ଜାଣନ୍ତୁ କାହିଁକି ପାଳନ କରାଯାଏ ରାକ୍ଷୀ ପୂର୍ଣ୍ଣିମା !
ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଏକ ଜନପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ରକ୍ଷା କରିବା ପାଇଁ ବନ୍ଧା ଯାଉଥିବା ପବିତ୍ର ସୂତାକୁ ରାକ୍ଷୀ କୁହାଯାଏ । ଏହି ପର୍ବକୁ କେବଳ ଓଡିଶା ନୁହେଁ ବରଂ ସାରା ଦେଶରେ ଶ୍ରାବଣ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ ।
କିମ୍ବଦନ୍ତୀ
ପୁରାଣ ଓ ଇତିହାସରେ ରହିଛି ରକ୍ଷାବନ୍ଧନର ଅନେକ ଘଟଣା । ପୁରାଣରେ ଅସୁର ରାଜାବଳିଠାରୁ ମୋଗଲ ସମ୍ରାଟ ହୁମାୟୁନଙ୍କ ଯାଏଁ ରକ୍ଷାବନ୍ଧନ ଭଉଣୀର ସମ୍ମାନ ରକ୍ଷା କରିଆସିଛି ।
କିମ୍ବଦନ୍ତୀ 1
ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ଼ ଭକ୍ତ ଥିଲେ, ତାଙ୍କ ଉପରେ କୈଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନ ଥିଲେ । ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗକରି ବଳିର ରାଜପ୍ରାସାଦରେ ଅବସ୍ଥାନ କଲେ । ତେଣେ ମହାଲକ୍ଷ୍ମୀ ଏହା ଚାହୁଁ ନଥିଲେ । ସେ ଚାହୁଁ ଥିଲେ ବିଷ୍ଣୁ ତାଙ୍କ ସହ ବୈକୁଣ୍ଠରେ ଅବସ୍ଥାନ କରନ୍ତୁ । ଏହାର ଏକ ଉପାୟ ଚିନ୍ତାକରି ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳିକୁ ଭେଟିଲେ । ଶ୍ରାବଣ ପୂର୍ଣ୍ଣମୀରେ ସେ ବଳି ହାତରେ ରାକ୍ଷୀ ବାନ୍ଧି ଦେଇଥିଲେ । ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତ୍ୟବ୍ୟ ଥିଲା । ଲକ୍ଷ୍ମୀ କଣ ଚାହୁଛନ୍ତି ଜାଣିବାପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ ।
କିମ୍ବଦନ୍ତୀ 2
ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କାହାଣୀ ରହିଛି । କାହାଣୀଟି କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ । ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା । ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ, ଫଳରେ ରକ୍ତ ବନ୍ଦ ହେଇଯାଇଥିଲା । ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ । ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବମାନେ ବିବସନା କରିବାକୁ ଉଦ୍ୟତ ହେଲେ ସେତେବେଳେ ଶ୍ରୀକୃଷ୍ଣ ବସ୍ତ୍ରଦାନକରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ । ତେବେ ଏହି ପୂର୍ଣ୍ଣିମା ପାଳନ ସେବେଠାରୁ ଏହି ପର୍ବ ଆରମ୍ଭ ହୋଇଥିବା ଜଣାଯାଏ ।
କିମ୍ବଦନ୍ତୀ 3
ପୁରାତନ ଯୁଗରୁ ଏହି ରାକ୍ଷୀ ପରମ୍ପରା ଚାଲି ଆସୁଛି । ଭବିଷ୍ୟ ପୁରାଣ ଅନୁଯାୟୀ ଯେତେବେଳେ ଦେବତା ଏବଂ ଦାନବଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା ସେତେବେଳେ ଦାନବଙ୍କ ଶକ୍ତି ଦେବତାଙ୍କ ଉପରେ ଭାରି ପଡିଥିଲା। ଏହା ଦେଖି ଭଗବାନ ଇନ୍ଦ୍ର ବିଚଳିତ ହୋଇ ଭଗବାନ ବୃହସ୍ପତିଙ୍କ ନିକଟରେ ପହଞ୍ଚି ଏହି ବିଷୟରେ କହିଥିଲେ । ଏହି ସମୟରେ ଇନ୍ଦ୍ରଙ୍କ ପତ୍ନୀ ଇନ୍ଦ୍ରାଣୀ ସବୁ କଥା ଶୁଣିଥିଲେ । ଏହାପରେ ଇନ୍ଦ୍ରାଣୀ ଏକ ରେଶମ ଡୋରକୁ ମନ୍ତ୍ର ଶକ୍ତିରେ ପବିତ୍ର କରି ପତି ଇନ୍ଦ୍ରଙ୍କ ହାତରେ ବାନ୍ଧି ଦେଇଥିଲେ ।
କିମ୍ବଦନ୍ତୀ 4
ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଆଉ ଏକ କିମ୍ବଦନ୍ତୀ ମଧ୍ୟ ରହିଛି । କୁହାଯାଇଥାଏ ଯେତେବେଳେ ମଧ୍ୟକାଳୀନ ଯୁଗରେ ମୁସଲିମ ଏବଂ ରାଜପୁତଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିଲା ସେହି ସମୟରେ ଚିତ୍ତୋଡ଼ ରାଜାଙ୍କ ବିଧବା ରାଣୀ କର୍ଣ୍ଣାବତୀ ନିଜର ସୁରକ୍ଷା ଏବଂ ନିଜ ପ୍ରଜାମାନଙ୍କ ସୁରକ୍ଷା ପାଇଁ ଗୁଜୁରାଟର ସୁଲତାନ ବାହାଦୂର ସାହଙ୍କ ଦ୍ୱାରା ହୁମାୟୁଙ୍କୁ ରାକ୍ଷୀ ପଠାଇଥିଲେ । ଏହା ପରେ ହୁମାୟୁ ରାଣୀ କର୍ଣ୍ଣାବତୀଙ୍କୁ ରକ୍ଷା କରି ତାଙ୍କୁ ଭଉଣୀର ସ୍ଥାନ ଦେଇଥିଲେ ।


0 Comments
Do you have any doubts or suggestions? Ask them here in the comments!