ଶ୍ରୀନୃସିଂହ ଚତୁର୍ଦ୍ଦଶୀ, ଜାଣନ୍ତୁ ଭଗବାନଙ୍କୁ ପୂଜା କରିବାର ବିଧି

ଶ୍ରୀନୃସିଂହ ଚତୁର୍ଦ୍ଦଶୀ, ଜାଣନ୍ତୁ ଭଗବାନଙ୍କୁ ପୂଜା କରିବାର ବିଧି

ବୈଶାଖ ଶୁକ୍ଳ ପକ୍ଷରେ ପଡୁଥିବା ଚତୁର୍ଦ୍ଦଶୀକୁ ନୃସିଂହ ଚତୁର୍ଦ୍ଦଶୀ ଭାବେ ପାଳନ କରାଯାଏ । ନୃସିଂହଙ୍କୁ ଭଗବାନ ବିଷ୍ଣୁଙ୍କ ଚତୁର୍ଥ ଅବତାର ବୋଲି କୁହାଯାଏ । ନୃସିଂହଙ୍କ ଅଧା ରୂପ ସିଂହର ହୋଇଥିବା ବେଳେ ଅଧା ମନୁଷ୍ୟଙ୍କ ପରି ହୋଇଥାଏ । ନର (ମଣିଷ) ଓ ସିଂହର ମିଶ୍ରଣକୁ ନୃସିଂହ କୁହାଯାଏ । ଭକ୍ତ ପ୍ରହ୍ଲାଦଙ୍କୁ ନିର୍ଯାତନା ମୁକ୍ତ କରିବା ପାଇଁ ନୃସିଂହ ରୂପରେ ସ୍ତମ୍ଭରୁ ବାହାରି ରାଜା ହିରଣ୍ୟକଶିପୁଙ୍କୁ ବିଦାରଣ କରିଥିବାର ବର୍ଣ୍ଣନା ରହିଛି । ଏହି ରୂପରେ ସେ ଭକ୍ତ ପ୍ରହଲ୍ଲାଦଙ୍କୁ ରକ୍ଷା କରିଥିଲେ । ଦକ୍ଷିଣ ଭାରତରେ ବୈଷ୍ଣବ ସମ୍ପ୍ରଦାୟର ଲୋକ ନୃସିଂହଙ୍କୁ ବିପଦ ବେଳେ ରକ୍ଷା କରୁଥିବା ଦେବତା ରୂପରେ ପୂଜା କରିଥାନ୍ତି । ବୈଶାଖ ପୂର୍ଣ୍ଣିମା ଦିନ ନୃସିଂହ ଜୟନ୍ତୀ ପାଳିତ ହୁଏ ।

ପୌରାଣିକ କିମ୍ବଦନ୍ତୀ

ପ୍ରହ୍ଲାଦର ଭକ୍ତି ବିଷୟରେ ନୃସିଂହ କହିଛନ୍ତି – ପୂର୍ବଜନ୍ମରେ ଜ୍ଞାନୀ ବ୍ରାହ୍ମଣ ଅବନ୍ତୀ ନଗରରେ ବାସକରୁଥିବା ବସୁ ଶର୍ମାଙ୍କର ପୁତ୍ର ଥିଲେ ପ୍ରହ୍ଲାଦ । ବିଦ୍ୟାଧ୍ୟୟନ ଛାଡି ସେ ସୁରାପାନ ଓ ଗଣିକାଳୟ ଗମନ ଆଦି କୁକର୍ମରେ ଲିପ୍ତ ରହିଥିଲେ । ଏକଦା ଗଣିକା ସହ କଳହ କରି ସେ ସେହିଦିନ ଉପବାସ ଓ ରାତି ଉଜାଗର ରହିଲେ । ଉକ୍ତ ଗଣିକା ମଧ୍ୟ ତାଙ୍କ ସହ ଉଜାଗର ରହିଲା । ଭାଗ୍ୟକୁ ସେଦିନ ଥିଲା ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ । ଅଜ୍ଞାତରେ ହେଲେ ବି ସେଦୁହେଁ ଉପବାସ ରହି ସେଦିନ ବ୍ରତ ପାଳନ କରିଥିବାରୁ ସମସ୍ତ ପାପରୁ ମୁକ୍ତହେଲେ । ପୁଣ୍ୟ ଅର୍ଜନ କରିଥିବାରୁ ଉକ୍ତ ଗଣିକା ବ୍ରତ ଫଳରୁ ଅପ୍‌ସରା ହୋଇ ସ୍ୱର୍ଗକୁ ଫେରିଗଲା ଏବଂ ଭକ୍ତ ପ୍ରହ୍ଲାଦ ରାଜା ହିରଣ୍ୟକଶିପୁଙ୍କ ପୁତ୍ର ରୂପେ ଜନ୍ମ ହୋଇ ବିଷ୍ଣୁଙ୍କର ପରମ ଭକ୍ତ ହେଲେ । ନୃସିଂହ ବ୍ରତ କଲେ ଦୀର୍ଘାୟୁ, ଧନ, ଐଶ୍ୱର୍ଯ୍ୟ ଏବଂ ମହିଳାମାନଙ୍କୁ ସ୍ୱାମୀ-ସନ୍ତାନ ସୁଖ ପ୍ରାପ୍ତି ହୁଏ ବୋଲି ପୁରାଣରେ ଉଲ୍ଲେଖ ରହିଛି । 

