ସାବିତ୍ରୀ ବ୍ରତ ଆମକୁ କ'ଣ ଶିକ୍ଷା ଦିଏ
ପ୍ରତିବର୍ଷ, ଜ୍ୟେଷ୍ଠ ମାସର ଅମାବାସ୍ୟା ଦିନ, ମହିଳାମାନେ ସାବିତ୍ରୀ ବ୍ରତ କରନ୍ତି ଏବଂ ଲକ୍ଷ୍ମୀ ନାରାୟଣଙ୍କ ପୂଜା କରନ୍ତି । କିମ୍ବଦନ୍ତୀ ଅନୁଯାୟୀ, ଏହି ଦିନ ଦେବୀ ସାବିତ୍ରୀ ତାଙ୍କ ମୃତ ସ୍ୱାମୀଙ୍କ ଜୀବନକୁ ଯମରାଜରୁ ଫେରାଇ ଆଣି ପୁନର୍ବାର ଜୀବନ୍ତ କରିଥିଲେ । ସେବେଠାରୁ ବିବାହିତ ସଧବା ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ ସହିତ ଏହି ଉପବାସ ରଖନ୍ତି ।
ଶିକ୍ଷା
ଦ୍ୱାପର ଯୁଗରେ ଧର୍ମ ରାଜ ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କୁ ପଚାରି ଥିଲେ ନାରୀ ମାନେ କିପରି ସୌଭାଗ୍ୟବତୀ ହୋଇ ପାରିବେ ? ଶ୍ରୀକୃଷ୍ଣ ତାଙ୍କୁ ସାବିତ୍ରୀ ବ୍ରତ କଥା କହିଥିଲେ l ପୁରାତନ ହେଉ ଅବା ଆଧୁନିକ l ରମଣୀ ସବୁବେଳେ ଚାହେଁ ସେ ସୌଭାଗ୍ୟବତୀ ହେଉ l ତା ସ୍ୱାମୀଙ୍କର ଜୀବନ ଦୀର୍ଘ ଜୀବି ହେଉ l ସେ ସୁଖରେ ଘର ସଂସାର କରୁ l ସ୍ୱାମୀଙ୍କ ପାଖରେ ତା ଜୀବନ ଶେଷ ହେଉ l ସ୍ୱାମୀଙ୍କ କାନ୍ଧରେ ସେ ମଶାଣି ମା କୋଳକୁ ଯାଉ l ଏ ବ୍ରତ ହେଉଛି ଆସ୍ଥା, ଭରସା, ବିଶ୍ୱାସର କଥା l ଓଡ଼ିଆ ପରମ୍ପରାରେ ସାବିତ୍ରୀ ବ୍ରତ ପିଢ଼ି ପରେ ପିଢ଼ି ପାଳିତ ହୋଇ ଆସିଛି l ଏହି ବ୍ରତ କରି ଓଡ଼ିଆ ରମଣୀ ଖୁସି ଅନୁଭବ କରେ l ଶାନ୍ତି ପାଏ l
ଜଣେ ସତୀ ନାରୀ ତାର ନିଷ୍ଠା ବଳରେ ମୃତ୍ୟୁଲୋକରୁ ସ୍ୱାମୀଙ୍କ ଜୀବନ ଫେରାଇ ଆଣିବା କିମ୍ବଦନ୍ତୀରୁ ସାବିତ୍ରୀ ବ୍ରତର ଆରମ୍ଭ । ତେଣୁ ଗୋଟିଏ ସୁସ୍ଥ ସମାଜ ଗଠନ ପାଇଁ ଏକ ସୁଖୀ ଦାମ୍ପତ୍ୟ ଜୀବନ ଏକାନ୍ତ ଆବଶ୍ୟକ । ପତିପତ୍ନୀ ପରସ୍ପର ମଧ୍ୟରେ ସ୍ନେହ, ସୌହାର୍ଦ୍ଦ୍ୟ, ବିଶ୍ୱାସ ବୃଦ୍ଧି ସାବିତ୍ରୀ ବ୍ରତ ପାଳନର ଏକମାତ୍ର ଲକ୍ଷ୍ୟ ।
ସୁରକ୍ଷା ବାର୍ତ୍ତା
