ସୀତା ନବମୀକୁ ବିବାହିତା ମହିଳାମାନେ କିଭଳି କରିବେ ପୂଜା

ସୀତା ନବମୀକୁ ବିବାହିତା ମହିଳାମାନେ କିଭଳି କରିବେ ପୂଜା

ବୈଶାଖ ମାସ ଶୁକ୍ଳପକ୍ଷ ନବମୀକୁ ସୀତା ନବମୀ ଭାବେ ପାଳନ କରାଯାଏ । ଏହିଦିନରେ ସୀତା ଆବିର୍ଭାବ ହୋଇଥିଲେ ବୋଲି ଜନମାନସରେ ବିଶ୍ୱାସ ରହିଛି । ସୀତା ନବମୀକୁ ଜାନକୀ ନବମୀ ମଧ୍ୟ କହାଯାଏ ।

ରାଜା ଜନକଙ୍କଠାରେ ପ୍ରକଟ ହେବାରୁ ତାଙ୍କ ନାଁ ଜାନକୀ

ବୈଶାଖ ମାସର ନବମୀ ତିଥି ଜାନକୀ ନବମୀ ନାମରେ ପ୍ରସିଦ୍ଧ। ଏହି ଦିନ ଜାନକୀଙ୍କୁ ପୂଜା କରାଯାଏ। ରାଜା ଜନକଙ୍କଠାରେ ମାତା ସୀତାଙ୍କର ପ୍ରାକଟ୍ୟ ଏହି ଦିନ ହୋଇଥିଲା। ଶାସ୍ତ୍ର ଅନୁସାରେ ମିଥିଳାର ରାଜା ଜନକଙ୍କ କୌଣସି ସନ୍ତାନ ନଥିଲା,ସେ ଗୁରୁଙ୍କ ଆଦେଶ ଅନୁସାରେ ସନ୍ତାନ ପ୍ରାପ୍ତି ପାଇଁ ଯଜ୍ଞ କରିବାର ପ୍ରସ୍ତୁତି ଆରମ୍ଭ କରିଥିଲେ। ଯଜ୍ଞଶାଳା ପ୍ରସ୍ତୁତ କରିବା ପାଇଁ ସେ ପ୍ରଥମେ ହଳରେ ଭୂମିକୁ ସମତଳ କରିବା ଆରମ୍ଭ କରିଥିଲେ। ଯେତେବେଳେ ରାଜା ଜନକ ହଳ ଚଲାଉଥିଲେ ସେତେବେଳେ ଦ୍ବିପ୍ରହରରେ ପୃଥିବୀ ପୃ​‌ଷ୍ଠରୁ ଏକ ସୁନ୍ଦର କନ୍ୟା ପ୍ରକଟ ହୋଇଥିଲେ ଯିଏ ସାକ୍ଷାତ ଲକ୍ଷ୍ମୀ ଥିଲେ। ସେହି ଦିନ ନବମୀ ତିଥି ଥିଲା। ରାଜା ସେହି କନ୍ୟାଙ୍କୁ କୋଳରେ ଉଠାଇ ଗୁରୁଙ୍କୁ ଦେଖାଇବାରୁ ସେ ରାଜା ଜନକଙ୍କଠାରେ ପ୍ରକଟ ହେବାରୁ ତାଙ୍କ ନାଁ ଜାନକୀ ରଖିଥିଲେ। ଏହିପରି ଲକ୍ଷ୍ମୀ ଲୋକଙ୍କ ରକ୍ଷା ପାଇଁ ରାଜା ଜନକଙ୍କ ଘରେ ବଡ଼ ହୋଇଥିଲେ ଏବଂ ପରେ ତାଙ୍କର ବିବାହ ଦଶରଥଙ୍କ ପୁତ୍ର ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସହ ହୋଇଥିଲା।

