କାହିଁକି ଶିବ ଏବଂ ପାର୍ବତୀଙ୍କ ବିବାହ ସଂସାର ପାଇଁ ମହତ୍ୱପୂର୍ଣ୍ଣ ଥିଲା ?

କାହିଁକି ଶିବ ଏବଂ ପାର୍ବତୀଙ୍କ ବିବାହ ସଂସାର ପାଇଁ  ମହତ୍ୱପୂର୍ଣ୍ଣ ଥିଲା ?

ଶିବ ଓ ଶକ୍ତିଂକ ମିଳନ କୁ ମହା ଜାଗତିକ ଓ ଦିବ୍ୟ ମିଳନ ବୋଲି କୁହାଯାଇଥାଏ । ସୃଷ୍ଟି ତଥା ସଂହାରର କାରଣ ରୂପରେ ଶିବଂକୁ ଭାରତୀୟ ମାନେ ଆରାଧନା କରନ୍ତି । ତେବେ ଶକ୍ତିଂକ ବିନା ସହଯୋଗରେ ସୃଷ୍ଟି ପ୍ରକ୍ରିୟା ସମ୍ଭବ ହୁଏ ନାହିଁ। ଶକ୍ତି ଶିବଂକ ପିଣ୍ଡରେ ମିଳିତ ନ ହେବା ପର୍ଯନ୍ତ ସର୍ଜନା ସଫଳ ହୁଏ ନାହିଁ। ତେଣୁ ଆବାହମାନ କାଳ ରୁ ଶକ୍ତି ଓ ଶିବଂକ ପରିଣୟ କୁ ଉତ୍ସବ ରୂପେ ଆମେ ପାଳନ କରିଥାଉ । ଭାରତୀୟ ଓ ଉତ୍କଳୀୟ ପରମ୍ପରାରେ ଶିବ ପାର୍ବତୀଂକ ବିବାହକୁ ଶୀତଳ ଷଷ୍ଠୀ ଭାବରେ ପାଳନ କରାଯାଇଥାଏ ।

ଏହି ଉତ୍ସବକୁ ନେଇ କେତୋଟି ପ୍ରମୁଖ ବିନ୍ଦୁକୁ ଆସନ୍ତୁ   ଜାଣିବା ।

ପୌରାଣିକ କଥାବସ୍ତୁ 

ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପୌରାଣିକ କଥାବସ୍ତୁ ଉପରେ ପର୍ଯ୍ୟବସିତ । ଶିବ ପୁରାଣ ଅନୁସାରେ ବ୍ରହ୍ମାଙ୍କୁ କଠୋର ତପସ୍ୟା କରି ଦକ୍ଷପ୍ରଜାପତି ମାତା ସତୀଙ୍କୁ ପୁତ୍ରୀ ରୂପେ ପ୍ରାପ୍ତ ହୁଅନ୍ତି । ସତୀ ବିବାହ ବୟସ ହେବା ଉତ୍ତାରୁ ପିତାଙ୍କ ଅନିଚ୍ଛାରେ ସତ୍ତ୍ୱେ ଶ୍ମଶାନଚାରୀ ଶିବଙ୍କୁ ବିବାହ କରନ୍ତି । ଏଥିରେ କ୍ଷୁବ୍ଧ ହୋଇ ଦକ୍ଷପ୍ରଜାପତି ଝିଅ ଜ୍ୱାଇଁଙ୍କୁ ଆମନ୍ତ୍ରଣ କରନ୍ତି ନାହିଁ । ମହାଦେବଙ୍କ ଅନିଚ୍ଛା ସତ୍ତ୍ୱେ ଦେବୀ ପାର୍ବତୀ ପିତ୍ରାଳୟ ଯାଆନ୍ତି । ଯଜ୍ଞସ୍ଥଳରେ ଦକ୍ଷପ୍ରଜାପତି ଶିବଙ୍କର ଅପମାନ କଲେ ଏହାକୁ ସହି ନପାରି ସତୀ ଯଜ୍ଞକୁଣ୍ଡରେ ଝାସ ଦେଲେ । ସତୀଙ୍କ ଯଜ୍ଞକୁଣ୍ଡରେ ଝାସଦେବା ଶୁଣି ମହାଦେବ ଯଜ୍ଞସ୍ଥଳକୁ ଧ୍ୱଂସକରି ଦେଲେ । ସେଠାରୁ ସତୀଙ୍କ ଶବକୁ କାନ୍ଧରେ ପକାଇ ଚାରିଆଡେ ଘୁରିବୁଲିଲେ । ବିଷ୍ଣୁ  ଚକ୍ରଦ୍ୱାରା ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଶିବଙ୍କଠାରୁ ଅଲଗା କରିଦେଲେ ।