ଆସନ୍ତୁ ଜାଣିବା ନୃସିଂହ ଜୟନ୍ତୀର ପୂଜା ବିଧି ସମ୍ପର୍କରେ…

  1. ଏହି ଦିନ ସକାଳୁ ଉଠି ନିତ୍ୟକର୍ମ ସାରିବା ପରେ ଭଗବାନ ନୃସିଂହ ଓ ମା’ଲକ୍ଷ୍ମୀଙ୍କ ଫଟୋକୁ ସ୍ଥାପିତ କରନ୍ତୁ  । 
  2. ପୂଜାରେ ଫଳ, ଫୁଲ, ପଞ୍ଚାମୃତ, କେଶର, ନଡ଼ିଆ, ଅକ୍ଷତ, ଗଙ୍ଗାଜଳ ଓ ଯଜ୍ଞ ସାମଗ୍ରୀ ବ୍ୟବହାର କରନ୍ତୁ  ।  
  3. ଏହି ଦିନ ଲୋକମାନେ ନିର୍ଜଳା ବ୍ରତ ମଧ୍ୟ ରଖିଥାନ୍ତି । 
  4. ନୃସିଂହଙ୍କୁ ପ୍ରସନ୍ନ କରିବା ପାଇଁ ନରସିଂହ ଗାୟତ୍ରୀ ମନ୍ତ୍ର ଜପ କରିବା ମଧ୍ୟ ଶୁଭ ବୋଲି ଧରାଯାଏ 
  5. ଏହି ଦିନ ନିଜ ସାମର୍ଥ୍ୟ ଅନୁସାରେ ସୁନା କିମ୍ବା ବସ୍ତ୍ର ଦାନ କରିବା ଉଚିତ ।

ପାଳନ ବିଧି

  1. ଏକାଦଶୀ ବ୍ରତ ଉପବାସ ବିଧି ଭଳି ନୃସିଂହ ଜୟନ୍ତୀ ପାଳନ କରାଯାଏ । 
  2. ନୃସିଂହ ଜୟନ୍ତୀର ଦିନକ ପୂର୍ବରୁ ବ୍ରତଧାରୀମାନେ ଦିନରେ ମାତ୍ର ଥରେ ଖାଦ୍ୟ ଗ୍ରହଣ କରନ୍ତି । 
  3. ସମସ୍ତ ପ୍ରକାର ଶସ୍ୟ ସେବନକୁ ଏହି ବ୍ରତରେ ବାରଣ କରାଯାଇଛି । 
  4. ନୃସିଂହ ଜୟନ୍ତୀରେ ଭକ୍ତମାନେ ମଧ୍ୟାହ୍ନରେ ସଂକଳ୍ପ କରନ୍ତି ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ ବିଧିବିଧାନ ଅନୁସାରେ ଶ୍ରୀନୃସିଂହଙ୍କଠାରେ ପୂଜାର୍ଚ୍ଚନା କରନ୍ତି । 
  5. ବିଶ୍ୱାସ ରହିଛି, ପ୍ରଭୁ ଶ୍ରୀନୃସିଂହ ସୂର୍ଯ୍ୟାସ୍ତ ସମୟରେ ଦର୍ଶନ ଦେଇଥିଲେ । 
  6. ରାତିରେ ଉଜାଗର ରହି ସକାଳ ପର୍ଯ୍ୟନ୍ତ ପୂଜା କରିବାର ବିଧି ରହିଛି ।
  7. ଜୟନ୍ତୀ ପରଦିନ ଅର୍ଥାତ ଚତୁର୍ଦ୍ଦଶୀ ତିଥି ସମାପ୍ତ ହେବା ପରେ (ବିସର୍ଜନ ପୂଜା ପରେ) ଉପବାସ ଭଙ୍ଗ କରିବା ସହିତ ବ୍ରାହ୍ମଣଙ୍କୁ ଦାନ ଦିଆଯାଏ ।

Post a Comment

0 Comments