ଯଦି ଦେଖାଯାଏ, ଏହି ପର୍ବ ମାଧ୍ୟମରେ ପରିବେଶ ସୁରକ୍ଷା ବାର୍ତ୍ତା ମଧ୍ୟ ଗ୍ରହଣ କରାଯାଇଥାଏ | ଯଦି ଗଛ ଥାଏ, ତେବେ ପରିବେଶ ସଞ୍ଚୟ ହେବ ଏବଂ କେବଳ ସେତେବେଳେ ଜୀବନ ସମ୍ଭବ |
କିମ୍ବଦନ୍ତୀ
- ତଥା କାହାଣୀ ମହାଭାରତର ବନ ପର୍ବରୁ ଆସିଅଛି, ଯେଉଁଠାରେ ଏ ସମ୍ବନ୍ଧରେ ମହର୍ଷି ମାର୍କଣ୍ଡେୟ ଧର୍ମରାଜ ଯୁଧିଷ୍ଠିରଙ୍କୁ କହୁଛନ୍ତି କି “କେବଳ ଦ୍ରୌପଦୀ ନୁହେଁ, ସାବିତ୍ରୀ ଜଣେ ରାଜକନ୍ୟା ହୋଇ ମଧ୍ୟ କେଉଁ ଭଳି ବନଚାରି ହୋଇ ତାଙ୍କ ସ୍ୱାମୀଙ୍କୁ ମରଣ ମୁହଁରୁ ଛଡ଼ାଇ ଆଣିଥିଲେ” !
- ମଦ୍ର ଦେଶର ଅଶ୍ଵପତି ନାମକ ଜଣେ ଅତି ଧାର୍ମିକ ରାଜା ଥିଲେ । ଯାହାଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ । ଏଣୁ ଉଭୟ ରାଜା ଅଶ୍ଵପତି ଓ ରାଣୀ କୌଶଲ୍ୟା ଖୁସିରେ ନଥିଲେ । ଦମ୍ଫତ୍ତି ଏହି କଥା ଦେବର୍ଷି ନାରଦଙ୍କୁ କହିବା ପରେ, ତାଙ୍କ ନିର୍ଦ୍ଦେଶାକ୍ରମେ ଏକ ଯଜ୍ଞର ଆୟୋଜନ କରାଇଲେ, ଯାହା ଦୀର୍ଘ ଅଠର ବର୍ଷ ପର୍ଯ୍ୟନ୍ତ ଅବିରତ ଚାଲି ରହିଲା । ପରେ ଫଳ ସ୍ୱରୂପ, ରାଣୀ ଏକ କନ୍ୟାକୁ ଜନ୍ମ ଦେଲେ । ଯେଉଁ ଝିଅର ନାମ ‘ସାବିତ୍ରୀ’ ହେଲା । ଯିଏକି ପରବର୍ତ୍ତୀ ସମୟରେ ଅପରୂପ ସୌନ୍ଦର୍ଯ୍ୟର ଅଧିକାରିଣୀ ହେଲା । କେବଳ ରୂପରେ ନୁହେଁ ବରଂ ଜ୍ଞାନ ଓ ଗୁଣରେ ମଧ୍ୟ ପରିପୂର୍ଣ୍ଣ ଥିଲା ସେ ।
- ଯେତେବେଳେ ସାବିତ୍ରୀ ବିବାହ ପାଇଁ ଯୋଗ୍ୟ ହେଲେ, ମହାରାଜ ତାଙ୍କ ବିବାହକୁ ନେଇ ବହୁତ ଚିନ୍ତିତ ଥିଲେ । କାରଣ ଏଥିପାଇଁ ସେ ଏକ ସ୍ଵୟମ୍ବରର ଆୟୋଜନ କରାଇଥିଲେ, ହେଲେ ସାବିତ୍ରୀଙ୍କ ତେଜ ଦେଖି କୌଣସି ରାଜ୍ୟର ରାଜକୁମାର ସାବିତ୍ରୀଙ୍କୁ ଆପଣେଇ ପାରିନଥିଲେ । ପରିଶେଷରେ ସେ ସାବିତ୍ରୀଙ୍କୁ କହିଥିଲେ, “ଝିଅ ତୁ ବର୍ତ୍ତମାନ ବିବାହ ପାଇଁ ଯୋଗ୍ୟ । ତେଣୁ, ତୋ ଇଚ୍ଛା ଅନୁସାରେ ନିଜ ଯୋଗ୍ୟ ବରକୁ ବାଛ ଏବଂ ତାଙ୍କୁ ବିବାହ କର” ।