ପରବର୍ତ୍ତୀ ସମୟରେ ବ୍ରହ୍ମାଙ୍କ ବରରେ ବଳିୟାନ ହୋଇ ତାରକାସୁର ଅତ୍ୟାଚାର କଲା । ତାରକାସୁରର ଅତ୍ୟାଚାରରେ ଦେବତାମାନେ ଆତଙ୍କିତ ହୋଇ ବ୍ରହ୍ମାଙ୍କ ଶରଣ ପଶିଲେ । ମାତ୍ର ବ୍ରହ୍ମା, ଶିବଙ୍କ ଔରସରୁ ଜନ୍ମିତ ସନ୍ତାନ ତାରକାସୁରକୁ ବଧ କରିବ ବୋଲି ପ୍ରକାଶ ପରେ ଦେବତାମାନେ ଆଦିଶକ୍ତି ମାତା ପାର୍ବତୀଙ୍କୁ ତପସ୍ୟା କରନ୍ତି । ଦେବଗଣଙ୍କ କଠୋର ତପସ୍ୟା ଯୋଗୁଁ ମାତା ପାର୍ବତୀ ଗିରିରାଜ ହିମାଳୟଙ୍କ ଘରେ ଆବିର୍ଭାବ ହୁଅନ୍ତି । ଜ୍ୟେଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ଦିନ ଶିବ ଓ ମାତା ପାର୍ବତୀଙ୍କ ପୁନଃମିଳନ ହୁଏ । ମହାଦେବ ମାତା ପାର୍ବତୀଙ୍କୁ ପାଇବା ପରେ ରୁଦ୍ର ରୂପ ତ୍ୟାଗ କରି ହୋଇଯାନ୍ତି ଶାନ୍ତ ଶୀତଳ । ଦେବଦମ୍ପତିଙ୍କ ଏହି ମହାମିଳନକୁ ଲୋକାଚାରରେ ଶୀତଳଷଷ୍ଠୀ ଭାବେ ପାଳନ କରାଯାଏ ।

ବିଧିବିଧାନ ଓ ପରମ୍ପରା

ଶିବ ରୁଦ୍ର ଓ ପାର୍ବତୀ ଶାନ୍ତିର ବାର୍ତ୍ତା ବହନ କରେ । ଗ୍ରୀଷ୍ମଋତୁ ପୃଥିବୀ ପୃଷ୍ଠରୁ ବିଦାୟ ନେଉଥାଏ, ବର୍ଷାଋତୁର ଆଗମନ ସମୟରେ ମହାଦେବ ଶିବ ଓ ସତୀଙ୍କ ବିବାହୋତ୍ସବକୁ ନେଇ ଅନୁଷ୍ଠିତ ହୁଏ ଶୀତଳଷଷ୍ଠୀ । ମହାପ୍ରଭୁଙ୍କର ଚନ୍ଦନ ଯାତ୍ରାର ପରିସମାପ୍ତି ପରେ ପରେ ଶୀତଳଷଷ୍ଠୀ ବେଳକୁ ମେଘମେଦୁର ଆକାଶର ଅପରୂପ ସୌନ୍ଦର୍ଯ୍ୟ ବେଶ ଚିତାକର୍ଷକ ହେବା ସାଙ୍ଗକୁ ନବବାରି ପରିପ୍ଳୁତ ଧରାପୃଷ୍ଠ ଶୀତଳ ପରିବେଶ ସୃଷ୍ଟିକରେ । 

୧. ଦେବଦମ୍ପତିଙ୍କ ଏହି ବିବାହ ଉତ୍ସବ ପ୍ରକ୍ରିୟା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୁଏ । ଅକ୍ଷୟ ତୃତୀୟା ଦିନ ଥାଳ ଉଠିବା ଠାରୁ ଯାତ୍ରା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଜ୍ୟେଷ୍ଠ ଶୁକ୍ଳପକ୍ଷ ତୃତୀୟା ଦିନ ପତରପେଁଡି ବା ନିର୍ବନ୍ଧ(ପିନ୍ଧାଣି) ଏବଂ ଚତୁର୍ଥୀଦିନ ନୃସିଂହ ନିଉତା (ଗୁଆଗୁଣ୍ଡା) ଅନୁଷ୍ଠିତ ହୋଇଥାଏ । ପଞ୍ଚମୀ ତିଥି ରାତିରେ ଶ୍ମଶାନଚାରୀ ଶିବ ବରବେଶ ହୋଇ ବୃଷଭ ଆରୋହଣ କରି ଭବ୍ୟ ଶୋଭାଯାତ୍ରାରେ କନ୍ୟାପିତା ଗୃହକୁ ଗମନ କରନ୍ତି । ଏବଂ ତା'ପରଦିନ  ବା ଦେବଦେବୀଙ୍କୁ ବିବାହ ପାଇଁ ଅନୁଷ୍ଠିତ ହୋଇଥାଏ । 

