ଜାଣନ୍ତୁ ମହାପ୍ରଭୁଙ୍କ ନୀଳଚକ୍ର ଓ ପତିତପାବନ ବାନାର ରହସ୍ୟ
ବଡ଼ ଦେଉଳର ଚୂଳରେ ଶୋଭା ପାଉଥାଏ ନୀଳ ଚକ୍ର । ମନ୍ଦିରରେ ଥିବା ନୀଳ ଚକ୍ର ଅଷ୍ଟ ଧାତୁରେ ନିର୍ମିତ ଏହାକୁ ପ୍ରଭୁ ଶ୍ରୀ ବିଷ୍ଣୁଙ୍କ ସୁଦର୍ଶନ ଚକ୍ର ବୋଲି ମଧ୍ୟ କୁହାଯାଏ । ଏହା ଶ୍ରୀବିଷ୍ଣୁଙ୍କ ଆୟୂଧ ସୁଦର୍ଶନ ଚକ୍ରର ପ୍ରତିରୂପ ବୋଲି ବିଶ୍ୱାସ କରାଯାଏ । ସେହିଭଳି ଶୈବ ମନ୍ଦିରରେ ଶିବଙ୍କ ଆୟୁଧ ତ୍ରିଶୂଳ ରହିଥାଏ । ଶ୍ରୀମନ୍ଦିର ଶିଖରରେ ଥିବା ଚକ୍ରକୁ ନୀଳଚକ୍ର କୁହାଯାଏ ।
ନୀଳ ଚକ୍ରର ରହସ୍ୟ
- ଏହି ଚକ୍ରର ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆପଣ ପୁରୀ ସହରର ଯେ କୌଣସି ସ୍ଥାନରୁ ଏହି ଚକ୍ରକୁ ଦେଖିଲେ ଏହା ଆପଣଙ୍କ ଆଡକୁ ମୁହଁ କରିଲା ପରି ଜଣାଯାଏ ବା ଯେଉଁ ପାଶ୍ୱର୍ରୁ ଏହି ଚକ୍ରକୁ ଦେଖିଲେ ଆପଣଙ୍କ ଆଡକୁ ସାମ୍ନା କରିଥିବା ଭଳି ଦେଖାଯାଏ ।
- ନୀଳଚକ୍ରର ନକ୍ସା ଶିଳ୍ପ ଚାତୁରୀର ଏକ ଉତ୍କୃଷ୍ଟ ନିଦର୍ଶନ । ମୁଖ୍ୟତଃ ତମ୍ବା ସହିତ ଅନ୍ୟ ଧାତୁର ମିଶ୍ରଣରେ ଢଳେଇ ପ୍ରକ୍ରିୟାରେ ଏହି ଚକ୍ରର ଅଂଶଗୁଡ଼ିକ ନିର୍ମିତ ହେବାପରେ ୨୧୩ ଫୁଟ ଉଚ୍ଚ ମନ୍ଦିରର କଳସ ଉପରେ ଦୃଢ଼ ତଥା ସଳଖ ଭାବରେ ସ୍ଥାପନ କରିବାରେ ଶିଳ୍ପୀମାନଙ୍କ ଶୈଳ୍ପିକ ଦକ୍ଷତା ପ୍ରତିପାଦିତ ହୋଇଛି ।
- ତମ୍ବା ଧାତୁ ସହିତ ସାମୁଦ୍ରିକ ପବନର ରସାୟନିକ ପ୍ରକ୍ରିୟାର ଫଳ ସ୍ୱରୂପ ଏହି ଚକ୍ରର ରଙ୍ଗ ନୀଳ ଦେଖାଯାଏ ।
- ନୀଳଚକ୍ରର ଉଚ୍ଚତା ୧୧ ଫୁଟ ଆଠ ଇଞ୍ଚ । ପହି ବା ବଳୟର ବାହ୍ୟ ଗୋଲେଇ ଭିତର ବ୍ୟାସ ୭ ଫୁଟ ୬ ଇଞ୍ଚ । ବାହ୍ୟ ପରିଧି ୩୬ ଫୁଟ, ପହିର ଓସାର ପ୍ରାୟ ଦେଢ଼ ଫୁଟ । କେନ୍ଦ୍ର ବଳୟ ଓ ପହି ମଧ୍ୟରେ ଲାଗିଥିବା ଆଠଗୋଟି ଅରଗୁଡ଼ିକର ଲମ୍ବ ପ୍ରାୟ ଦୁଇ ଫୁଟ । ସମୁଦାୟ ଓଜନ ହାରାହାରି ୨୨୦୦ କେଜି ।