- ଏହା ପରେ ସାବିତ୍ରୀ ତାଙ୍କ ପାଇଁ ଉପଯୁକ୍ତ ପାତ୍ର ଖୋଜିବାକୁ ବିଭିନ୍ନ ସ୍ଥାନ ବୁଲିଲେ । ପରେ ସେ ତପୋବନ ଆଶ୍ରମରେ ଏକ ସ୍ନିଗ୍ଧ ମନୋରମ ଯୁବକଙ୍କୁ ଦେଖି, ତାଙ୍କୁ ପ୍ରେମ କରି ବସିଲେ । ଏବଂ ନିଜର ସ୍ୱାମୀଙ୍କ ଭେଟ ପାଇ, ସେ ବହୁତ ଶୀଘ୍ର ରାଜ ଉଆସକୁ ଫେରି ଆସିଲେ । ଏହି କଥା ଯେତେବେଳେ ସେ ତାଙ୍କ ବାପା ମହାରାଜ ଅଶ୍ଵପତିଙ୍କୁ ଜଣାଇବାକୁ ତାଙ୍କ ଦରବାରକୁ ଯାଅନ୍ତି, ସେ ସେଠି ଦେଖନ୍ତି ଯେ ରାଜ ସଭାରେ ଦେବର୍ଷି ନାରଦ ମଧ୍ୟ ଉପସ୍ଥିତ ଅଛନ୍ତି । ସାବିତ୍ରୀ ସେଠାରେ ଯେତେବେଳେ କହିଲେ କି ତପୋବନ ଆଶ୍ରମରେ ଥିବା ଯୁବକଙ୍କୁ ସେ ନିଜ ସ୍ୱାମୀ ରୂପେ ଗ୍ରହଣ କରି ସାରିଛନ୍ତି, ସେ ସମୟରେ ସେହି ଯୁବକଙ୍କ ପରିବାର ଓ ଜନ୍ମ ସଂକ୍ରାନ୍ତରେ ନାରଦ କହିଲେ କି ସେ ଆଉ କେହି ନୁହେଁ ବରଂ ସେ ଶାଲ୍ଵ ଦେଶର ରାଜା ଦ୍ୟୁମତସେନ ଓ ରାଣୀ ମାସଳବିକାଙ୍କ ପୁତ୍ର ସତ୍ୟବାନ । ଯେକି ନିଜ ରାଜ୍ୟରୁ ବିତାଡ଼ିତ ହୋଇ ବର୍ତ୍ତମାନ ଜଙ୍ଗଲରେ ଜିବନ ଯାପନ କରୁଛନ୍ତି । ଏ କଥା ଶୁଣି ସମସ୍ତଙ୍କ ଆନନ୍ଦ କହିଲେ ନସରେ ।
- ହେଲେ ଏହି ସମୟରେ ଦେବର୍ଷି କହିଲେ କି, “ସାବିତ୍ରୀ ଚୟନ କରିଥିବା ଯୁବକ ଅର୍ଥାତ ସତ୍ୟବାନଙ୍କ ବୟସ ସ୍ୱଳ୍ପ ! ବିବାହର ମାତ୍ର ଏକ ବର୍ଷ ମଧ୍ୟରେ ସେ ମୃତ୍ୟୁ ବରଣ କରିବେ” ! ଏ କଥା ଶୁଣି ଅଶ୍ଵପତି କୁହନ୍ତି କି “ମୁଁ କେବେ ଜାଣିଶୁଣି ଏକ ସ୍ୱଳ୍ପ ଆୟୁଷ ଥିବା ଯୁବକ ହାତରେ ତତେ ଛନ୍ଦି ଦେଇ ପରିବିନି! କାରଣ ଜଣେ ବାପା କେବେବି ଚାହେଁ ନାହିଁ କି ତା’ ଝିଅର ସୀମନ୍ତରୁ ସିନ୍ଦୁର ଏତେ ଶୀଘ୍ର ଲିଭି ଯାଉ” ! ସାବିତ୍ରୀ ଏହି କଥାକୁ ବିରୋଧ କରି କୁହନ୍ତି ଯେ, “ମୁଁ ତାଙ୍କୁ ପ୍ରେମ କରି ନିଜର ସ୍ୱାମୀ ରୂପେ ଗ୍ରହଣ କରି ସାରିଛି । ଏଣୁ ଏବେ ମୁଁ ତାଙ୍କୁ ଯଦି ବିବାହ ନକରି