୨. ହିନ୍ଦୁ ରୀତିନୀତି ଅନୁସାରେ କନ୍ୟା ଅନ୍ୱେଷଣ, ନିବନ୍ଧ, ବିବାହ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ, ମହା ଆଡ଼ମ୍ବରରେ ବରଯାତ୍ରୀ ଆଗମନ, ବୈଦିକ ରୀତିରେ ବେଦିରେ ଦେବଦମ୍ପତିଙ୍କ ବିବାହ, କନ୍ୟା ପିତାମାତାଙ୍କ କନ୍ୟା ଦାନ ଓ ଯାନି ଯୌତୁକ ସହିତ କନ୍ୟା ବିଦାୟ ଆଦି କାର୍ଯ୍ୟ ସମ୍ପନ୍ନ କରାଯାଏ । 

୩. ଜ୍ୟୈଷ୍ଠ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଶିବ ପାର୍ବତୀଂକ ବିବାହ ସମାପିତ ହୋଇଥିବାର ପୌରାଣିକ ମାନ୍ୟତା ରହିଥିବାରୁ ସେହି ଦିନ ଏହି ଦିବ୍ୟ ଦମ୍ପତ୍ତିଂକ ବିବାହ ଉତ୍ସବ ଆୟୋଜନ କରାଯାଇଥାଏ । କିଛି ଭକ୍ତ ମା’ ପାର୍ବତୀଙ୍କ ମା’ ବାପା ହୁଅନ୍ତି ଓ ଆଉ କିଛି ଭକ୍ତ ପ୍ରଭୁ ଶଙ୍କରଙ୍କର ହୋଇ ଉଭୟଙ୍କର ବିବାହକାର୍ଯ୍ୟ ସମାପନ କରନ୍ତି ।

୪. ତାରକାସୁରକୁ ବଧ କରିବାକୁ ଶିବ ବିବାହ ନିତାନ୍ତ ଆବଶ୍ୟକ ବୋଲି ଦେବତା ମାନେ ଜାଣିଥିଲେ । କିନ୍ତୁ   ସେତେବେଳେ ଶିବ ନିଜ ପ୍ରଥମ ସ୍ତ୍ରୀ ଦକ୍ଷ କନ୍ୟା ସତୀଂକ ବିୟୋଗରେ ଗଭୀର ତପସ୍ୟା ରେ ନିମଗ୍ନ ରହିଥାଆନ୍ତି । ପୁଣି ଥରେ ଶିବଂକୁ ଆସକ୍ତ କରିବାକୁ ମହାଶକ୍ତି ହିମାଲୟଂକ କନ୍ୟା ରୂପେ ଜନ୍ମ ଗ୍ରହଣ କରନ୍ତି । ପାର୍ବତୀଂକ କଠୋର ତପସ୍ୟା ଥିଲା ଶିବଂକୁ ବର ରୂପେ ବରଣ କରିବା ପାଇଁ । ପରିଶେଷ ରେ ପାର୍ବତୀଂକ ତପସ୍ୟା ରେ ସନ୍ତୁଷ୍ଟ ହୋଇ ଶିବ ପାର୍ବତୀଂକୁ ବିବାହ କରିଥିଲେ ।

୫. ଶିବ ବିବାହ କୁ ନେଇ ବହୁ ଚମକପ୍ରଦ ଓ ଚର୍ଚିତ କାହାଣୀ ଶିବ ପୁରାଣ ସମେତ ଅନ୍ୟାନ୍ୟ ପୁରାଣ ରେ ରହିଛି । ବିବାହ ପୂର୍ବରୁ ପାର୍ବତୀଂକ ନିଷ୍ଠା ପରୀକ୍ଷା କରିବାକୁ ଯାଇ ଶିବ ଅତ୍ୟନ୍ତ ବିକୃତ ରୂପ ଗ୍ରହଣ କରି ବର ବେଶରେ ଆସିଥିଲେ । ତାଂକର ବିକୃତ ଓ ବିଭତ୍ସ ବେଶ ବର୍ଣ୍ଣନା  “କଳସା ଚୌତିଶା “ ରେ ଦେଖିବାକୁ ମିଳେ ।

