ଆଷାଢ଼ କୃଷ୍ଣ ପକ୍ଷ ଖଳିଲାଗି ବା ଅଣସର ଏକାଦଶୀ
ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ଗାଧୋଇ ଜ୍ୱରରେ ପଡନ୍ତି ମହାପ୍ରଭୁ । ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜ୍ୱରରେ ପୀଡିତ ହୋଇ ଉପଚାର ଘେନୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ନାହିଁ । ଏହି କାଳକୁ ଅଣସର ବା ଅନବସର କୁହାଯାଏ ।
ଜ୍ୱର ହେବାପରେ ଶ୍ରୀଜୀଉମାନଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଠାକୁରମାନଙ୍କୁ ଅଣସର ଘରକୁ ନିଅନ୍ତି । ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପରିକ ଉପଚାର କରାଯାଏ । ଅଣସର ଘରେ କେବଳ ଦଇତା ସେବକମାନେ ଅର୍ଥାତ ବିଶ୍ୱାବସୁଙ୍କ ବଂଶଧରମାନେ ସେବାକାର୍ଯ୍ୟ କରନ୍ତି ।
ମହାପ୍ରଭୁ ସୁସ୍ଥ ହୋଇଥିବାରୁ ଏକାଦଶୀ ଠାରୁ ଅଣସର ଘରେ ପୂଜା ସମୟ ରେ ଘଣ୍ଟ ବାଜିବା ସହିତ ନୈବେଦ୍ୟ ରେ ତୁଳସୀ ପତ୍ର ପଡି ଭୋଗ ଲାଗି ହୋଇଥାଏ ।
ରାତ୍ରରେ ମହାପ୍ରଭୁଙ୍କ ନୀତି ସମାପନ ପରେ ଶୁଦ୍ଧ ସୁଆର ଯୋଗାଇଥିବା ଖଳି ଶ୍ରୀଅଙ୍ଗରେ ଲାଗେ । ଗହମ ଗୁଣ୍ଡକୁ ଶୁକ୍ଳ ବସ୍ତ୍ରରେ ଛଣାଯାଇ ଖଳି ପ୍ରସ୍ତୁତ ହୋଇଥାଏ । ସେହିପରି ଶଙ୍ଖକୁ ପୋଡି ତାର ଭସ୍ମ ରେ ଖଡ଼ି ପ୍ରସ୍ତୁତ କରି ଶ୍ରୀଅଙ୍ଗର ଶୋଭା ବର୍ଦ୍ଧନ ପାଇଁ ଲେପନ କରାଯାଏ । ଯାହାକୁ ଶ୍ରୀମନ୍ଦିର ଭାଷାରେ ଖାଳିଲାଗି କୁହାଯାଏ ।
ଅଣସର ନୀତି
- ଅଣସର ପିଣ୍ଡିର ଚାରିପଟେ ବାଉଁଶ ତାଟି କୋଠ ସୁଆସିଆମାନେ ଭିଡ଼ି ଦିଅନ୍ତି । ତିନି ପଟି ଦିଅଁଙ୍କୁ ତାଟି ଦେହରେ ରୁନ୍ଧା ଯାଏ । ସ୍ନାନପୂର୍ଣ୍ଣିିମା ରାତିଠାରୁ ଅମାବାସ୍ୟା ଯାଏଁ ଠାକୁରମାନେ ଅଣସରରେ ରହିବା ନିୟମ ।
- ତାଟି ଭିତରେ ଦିଅଁମାନଙ୍କର ମଇଲମ ହୁଏ । ତା’ପୂର୍ବରୁ ଦଇତାମାନେ ବଇଠା ବସାନ୍ତି । ଅନ୍ୟ ସମୟରେ ଅନ୍ଧକାର ଥାଏ ।
- ଅଣସର ଘର ଭିତରକୁ ଦଇତା ଓ ପତିଙ୍କ ଛଡ଼ା ଅନ୍ୟ କେହି ଯାଇ ପାରିବେ ନାହିଁ ।
- ଅଣସର ସମୟରେ ତିନି ଦିଅଁ ଶୁକ୍ଲ ସୁବାସ ଫୁଲ ଛଡ଼ା ଅନ୍ୟ ଫୁଲ ଲାଗି ହୁଅନ୍ତି ନାହିଁ । କିନ୍ତୁ ଅଣସର ଏକାଦଶୀ ଦିନଠାରୁ ଶ୍ରୀବିଗ୍ରହମାନେ ବିଭିନ୍ନ ରଙ୍ଗର ସୁବାସିତ ଫୁଲ ଓ ତୁଳସୀ ଆଦି ଲାଗି ହୁଅନ୍ତି ।