ପୂଜାର ମହତ୍ତ୍ୱ

  1. ସୌଭାଗ୍ୟଶାଳୀ ମହିଳା ନିଜ ସ୍ବାମୀଙ୍କ ମଙ୍ଗଳକାମନା ଏବଂ ଦୀର୍ଘାୟୁ ପାଇଁ ଏହି ଦିନ ବ୍ରତ ରଖିଥାନ୍ତି ଏବଂ ଯଥାସମ୍ଭବ ବସ୍ତୁ ଦାନ କରି ପୁଣ୍ୟ କମାଇଥାନ୍ତି । 
  2. ମହିଳାମାନେ ପୁତ୍ର ପ୍ରାପ୍ତିର କାମନା କରି ଏହି ଦିନ ବ୍ରତ ରଖି ପାରିବେ।
  3. ଏହି ବ୍ରତ ସବୁ ପ୍ରକାରର ସୁଖ ଦେଉଥିବା ତଥା ସୌଭାଗ୍ୟବର୍ଦ୍ଧକ ଅଟେ। ପରିବାରରେ ସୁଖ ଶାନ୍ତି ଆଣିବା ପାଇଁ ମହିଳାମାନେ ଏହି ବ୍ରତ କରିଥାନ୍ତି। 

କିମ୍ବଦନ୍ତୀ

ପୌରାଣିକ କଥାନୁସାରେ ମାରୱାଡ଼କ୍ଷେତ୍ରରେ ବେଦବାଦୀ ଶ୍ରେଷ୍ଠ ଧର୍ମାବତାର ବ୍ରାହ୍ମଣ ଦେବଦତ୍ତ ନିବାସ କରୁଥିଲେ । ତାଙ୍କର ଶୋଭନା ନାମକ ସୁନ୍ଦରୀ ତଥା ନିଜର ରୂପ ସୌନ୍ଦର୍ଯ୍ୟରେ ଗର୍ବକରୁଥିବା ପତ୍ନୀ ଥିଲେ । ଜୀବିକା ପାଇଁ ଦେବଦତ୍ତ ଗ୍ରାମ ଗ୍ରାମ ବୁଲି ଭିକ୍ଷା ମାଗୁଥିଲେ । କିନ୍ତୁ ବ୍ରାହ୍ମଣୀ ଶୋଭନା କୁସଂଗତରେ ପଡ଼ି ବ୍ୟଭିଚାର ପ୍ରବୃତ୍ତି ହୋଇଗଲେ । ତା’ର କୁକର୍ମ ପ୍ରତ୍ୟେକ ଗ୍ରାମରେ ଚର୍ଚ୍ଚା ହେବାକୁ ଲାଗିଲା । ଯାହାଫଳରେ ଦୁର୍ଷ୍କମରେ ରତ ହୋଇ ଗ୍ରାମକୁ ଧ୍ୱଂସ କରିଦେବା ସହ ବ୍ରାହ୍ମଣୀ ଶୋଭନା ନିଜେ ସ୍ୱୟଂ ପୋଡ଼ିହୋଇ ମରିଗଲା । ପରବର୍ତ୍ତୀ ଜନ୍ମରେ ଚାଣ୍ଡାଳ ଘରେ ଜନ୍ମ ଗ୍ରହଣ କଲା । ବିବାହ କରିବାର କିଛିଦିନ ପରେ ସେ ଚାଣ୍ଡାଳୁଣୀ ହେଲା । ସମୟ ଚକ୍ରରେ ସେ ତା’ର କର୍ମ ପାଇଁ ଅନ୍ଧୁଣୀ, ଭିକାରୁଣୀ ସାଜି ଜୀବନ କାଟିଲା । ଦୈବାତ ସେ ବୈଶାଖ ମାସ, ଶୁକ୍ଳପକ୍ଷ ନବମୀ (ସୀତା ନବମୀ) ତିଥିରେ କୌଶଳପୁରୀରେ ପହଞ୍ଚିଲା । ବ୍ରାହ୍ମଣୀ ଜଣକ ନେହୁରା ହୋଇ କହିଲା-ହେ ସଜ୍ଜନ ମୋ ଉପରେ କୃପା କର କିଛି ଭୋଜନ ଦିଅ, ନଚେତ୍‌ ମୁଁ ଭୋକରେ ମରିଯିବି ।

