ଜାଣନ୍ତୁ, ସୁଦର୍ଶନ ଚକ୍ର କଳି ଯୁଗରେ ସ୍ତମ୍ଭାକାର ହେବା ପଛରେ କ’ଣ ରହିଛି ରହସ୍ୟ !

ଜାଣନ୍ତୁ,  ସୁଦର୍ଶନ ଚକ୍ର କଳି ଯୁଗରେ ସ୍ତମ୍ଭାକାର ହେବା ପଛରେ କ’ଣ ରହିଛି ରହସ୍ୟ !

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦିବ୍ୟ ଆୟୁଧ ଚକ୍ରରାଜ ସୁଦର୍ଶନ, ‘ସୁ’ ଓ 'ଦର୍ଶନ' ଦୁଇଟି ଶଦ୍ଦର ଆଧାରରେ ସୃଷ୍ଟି ସୁଦର୍ଶନ । ଦର୍ଶନର ଅର୍ଥ ହେଲା ଦୃଷ୍ଟି ଏବଂ ଶୁ ର ଅର୍ଥ ହେଲା ପବିତ୍ର ବା ଶୁଭ ।ଏବଂ ଅନ୍ୟ ଶବ୍ଦ ଟି ହେଲା ଚକ୍ର ।  ଚ୍ରୁଃ ଏବଂ କ୍ରୁଃ କୁ ନେଇ ଏହା ସୃଷ୍ଟି । ଚ୍ରୁଃ ର ଅର୍ଥ ହେଉଛି ଗତିଶୀଳ ଏବଂ କ୍ରୁଃ ର ଅର୍ଥ ହେଉଛି କରିବା । ଏହିପରି ଭାବେ ଚକ୍ରର ଅର୍ଥ ହେଉଛି ଗତିଶୀଳ ହୋଇ କାର୍ଯ୍ୟ ସମ୍ପାଦନ କରିବା।ସବୁ ଦିବ୍ୟ ଅସ୍ତ୍ର ମଧ୍ୟରେ ସୁଦର୍ଶନ ଚକ୍ର ହେଉଛି ଏକମାତ୍ର ଅସ୍ତ୍ର ଯାହାକି ସବୁବେଳେ ଓ ସବୁସମୟରେ ଘୁରି ବୁଲୁଥାଏ ।

ବାମନ ପୂରାଣ କୁହେ, ବିଶ୍ୱକର୍ମା ସବୁ ଦେବତାଙ୍କ ତେଜରୁ ସାର ଗ୍ରହଣ କରି ଏହି ଚକ୍ର ତିଆରି କରିଥିଲେ । ଏହା ସେ ମହାଦେବଙ୍କୁ ଦେଇଥିଲେ, ପରେ ଦୈତ୍ୟ ମାନଙ୍କ ବିନାଶ ଲାଗି ମହାଦେବ ବିଷ୍ଣୁଙ୍କୁ ଏହି ଚକ୍ର ପ୍ରଦାନ କଲେ ।

ମହାଦେବ କିପରି ବିଷ୍ଣୁଙ୍କୁ ଚକ୍ର ପ୍ରଦାନ କଲେ

  • ଯେତେବେଳେ ରକ୍ଷାସ୍ ମାନେ ଅଧିକ ଶକ୍ତିଶାଳୀ ହୋଇ ସବୁ ଋଷି ମୁନି ଏବଂ ଦେବତା ମାନଙ୍କ ଉପରେ ଅତ୍ୟାଚାର କଲେ ସେତେବେଳେ ସବୁ ଦେବତା ଏବଂ ଋଷି ମନେ ପାଳନ କର୍ତ୍ତା ବିଷ୍ଣୁ ଙ୍କ ନିକଟରେ ଶରଣ ପଶିଲେ । ସେହି ସମୟରେ ବିଷ୍ଣୁ କହିଲେ ସଂହାର କର୍ତ୍ତା ହେଉଛନ୍ତି ମହାଦେବ ତାଙ୍କୁ ପୂଜା କରିବା ଉଚିତ୍ ।
  • ଏହାପରେ ସ୍ଵୟଂ ବିଷ୍ଣୁ ମହାଦେବଙ୍କୁ ଆରାଧନା କରିବାକୁ ଲାଗିଲେ । ୧୦୦୦ ପଦ୍ମ ଫୁଲ ଆଣି ଶିବଙ୍କର ୧୦୦୦ ନାମ ଜପ କରି ପୂଜା କରିବାକୁ ଲାଗିଲେ । ଭଗଵାନ ବିଷ୍ଣୁ ୯୯୯ ଫୁଲ ଅର୍ପଣ କରିବା ପରେ ଦେଖିଲେ ଗୋଟିଏ ପଦ୍ମ ଫୁଲ କମ୍ ଅଛି । ସେ ବିବ୍ରତ ହୋଇଗଲେ କାରଣ ଶିବଙ୍କ ପୂଜାରେ ବିଘ୍ନ ଆସିଲେ ତାହା ଅମଙ୍ଗଳ ହୋଇଥାଏ । କିନ୍ତୁ ଭଗବାନ ଶିବ ସେ ଫୁଲକୁ ଲୁଚେଇ ଦେଇ ବିଷ୍ଣୁଙ୍କ ପରୀକ୍ଷା ନେଉଥିଲେ ।
  • ଆପଣ ଜାଣିଥିବେ ବିଷ୍ଣୁଙ୍କୁ କମଳ ନୟନ ବୋଲି କୁହାଯାଏ । ଗୋଟେ ଫୁଲ କମ୍ ଥିବାରୁ ସେ ତାଙ୍କର ଗୋଟେ ଆଖି ତାଡି ଶିବଙ୍କୁ ଅର୍ପଣ କରିଦେଲେ । ଭଗଵାନ ଶିବ ଏହା ଦେଖି ପ୍ରସନ୍ନ ହୋଇଗଲେ ଏବଂ କହିଲେ ଆପଣ ହେଉଛନ୍ତି ପାଳନ କର୍ତ୍ତା । କିନ୍ତୁ  ସଂହାର କରିବାର କିଛି ଶକ୍ତି ବି ଆପଣଙ୍କ ପାଖରେ ରହିବା ଦରକାର । 

