଦିନରେ ପରମ୍ପରା ଅନୁସାରେ ଶ୍ରୀଜୀଉଙ୍କୁ ୩ଟି ସୁବର୍ଣ୍ଣ ଥାଳିରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ୩ ବଡ଼ କାକରା ରାଜ ଭୋଗ ନୈବେଦ୍ୟ ଅର୍ପଣ କରାଯାଏ ।
ଗଜପତିଙ୍କ ନୂତନ ଅଙ୍କ
ଉତ୍କଳୀୟ ସଂସ୍କୃତି ଓ ସାମାଜିକ କ୍ରମେ ଗଜପତିଙ୍କ ନାମରେ ଆରମ୍ଭ ହୁଏ ନବବର୍ଷ । ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ସୁନିଆ ଦିନ ଆରମ୍ଭ ହୁଏ ଗଜପତିଙ୍କ ନୂତନ ଅଙ୍କ । ତେଣୁ ସୁନିଆକୁ ଉତ୍କଳୀୟ ନବବର୍ଷ ବୋଲି ଧରାଯାଏ । ଓଡ଼ିଆ ଜାତକରେ ବର୍ଷ, ମାସ, ତାରିଖ, ତିଥି ଓ ନକ୍ଷତ୍ର ଲେଖାଥାଏ। । ସୁନିଆ ଦିନଠାରୁ ଗଜପତି ମହାରାଜାଙ୍କ ଗାଦିଆସନ ବର୍ଷର ଗଣନା ହୋଇଥାଏ । ସୁନିଆ ଦିନ ଷୋଳଶାସନରୁ ବ୍ରାହ୍ମଣମାନେ ଶ୍ରୀନଅରକୁ ଆସି ଗୋଟିଏ ଲେଖାଏଁ ନଡ଼ିଆ ଗଜପତିଙ୍କୁ ଭେଟିଦେଇ ମହାରାଜାଙ୍କୁ ଆଶିର୍ବାଦ କରିଥାନ୍ତି । ସମସ୍ତଙ୍କୁ ଶ୍ରୀନଅରରେ ମହାପ୍ରସାଦ ଦିଆଯାଏ। । ସୁନିଆ ଦିନ ଗଜପତି ମହାରାଜା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି କନକ ଭେଟି ଅର୍ପଣ କରିବାର ପ୍ରଥା ଅଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଗଜପତି ପୁରୁଣା ନଅର ସ୍ଥଳକୁ ଯାଇ ଶ୍ୟାମାକାଳୀ ଓ ଅଷ୍ଟଶମ୍ଭୁଙ୍କୁ ଦର୍ଶନକରି ଶ୍ରୀନଅର କୁ ଫେରିଥାନ୍ତି। । ସୁନିଆ ଦିନ ସ୍ୱର୍ଣ୍ଣମୁଦ୍ରାରେ ଗଜପତି ମହାରାଜାଙ୍କ ନୂତନ ଅଙ୍କ କଟାଯାଇ ସେହିଦିନଠାରୁ ନୂତନ ଅଙ୍କର ଗଣନା ଆରମ୍ଭ ହୁଏ ।


0 Comments
Do you have any doubts or suggestions? Ask them here in the comments!