ମା’ ମହାଲକ୍ଷ୍ମୀ ମହାପ୍ରସାଦ ରନ୍ଧାନ୍ତି କିନ୍ତୁ ଖାଆନ୍ତି ନାହିଁ କାହିଁକି ?
ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମହାପ୍ରଭୁ ସମ୍ପୂର୍ଣ୍ଣ ମାନବୀୟ ଲୀଳାରେ ଶ୍ରୀମନ୍ଦିରରେ ଉପସ୍ଥିତ । ଖାଲି ମାନବୀୟ ନୁହେଁ ରାଜକୀୟ ମଧ୍ୟ । ତେଣୁ ଏଠି, ମହାପ୍ରଭୁଙ୍କ ପ୍ରସାଦ ଯାହା “ମହାପ୍ରସାଦ” ନାମରେ ଖ୍ୟାତ ତାହା ପିଠାପଣାଠାରୁ ଆରମ୍ଭ କରି ଅନ୍ନ ବ୍ୟଞ୍ଜନ ଯାଏଁ, ପରିବ୍ୟାପ୍ତ । ଯେଉଁ ପ୍ରସାଦ ରଜା ଖାଇବେ ଲକ୍ଷ ଲକ୍ଷ ପ୍ରଜା ବି ଖାଇଵେ, ଦେଢଶୁର ଖାଇବେ ନଣନ୍ଦ ବି ଖାଇବେ, ମନ୍ଦିରରେ ଉପସ୍ଥିତ ସମସ୍ତ ପାର୍ଶ୍ଵ ଦେବାଦେବୀ ଗ୍ରହଣ କରିବେ ।
ସେଥିପାଇଁ ଦିନ ଭିତରେ ଥରେ ନୁହେଁ, ବାରମ୍ବାର ଚୁଲି ଲାଗେ ଓ ଦିନ ସାରା ପ୍ରସାଦ ପ୍ରସ୍ତୁତି ଚାଲିଥାଏ ମାତା ଅନ୍ନପୂର୍ଣ୍ଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ । ଯାହାକି ଶ୍ରୀମନ୍ଦିରରେ ଧୂପ ନାମରେ ପରିଚିତ । କାରଣ, ମହାପ୍ରଭୁ କେବଳ ଗରମ ଗରମ ରୋଷେଇ ହୋଇଥିବା ନୈଵେଦ୍ୟରୁ ଉଠୁଥିବା ବାମ୍ଫ ବା ଧୂମକୁ ଆଘ୍ରାଣ କରନ୍ତି । ସେଥିପାଇଁ କଥାରେ କୁହାଯାଏ “ଆଘ୍ରାଣମ୍ ଅର୍ଦ୍ଧ ଭୋଜନମ୍” । ଯଦି ପ୍ରକୃତରେ ମହାପ୍ରଭୁ ପରଷା ଯାଉଥିବା ନୈବେଦ୍ୟ ଭୋଜନ କରୁଥାନ୍ତେ, ତେବେ କେହି ଭକ୍ତ ଭୋଗ ଲଗାନ୍ତେ ନାହିଁ । ସେଥିପାଇଁ ଭଗବାନ କେବଳ ନୈବେଦ୍ୟ ଗ୍ରହଣ କରନ୍ତି ଖାଆନ୍ତି ନାହିଁ ।
ମନ୍ଦିରରେ ଦୈନିକ ଚାରିଟି ମୁଖ୍ୟ ଭୋଗ ବା ଧୂପ ଅନୁଷ୍ଠିତ ହୁଏ । ତାହା ସକାଳ ଧୂପ ବା ବାଳଭୋଗ, ଦ୍ଵିପହର ଧୂପ ବା ମଧ୍ୟାହ୍ନ ଭୋଗ, ସନ୍ଧ୍ୟା ଧୂପ ବା ରାତ୍ର ଭୋଗ ଏବଂ ବଡ଼ସିଂହାର ବେଶ ଭୋଗ ବା ଶୟନ ପୂର୍ବ ଭୋଜନ । ତେବେ ପ୍ରଶ୍ନ ଉଠେ ଯଦି ଶ୍ରୀମନ୍ଦିରରେ ନୈଵେଦ୍ୟକୁ ନେଇ ଏତେ ଭୋଗ, ଏତେ ଆୟୋଜନ, ଏତେ ଆଡମ୍ଵର, ଯଦି ସବୁ ଦେବାଦେବୀ ମହାପ୍ରଭୁଙ୍କ ପ୍ରସାଦ ଗ୍ରହଣ କରନ୍ତି ତେବେ ସ୍ଵୟଂ ମା’ ମହାଲକ୍ଷ୍ମୀ କାହିଁକି ଗ୍ରହଣ କରନ୍ତି ନାହିଁ ଏବଂ ମା’ଙ୍କର ସ୍ଵତନ୍ତ୍ର ରୋଷଶାଳା କାହିଁକି ?
ପତ୍ରରେ ଲୁଣ ପରଷାଯିବା ବିଧି
- ଏଠି ମା’ ମହାଲକ୍ଷ୍ମୀ ସମଗ୍ର ନାରୀ ଜାତିକୁ ପ୍ରତିନିଧିତ୍ଵ କରି ତାଙ୍କୁ କରାଯାଇଥିବା ଆକ୍ଷେପର ମୃଦୁ ପ୍ରତିଶୋଧ ନିଅନ୍ତି ।
- ରଥଯାତ୍ରା ସାରି ଶ୍ରୀମନ୍ଦିରକୁ ନିଳାଦ୍ରୀ ବିଜେ ସମୟରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ମା’ ମହାଲକ୍ଷ୍ମୀଙ୍କ ମଧ୍ୟରେ ଯେଉଁ କଳି ଓ ବଚନିକା ହୁଏ ଯାହା ଅତ୍ୟନ୍ତ ଶୃତିମଧୁର, ମନୋରମ ଏବଂ ଆମୋଦପୂର୍ଣ୍ଣ ।
- ସେବକମାନେ ମହାପ୍ରଭୁଙ୍କ ପାଇଁ ସମର୍ପିତ । ତେଣୁ ମହାପ୍ରଭୁଙ୍କ ତରଫରୁ କଳି କରିବାକୁ ପଡିଲା ଵେଳେ ସେମାନେ ଦେଖିନଥାନ୍ତି ଯେ ସେମାନେ ଯେଉଁ ମନ୍ତବ୍ୟ ଦେଉଛନ୍ତି କାହାକୁ ଦେଉଛନ୍ତି । ନିଜ ବାପାଙ୍କୁ ବା ଵାପଘରକୁ ଆକ୍ଷେପମୂଳକ ମନ୍ତବ୍ୟ ଦେଲେ କେଉଁ ନାରୀ ସହ୍ୟ କରିବ ?
- ତେବେ ମହାପ୍ରଭୁଙ୍କ ତରଫରୁ ତାଙ୍କ ସେବକମାନେ କହିଥିବା ବଚନିକାରେ ମହାଲକ୍ଷ୍ମୀ ଆଘାତ ପାଇବା କଥା ଜାଣି ପରବର୍ତ୍ତୀ ସମୟରେ ମା’ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଜଗନ୍ନାଥ ମହାପ୍ରଭୁ ନିର୍ଦ୍ଦେଶ ଦିଅନ୍ତି ଯେ ଅନ୍ନ ମହାପ୍ରସାଦ ଯେଉଁଠି ବି ପତ୍ରରେ ପରଷାଯିଵ ସେଠି ତା’ ନିକଟରେ ଲୁଣ ଟିକିଏ ପରଷାଯିବ । ମହାପ୍ରଭୁଙ୍କ ଏ ନିଷ୍ପତ୍ତି ମା’ଙ୍କୁ କିଛିମାତ୍ରାରେ ଶାନ୍ତି ପ୍ରଦାନ କରେ ।
- ସେବେଠାରୁ ଅଦ୍ୟାବଧି ମା’ ମହାଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ମହାପ୍ରସାଦ ପତ୍ରରେ ଲୁଣ ପରଷାଯିବା ବିଧି ଅଛି । ପରବର୍ତ୍ତୀ ସମୟରେ ଆମ ଆବଶ୍ୟକତା ଅନୁଯାୟୀ ଲଙ୍କା ଓ ଲେମ୍ବୁ ଯୋଗ କରିଛେ । ଏହି ବିଧିର ପ୍ରଭାବରେ ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଭୋଜିଭାତ ଅନୁଷ୍ଠିତ ହେବା ବେଳେ ପତ୍ରରେ ଖାଦ୍ୟ ସହିତ ଲୁଣ ଟିକିଏ ଲଗାଯାଇଥାଏ ।
ମା’ ମହାଲକ୍ଷ୍ମୀ ମହାପ୍ରସାଦ ଗ୍ରହଣ ନକରିଵାର ଆଉ ଗୋଟେ କାରଣ ବି ମହାପ୍ରସାଦରେ ଲୁଣ ପଡ଼ିଥାଏ । କିନ୍ତୁ ସାଗର ଦୁଲଣୀ ହୋଇଥିବା କାରଣରୁ ମା’ ନିଜେ ଲୁଣ ଖାଆନ୍ତି ନାହିଁ ଏବଂ ମା’ଙ୍କ ଭୋଗ ପାଇଁ କରାଯାଉଥିବା କୌଣସି ନୈବେଦ୍ୟରେ ଲୁଣ ବ୍ୟବହାର କରାଯାଏ ନାହିଁ । ଏସବୁ କଥା ମା’ ମହାଲକ୍ଷ୍ମୀ ଙ୍କ ମହାପ୍ରସାଦକୁ ନ ଆପଣେଇଵାର କାରଣ ।
