ଅଣସରରେ ଜଗନ୍ନାଥ ମହାପ୍ରଭୁ କାହିଁକି ଶ୍ରୀଅଲାରନାଥ ରୂପେ ଦର୍ଶନ ଦିଅନ୍ତି

ଅଣସରରେ ଜଗନ୍ନାଥ ମହାପ୍ରଭୁ କାହିଁକି ଶ୍ରୀଅଲାରନାଥ ରୂପେ ଦର୍ଶନ ଦିଅନ୍ତି

ଦେବସ୍ନାନ ଉତ୍ସବରେ ଅଧିକ ଗାଧେଇବା ଦ୍ୱାରା ପ୍ରଭୁଙ୍କୁ ଜ୍ୱର ହୁଏ । ଏହି ସମୟରେ ମହାପ୍ରଭୁଙ୍କର ସାଧାରଣ ଦର୍ଶନ ବନ୍ଦ ରହେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଣସର ଘରେ ରହଣି ସମୟରେ ଦର୍ଶନ ଦେଇଥାନ୍ତି ଶ୍ରୀ ଅଲାରନାଥ ମହାପ୍ରଭୁ । ମହାପ୍ରଭୁଙ୍କ ଅଣସର ସମୟରେ ଭକ୍ତମାନେ ଶ୍ରୀଅଲାରନାଥଙ୍କ ଦର୍ଶନ ଲାଭ କରି କୃତକୃତ୍ୟ ହୁଅନ୍ତି । ବିଶ୍ୱାସ କରାଯାଏ ଯେ, ଶ୍ରୀଅଲାରନାଥଙ୍କ ଦର୍ଶନ, ଜଗନ୍ନାଥଙ୍କ ଦର୍ଶନ ସହିତ ସମାନ । 

କିମ୍ବଦନ୍ତୀ କହେ

ପୁରୁଷୋତ୍ତମ ଚନ୍ଦ୍ରିକାରେ ହୋଇଥିବା ଉଲ୍ଲେଖ ଅନୁସାରେ, ପରମ ତାନ୍ତ୍ରିକ ବାବା ଅଲବନ୍ଦାଚାର୍ଯ୍ୟ ନାମକ ଜଣେ ତନ୍ତ୍ର ସାଧକ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସିଥିବା ସମୟରେ ଅଣସର ହେତୁ ଦର୍ଶନ ପାଇ ପାରି ନ ଥିଲେ । ନିଜର ତନ୍ତ୍ର ସାଧନା ପ୍ରୟୋଗ କରି ସେ ଏକ ଭ୍ରମର ରୂପରେ ଅଣସର ଗୃହକୁ ପ୍ରବେଶ କରିଥିଲେ । ଅଣସର ଗୃହରେ ଏକ ଅଷ୍ଟଦଳ ପଦ୍ମ ଦେଖି ଅଲ୍ବନ୍ଦା ପଦ୍ମ ଉପରେ ବସିବାକୁ ଉଦ୍ୟମ କରିବା ବେଳେ ପଦ୍ମର ପାଖୁଡ଼ା ଗୁଡିକ ଜଣେ ଜଣେ ସୁନ୍ଦରୀ ନାରୀରେ ପରିଣତ ହୋଇ ଭ୍ରମରକୁ ଉପହାସ କରିଥିଲେ । ଫଳରେ ଅଲବନ୍ଦାଚାର୍ଯ୍ୟ ଅପମାନ ପୂର୍ବକ ଜଗନାଥଙ୍କ ଦର୍ଶନରୁ ବଞ୍ଚିତ ହୋଇ ସମୁଦ୍ରରେ ପ୍ରାଣ ବିସର୍ଜନ ନିମନ୍ତେ ଉଦ୍ୟମ ହୁଅନ୍ତେ ହଠାତ୍ ଏକ ବିରାଟକାୟ ମର୍କଟ ତାଙ୍କ ସମ୍ମୁଖରେ ଲମ୍ଫ ପ୍ରଦାନ କରି ଦକ୍ଷିଣ ଦିଗକୁ ଗତି କରିଥିଲା । ଏହା ଭଗବାନଙ୍କ ନିର୍ଦ୍ଦେଶ ଭାବି ସେ ଦକ୍ଷିଣାଭିମୁଖୀ ଦିଗରେ ଯାତ୍ରା କରି ବ୍ରହ୍ମଗିରିସ୍ଥ ଅଲାରନାଥ ପୀଠରେ ପହଞ୍ଚି ସେଠାରେ ଶିଳାରୂପୀ ବିଷ୍ଣୁ ବିଗ୍ରହଙ୍କୁ ଦର୍ଶନ କରି ଭାବ ବିହ୍ୱଳିତ ହୋଇଯାଇଥିଲେ । ସେବେଠାରୁ ଅଲ୍ ବିନ୍ଦାଙ୍କ ପ୍ରଭୁ ବା ନାଥ ଅଲ୍ ବିନ୍ଦାନାଥ ଓ ପରେ ଅପଭ୍ରଂଶ ହୋଇ ଅଲାରନାଥ ନାମରେ ନାମିତ ହୋଇଛନ୍ତି ।