- ଚକ୍ର ମଝିରେ ମେରୁ ରୂପକ ଧାତବ ଦଣ୍ଡ ପୋତି ହେଇ ରହିଛି ।
- ସେହିପରି ପହିର ଦୁଇପାଶ୍ୱର୍ର ବାହାରେ ମଗର ମୁଣ୍ଡ ସଦୃଶ୍ୟ ଆଠଗୋଟି କଳାତ୍ମକ ଶିଖା ନୀଳଚକ୍ରର ଶୋଭାବର୍ଦ୍ଧନ କରିଥାଏ ।
ରତ୍ନସିଂହାସନରେ ଚତୁର୍ଦ୍ଧାମୂତ୍ତିଙ୍କୁ ଦର୍ଶନ କରିବା ପାଇଁ ସବୁବେଳେ ସମସ୍ତଙ୍କୁ ସୁଯୋଗ ମିଳେ ନାହିଁ । ଯେଉଁମାନେ ଦର୍ଶନରୁ ବଞ୍ଚିତ ହୁଅନ୍ତି ସେମାନେ ସିଂହଦ୍ୱାର ଗୁମୁଟରେ ପୂଜିତ ପତିତପାବନଙ୍କ ଚିତ୍ର ବିଗ୍ରହ ଓ ଶ୍ରୀମନ୍ଦିର ଶିଖରର ନୀଳଚକ୍ର ସହିତ ଦିବ୍ୟ ଧ୍ୱଜାର ଦର୍ଶନରେ ସନ୍ତୁଷ୍ଟ ହୁଅନ୍ତି । ପୁରୀକୁ ଆସୁଥିବା ଯାତ୍ରୀମାନେ ବହୁଦୂରରୁ ଶ୍ରୀମନ୍ଦିରର ଚୂଡ଼ା ଦର୍ଶନ କରି ଦଣ୍ଡବତ ହୁଅନ୍ତି, କୃତାର୍ଥ ଲଭନ୍ତି ।
ପତିତପାବନ ବାନା (ଧ୍ୱଜା)
- ବାସଗୃହର ଛାତ ଉପରୁ ଅବା ଘର ଭିତରୁ ଗବାକ୍ଷ ବାଟେ ଦର୍ଶନ କରିବା ପୁରୀଆଙ୍କ ଏକ ଅଭିଳଷିତ ଆଶା ।
- ଶ୍ରୀମନ୍ଦିରର ଚତୁଃପାଶ୍ୱର୍ରେ ଥିବା ଅନେକ ମଠର ମହନ୍ତମାନଙ୍କର ଆସ୍ଥନମାନ ଯୋଜନାବଦ୍ଧ ଭାବରେ ନୀଳଚକ୍ର ଦର୍ଶନକୁ ଲକ୍ଷ୍ୟରଖି ନିର୍ମାଣ କରାଯାଇଥିବାର ଜଣାଯାଏ |
- ବିିଭିନ୍ନ ହୋଟେଲ ବା ଧର୍ମଶାଳାର ପ୍ରକୋଷ୍ଠରୁ ନୀଳଚକ୍ରର ଦର୍ଶନ ମିଳିଲେ ତାହା ଯାତ୍ରୀମାନଙ୍କ ପାଇଁ ଅତିରିକ୍ତ ସୁବିଧା ବୋଲି ବୁଝାଯାଏ ।
- ଦୂରରେ ଥାଇ ବ୍ରାହ୍ମଣ ଜଣେ ହାତରେ ନୈବେଦ୍ୟ ଧରି ନୀଳଚକ୍ରକୁ ଚାହିଁ ଉତ୍ସର୍ଗ କରିଦେଲେ ତାହା ଭୋଗ ହେଇଯାଏ । ଏହି ଭୋଗକୁ ଚକ୍ର ମଣୋହି କୁହାଯାଏ ।
- ନୀଳଚକ୍ର ମଝିରେ ଉର୍ଦ୍ଧ୍ୱମୁଖା ବାଉଁଶରେ ଏକ ମୁଖ୍ୟବାନା ସହିତ ମାଳ ଆକାରରେ ଯଜମାନଙ୍କର ଅନେକ ବାନା ଲାଗିପାରେ ।
- ଶ୍ରୀମନ୍ଦିର ଚୂଡ଼ାରେ ଲାଗୁଥିବା ବାନା ସାଧାରଣତଃ ନାଲି, ହଳଦିଆ ବା ଧଳା ରଙ୍ଗର ହୋଇଥାଏ । ମଝିରେ ଚନ୍ଦ୍ରବିନ୍ଦୁ ଚିହ୍ନ ରହି ଆଗରେ ଏକ ଫୁଲି ଲାଗିଥାଏ ।