  1. ଆପଣଙ୍କ ହାତରେ ଶଙ୍ଖ ଯାହା ଧର୍ମକୁ ବୁଝାଏ ।
  2. ପଦ୍ମ ଫୁଲ ଯାହା ଭକ୍ତି ଆଉ ଭାବନାକୁ ବୁଝାଏ 
  3. ଏବଂ ଗଦା ଯାହା ଦୁଷ୍ଟଙ୍କୁ କେବଳ ଦଣ୍ଡ ଦେଇଥାଏ । କିନ୍ତୁ  ଗଦା ଦୃଷ୍ଟଙ୍କୁ ସଂହାର କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ ।
  4. ତେଣୁ ମୁଁ ତୁମକୁ ସୁଦର୍ଶନ ଚକ୍ର ପ୍ରଦାନ କରୁଛି । ଯାହା ଦୁଷ୍ଟ ଶକ୍ତିଙ୍କୁ ସଂହାର କରିପାରିବ । ଏହା କହି ଶିବ ଭଗଵାନ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର ଦେଇଥିଲେ ।

  1. ଅନ୍ୟ ଏକ ମତରେ, ଏକଦା ସୂର୍ଯ୍ୟଦେବ ନିଜର ତେଜକୁ ପ୍ରଶମିତ କରିବା ପାଇଁ ପାର୍ଥନା କରିବାରୁ ବିଷ୍ଣୁ ସୂର୍ଯ୍ୟଙ୍କର ତେଜରୁ କିଛି ଅଂଶ ପୃଥକ କରିଦେଲେ । ସେହି ପୃଥକ ହୋଇଥିବା ତେଜ ତିନି ଭାଗରେ ବିଭକ୍ତ ହୋଇ ବିଷ୍ଣୁଙ୍କର ସୁଦର୍ଶନ, ରୂଦ୍ରଙ୍କର ତ୍ରିଶୂଳ , ଓ ଇନ୍ଦ୍ରଙ୍କର ବଜ୍ର ରୂପରେ ପ୍ରକଟିତ ହେଲେ ।
  2. ତେବେ ମହାଭାରତର ବର୍ଣ୍ଣନା ଅନୁସାରେ ଖାଣ୍ତବ ବନ ଦହନ ସମୟରେ କୃଷ୍ଣ ଓ ଅର୍ଜୁନ ଅଗ୍ନିଦେବତାଙ୍କୁ ସହାୟତା କରିଥିବାରୁ ସେ ଖୁସି ହୋଇ ଶ୍ରୀକୃଷ୍ଣଙ୍କୁ ସୁଦର୍ଶନ ଚକ୍ର ପ୍ରଦାନ କରିଥିଲେ । ସୁଦର୍ଶନ ହେଉଛନ୍ତି ଦେବମୟ ସ୍ତମ୍ଭ ସ୍ୱରୂପ । ସେ ହିଁ ଅଥର୍ବ ବେଦର ବର୍ଣ୍ଣିତ ସ୍ତମ୍ଭ ଉପାସନାର ପ୍ରତୀକ ।
  3. ସୂତ ସଂହିତା ଅନୁସାରେ ସୁଦର୍ଶନ ହିଁ ବିଷ୍ଣୁଙ୍କର ତେଜୋଦୀପ୍ତ ଆୟୁଧ । ତେବେ ଦାରୁ ମୁର୍ତ୍ତି ତତ୍ତ୍ୱରେ ସୁଦର୍ଶନ ଆଦିମୁର୍ତ୍ତି । ବଡଦେଉଳରେ ଚତୁର୍ଦ୍ଧାମୁର୍ତ୍ତି ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ସହିତ ସୁଦର୍ଶନ ବିରାଜିତ ଅଛନ୍ତି ।
  4. ଶ୍ରୀମନ୍ଦିରର ସମସ୍ତ ବିଜେ ଓ ରୀତିନୀତିରେ ସୁଦର୍ଶନଙ୍କ ବିଜେ ପ୍ରଥମେ ହୋଇଥାଏ । ନବକଳେବର ସମୟରେ ଦାରୁ ସନ୍ଧାନ, ଛେଦନ ଓ ଦିଅଁ ନିର୍ମାଣ ସମୟରେ ସୁଦର୍ଶନଙ୍କ ବିଗ୍ରହ ନିର୍ମାଣ ସର୍ବପ୍ରଥମେ ଆରମ୍ଭ ହୋଇଥାନ୍ତି ।
  5. ତତ୍ ପରେ ଅନ୍ୟବିଗ୍ରହଙ୍କ ନିର୍ମାଣ କାର୍ଯ୍ୟ ସଂପନ୍ନ ହୁଏ । ସୁଦର୍ଶନଙ୍କୁ ବହୁବିଧ ଅସ୍ତ୍ରମାନଙ୍କ ଆକାର ହେତୁ ଚକ୍ରାକାର ନ ହୋଇ ସ୍ତମ୍ଭାକାର ହେବା ନୀଳାଦ୍ରୀ ମହୋଦୟରେ ଉଲ୍ଲେଖ ଅଛି । ତିନି ଯୁଗରେ ସୁଦର୍ଶନ ଗୋଲାକାର ।

