ଆଶ୍ୱିନ ଅମାବାସ୍ୟାରେ କରନ୍ତୁ ଫୁଲେରୀ ଓଷା ବ୍ରତ
ଆଶ୍ୱିନ ଅମାବାସ୍ୟା ବା ଆର୍ଦ୍ରା ଅମାବାସ୍ୟା ଦିନ ଏକ ଲୋକସିଦ୍ଧ ବ୍ରତ ପାଳିତ ହୋଇଥାଏ । ତାହାକୁ ବଜ୍ରମହାକାଳୀ ବ୍ରତ ବା ଫୁଲେରୀ ଓଷା କହନ୍ତି । ଏହି ବ୍ରତର ଆରାଧ୍ୟା ଦେବୀ ହେଉଛନ୍ତି ମା’ ବଜ୍ରମହାକାଳୀ ।
କାଳୀଙ୍କର ଯେଉଁ ଏକସହସ୍ର ନାମର ଉଲ୍ଲେଖ ପୁରାଣରେ ଅଛି, ସେଥିରେ ଏପରି କୌଣସି ନାମର ବର୍ଣ୍ଣନା ମିଳେ ନାହିଁ। କିନ୍ତୁ ବୌଦ୍ଧ ବଜ୍ରଯାନରେ ପୂଜିତ ‘ବଜ୍ରବାରାହୀ’ କାଳକ୍ରମେ ଲୋକାଚାର ମଧ୍ୟରେ ‘ବଜ୍ରମହାକାଳୀ’ରେ ପରିଣତ ହୋଇଥାଇପାରନ୍ତି । ଓଡ଼ିଶାର ଗୋଟିଏ, ଦୁଇଟି ସ୍ଥାନରେ ବଜ୍ରକାଳୀ ମନ୍ଦିର ଦୃଷ୍ଟିଗୋଚର ହେଲେ ମଧ୍ୟ, ସଂପୂର୍ଣ୍ଣ ଲୌକିକ ପରଂପରାରେ ଏହି ଦେବୀ ଉପାସିତ ହୋଇଥାଆନ୍ତି ।
ପ୍ରଥମ ବ୍ରତବିଧି
- ଏହି ବ୍ରତ ପାଳନ ଅବସରରେ ଘରର ମହିଳାମାନେ ଘରଦ୍ୱାର ଲିପାପୋଛା କରି ଝୋଟି ଦିଅନ୍ତି |
- ଗଞ୍ଜାମ ଆଦି କେତେକ ଜିଲାରେ ଏହି ପର୍ବ ସାମାନ୍ୟ ଭିନ୍ନ ଢଙ୍ଗରେ ପାଳିତ ହୋଇଥାଏ, ଘରର ପିଲାମାନେ- “ଦାଣ୍ଡ ଆଡ଼େ ବଗ, ବାରି ଆଡ଼େ ବଗ / ଗୁଣ୍ଡୁଚି ମୂଷା କହିଯାଇଛି ଚାଉଳ ମୁଠେ ଦେବ।” -ଏପରି ଡାକ ଦେଇ, ସାତ ଘରୁ ଚାଉଳ ଆଣନ୍ତି ।
- ସେହି ଚାଉଳକୁ କୁଟି ସେଥିରେ ଅଟକାଳି କରି ଦେବୀଙ୍କୁ ସମର୍ପଣ କରାଯାଇଥାଏ ।
- ଏକ ଶିଳପୁଆକୁ ପଞ୍ଚାମୃତରେ ସ୍ନାନ କରାଇ, ଫୁଲ, ଚନ୍ଦନ, କଳା ଓ ସିନ୍ଦୂରରେ ବଜ୍ରକାଳୀଙ୍କୁ ସ୍ଥାପନା କରି, ତାଙ୍କୁ ଏକ ହଳଦିଆ ପାଟ ପିନ୍ଧାଇ ଦିଅନ୍ତି ।
- ସେହି ଶିଳପୁଆ ପାଖରେ ଧାନଗଛ, ବେଲ ଗଛ, ବଜ୍ରମୂଳୀ, ଆଖୁଗଛ, ଅଁଳାଡାଳ ଓ ବେଲ ଡାଳକୁ ଏକାଠି ବାନ୍ଧି ରଖନ୍ତି ।
