ଶ୍ରୀଅଲାରନାଥଙ୍କ ଭୋଗନୀତି ଏବଂ କ୍ଷୀରିଭୋଗର କିମ୍ବଦନ୍ତୀ

ଶ୍ରୀଅଲାରନାଥଙ୍କ ଭୋଗନୀତି ଏବଂ କ୍ଷୀରିଭୋଗର କିମ୍ବଦନ୍ତୀ


ଅଲାରନାଥ ମନ୍ଦିର ପୁରୀ ଜିଲ୍ଲାର ବ୍ରହ୍ମଗିରିଠାରେ ଅବସ୍ଥିତ ବିଷ୍ଣୁଙ୍କର ଏକ ମନ୍ଦିର । ପୁରୀର ପବିତ୍ର ନରେନ୍ଦ୍ର ପୁଷ୍କରିଣୀଠାରୁ ବାମପାର୍ଶ୍ୱ ପୁରୀ-ସାତପଡ଼ା ରାସ୍ତାରେ ଜାତୀୟ ରାଜପଥ – ୨୦୩ (କ)ରେ ୨୦ କି.ମି ଗଲେ ବ୍ରହ୍ମଗିରି । ପାଞ୍ଚ ଏକର ପରିମିତ ଜାଗାରେ କେତକୀ, ବଉଳ ଓ ନାରିକେଳ ଜଙ୍ଗଲ ପରିବେଶ ମଧ୍ୟରେ ୫୦ଫୁଟ ୫ଇଞ୍ଚ ଉଚ୍ଚତା ବିଶିଷ୍ଟ ଶ୍ରୀଅଲାରନାଥଙ୍କ ମନ୍ଦିର ଅବସ୍ଥିତ । 

  1. ଏହି ମନ୍ଦିର ଚତୁଃପାର୍ଶ୍ୱରେ ଶ୍ରୀଚୈତନ୍ୟ ମନ୍ଦିର, ଶିବ ମନ୍ଦିର ଓ ବିଭିନ୍ନ ଠାକୁରାଣୀଙ୍କ ମନ୍ଦିର, ନବଗ୍ରହ ପ୍ରସ୍ତର, ନାଟମନ୍ଦିର, ପ୍ରାର୍ଥନା ଗୃହ, ଭୋଗମଣ୍ଡପ, ମୁଖଶାଳା, ତଥା ଯଜ୍ଞ ମଣ୍ଡପ ଅବସ୍ଥିତ । ଏହି ମନ୍ଦିର ଚତୁଃପାର୍ଶ୍ୱରେ ଶ୍ରୀଚୈତନ୍ୟ ମନ୍ଦିର, ଶିବ ମନ୍ଦିର ଓ ବିଭିନ୍ନ ଠାକୁରାଣୀଙ୍କ ମନ୍ଦିର, ନବଗ୍ରହ ପ୍ରସ୍ତର, ନାଟମନ୍ଦିର, ପ୍ରାର୍ଥନା ଗୃହ, ଭୋଗମଣ୍ଡପ, ମୁଖଶାଳା, ତଥା ଯଜ୍ଞ ମଣ୍ଡପ ଅବସ୍ଥିତ । ରଥଯାତ୍ରା ପୂର୍ବରୁ ପ୍ରଥମେ ପଡେ ସ୍ନାନଯାତ୍ରା । 
  2. ଏହି ମହାସ୍ନାନ ପରେ ଶ୍ରୀଜୀଉମାନେ ଲୌକିକ ମତରେ ଭୀଷଣ ଜ୍ୱରରେ ଆକ୍ରାନ୍ତ ହୋଇ ଅଣସର ଘରେ ପଡ଼ିରହନ୍ତି ।  ସେହି ସମୟରେ ଭକ୍ତମାନେ ଦୀର୍ଘ ୧୫ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରନ୍ତି ନାହିଁ ।
  3.  ତେଣୁ ଏହି ସମୟରେ ଭକ୍ତମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିନପାରି ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥାନ୍ତି । ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାରେ ଯେତିକି ପୂଣ୍ୟ ମିଳେ ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ସେତିକି ପୂଣ୍ୟ ମିଳେ ବୋଲି ପ୍ରବାଦ ରହିଛି । ତେଣୁ ଅଣସର ସମୟରେ ଅଲାରନାଥ ମନ୍ଦିରରେ ଭକ୍ତମାନଙ୍କ ପ୍ରବଳ ଭିଡ ଲାଗିରହିଥାଏ । ଏହା କୌଣସି ପର୍ଯ୍ୟଟନସ୍ଥଳୀ ନହେଲେ ବି କୃଷ୍ଣଭକ୍ତମାନଙ୍କ ପାଇଁ ଏକ ପ୍ରସିଦ୍ଧ ସ୍ଥାନ । କାରଣ ଭଗବାନ ଅଲାରନାଥ ହେଉଛନ୍ତି ପ୍ରଭୁ ବିଷ୍ଣୁଙ୍କର ଚଳନ୍ତି ପ୍ରତିମା ।