ଆଉ କାହାକୁ ବିବାହ କରୁଛି ତେବେ ମତେ ଏ ଜଗତ ଦୋଚାରୁଣୀ କହିବ। ବିଧବା ପଛେ ହେଲେ ହେବି ହେଲେ ଅସତୀ କେବେ ହେବି ନାହିଁ!” ପରେ ନାରଦ ସବିତ୍ରୀଙ୍କ ମଥାରେ ହାତ ରଖି ତାଙ୍କୁ ମହାସତୀ ହେବାର ଆଶୀର୍ବାଦ ପ୍ରଦାନ କରି ଅନ୍ତର୍ଧ୍ୟାନ ହୋଇଗଲେ ।
- ଏହା ପରେ ସାବିତ୍ରୀଙ୍କ ଦ୍ୱାରା ମନୋନୀତ ହୋଇଥିବା ବର ସହ ତାଙ୍କର ଅତି ଧୁମଧାମ ଏବଂ ସମଗ୍ର ରୀତି ନୀତି ସହିତ ବିବାହ କରାଗଲା । ବିବାହ ପରେ ଅନେକ ସମୟ ଅତିବାହିତ ହେଲା । ଯେଉଁ ଦିନ ସତ୍ୟବାନ ମରିବାକୁ ଯାଉଥିଲେ, ତାହା ପାଖାପାଖି ହୋଇଗଲା । ସାବିତ୍ରୀ ପ୍ରତିଦିନ ସେହି ଦିନକୁ ଗଣନା କରୁଥିଲେ। ସାବିତ୍ରୀ ନାରଦଙ୍କ କଥାକୁ ଠିକ ମନେ ରଖିଥା’ନ୍ତି, ସତ୍ୟବାନଙ୍କ ମୃତ୍ୟୁର ଦିନକୁ ଆଉ ମାତ୍ର ଚାରି ଦିନ ବାକି ରହିଥାଏ, ସାବିତ୍ରୀ ଅନ୍ନ ତ୍ୟାଗ କରି ଲକ୍ଷ୍ମୀ ନାରାୟଣଙ୍କ ପାଖରେ ଶରଣ ପଶିଲେ ଓ ନିଷ୍ଠା ସହ ବ୍ରତ କରିବା ସହ ନାନା ବିଧ ଫଳ ପୁଷ୍ପ ପ୍ରଦାନ କରିଲେ । ତା’ ସହିତ ବ୍ରାହ୍ମଣ ଓ ଲୋକ ମାନଙ୍କୁ ଅନ୍ନାଦି ଭୋଜନ ଦେଇ ଦାନ ଧର୍ମ କରିଲେ ।
- ଆଉ କାଳ ସମୟ ଆସି ଉପନୀତ ହେଲା, ଯେଉଁ ଦିନ ଥିଲା ଜ୍ୟେଷ୍ଠ ଅମାବାସ୍ୟା ଓ ସେଦିନ ସତ୍ୟବାନଙ୍କ ଆୟୁଷକାଳ ସରୁଥିଲା । ସତ୍ୟବାନ ଜଙ୍ଗଲରେ କାଠ କାଟିବାକୁ ଯିବେ ବୋଲି ସାବିତ୍ରୀଙ୍କୁ କହିଲେ, ହେଲେ ଏ କଥା ଶୁଣି ସାବିତ୍ରୀବି ତାଙ୍କ ସହ ଯିବେ ବୋଲି କହିଲେ । ହେଲେ ସତ୍ୟବାନ ସାବିତ୍ରୀଙ୍କୁ କହିଲେ ଯେ, “ତୁମେ ଉପବାସ ହେତୁ ଦୁର୍ବଳ ହୋଇଯାଇଛ ଆଉ ଜଙ୍ଗଲର ରାସ୍ତା ବହୁତ କଷ୍ଟସାଧ୍ୟ, ତେଣୁ ତୁମେ ଏଠାରେ ରୁହ । କିନ୍ତୁ ସାବିତ୍ରୀ କର୍ଣ୍ଣପାତ ନକରି, ଜିଦ୍ ଧରି ସତ୍ୟବାନଙ୍କ ସହ ଜଙ୍ଗଲକୁ ଗଲେ ।