- ବଜ୍ର ମହାକାଳୀଙ୍କ ପାଖରେ ସାତଟି ଦୂବ, ସାତଖଣ୍ଡ ହଳଦୀ ଓ ସାତ ଅକ୍ଷତ ରଖି ଦେବୀଙ୍କୁ ଏକ ସୁବର୍ଣ୍ଣ ‘ପୁସ୍ତା’ ପିନ୍ଧାନ୍ତି ।
- କଦଳୀ, ନଡ଼ିଆ, ବାଢ଼ିଲେ ଏବଂ ଶୁଦ୍ଧ ଚାଉଳକୁ କୁଟି ସେଥିରେ ଅଟକାଳି କରି ସାତଟି କଖାରୁ ପତ୍ରରେ ତାହାକୁ ବାଢ଼ନ୍ତି ।
- ଏହା ସହିତ ବିଭିନ୍ନ ପ୍ରକାରର ପିଠା ପଣା ଓ ସାତ ପ୍ରକାର ଶାଗର ଏକ ତରକାରୀ ରାନ୍ଧି ଦେବୀଙ୍କ ପାଖରେ ନୈବେଦ୍ୟ କରନ୍ତି ।
- ଧୂପ, ଦୀପ ଦେଇ ଦେବୀଙ୍କୁ ବନ୍ଦାଇ, ପୁରୋହିତଙ୍କଠାରୁ ବ୍ରତକଥା ଶୁଣନ୍ତି ।
- ପୂଜା ସରିଲେ ସାତଟି କଖାରୁ ପତ୍ର ପାରି ତା ଉପରେ ସାତଟି ପାଣି କଖାରୁ ଗଡ଼ାନ୍ତି ।
- ପରେ ତା’ ଉପରେ ପିଲାଙ୍କୁ ଗଡ଼ାଇ ଥାଆନ୍ତି ।
- କଥା ଶୁଣିଲେ, ପୁରୋହିତଙ୍କୁ ଦକ୍ଷିଣା ଦେଇ ବିଦାୟ କଲେ । ସେହି ପ୍ରସାଦକୁ ସମସ୍ତେ ବାଣ୍ଟି ଖାଇଲେ । ସାହିପଡ଼ିଶାକୁ ଦେଲେ ।
- ଏହି ଓଷା କଲେ ଅପୁତ୍ରିକ, ପୁତ୍ର ପ୍ରାପ୍ତ ହେବ । ନିର୍ଦ୍ଧନୀ ଧନପ୍ରାପ୍ତ ହେବ । ଯେ ଯାହା ମାନସିକ ବିଧିମତେ ଓଷା କଲେ ତାହାଙ୍କୁ ବଜ୍ର ମହାକାଳୀ ଦୟାକରି ସକଳ ପ୍ରାପ୍ତ କରନ୍ତି ।
- ଏହି ବ୍ରତକଥା ଅନୁସାରେ ବଜ୍ର ମହାକାଳୀ ଅତ୍ୟନ୍ତ କରୁଣାମୟୀ; କିନ୍ତୁ ସାମାନ୍ୟ ଦୋଷତ୍ରୁଟି ଦେଖିଲେ ସେ କ୍ରୋଧିତ ହୁଅନ୍ତି ।
- ଭକ୍ତି ଓ ନିଷ୍ଠାର ସହିତ ତାଙ୍କୁ ସ୍ମରଣ କଲେ ଘର ଧନ, ଜନ, ଗୋପ, ଲକ୍ଷ୍ମୀରେ ପୂର୍ଣ୍ଣ କରି ଦିଅନ୍ତି ।
ଦ୍ଵିତୀୟ ବ୍ରତବିଧି
କୁଆଁରୀମାନଙ୍କର ଅନେକ ଓଷା ଭଲ ଜୀବନସାଥି ପାଇବାକୁ ହୋଇଥିବା ବେଳେ ଏହି ଓଷା ବାପା ଓ ଭାଇମାନଙ୍କର ମଙ୍ଗଳ ପାଇଁ ମଧ୍ୟ କରାଯାଇଥାଏ । ପ୍ରତିବର୍ଷ ଦୁର୍ଗାଷ୍ଟମୀର ନଅଦିନ ଆଗରୁ ଏହିଓଷା ପାଳନ କରାଯାଇଥାଏ ।