ଶ୍ରୀଅଲାରନାଥଙ୍କ ଭୋଗନୀତି

  1. ଶ୍ରୀମନ୍ଦିର ଭୋଗନୀତି ପରି ଏଠାରେ ମଧ୍ୟ ଭୋଗ ଅନୁଷ୍ଠିତ ହୁଏ । ସକାଳ ୮ଟାରେ ବାଳଭୋଗ, ସକାଳ ଧୂପରେ ଅଣ୍ଡି, ଖେଚେଡ଼ି, ଡାଲି ଓ ତରକାରୀ ଭୋଗ କରାଯାଏ ।
  2. ମଧ୍ୟାହ୍ନରେ କ୍ଷୀର ଭୋଗ କରାଯାଇ ପହୁଡ଼ ପଡ଼େ । 
  3. ରାତିରେ ଦହି ପଖାଳ ଓ ଭଜା ଭୋଗ କରାଯାଏ । 
  4. ଶ୍ରୀଅଲାରନାଥଙ୍କ କ୍ଷୀରି ଭୋଗ ସବୁଠାରୁ ପ୍ରିୟ ।
  5. ଅଣସର ସମୟରେ ଭକ୍ତମାନଙ୍କର ପ୍ରବଳ ଜନସମାଗମ ହେତୁ ଅଲାରନାଥଙ୍କ କ୍ଷୀରି ପ୍ରସାଦର ଚାହିଦା ଅତ୍ୟଧିକ ହୋଇଥାଏ । ଏହି ସମୟରେ ପ୍ରତ୍ୟହ ମନ୍ଦିରର ରୋଷଘରେ ୫୦ହଣ୍ଡା କ୍ଷୀରି ପ୍ରସ୍ତୁତ ହୋଇଥାଏ । 
  6. ଦଶ ସେର କ୍ଷୀରରେ ଏକ ହଣ୍ଡା କ୍ଷୀରି ପ୍ରସ୍ତୁତ ହୁଏ । ଏଥିରେ ଆବଶ୍ୟକ ପରିମାଣର ଚାଉଳ, ଚିନି, ଅଳେଇଚ, ଖିସ୍ ମିସ୍ ଇତ୍ୟାଦି ପକାଯାଏ ।