- ଠାକୁରମାନଙ୍କର ପଣା ଭୋଗ ପତିମହାପାତ୍ର କରନ୍ତି । ଦଶାବତାର ଦିଅଁଙ୍କର ବଡ଼ସିଂହାର ଭୋଗ ପରେ ଓ ପହୁଡ଼ ପୂର୍ବରୁ ଅଣସର ଦିଅଁଙ୍କର ଚକଟା ଭୋଗ ହୁଏ । ଏହି ଭୋଗରେ ଧୁଆ ମୁଗ, ପାଚିଲା ପଣସ ଇତ୍ୟାଦି ଥାଏ ।
- ଅଣସର ସମୟରେ ଠାକୁରମାନେ ଏକବସ୍ତ୍ର ପରିଧାନ କରୁଥିବାରୁ ଦଇତାପତିମାନେ ମଧ୍ୟ ଏକବସ୍ତ୍ର ପିନ୍ଧି ସେବା କରନ୍ତି ।
- ଅଣସର ଦ୍ୱିତୀୟା ଦିନ ଦିଅଁମାନଙ୍କର ସ୍ନାନଯାତ୍ରା ପହଣ୍ଡିର ବସ୍ତ୍ର ବାହାର କରାଯାଏ ।
- ଚର୍ତୁଥୀ ଦିନ ଶ୍ରୀଅଙ୍ଗ ଫିଟା ନୀତି ହୁଏ । ଅର୍ଥାତ ଶ୍ରୀମୁଖ ଓ ଶ୍ରୀଅଙ୍ଗ ଖୋଲାଯାଏ । ପାଟବସ୍ତ୍ର ଓ ଲାଗି ହୋଇଥିବା ଚନ୍ଦନ ବାହାର କରାଯାଏ ।
- ପଞ୍ଚମୀ ଦିନ ‘ଫୁଲୁରି ଲାଗି’ ହୁଏ । ଦଇତାପତିମାନେ ରାଶିତେଲ, ଚୁଆ, କର୍ପୂର, ପିଙ୍ଗଣ ଓ ପରଖରେ ରଖି ଫୁଲରି ଲାଗି କରନ୍ତି ।
- ଷଷ୍ଠୀଠାରୁ ନବମୀ ଯାଏଁ ଦିଅଁମାନଙ୍କୁ ‘ଓଷୁଅ ଲାଗି’ କରାଯାଏ । ଅଣସର ସୁଧସୁଆର ଝୁଣା ବାଟି ଓଷୁଅ ପ୍ରସ୍ତୁତ କରି ଯୋଗାନ୍ତି ।
- ଦଶମୀ ଦିନ ‘ଚକା ବିଜେ’ ନୀତି ହୁଏ ।
- ଏକାଦଶୀ ଦିନ ଚନ୍ଦନ ସହିତ କର୍ପୁର କେଶର ବଟା ହୁଏ ଓ ତାହା ଦଇତାପତିମାନେ ଦିଅଁମାନଙ୍କୁ ଲାଗି କରନ୍ତି । ଏହି ଦିନ ଘଣ୍ଟା, କାହାଳୀ ଓ ବାଜା ବାଜେ । ଅଣସର ତାଟି ଆଗରେ ବିରାଜିତ ଦଶାବତାର ଦିଅଁଙ୍କୁ ମଧ୍ୟ ଉକ୍ତଦିନ ଚନ୍ଦନଲାଗି କରାଯାଏ ।
- ଅଣସରରେ ପ୍ରଥମ ଦିନଠାରୁ ଦଶମୀ ଦିନ ଯାଏଁ କୌଣସି ଦିଅଁଙ୍କ ନୀତିରେ ଘଣ୍ଟ କାହାଳୀ ବାଜେ ନାହିଁ କିମ୍ବା ମନ୍ଦିରରେ କୌଣସିଠାରେ ନାମ ସଂକୀର୍ତ୍ତନ ହୁଏ ନାହିଁ । ଅଣସର ପିଣ୍ଡିରେ ଦିଅଁମାନଙ୍କୁ ପତି ମହାପାତ୍ର ସର୍ପାମଣୋହି କରି ପୂଜା କରନ୍ତି । ଏହି ପୂଜାରେ ଘଣ୍ଟି, ଶଙ୍ଖ, ପିଢ଼ା କିମ୍ବା ଥାଳି ବ୍ୟବହାର କରାଯାଏ ନାହିଁ ।
ଦଶମୁଳ ମୋଦକ
- ମାନବୀୟ ଲୀଳାର ଠାକୁରଙ୍କର ଚାଲିଛି ଉପଚାର । ମହାଜ୍ୱର ପାଇଁ କେବଳ ରାଜବୈଦ୍ୟଙ୍କ ଦଶମୁଳ ହେଉଛି ମହୌଷଧୀ । ଶ୍ରୀଜିଉଙ୍କ ପାଇଁ ପ୍ରସ୍ତୁତ ଓସରେ ଦୁଇକେଜି ଚେରମୁଳି ଓଜନର ରହିଥାଏ । ଆୟୁର୍ବେଦ ଶାସ୍ତ୍ର ଆଧାରରେ ଶାଳ ପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣିବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ବାଗୋତି, ଦେଶିଘିଅ, ମହୁ, ନବାତ, ଖୁଆସର, ଭାଙ୍ଗ ଆଦି ଦଶଟି ଜିନିଷରେ ପ୍ରସ୍ତୁତ ହୋଇଥାଏ ଏହି ଔଷଧ ।