  1. ଆଲବାନ୍ଦାଚାର୍ଯ୍ୟଙ୍କ ନାମାନୁସାରେ ନାରାୟଣ ମୂର୍ତ୍ତି, ଅଲାରନାଥରେ ପ୍ରସିଦ୍ଧ ହୋଇଥିବା ଜଣାଯାଏ । 
  2. ପ୍ରଭୁ ଅଲାରନାଥ ସିଂହାସନ ଆରୁଢ ଏବଂ ଏହା ଚିକ୍କଣ କଳା ମୁଗୁନି ପ୍ରସ୍ତର ନିର୍ମିତ । ପୀତାମ୍ବର ବସ୍ତ୍ର, ଅଙ୍ଗରେ ଅଳଙ୍କାର ଓ ଶଂଖ – ଚକ୍ର – ଗଦା – ପଦ୍ମରେ ଚତୁର୍ଭୁଜ ସୁଶୋଭିତ ।
  3. ପଦଯୁଗ ତଳେ ଗରୁଡ଼ ପ୍ରାର୍ଥନାରତ। ଶ୍ରୀଜୀଉଙ୍କ ଊର୍ଦ୍ଧ୍ୱ ବାମ ହସ୍ତରେ ଶଙ୍ଖ, ଡାହଣ ହସ୍ତରେ ଚକ୍ର ଚିହ୍ନ ଅଛି । ନିମ୍ନ ବାମ ହସ୍ତରେ ଗଦା ଓ ଡାହାଣ ହସ୍ତରେ ପଦ୍ମ ଚିହ୍ନ ବିଦ୍ୟମାନ ।
  4. ଅଲାରନାଥଙ୍କ ଭୋଗ, ପୂଜା ଓ ନୀତି-କାନ୍ତି ବୈଷ୍ଣବୀୟ ପରମ୍ପରାରେ ସଂପାଦିତ ହୁଏ । 
  5. ଶ୍ରୀଚୈତନ୍ୟ ମହାପ୍ରଭୁ ଅଲାରନାଥଙ୍କ ଠାରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି, ଭାବମଗ୍ନ ହୋଇ ଖୁସିରେ ଗଡିଯାଇଥିଲେ । 
  6. ଶ୍ରୀଅଲାରନାଥଙ୍କ କ୍ଷୀରି ଭୋଗ ଭକ୍ତ – ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁବ ଲୋକପ୍ରିୟ । 
  7. ମାଦଳା ପାଂଜି ଅନୁସାରେ, ଗଙ୍ଗ ବଂଶଜ ନରପତି ରାଜା ମଦନ ମହାଦେବଙ୍କ ରାଜତ୍ୱ ସମୟରେ ଖ୍ରୀଷ୍ଟୀୟ ଦ୍ୱାଦଶ ଶତାଦ୍ଦୀରେ ମନ୍ଦିରଟି ପ୍ରତିଷ୍ଠିତ ହୋଇଥିଲା ।