କ୍ଷୀରିଭୋଗର କିମ୍ବଦନ୍ତୀ

  1. ଅଲାରନାଥଙ୍କ କ୍ଷୀରିଭୋଗ ସମ୍ପର୍କରେ ଏକ ସୁନ୍ଦର କିମ୍ବଦନ୍ତୀ ଏଠାରେ ପ୍ରଚଳିତ । ଏକଦା ସେବା କାର୍ଯ୍ୟରେ ନିୟୋଜିତ ଅଲାରନାଥଙ୍କ ପୂଜକ କାର୍ଯ୍ୟବଶତଃ ଅନ୍ୟ ଗ୍ରାମକୁ କେତେଦିନ ପାଇଁ ଚାଲିଯାଇଥିଲେ । ଯିବା ପୂର୍ବରୁ ସେ ତାଙ୍କର ନାବାଳକ ପୁତ୍ରକୁ ଠାକୁରଙ୍କ ନିକଟରେ କ୍ଷୀରିଭୋଗ କରିବା ପାଇଁ କହି ଯାଇଥିଲେ ।
  2. ଅଜ୍ଞାନ ବାଳକ ପୂଜା ପଦ୍ଧତି ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ ସୁଦ୍ଧା କ୍ଷୀରି ହାଣ୍ଡି ଧରି ଠାକୁରଙ୍କ ପାଖରେ ପହଞ୍ଚି ତାର ଚପଳ ବୁଦ୍ଧି ଓ ଭକ୍ତି ସହକାରେ ଆଖି ବନ୍ଦ କରି କୁନି ପିଲାଟି କହିଲା ” ଆସ ଅଲାରେ ଖାଅ ଖିରି, ବାପା ଯାଇଛି ଭିକ୍ଷା କରି ” । ପରେ ଦେଖିଲା ହାଣ୍ଡିରେ କିଛି କ୍ଷୀରି ନାହିଁ ଘରକୁ ଖାଲି ହାଣ୍ଡି ଧରି ଫେରି ତା’ମା ଆଗରେ ସମସ୍ତ ଘଟଣା କହିଲେ ସୁଦ୍ଧା ମା’ର ବିଶ୍ୱାସ ହେଲା ନାହିଁ । 
  3. ବିଲେଇ କ୍ଷୀରି ବୋଧହୁଏ ଖାଇ ଦେଇଥିବ କିମ୍ବା ଅନ୍ୟ କୌଣସି ଅଘଟଣ ଘଟିଥିବ, ଏହି ଆଶଙ୍କାରେ ପୁତ୍ରର ମା’ ରାତ୍ରି ସାରା ଶୋଇ ପାରି ନ ଥିଲେ । ତା ପରଦିନ ପୁଅକୁ କ୍ଷୀରି ହାଣ୍ଡି ସହ ପଠାଇ ବାଳକଟିର ମାଆ ଅଲାରନାଥ ବିଗ୍ରହଙ୍କର ପଶ୍ଚାତ୍ ଭାଗରେ ଲୁଚି ରହିଥିଲେ । 
  4. କ୍ଷୀରି ଖାଇବା ପାଇଁ ବାଳକଟି ଠାକୁରଙ୍କୁ ଆବାହନ କଲା ମାତ୍ରେ, ପ୍ରଭୁ ଅଲାରନାଥ ନଇଁ ପଡ଼ି କ୍ଷୀରି ଖାଉଥିବା ବେଳେ ବାଳକଟିର ମା’ ଭୟରେ ଚିତ୍କାର କରିଥିଲେ । ଗରମ କ୍ଷୀରି ପ୍ରଭୁଙ୍କ ହାତ ଓ ମୁହଁରେ ପଡ଼ି ଫୋଟକା ହୋଇଯାଇଥିଲା । 
  5. ଅଦ୍ୟାବଧି ଏହାର ସ୍ମୃତି ସ୍ୱରୂପ ସ୍ଥାନୀୟ ପୂଜକମାନେ ବିଗ୍ରହଙ୍କର ମୁହଁରେ ଥିବା ଫୋଟକା ଚିହ୍ନ ଦେଖାଇଥାନ୍ତି । ସ୍ଥାନୀୟ ଅଧିବାସୀଙ୍କ ବିଶ୍ୱାସ ଯେ, ପ୍ରଭୁ ଅଲାରନାଥ ସ୍ୱୟଂ କ୍ଷୀରିକୁ ଏଠାରେ ଆଘ୍ରାଣ କରି ଥାଆନ୍ତି, ଯାହାଫଳରେ କି ଏଠାରେ କ୍ଷୀର ଭୋଗ ଅତ୍ୟନ୍ତ ସୁସ୍ୱାଦୁ ଓ ପ୍ରସାଦ ରୂପେ ଭାରତ ବର୍ଷର ସମସ୍ତ ଭକ୍ତମାନଙ୍କ ଗ୍ରହଣୀୟ ହୋଇଛି ।

Post a Comment

0 Comments