- ଯେତେବେଳେ ସତ୍ୟବାନ କାଠ କାଟିବା ଆରମ୍ଭ କଲେ, ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା। ଏହା ଦେଖି ସାବିତ୍ରୀ ତାଙ୍କ ପଣତକୁ ତଳେ ପାରି ଦେଲେ ଓ ସ୍ୱାମୀଙ୍କ ମୁଣ୍ଡକୁ ଆଣି ତାଙ୍କ କୋଳରେ ରଖି ଶୁଆଇ ଦେଲେ। କିଛି ସମୟ ଅନ୍ତରାଳେ ସତ୍ୟବାନ ଚେତାଶୂନ୍ୟ ହୋଇ ଆଖି ମୁଜିଲେ । ସେହି ସମୟରେ ସେ ସେଠାରେ ଜଣେ ଭୟଙ୍କର ବ୍ୟକ୍ତିଙ୍କୁ ଦେଖିଲେ, ଯାହାଙ୍କ ହାତରେ ଏକ ଫାଶ ଥିଲା । ସେ ସତ୍ୟବାନଙ୍କ ଆତ୍ମାକୁ ତାଙ୍କ ସହ ନେବାକୁ ଆସିଥିଲେ ।
- ମୃତ ଦେଶ ଦକ୍ଷିଣ ଦିଗକୁ ଯିବାବେଳେ ଯମ, ତାଙ୍କୁ ଅନୁସରଣ କରୁଥିବା ସାବିତ୍ରୀଙ୍କୁ ଲକ୍ଷ୍ୟ କଲେ । ଯାତ୍ରା ଦୀର୍ଘ ଥିଲା ଏବଂ ଯମ ନିଶ୍ଚିତ ଥିଲେ ଯେ ସାବିତ୍ରୀ ଯେତେବେଳେ କ୍ଳାନ୍ତ ହୋଇଯିବେ ଓ ଜିଦ ଛାଡ଼ି ଫେରିଯିବେ । କିନ୍ତୁ ସାବିତ୍ରୀଙ୍କ ମୁଖକାନ୍ତିରେ କ୍ଲାନ୍ତର କୌଣସି ଲକ୍ଷଣ ଦେଖାଯାଇ ନଥିଲା ଓ ତାଙ୍କର ଅନୁସରଣ ନିରନ୍ତର ଚାଲିଥିଲା । ଏହା ଦେଖି ଯମ ଚିତ୍କାର କରି କହିଲେ, “ମୋର ଅନୁସରଣ କରିବା ବନ୍ଦ କର । ତୁମର ଭାଗ୍ୟକୁ ଗ୍ରହଣ କରି ଫେରିଯାଅ ତୁମ ସ୍ୱାମୀଙ୍କ ମର ଶରୀର ପାଖକୁ ଏବଂ ଶବ ସଂସ୍କାର କରିବାର ଆୟୋଜନ କର” !
- ହେଲେ ସାବିତ୍ରୀ ଯମଙ୍କୁ ଉତ୍ତର ଦେଇଛନ୍ତି ଯେ, “ସେ ଶରୀର ହେଲେ ମୁଁ ତାଙ୍କ ଛାଇ, ତେଣୁ ସେ ଯୁଆଡ଼େ ଯିବେ ମୁଁ ତାଙ୍କ ସହ ଯିବି” । ସ୍ୱାମୀଙ୍କ ପ୍ରତି ଏପରି ଅଗାଢ଼ ଭକ୍ତି ତଥା ପ୍ରେମ ଦେଖି ଉତ୍କଣ୍ଠିତ ହୋଇ ଯମ କହିଲେ କି, ‘ମୁଁ ତୁମ ପତିବ୍ରତା ଧର୍ମ ଦେଖି ଅତ୍ୟନ୍ତ ପ୍ରସନ୍ନ ଏଣୁ ତୁମ ସ୍ୱାମୀଙ୍କ ଜୀବନ ବ୍ୟତୀତ ଅନ୍ୟ ତିନୋଟି ବର ମାଗ ମୁଁ ଦେବି” । ସାବିତ୍ରୀ ସମ୍ମାନର ସହିତ ମୁଣ୍ଡ ନୁଆଇଁ ଏବଂ ପ୍ରଥମେ ତାଙ୍କ ଶ୍ୱଶୁରଙ୍କ ହଜିଯାଇଥିବା ଦୃଷ୍ଟି ଶକ୍ତି ଓ ରାଜ୍ୟକୁ ପୁନଃ ପ୍ରାପ୍ତ କରିବାକୁ ମାଗିଥିଲେ । ତାଙ୍କର ଦ୍ୱିତୀୟ ବର ଭାବରେ ସେ କହିଥିଲେ ଯେ ତାଙ୍କ ପିତା ଏକ ପୁତ୍ର ସହିତ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ । ତାଙ୍କର ତୃତୀୟ ବର ଭାବରେ ସେ ସତ୍ୟବାନଙ୍କ ପୁତ୍ରମାନଙ୍କ ମାତା ହେବାକୁ କହିଥିଲେ ।