ଏପରି କହି ସେ ଶ୍ରୀଜନକ ଭବନ ସମ୍ମୁଖରେ ତିଆରି ହୋଇଥିବା ଏକ ହଜାର ପୁଷ୍ପମଣ୍ଡିତ ଖମ୍ବକୁ ଅତିକ୍ରମ କରି ସେଥିରେ ପ୍ରବେଶ କଲା । ସେ ସେଠାରେ ଭିକ୍ଷା ଆକାରରେ କହିଲା ଭାଇମାନେ ମୋତେ କିଛି ସାହାଯ୍ୟ କର, କିଛି ଖାଇବାକୁ ଦିଅ । ହଠାତ୍‌ ଜଣେ ଭକ୍ତ କହିଲା ହେ ଦେବୀ ! ଆଜି ସୀତା ନବମୀ, ଭୋଜନରେ ଅନ୍ନ ଦେଉଥିବା ବ୍ୟକ୍ତିଙ୍କୁ ପାପ ଲାଗିଥାଏ । ଏଥିପାଇଁ ଆଜି ଅନ୍ନ ମିଳିବନି । କାଲି ଠିକ୍‌ ସକାଳେ ଆସ, ଠାକୁରଙ୍କ ପ୍ରସାଦ ମିଳିବ । କିନ୍ତୁ ସେ କିଛି ନ ମାନି କହିଲା ମୋତେ ବହୁତ ଜୋର୍‌ରେ ଭୋକ ଲାଗୁଛି କିଛି ଦିଅ । ଭକ୍ତ ଜଣକ ଉକ୍ତ ଦେବୀଙ୍କୁ ତୁଳସୀ ଏବଂ ଜଳ ଦେଲେ । ସେହି ପାପିନୀ ତୁଳସୀ ଓ ଜଳ ପାଇ ମୃତ୍ୟୁ ବରଣ କଲା । ଅଜାଣତରେ ଉକ୍ତ ଦେବୀଙ୍କର ସୀତା ନବମୀ ବ୍ରତ ସଂପୂର୍ଣ୍ଣ ହୋଇଗଲା ଓ ପରମ କୃପାଳିନୀ ତାଙ୍କର ସମସ୍ତ ପାପକୁ ମୁକ୍ତ କରିଦେଲେ ବୋଲି ସ୍ଥାନୀୟ ଲୋକ କୁହାକୁହି ହେଲେ । ଏହି ବ୍ରତ ପ୍ରଭାବରେ ପାପିନୀ ନିର୍ମଳ ହୋଇ ସ୍ୱର୍ଗ ଗଲା । ତତ୍‌ପଶ୍ଚାତ୍‌ ସେ କାମରୂପ ଦେଶର ମହାରାଜ ଜୟସିଂହଙ୍କ ମହାରାଣୀ କାମଚଳା ନାମରେ ବିଖ୍ୟାତ ହେଲେ ।

ସୀତା ନବମୀର ପୂଜା ବିଧି

ପ୍ରତିବର୍ଷ ସୀତା ନବମୀ ଶୁକ୍ଳ ପକ୍ଷ ନବମୀ ଦିନ ପାଳନ କରାଯାଏ। ସୀତାଙ୍କ ଜନ୍ମୋତ୍ସବକୁ ସୀତା ନବମୀ କହନ୍ତି। ଏହି ଦିନ ସୀତା ଜୟନ୍ତୀ ଭାବେ ପାଳନ କରନ୍ତି। ବିବାହିତ ମହିଳା ସୀତା ନବମୀରେ ସ୍ବାମୀଙ୍କ ପାଇଁ ବ୍ରତ ରଖି ଦୀର୍ଘାୟୁ କାମନା କରନ୍ତି। ସୀତା ଜୟନ୍ତୀ ବୈଶାଖ ମାସ ଶୁକ୍ଳ ପକ୍ଷ ସମୟରେ ନବମୀ ତିଥିରେ ପାଳନ କରାଯାଏ। ଦେବୀ ସୀତାଙ୍କ ଜନ୍ମ ମଙ୍ଗଳବାର ପୁଷ୍ଯ ନକ୍ଷତ୍ରରେ ହୋଇଥିଲା ବୋଲି ମଧ୍ୟ କୁହାଯାଏ।