- ବ୍ରାହ୍ମଣ ସଂପ୍ରଦାୟର କୁଆଁରୀମାନେ ଏହିଓଷା କରିଥାନ୍ତି । ପୋଖରୀ କୂଳରେ ଓଷା କରାଯାଏ ।
- ଏହି ଓଷାର ସ୍ୱତନ୍ତ୍ରତା ହେଲା ହରଗୌରୀ ସହ ନଡ଼ିଆ ଓ ଗୁଆକୁ ଦେବତା ଭାବେ ପୂଜା କରାଯାଏ ।
- ଘରେ ଯେତେଜଣ ଅବିବାହିତା ଝିଅ ଥାଆନ୍ତି ସେତୋଟି ନଡ଼ିଆ ଆଣାଯାଏ ।
- ନଡ଼ିଆର ଉପର ଭାଗକୁ ଚିକ୍କଣ କରି ସେଥିରେ ଚୂନ ଲଗାଯାଏ ।
- ଏହାପରେ ନଡ଼ିଆରେ ମଣିଷ ଭଳି ଆଖି, ନାକ, ପାଟି କରି ସଜ୍ଜାଯାଏ । ଦୂରରୁ ନଡ଼ିଆଗୁଡ଼ିକ ସୁନ୍ଦରୀଝିଅ ପରି ଦେଖାଯାଆନ୍ତି ।
- ନଡ଼ିଆ ସାଙ୍ଗରେ ଗୁଆଗୁଡ଼ିକୁ ମଧ୍ୟ ନାନା ଚିତ୍ରବିଚିତ୍ର କରାଯାଇଥାଏ ।
- ବାଉଁଶରେ ନିର୍ମିତ ଡାଲା ବା ଝୁଡ଼ିରେ ନଡ଼ିଆ ଓ ଗୁଆଗୁଡ଼ିକୁ ରଖାଯାଏ ।
- ଭୋର ପାଞ୍ଚଟାରୁ ଓଷା ହୁଏ । ଶଙ୍ଖ ବଜାଇ, ହୁଳହୁଳି ପକାଇ ନଡ଼ିଆ ଡାଲା ଧରି ଝିଅମାନେ ପୋଖରୀ ତୁଠରେ ପହଞ୍ଚଥାନ୍ତି ।
- ପୋଖରୀ କୂଳରେ ମାଟିରେ ଶିବ ଓ ପାର୍ବତୀ ପ୍ରତିମା ଗଢ଼ାଯାଏ ।
- ପ୍ରଥମେ ଡାଲାକୁ ପୋଖରୀ ତୁଠ ଚଉଁରା ଉପରେ ରଖି ହରଗୌରୀଙ୍କୁ ସଜ୍ଜାଯାଏ ।
- ବାଉଁଶପତ୍ର ପାଣି ଆଣି ସେମାନଙ୍କୁ ଗାଧୋଇ ଦିଆଯିବା ପରେ ନାନା ଅଳଙ୍କାରରେ ମା’ ଗୌରୀ ଓ ଶିବଙ୍କୁ ସଜାଯାଏ । ଏ
- ହାପରେ ନଡ଼ିଆ ଓ ଗୁଆ ଗୁଡ଼ିକୁ ଡାଲାରୁ କାଢି ଚଉଁରା ଉପରେ ରଖାଯାଏ ।
- ନଡ଼ିଆ, ଗୁଆ ସହ ଦର୍ପଣ, ପାନିଆ ପ୍ରମୁଖ ମଧ୍ୟ ପୂଜାରେ ଲାଗେ ।
- ନଡ଼ିଆ ଓ ଗୁଆକୁ ହଳଦି ପାଣିରେ ଗାଧୋଇବା ପରେ ଧଳା କୁଙ୍କୁମରେ ସେମାନଙ୍କୁ ସଜେଇ ଦିଆଯାଏ ।
- ଓଷା କରୁଥିବା ସବୁଝିଅ ମଧ୍ୟ ମଥାରେ ଧଳା କୁଙ୍କୁମରେ ଚିତା କୁଟାଇଥାନ୍ତି । ଚିତାକୁଟା ପର୍ବ ସରିବା ପରେ ଗୀତ ବୋଲାଯାଇଥାଏ ।
- ‘ଆସିବେ ଈଶ୍ୱର ମାଳ’ ଠାରୁ ଆରମ୍ଭ କରି ‘ଉଠ ଉଠ ସୀତୟା ହେ, ହୋଇଲାଣି ବେଳ’ ପରି ବହୁଗୀତ ବୋଲାଯାଏ ।