- ଯମ ସାବିତ୍ରୀଙ୍କୁ ତିନୋଟି ବରର ପୂର୍ଣ୍ଣ ନିମନ୍ତେ ତଥାସ୍ତୁ କହି, ଯମ ଲୋକକୁ ଯାତ୍ରା ଜାରି କରିଲେ । ଯେତେବେଳେ ସେ ବୈତରଣୀ ନଦୀ କୂଳରେ ପହଞ୍ଚିଲେ, ଯାହା ପୃଥିବୀକୁ ଯମ ଲୋକରୁ ପୃଥକ କରେ, ଯମ ପୁନଃ ସାବିତ୍ରୀଙ୍କୁ ଅନୁସରଣ କରୁଥିବା ଦେଖି କହିଲେ “ମୁଁ ତୁମକୁ କହିଲି ତୁମର ତିନୋଟି ବର ନେଇ ମୋତେ ଅନୁସରଣ କର ନାହିଁ, ହେଲେ ତୁମେ ମୋ କଥାକୁ ଅବଜ୍ଞା କରିଲ ଯେ” !
- ସାବିତ୍ରୀ ପୁଣି ଥରେ ସମ୍ମାନର ସହ ମୁଣ୍ଡ ନୁଆଇଁ କହିଲେ, “ପ୍ରଥମ ଓ ଦ୍ଵିତୀୟ ବର ସତ ହୋଇଛି । କିନ୍ତୁ ତୃତୀୟ ବର ପୂରଣ ହେଲାନି ! ଏହା କିପରି ପୂରଣ ହେବ? ଯେତେବେଳେ ସେ ଜଙ୍ଗଲରେ ମୋ ସ୍ୱାମୀ ମରିକି ଶୋଇଛନ୍ତି, ମୁଁ କିପରି ତାଙ୍କ ପୁଅମାନଙ୍କର ମା’ ହୋଇପାରିବି ? ଆପଣ ଜନ୍ତୁପତି, ଆପଣ ନିଜର କଥା ନରଖିଲେ, ଯୁଗ ଯୁଗକୁ ଅପବାଦ ରହିଯିବ ଯେ!”
- ଯମ ହସିଲେ କାରଣ ସେ ଅନୁଭବ କଲେ ଯେ ସାବିତ୍ରୀ ତାଙ୍କୁ ତାଙ୍କ ଧର୍ମ ନିଷ୍ଠାରେ ପରାସ୍ତ କରିଛନ୍ତି । ତାଙ୍କର ତୃତୀୟ ବରକୁ ପୂରଣ କରିବାର ଏକମାତ୍ର ଉପାୟ ହେଉଛି ସତ୍ୟବାନଙ୍କୁ ପୁଣି ଥରେ ବଞ୍ଚାଇବା । ଶେଷରେ ଯମ ସତ୍ୟ ରକ୍ଷା ପାଇଁ ସତ୍ୟବାନଙ୍କୁ ପୁନର୍ଜୀବିତ କଲେ ଓ ଅହ୍ୟସୁଲକ୍ଷଣୀ ହେବାର ଆଶୀର୍ବାଦ ପ୍ରଦାନ କରି ନିଜ ଲୋକକୁ ଫେରିଲେ । ଏହା ପରେ ସାବିତ୍ରୀ ସତ୍ୟବାନଙ୍କ ମୃତ ଦେହ ପାଖରେ ପହଞ୍ଚିଲେ ଏବଂ ଅଳ୍ପ ସମୟ ମଧ୍ୟରେ ସତ୍ୟବାନଙ୍କ ଶରୀରରେ ଚେତନା ଆସିଲା ।

.jpg)
0 Comments
Do you have any doubts or suggestions? Ask them here in the comments!