  1. ଅଷ୍ଟମୀ ଦିନ ସ୍ନାନ କରିବା ପରେ ମାଟି ଲିପି ଅଥବା ପାଣିରେ ପରିଷ୍କାର ଭାବେ ଧୋଇ ଆମ୍ବ ପତ୍ରଏବଂ ଫୁଲରେ ମଣ୍ଡପ ସଜାନ୍ତୁ। 
  2. ଏହା ଉପରେ ଚଉକି ରଖି, ସେଥିରେ ଲାଲ କିମ୍ବା ହଳଦିଆ କପଡା ବିଛାନ୍ତୁ। 
  3. ଏହି ଚଉକିକୁ ଫୁଲରେ ସଜାନ୍ତୁ। 
  4. ଏହା ପରେ ଭଗବାନ ରାମ ଏବଂ ସୀତାଙ୍କ ପ୍ରତିମା ସ୍ଥାପିତ କରନ୍ତୁ।
  5. ପରେ ଶ୍ରୀରାମ ଏବଂ ମାତା ସୀତାଙ୍କ ନାମର ସଂକଳ୍ପ ପଢି ବିଧି ବିଧାନ ଅନୁଯାୟୀ ପୂଜା କରନ୍ତୁ।
  6. ଏହି ଦିନ ଜାନକୀଙ୍କ ପୂଜା କରାଯାଇଥାଏ ତଥା ତାଙ୍କୁ ଋତୁ ଅନୁସାରେ ନୂଆ ଫଳ ଭୋଗ ଲଗାଯାଇଥାଏ। 
  7. ଜାନକୀ ଅଥବା ସୀତା ନବମୀ ଦିନ ବ୍ରତ କରି ମହିଳା ୧୬ପ୍ରକାରର ମହା ଦାନ କରିବାର ଫଳ ପ୍ରାପ୍ତ କରି ପାରିବେ। 
  8. ଏହି ଦିନ ପରିବା ସେବନ କରିବା ଅନୁଚିତ୍ ତଥା ପୃଥିବୀ,ଗୋଦାନ,ସ୍ବର୍ଣ୍ଣ ଦାନ,କନ୍ୟା ଦାନ ତଥା ସମସ୍ତ ତୀର୍ଥରେ ସ୍ନାନ କରି ତାଙ୍କ ଦର୍ଶନ କଲେ ବରାବର ଫଳ ପ୍ରାପ୍ତ ହୋଇଥାଏ।
  9. ଏହି ଦିନ ବିବାହିତା ସ୍ତ୍ରୀମାନେ କରଓ୍ବାଚୌଥ ବ୍ରତ ଭଳି ସୁହାଗର ସାମଗ୍ରୀ ତଥା ମେହେନ୍ଦୀ,ବିନ୍ଦି,ଚୁଡ଼ି,ପାନିଆ,ରିବନ,ପାଉଁଜି ଆଦି ଦକ୍ଷିଣା ସହ ଦାନ କରିଥାନ୍ତି।
  10. ଏହି ଦିନ ଯେଉଁ ମହିଳା ବ୍ରତ କରିନଥାନ୍ତି ସେମାନେ ଜାନକୀ ସ୍ତୋତ୍ର,ଶ୍ରୀ ରାମଚରିତ ମାନସ ଏବଂ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରି ପୁଣ୍ୟ ଅର୍ଜନ କରି ପାରିବେ।

Post a Comment

0 Comments