- ଅଣସରର ଏକାଦଶୀ ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ସମର୍ପଣ ହେବ ଦଶମୁଳ ମୋଦକ ।
- ସେପଟେ ରାଜବୈଦ୍ୟଙ୍କ ଘରୁ ପ୍ରସ୍ତୁତ ହୋଇ ଶ୍ରୀମନ୍ଦିରକୁ ଦଶମୀ ଦିନ ବିଜେ କରିଛି ଦଶମୁଳ ମୋଦକ ।
- ଏହି ମୋଦକକୁ ଶ୍ରୀଜିଉଙ୍କ ଅଙ୍ଗରେ ଲାଗୁ ହେବ । ଲାଗୁ ହେବା ପରେ ମହାପ୍ରଭୁ ସୁସ୍ଥତା ଅନୁଭବ କରିବେ ।
- ସେହିପରି ଏକାଦଶୀ ଦିନ ମହାପ୍ରଭୁଙ୍କ ନିକଟରେ ଖଳିଲାଗି ଓ ପରେ ରାଜପ୍ରସାଦ ବିଜେ ନୀତି ମଧ୍ୟ ଅନୁଷ୍ଠିତ ହେବ। ଏହି ନୀତି ପରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ।
ଖଳିଲାଗି ଏକାଦଶୀ; ନୀଳଚକ୍ରରେ ମହାଦୀପ ଦର୍ଶନ
- ଭାରତୀୟ ସଂସ୍କୃତି ତଥା ପରମ୍ପରାରେ ନିଜର ତଥା ନିଜ ପରିବାରବର୍ଗଙ୍କର ମଙ୍ଗଳ କାମନା କରି ପ୍ରଭୁଙ୍କ ପାଖରେ ଦୀପ ଦାନ କରାଯିବାର ବିଧି ଅତି ଜନପ୍ରିୟ ଓ ଲୋକପ୍ରଚଳିତ ।
- କିନ୍ତୁ, ଯଦି ନିଜ ରାଜାଙ୍କର ତଥା ସମଗ୍ର ଜଗତର ମଙ୍ଗଳ କାମନା ରୂପକ ମହାନ ଉଦ୍ଦେଶ୍ୟରେ ଏହି ଦୀପ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରାଯାଏ, ତେବେ ତାହା ହୋଇଉଠେ ‘ମହାଦୀପ’ ।
- ଉତ୍କଳୀୟ ପରମ୍ପରାରେ ଶ୍ରୀମନ୍ଦିର ଚୂଡ଼ାରେ ମହାଦୀପ ଦେଖାଇବା ଏକ ମହାନ ଲୋକତାନ୍ତ୍ରିକ ବିଧି । କାରଣ ଏହି ନୀତି ସମ୍ପାଦନ କରୁଥିବା ସମୟରେ ସମ୍ପୃକ୍ତ ସେବକ ସମଗ୍ର ଉତ୍କଳ ଖଣ୍ଡର ( ବର୍ତ୍ତମାନ ସମୟର ଗଜପତି ) ମହାରାଜାଙ୍କର ଜୟ ଜୟକାର କରି ମହାରାଜାଙ୍କୁ ସୁରକ୍ଷା ଦେବା ନିମିତ୍ତ ତଥା ସଂସାରକୁ ସୁଖୀ ରଖିବା ନିମିତ୍ତ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଥାନ୍ତି ।
- ଭୟଙ୍କର ଝଡ଼ ତୋଫାନରେ ମଧ୍ୟ ମହାପ୍ରଭୁଙ୍କର ଏହି ନୀତି ସ୍ଥଗିତ ହୋଇ ନଥାଏ । ଏହିପରି ଭାବରେ ଚୂନରା ସେବକ ମାନେ ଅତି ନିଷ୍ଠାର ସହିତ ଏହି ମହାନ ନୀତିକୁ ସମ୍ପାଦନ କରିଥାନ୍ତି ।
- ଏହି ମହାଦୀପର ଦର୍ଶନ କରି ଶ୍ରୀକ୍ଷେତ୍ରରେ ଏକାଦଶୀ ବ୍ରତାଚାରୀ ମାନେ ନିଜର ଏକାଦଶୀ ବ୍ରତ ସମ୍ପନ୍ନ କରିଥାନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଲୀଳା ଅପୂର୍ବ ଓ କଲ୍ୟାଣକର ।

.jpg)
0 Comments
Do you have any doubts or suggestions? Ask them here in the comments!