ପୌରାଣିକ ବିଷୟବସ୍ତୁ

  1. ସତ୍ୟଯୁଗ ସମୟର କଥା, ଏକଦା ସୃଷ୍ଟିକର୍ତ୍ତା ବ୍ରହ୍ମା ଭଗବାନ୍ ବିଷ୍ଣୁଙ୍କ ଦର୍ଶନ ଲାଭ କରିବା ଲାଗି ଘୋର ତପସ୍ୟା କଲେ । ବ୍ରହ୍ମାଙ୍କ ତପସ୍ୟାରେ ସନ୍ତୁ ଷ୍ଟ ହୋଇ ଭଗବାନ୍ ବିଷ୍ଣୁ ଚତୁର୍ଭୁଜ ରୂପ ଧାରଣ କରି ତାଙ୍କ ସମ୍ମୁଖରେ ପ୍ରକଟ ହେଲେ ଓ କହିଲେ ମୁଁ ତୁମ ତପସ୍ୟାରେ ସନ୍ତୁଷ୍ଟ । ତୁମେ ମୋର ଏକ ଚତୁର୍ଭୁଜ ମୂର୍ତ୍ତି ନିର୍ମାଣ କରି ଏଠାରେ ପୂଜାର୍ଚ୍ଚନା କର । ଭଗବାନଙ୍କ ଆଜ୍ଞା ପାଳନ କରି ବ୍ରହ୍ମା କଳା ମୁଗୁନି ପଥରରେ ବିଷ୍ଣୁଙ୍କ ଚଳନ୍ତି ପ୍ରତିମା ନିର୍ମାଣ କରି ସେଠାରେ ପୂଜାର୍ଚ୍ଚନା କଲେ । ସେହି ପ୍ରତିମୂର୍ତ୍ତି ସମ୍ପ୍ରତ୍ତି ଅଲାରନାଥ ନାମରେ ସର୍ବତ୍ର ବିଖ୍ୟାତ । ଯେଉଁ ପର୍ବତ ଉପରେ ସେ ତପସ୍ୟା କଲେ ସେହି ସ୍ଥାନଟି ପରବର୍ତ୍ତୀ କାଳରେ ବ୍ରହ୍ମଗିରି ନାମରେ ବିଖ୍ୟାତ ହେଲା ।
  2. ସେହିପରି ଆଉ ଏକ ପୌରାଣିକ କଥା ଯେ, ରାଜା ଇନ୍ଦ୍ରଦ୍ୟୁମ୍ନ ରାଜତ୍ୱ କାଳରେ ସୃଷ୍ଟିକର୍ତ୍ତା ବ୍ରହ୍ମା ଶ୍ରୀମନ୍ଦିର ପ୍ରତିଷ୍ଠା ଲାଗି ମର୍ତ୍ତ୍ୟଭୂମିକୁ ଆସିଥିଲେ । ସେ ପ୍ରଥମେ ଯେଉଁ ସ୍ଥାନରେ ମର୍ତ୍ତ୍ୟଭୂମିକୁ ଓହ୍ଲାଇଲେ ସେହି ସ୍ଥାନକୁ ପରବର୍ତ୍ତୀ ସମୟରେ ବ୍ରହ୍ମଗିରି ବୋଲି କୁହାଗଲା । ସୃଷ୍ଟିକର୍ତ୍ତା ମର୍ତ୍ତ୍ୟଭୂମିରେ ପାଦ ଦେବା ପରେ ବିଷ୍ଣୁଙ୍କ ପୂଜା କରିଥିଲେ । ଯେଉଁଠାରେ ସେ ବିଷ୍ଣୁଙ୍କ ପୂଜା କରିଥିଲେ ପରବର୍ତ୍ତୀ ସମୟରେ ତାହା ଅଲାରନାଥ ନାମରେ ଖ୍ୟାତି ଅର୍ଜନ କଲା ।
  3. ଗବେଷକମାନଙ୍କ ମତାନୁଯାୟୀ, ‘ଅଲାରନାଥ’ ନାଁଟି ଏକ ଦ୍ରାବିଡ଼ ଶବ୍ଦରୁ ଆସିଛି । ଦ୍ରାବିଡ଼ ଶବ୍ଦ ‘ଆଲୋୟାର’ର ଅର୍ଥ ଭକ୍ତ । ଏଣୁ ଆଲୋୟାରନାଥ ପ୍ରକୃତରେ ଭକ୍ତଙ୍କର ନାଥ । କାଳକ୍ରମେ ଆଲୋୟାରନାଥ ଶବ୍ଦର ଅପଭ୍ରଂଶ ଘଟି ଆଲବନ୍ଦାନାଥ, ଅଲବରନାଥ, ଆଲାଲାନାଥ ଏବଂ ପରିଶେଷରେ ସ୍ଥାନୀୟ ଲୋକମୁଖରେ ଏହା ‘ଅଲାରନାଥ’ ନାମରେ ପ୍ରସିଦ୍ଧି ଲାଭ କରିଛି ।

ଶ୍ରୀଅଲାରନାଥ ଓ ଚୈତନ୍ୟ

ଶ୍ରୀଚୈତନ୍ୟ ତାଙ୍କ ଜୀବନର ଶେଷ ୧୮ବର୍ଷ ଶ୍ରୀକ୍ଷେତ୍ରରେ କଟାଇଥିଲେ । ଅଣସର ସମୟରେ ପ୍ରଭୁଙ୍କର ଦର୍ଶନ ନ ପାଇ ବିରହ ଜ୍ୱାଳାରେ ମିୟମ୍ରାଣ ହୋଇପଡ଼ିଥିଲେ । ପ୍ରଭୁଙ୍କ ନିର୍ଦ୍ଦେଶରେ ସେ ବ୍ରହ୍ମଗିରିସ୍ଥ ଅଲାରନାଥଙ୍କ ପୀଠରେ ପହଞ୍ଚି ନାରାୟଣ ମୂର୍ତ୍ତିଙ୍କୁ ଦର୍ଶନ କରି ଭାବ ବିହ୍ୱଳିତ ହୋଇଯାଇଥିଲେ । ସେଠାରେ ପଡ଼ିଥିବା ଏକ ପ୍ରସ୍ତର ଖଣ୍ଡ ଉପରେ ଦଣ୍ଡବତ ପ୍ରଣିପାତ କରିଥିଲେ । ଶ୍ରୀବିଗ୍ରହଙ୍କ ଦର୍ଶନ ନ ପାଇ ବିରହ ଜ୍ୱାଳାରେ ତାଙ୍କ ଶରୀର ଏତେ ଉତ୍ତପ୍ତ ହୋଇଯାଇଥିଲା ଯେ ଉକ୍ତ ପ୍ରସ୍ତର ଖଣ୍ଡକ ତାଙ୍କ ଶରୀରର ଆକାର ଅନୁଯାୟୀ ତରଳି ଯାଇଥିଲା । ଏବେ ବି ସେହି ପ୍ରସ୍ତର ଖଣ୍ଡିକ ସର୍ବାଙ୍ଗ ଶିଳା ଭାବେ ମନ୍ଦିର ପରିସରରେ ପୂଜିତ ହେଉଛି । 

Post a Comment

0 Comments