- ୧୧୨ ହାତ ଲମ୍ବ ‘ପାଦୁକଶୋଷା’ ବାନା ସବୁଠାରୁ ଦୀର୍ଘ । ଏହା ନୀଳଚକ୍ର ଉପରୁ ପାଟ ଅଗଣାରେ ଥିବା ପାଦୁକ କୁଣ୍ଡଯାଏଁ ଲମ୍ବିଥାଏ । ଶେଷରେ ଥିବା ଫୁଲିଟିକୁ ପାଦୁକ କୁଣ୍ଡରେ ବୁଡ଼ାଇ ଯଜମାନ ସଂକଳ୍ପ କରିଥାନ୍ତି ।
- ଅଣ୍ଟାରେ ବାନାର ବୁଜୁଳା ବାନ୍ଧି ମନ୍ଦିର ବାଡ଼ରେ ପିଠି ଲଗାଇ ନୀଳଚକ୍ର ଉପରେ ଥିବା ଚଉଦ ହାତ ଲମ୍ବର ବାଉଁଶରେ ଅତ୍ୟନ୍ତ ସତର୍କତାର ସହିତ ମହାପ୍ରଭୁଙ୍କୁ ସ୍ମରଣ କରି ଏହି ସେବା କରାଯାଏ ।
- ଏଣୁ ଏହି ସେବାର ବିକଳ୍ପ ନାହିଁ । ମହାପ୍ରଭୁଙ୍କ ଅପାର କରୁଣାରୁ କେବେ କୌଣସି ତ୍ରୁଟି ବିଚ୍ୟୁତି ବା ଅଘଟଣ ଘଟିବା ନଜିର ନାହିଁ ।
- ବାନାର ଲମ୍ବ, ପର୍ଯ୍ୟାୟକ୍ରମେ କମିଯାଇ ଏବେ ସର୍ବାଧିକ ୧୪ ହାତ ଲମ୍ବ ବାନା ବନ୍ଧାଯାଉଛି । ଏହି ବାନା ବନ୍ଧା ସେବା ଏକ ସାହସିକ ଓ ସମର୍ପିତ ସେବା ।
ପତିତପାବନ ବାନାର ରହସ୍ୟ
ଆମେ ସମସ୍ତେ ଜାଣିଛୁ ଯେ ଏକ କପଡା ହେଉ କିମ୍ବା କିଛି ହାଲକା ପଦାର୍ଥ ପବନର ଦିଗ ସହିତ ପ୍ରବାହିତ ହୋଇଥାଏ । କିନ୍ତୁ ପୁରୀ ମନ୍ଦିରର ପତାକା ବା ପତିତପାବନ ବାନା ସର୍ବଦା ପବନ ଯେଉଁ ଦିଗକୁ ବହେ, ତାର ବିପରୀତ ଦିଗରେ ଉଡିଥାଏହୋଇଥାଏ ।
ନୀତିକାନ୍ତି ବନ୍ଦ ରହେ
- ଶ୍ରୀମନ୍ଦିର ନୀତିକାନ୍ତି ସହିତ ନୀଳଚକ୍ର ତଥା ପତିତପାବନ ବାନାର ସମ୍ପର୍କ ଅଭେଦ୍ୟ ।
- ବାନା ପବନରେ ଚିରି ଉଡ଼ିଗଲେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଭୋଗ ପୂଜା ହେଇପାରେ ନାହିଁ ।
- ବାନା ବିନା ନୀଳଚକ୍ର ଓ ଶ୍ରୀମନ୍ଦିର ସାମୟିକ ଭାବରେ ଶ୍ରୀହୀନ ଦେଖାଯାଏ ।
- ସବୁ ନୀତିକାନ୍ତି ଅଟକି ରହେ ପୁଣି ନୂଆ ବାନା ଲାଗିବା ପର୍ଯ୍ୟନ୍ତ ।
- ସବୁଦିନ ଅପରାହ୍ନରେ ଏହି ବାନା ଚୂନରା ସେବକଙ୍କ ଦ୍ୱାରା ବଦଳାଯାଏ ।


0 Comments
Do you have any doubts or suggestions? Ask them here in the comments!