୬. ବରଯାତ୍ରୀ ଭାବରେ ଶିବଗଣ ଅତ୍ୟନ୍ତ ଉଦ୍ଦଣ୍ଡ ଓ ଅଦ୍ଭୁତ ଭାବରେ ହିମାଲୟରେ ପ୍ରବେଶ କରିଥିଲେ । ଭୁତ, ପିଶାଚ, ଡାହାନୀ, ବେତାଳ, ନନ୍ଦୀ, ଭୃଂଗୀ, ଯକ୍ଷ ଓ କିନ୍ନର ମାନେ ବରଯାତ୍ରୀ ଭାବେ ଯାଇଥିବାରୁ ତାହା ଏକ ବିଚିତ୍ର ଶୋଭାଯାତ୍ରା ରେ ପରିଣତ ହୋଇଥିଲା । ସେହି ସ୍ମୃତିରେ ଆଜି ମଧ୍ୟ ଶିବ ବର ଯାତ୍ରା ରେ ଅଦ୍ଭୁତ ଚରିତ୍ର ଓ ବେଶ ଭୂଷା ର ଚରିତ୍ର ମାନଂକୁ ଦେଖିବାକୁ ମିଳେ ।

୭. ସମ୍ବଲପୁର୍ ଶୀତଳ ଷଷ୍ଠୀ ଯାତ୍ରାରେ ଲୋକ ପରମ୍ପରା ଓ ଶାସ୍ତ୍ରିୟ ପରମ୍ପରା ର ସୁନ୍ଦର ମିଶ୍ରଣ ଘଟିଥାଏ । ବିବାହ ଉତ୍ସବ ରେ ଲୌକିକ ପରମ୍ପରା ର ପ୍ରଭାବ ଏତେ ବେଶୀ ଯେ ଶିବ ଓ ପାର୍ବତୀ ସାଧାରଣ ବର କନ୍ୟା ପାଲଟି ଯାନ୍ତି । 

୮. ୪୦୦ ବର୍ଷ ତଳେ ଚୌହାଣ ରାଜା ଅଜିତ ସିଂ ଏହି ପରମ୍ପରା ଆରମ୍ଭ କରିଥିଲେ ବୋଲି କୁହାଯାଏ । ଜାତି, ଧର୍ମ ଓ ଲିଂଗଗତ ବୈଷମ୍ୟ ଏହି ଯାତ୍ରା ରେ ବିଲକୁଲ୍ ଦେଖିବାକୁ ମିଳେ ନାହିଁ।

୯. ଶୀତଳ ଷଷ୍ଠୀ ଯାତ୍ରାରେ ତୃତୀୟ ଲିଂଗ ବା କିନ୍ନର ମାନେ ଶହ ଶହ ସଂଖ୍ୟାରେ ଯୋଗଦାନ କରିଥାନ୍ତି । ପଶ୍ଚିମ ଓଡିଶାରେ ଏହି କିନ୍ନର ମାନଂକୁ ରଂଗ ବୋଲି କୁହା ଯାଇଥାଏ । ବର ଯାତ୍ରା ଓ ବିବାହ ପରବର୍ତ୍ତୀ ଶୋଭାଯାତ୍ରା ରେ କିନ୍ନର ମାନେ ଅଂଶ ଗ୍ରହଣ କରିଥାନ୍ତି । କିନ୍ନରମାନେ ମହାଦେବଙ୍କ ବରଯାତ୍ରୀରେ ସାମିଲ ହେଲେ ପରଜନ୍ମରେ ଏଥିରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି । 

୧୦. ଶୀତଳ ଷଷ୍ଠୀ ଯାତ୍ରାରେ ସାଧାରଣ ବିବାହ ଉତ୍ସବ ପରି ଥାଳ ଉଠା, ଦେବ ନିମନ୍ତ୍ରଣ, ଗୁଆ ଗୁଣ୍ଡା , ପତରପେଣ୍ଡି, ମଂଗନ, ଗଣଶନ, ବରଯାତ୍ରା, ହାତ ଗନ୍ଥୀ, କନ୍ୟା ଦାନ ଓ ବିଦାୟୀ ପରି ଲୌକିକ ଆଚାର ଦେଖିବାକୁ ମିଳେ ।

Post a Comment

0 Comments