- ଏହାପରେ ଧୂପ ଦୀପରେ ହରଗୌରୀ ଓ ନଡ଼ିଆକୁ ବନ୍ଦାପନା କରାଯାଇଥାଏ । ବନ୍ଦାପନା ପରେ ଭୋଗ କରାଯାଏ I
- ଓଷାରେ ବିଶେଷକରି ତାଳଗଜା, ଛେନା ଭୋଗ କରାଯାଏ ।
- ହରଗୌରୀଙ୍କୁ ଭୋଗ ଲଗାଯିବା ପରେ ନଡ଼ିଆ ଓ ଗୁଆକୁ ଭୋଗ କରାଯାଏ । ତେବେ ଓଷା ନିୟମ ଅନୁସାରେ ଓଷା କରୁଥିବା ଝିଅମାନେ ଭୋଗ ଖାଇପାରିବେ ନାହିଁ । ପାଖରେ ଥିବା ପୁଅମାନଙ୍କୁ ଭୋଗ ବଣ୍ଟାଯିବ ।
- ଭୋଗବଣ୍ଟା ପରେ କଉଡ଼ି ଖେଳ ଆରମ୍ଭ ହୁଏ I ‘ ସୁଧେଷୁ ବନର ଚନ୍ଦନ କୋଟି, ହର ସଙ୍ଗେ ଉମା ଖେଳନ୍ତି ଜୁଆ କଉଡି ମୁଠି ’ ଗୀତରେ କଉଡ଼ି ଖେଳାଯିବ । ଗୀତଶେଷରେ କଉଡ଼ି ଯେଉଁ ଦୁଇଜଣଙ୍କ ପାଖରେ ସେମାନଙ୍କ ଭିତରେ କଉଡି ଛଡାଛଡ଼ି ହେବ ।
- ଯିଏ ଜିତିବ ସେ ଶିବ ଓ ଯିଏ ହାରିବ ସେ ପାର୍ବତୀ ବୋଲି କୁହାଯାଏ । କଉଡ଼ି ଖେଳ ପରେ ‘ ଉଠ ଉଠ ସୀତୟା ହେ, ହୋଇଲାଣି ବେଳ....’ ଗୀତରେ ନଡ଼ିଆକୁ ଚଉରା ଉପରୁ ଉଠଇ ଡାଲାରେ ରଖାଯାଏ । ଡାଲାରେ ହରିଡା ପତ୍ର ପକାଇ ଶଙ୍ଖ ହୁଳହୁଳି ସହ ଘରକୁ ଫେରନ୍ତି ଝିଅମାନେ ।
ମୁଢ଼ି ନଡ଼ିଆ: ଓଷାର ପଞ୍ଚମ କିମ୍ବା ସପ୍ତମ ଦିନରେ ମୁଢ଼ି ନଡ଼ିଆ ହୋଇଥାଏ । ଗାଁ ବୁଲି ଘରୁ ଘରୁ ଧାନ ଓ ପଇସା ଆଦାୟ କରାଯାଇଥାଏ । ସେହି ଧାନରେ ମୁଢ଼ି ଓ ପଇସାରେ ନଡ଼ିଆ କିଣାଯାଇଥାଏ । ଦିନ ଦୁଇଟାରେ ଆରମ୍ଭ ହୁଏ ମୁଢ଼ି ନଡ଼ିଆ ଉତ୍ସବ । ଆଖପାଖରେ ଥିବା ପାହାଡ଼ ଉପରେ ମୁଢ଼ି ନଡ଼ିଆ ହୋଇଥାଏ । ଝିଅମାନେ ଶଙ୍ଖ ହୁଳହୁଳି ସହ ପାହାଡରେ ମୂମୁଢ଼ି ଓ ନଡ଼ିଆ ଧରି ପହଞ୍ଚିଥାନ୍ତି । ନଡ଼ିଆ ଭାଙ୍ଗି ତାକୁ ଖଣ୍ଡଖଣ୍ଡ କରି କାଟି ପାହାଡରେ ବସି ମୁଢ଼ି ସହ ଖାଇଥାନ୍ତି ।