ସୁଦର୍ଶନ ଚକ୍ର କଳି ଯୁଗରେ ସ୍ତମ୍ଭାକାର ହେବା ପଛର କାରଣ

ତିନି ଯୁଗରେ ସୁଦର୍ଶନ ଚକ୍ର ଗୋଲାକାର ହୋଇଥିଲେ ହେଁ କଳିଯୁଗରେ ସ୍ତମ୍ଭାକାର ରୂପେ ବିରାଜିତ । ଏହା ପଛରେ ଥିବା ପୌରାଣିକ ମତଟି ହେଲା: ସୁଦର୍ଶନ ଦୂତ ରୂପେ ବା କାର୍ଯ୍ୟନିର୍ବାହୀ ରୂପେ ପ୍ରଭୁଙ୍କ ସବୁ କାର୍ଯ୍ୟ ତୁଲାଉଥିବାରୁ ତାଙ୍କ ମନରେ ଅହଙ୍କାର ଜାତ ହେଲା । ପ୍ରଭୁ ଏହା ଜାଣିପାରି ସୁଦର୍ଶନଙ୍କର ଅହଙ୍କାର ବିନାଶ ପାଇଁ କଦଳୀବନରେ ତପସ୍ୟା କରୁଥିବା ହନୁମାନଙ୍କୁ ଡାକି ଆଣିବା ପାଇଁ ସୁଦର୍ଶନଙ୍କୁ ପଠାଇଲେ । ଅହଙ୍କାର ବଶତଃ ସୁଦର୍ଶନ ଗଲାବେଳେ କଦଳୀବନର ପତ୍ରସବୁ କାଟି କାଟି ଯାଇ ସେଠାରେ ଅଭୟ ମୁଦ୍ରାରେ ତପସ୍ୟାରେ ବସିଥିବା ହନୁମାନଙ୍କୁ ପ୍ରଭୁଙ୍କ ବାର୍ତ୍ତା ଜଣାଇଲେ । ହନୁମାନ ସବୁ ଜାଣିପାରି କହିଲେ ମୁଁ ଚିରଞ୍ଜିବୀ ହେଲେ ମଧ୍ୟ ବୃଦ୍ଧାବସ୍ଥା ଯୋଗୁଁ ଶୀଘ୍ର ଯାଇପାରିବି ନାହିଁ, ଏଣୁ ତୁମେ ଆଗରେ ଚାଲ ମୁଁ ପଛେ ପଛେ ପହଞ୍ଚିବି । ସୁଦର୍ଶନ ଏହାଶୁଣି ଅହଙ୍କାରରେ ପୂର୍ବାପେକ୍ଷା ଦୁଇଗୁଣ ବେଗରେ ଯାଇ ପହଞ୍ଚିବା ବେଳକୁ ହନୁମାନ ସିଂହଦ୍ୱାରରେ ଅପେକ୍ଷା କରିଛନ୍ତି । ସୁଦର୍ଶନ ବିସ୍ମିତ ହୋଇ ପଚାରିଲେ, ତୁମ୍ଭେ ବୃଦ୍ଧ ହେତୁ ଶିଘ୍ର ଆସିପାରିବ ନାହିଁ ବୋଲି କହୁଥିଲ, ଏତେ ଶୀଘ୍ର ମୋ ପୂର୍ବରୁ କିପରି ପହଞ୍ଚିଲ? ହନୁମାନ ଉତ୍ତରଦେଲେ, ମୁଁ ପିତା ପବନଦେବଙ୍କୁ ସ୍ମରଣ କରିବାରୁ ସେ ମତେ ଏଠାରେ ପହଞ୍ଚାଇଲେ । ମୁଁ ବୃଦ୍ଧ ହୋଇପାରେ କିନ୍ତୁ ପିତା ପବନଦେବ ବୃଦ୍ଧ ନୁହଁନ୍ତି, କାରଣ ଦେବତାମାନେ ବୃଦ୍ଧ ହୁଅନ୍ତି ନାହିଁ, ସର୍ବଦା ଯୁବକ ଅବସ୍ଥାରେ ଥାଆନ୍ତି । ହନୁମାନଙ୍କ ଶକ୍ତି ପରିକ୍ଷା ପାଇଁ ସୁଦର୍ଶନ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଚାରିଦ୍ୱାରରେ ଚାରୋଟି ସୁଦର୍ଶନ ରୂପେ ବାଟ ଓଗାଳିଲେ । ଏହା ଦେଖି ହନୁମାନ ପ୍ରଭୁ ରାମଙ୍କୁ ସ୍ମରଣ କରି ଚାରି ହାତରେ ଚାରୋଟି ସୁଦର୍ଶନଙ୍କୁ ଆଣି ଗିଳିଦେଇ ପ୍ରଭୁଙ୍କ ପାଖରେ ପହଞ୍ଚିଲେ । ପ୍ରଭୁ ହନୁମାନଙ୍କୁ ଏକାକୀ ଦେଖି ସୁଦର୍ଶନଙ୍କ କଥା ପଚାରିଲେ । ହନୁମାନ କହିଲେ, ପ୍ରଭୁ ଆପଣ ସବୁ ଜାଣନ୍ତି, ଆପଣ ତାଙ୍କୁ ଯେପରି ଚାରୋଟି ରୂପ ଦେଲେ, ମତେ ସେପରି ଚାରୋଟି ହାତ ଦେଲେ, ଚାରିଦ୍ୱାରରେ ସେ ମୋ ପଥରୋଧ କରିବାରୁ ମୁଁ ତାଙ୍କୁ ଗିଳିଦେଇଛି । ପ୍ରଭୁଙ୍କ ଦର୍ଶନରେ ମୁଁ କୌଣସି ବାଧାମାନେ ନାହିଁ । ତତ୍ପରେ ପ୍ରଭୁଙ୍କ ଆଦେଶ ମୁତାବକ ହନୁମାନ ସୁଦର୍ଶନଙ୍କୁ ବାନ୍ତି କଲେ, କିନ୍ତୁ ଚାରୋଟିଯାକ ସୁଦର୍ଶନ ଏକ ସ୍ତମ୍ଭାକାର ହୋଇ ତଳେ ପଡ଼ିଲେ । ଉଭୟଙ୍କ ଅହଙ୍କାର ପାଇଁ ପ୍ରଭୁ ଦଣ୍ଡବିଧାନ କଲେ । ସୁଦର୍ଶନ ସେହି ସ୍ତମ୍ଭାକାର ରୂପେ ଦକ୍ଷିଣପାର୍ଶ୍ୱ ପରିବର୍ତ୍ତେ ବାମପାର୍ଶ୍ୱରେ ରହିଲେ । ହନୁମାନ ତପସ୍ୱୀ ହନୁମାନ ନାମରେ ଆଠହାତଯୁକ୍ତ ପ୍ରଶସ୍ତ ମୁଦ୍ରାରେ ଉତ୍ତର(ହସ୍ତି) ଦ୍ୱାର ଜଗି ରହିଲେ ।

କିନ୍ତୁ କଳି ଯୁଗରେ ସ୍ତମ୍ଭାକାର । ଶ୍ରୀମନ୍ଦିର ଚୁଡାରେ ମଧ୍ୟ ଏହି ଚକ୍ରର ଧାତୁମୟ ପ୍ରତିକୃତି ରହିଛି ।

Post a Comment

0 Comments