ଈର୍ଷାବଶତଃ ହୋଇ ମହାପ୍ରସାଦ ଗ୍ରହଣ କରନ୍ତି ନାହିଁ
- ନାରୀ ମାତ୍ରେ ସ୍ୱଭାବତଃ ଈର୍ଷାଳୁ । ସେମାନେ ସବୁ ତ୍ୟାଗ କରିପାରନ୍ତି କିନ୍ତୁ ନିଜଠାରୁ ଅଧିକ ଭଲ ପାଉଥିବା ପ୍ରାଣାଧିକ ପତି ବା ପ୍ରେମିକଙ୍କୁ କାହା ସହିତ ଭାଗ କରିପାରନ୍ତି ନାହିଁ । ନିଜ ପତିଙ୍କ ଉପରେ କ୍ରୋଧ କରିନପାରିବା ସ୍ଥାନରେ ଅନ୍ତରାୟର କାରଣ ଉପରେ କ୍ରୋଧ କରିଥାନ୍ତି ।
- ମାନବୀୟ ଲୀଳାରେ ଥିବା ମା’ ମହାଲକ୍ଷ୍ମୀ ସ୍ଵୟଂ ଜଗତଜନନୀ ଜଗଦମ୍ଵା ଈର୍ଷାବଶତଃ ହୋଇ ମହାପ୍ରସାଦ ଗ୍ରହଣ କରନ୍ତି ନାହିଁ । କାରଣ ଯାହା ମହାପ୍ରଭୁ ଓ ତାଙ୍କ ମଧ୍ୟରେ ବ୍ୟବଧାନରେ କାରଣ ହୁଏ ତାକୁ ସେ କିପରି ଗ୍ରହଣ କରନ୍ତେ ?
- ପ୍ରଥମେ ରଥଯାତ୍ରା ମଝିରେ ମହାପ୍ରଭୁଙ୍କୁ ଖୋଜି ଖୋଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚି ନନ୍ଦିଘୋଷ ରଥ ଭାଙ୍ଗନ୍ତି କାରଣ ସେ ରଥ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କୁ ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ଆସିଥାଏ ।
- ଠିକ୍ ସେହିପରି ମହାପ୍ରଭୁ ତୁଳସୀ ଦେବୀଙ୍କୁ ଏତେ ଭଲପାଆନ୍ତି, ଯେ ତାଙ୍କୁ ବର ଦେଇଥିଲେ ପ୍ରତ୍ୟେକ ନୈଵେଦ୍ୟରେ ତୁଳସୀ ପଡ଼ିଲେ ତାହା ମହାପ୍ରଭୁଙ୍କ ଭୋଗର ଯୋଗ୍ୟ ହେବ । ତେଣୁ ତୁଳସୀପକା ମହାପ୍ରସାଦ ଜଣେ ନାରୀ ହୋଇ ମା’ ଗ୍ରହଣ କରିବେ କିପରି ? ତେଣୁ ଜଗନ୍ନାଥଙ୍କ ଉପରେ କ୍ରୋଧ କରିନପାରି ସେ ରାଗ ତୁଳସୀ ଉପରେ ଶୁଝେଇବାକୁ ଯାଇ ମହାପ୍ରସାଦ ଗ୍ରହଣ କରନ୍ତି ନାହିଁ ।
- ଖାଲି ସେତିକି ନୁହେଁ ଓଡ଼ିଶାର ପ୍ରାୟ ପ୍ରତ୍ୟେକ ସ୍ଥାନରେ ଦେବୀ ମନ୍ଦିର ଗୁଡ଼ିକରେ ତୁଳସୀପଡି ଭୋଗ ଲାଗେ ନାହିଁ ସତେ ଯେମିତି ସମସ୍ତ ଦେଵୀମାନେ ମା’ ମହାଲକ୍ଷ୍ମୀଙ୍କୁ ସମର୍ଥନ କରନ୍ତି ଏବଂ ତୁଳସୀ ଦେବୀଙ୍କୁ ଈର୍ଷା କରନ୍ତି ସେ ଭଗବାନଙ୍କର ଅତି ପ୍ରିୟ ବୋଲି ।
- କେବଳ ମା’ ସୁଭଦ୍ରାଙ୍କ ଭୋଗରେ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ଭଳି ତୁଳସୀ ପତ୍ର ପଡ଼ି ଭୋଗ କରାଯାଏ ।

.jpg)
0 Comments
Do you have any doubts or suggestions? Ask them here in the comments!