ଶେଷଦିନ: ଦୁର୍ଗାଷ୍ଟମୀ ଦିନ ଓଷାର ଶେଷଦିନ । ଆମ୍ବଡାଳ, ରଙ୍ଗୀନ କାଗଜରେ ଓଷା ପୀଠକୁ ଅତି ସୁନ୍ଦର ଭାବେ ସଜ୍ଜାଯାଏ । ଚୁଙ୍ଗା ମଧ୍ୟ ବଜାଯାଏ । ସାଜସଜ୍ଜା ପରେ ସବୁଝିଅ ଏକତ୍ର ହଳଦୀ ଲଗାଇ ପୋଖରୀରେ ସ୍ନାନ କରନ୍ତି I ଶେଷଦିନ ସବୁଝିଅ ଶାଢ଼ୀ ପିନ୍ଧିବା ବାଧ୍ୟତାମୂଳକ ।
ଛୋଟ ପିଲାମାନଙ୍କଠାରୁ ଆରମ୍ଭ କରି ବଡ଼ଝିଅମାନେ ମଧ୍ୟ ଏହିଦିନ ଶାଢ଼ୀ ପିନ୍ଧିଥାନ୍ତି । ଶାଢ଼ୀ ପିନ୍ଧି ବେଷଭୂଷା ହୋଇ ସମସ୍ତେ ପୋଖରୀ ତୁଠରେ ପହଞ୍ଚିବା ପରେ ଓଷା କାର୍ଯ୍ୟ ଆରମ୍ଭ ହୋଇଥାଏ । ପ୍ରତିଦିନ ପରି ଭୋଗରାଗ ହେବା ସହ ଗୀତ ବୋଲାଯାଏ । ନାଚକୁଦ, ଗୀତ ସ୍ୱରରେ ଗାଁ କମ୍ପିଉଠେ । ଶେଷରେ ବଡ଼ ଭୋଗ କରାଯାଏ । ଓଷା ପରଦିନ ସକାଳୁ ସାତ ପ୍ରକାର ଶାଗ କରାଯାଏ । ସାତଶାଗ ଭୋଗ ଦେଇ ହରଗୌରୀଙ୍କୁ ପାଣିରେ ବିସର୍ଜନ କରାଯାଏ ।
ମାନସିକ: ଏହି ଓଷାରେ କରାଯାଇଥିବା ସମସ୍ତ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । କାହାର ପୁଅ ବା ଝିଅ ହେଲେ, ଝିଅ ବାହାଘର ହେଲେ ଓଷେଇତୀଙ୍କୁ ଟଙ୍କା ଦେବେ ବା ମୁଢ଼ି ନଡ଼ିଆ ଖର୍ଚ୍ଚ ତୁଲାଇବେ ବୋଲି ଲୋକେ ମାନସିକ କରିଥାନ୍ତି ।
ମାନସିକ ପୂରଣ ହେଲେ ଓଷେଇତୀଙ୍କୁ ସାହାଯ୍ୟ ମିଳିଥାଏ । ଏଥି ସହିତ ଓଷା କରୁଥିବା ଝିଅଙ୍କଠାରୁ ଚାନ୍ଦା ଆଦାୟ ହୋଇଥାଏ । ଉକ୍ତ ପଇସାରେ ଶେଷଦିନ ଭୋଗରାଗ ହେବା ସହ ସାଜସଜ୍ଜା ଆଦି ହୋଇଥାଏ । ଓଷା ସରିବା ପରେ ବଳକା ଟଙ୍କାରେ ଭୋଜିଭାତ ହୋଇଥାଏ । ଅଧିକ ଟଙ୍କା ହେଲେ ଠାକୁରଙ୍କ ପାଇଁ ଅଳଙ୍କାର କିଣାଯାଇଥାଏ । ଓଡ଼ିଶାର ମାତ୍ର କିଛି ସ୍ଥାନରେ ଏହି ଓଷା ପାଳିତ ହୋଇଥାଏ ।


0 Comments
Do you have any doubts or suggestions? Ask them here in the comments!