ପାପନାଶିନୀ(ଆମଳକୀ, ଅଅଁଳା )ଏକାଦଶୀ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା
ଫାଲଗୁନ ମାସ ଶୁକ୍ଳପକ୍ଷ ଏକାଦଶୀ ‘ଆମଳକୀ ଏକାଦଶୀ’ ଭାବରେ ଖ୍ୟାତ। ଏହାର ସଂସ୍କୃତ ନାମ ‘ଆମର୍ଦ୍ଦକୀ ଏକାଦଶୀ’। ଏଥିରେ ଅଁଳା ବୃକ୍ଷକୁ ଶ୍ରଦ୍ଧା ଓ ଭକ୍ତିର ସହିତ ପୂଜା କରାଯାଏ। ଏହି ଦିନ ଆମଳକୀ ବୃକ୍ଷ ( ଅଁଳାଗଛ ) ତଳେ ରାତ୍ରି ଜାଗରଣ କଲେ ସହସ୍ର ଗୋଦାନର ଫଳ ଲାଭ ହୁଏ । ଏହି ବୃକ୍ଷର ନାମ ଅଁଳା । ଏହା ପରମ ବୈଷ୍ଣବ ବୋଲି ବିଖ୍ୟାତ । ଏହାର ସ୍ମରଣ ମାତ୍ରେ ହିଁ ଗୋଦାନର ଫଳ ଲାଭ ହୁଏ , ଦର୍ଶନରେ ତାହାର ଦୁଇଗୁଣ , ଏହାର ଫଳ ଭକ୍ଷଣରେ ତିନିଗୁଣ ଫଳ ଲାଭ ହୋଇଥାଏ । ଏଣୁ ସମସ୍ତ ପ୍ରକାରେ ଏହାଙ୍କର ସେବା କରିବା କର୍ତ୍ତବ୍ୟ ।
ଅଁଳା ବୃକ୍ଷର ମହିମା ସଂପର୍କରେ ଶାସ୍ତ୍ର, ପୁରାଣଗୁଡ଼ିକରେ ପ୍ରଚୁର ପ୍ରଶସ୍ତି ଅଛି। ଗୋଟିକରେ କୁହାଯାଇଛି- ଏହା ଏପରି ଏକ ମହାବୃକ୍ଷ, ଯାହାର ମୂଳରେ ବିଷ୍ଣୁ, ମୂଳର ଊର୍ଦ୍ଧ୍ୱରେ ବ୍ରହ୍ମା, ସ୍କନ୍ଦରେ ପରମେଶ୍ୱର ରୁଦ୍ର, ଶାଖାରେ ମୁନିଗଣ, ପ୍ରଶାଖାରେ ଦେବତାବୃନ୍ଦ, ପତ୍ରରେ ଅଷ୍ଟବସୁ, ପୁଷ୍ପରେ ମରୁତ୍ଗଣ ଏବଂ ଫଳରେ ପ୍ରଜାପତିମାନେ ଅବସ୍ଥିତ। ଏ ଦୃଷ୍ଟିରୁ ଏହି ମହାବୃକ୍ଷ ଅଁଳା ‘ସର୍ବଦେବମୟୀ’ ବୋଲି କଥିତ ହୋଇଥାଏ।
କିମ୍ବଦନ୍ତୀ
ଆମଳକୀ ଏକାଦଶୀର ଉପାଖ୍ୟାନ ଅନୁସାରେ- ପ୍ରାଚୀନ କାଳରେ ବୈଦେଶିକ ନାମରେ ଜଣେ ରାଜା ଥିଲେ। ସେ ଏହି ଏକାଦଶୀ ଦିନ ଅଁଳାବୃକ୍ଷକୁ ପୂଜା କରିବା ସହିତ, ସଂଧ୍ୟାରେ ଘଟସ୍ଥାପନ କରି, ସାରା ରାତି ଉଜାଗର ରହି ଭଗବାନ ପର୍ଶୁରାମଙ୍କୁ ପୂଜା କରୁଥିଲେ। ଜଣେ ବ୍ୟାଧ, ସାରାରାତି ଉଜାଗର ରହି ଭଗବାନ ପର୍ଶୁରାମଙ୍କୁ ଦର୍ଶନ କରି ଆଗ୍ରହ ଓ ଭକ୍ତିର ସହିତ ସେହି ପୂଜା ଦେଖୁଥିଲା। ସେହି ବ୍ରତ ଓ ପୂଜାର ଫଳ ବୈଦେଶିକ ରାଜା ତ ପାଇଲେ; କିନ୍ତୁ ସେହି ପୂଜାବିଧି ଦର୍ଶନ କରୁଥିବା ବ୍ୟାଧ ମଧ୍ୟ ତାହାର ଫଳ ପାଇଲା। ସେ ପରଜନ୍ମରେ ଜୟନ୍ତୀ ନଗରରେ ରାଜା ବିଦୁରଙ୍କର ପୁତ୍ର ବସୁରଥ ରୂପେ ଜନ୍ମ ନେଇ ରାଜା ହେବାର ସୌଭାଗ୍ୟ ଲାଭ କଲା।
ମହତ୍ୱ
ହିନ୍ଦୁ ଧର୍ମରେ ଏକାଦଶୀ ତିଥିର ବିଶେଷ ମହତ୍ୱ ରହିଛି । ଏହା ପବିତ୍ର ତିଥି ହୋଇଥାଏ । ପଞ୍ଚାଗ ଅନୁଯାୟୀ ଫାଲ୍ଗୁନ ମାସ (ଶୁକ୍ଳ) ପକ୍ଷରେ ଆମଳକୀ ଏକାଦଶୀ ପଡିଥାଏ । ଏହି ଏକାଦଶୀ ହୋଲି ପୂର୍ବରୁ ପଡୁଥିବାର ଏହାର ମହତ୍ୱ ଅଧିକ ଥାଏ । ସେଥିପାଇଁ ଆଜିର ଦିନରେ ଶ୍ରୀବିଷ୍ଣୁଙ୍କ କୃପା ପ୍ରାପ୍ତି ପାଇଁ ବିଶେଷ ପୂଜା ବିଧି କରି ଭଗବାନଙ୍କୁ ପ୍ରସନ୍ନ କରିପାରିବେ । ତେବେ ଆସନ୍ତୁ ଜାଣିବା ଆମଳକୀ ଏକାଦଶୀ ର ପୂଜା ବିଧି ବିଷୟରେ..
ପୂଜା ବିଧି
- ଅଁଳା ଏକାଦଶୀର ଗୋଟେ ଦିନ ପୂର୍ବରୁ ମାନେ ଦଶମୀ ରାତିରେ ଶ୍ରୀ ବିଷ୍ଣୁ ନାରାୟଣଙ୍କୁ ଧ୍ୟାନ କରି ଶୋଇବା ଉଚିତ୍ ।
- ଏକାଦଶୀ ଦିନ ସକାଳୁ ନିତ୍ୟ କର୍ମ ସାରି ସଫା ବସ୍ତ୍ର ଧାରଣ କରନ୍ତୁ ।
- ଏହି ବ୍ରତରେ ଅନ୍ୟ ଏକାଦଶୀ ପରି ପ୍ରାତଃ ସ୍ନାନାଦି ନିୟମ ଗ୍ରହଣ ପୂର୍ବକ ପତିତ , ଚୋର , ପାଷଣ୍ଡୀ , ଦୁବୃର୍ତ୍ତ , ମର୍ଯ୍ୟଦାହୀନ ଓ ଗୁରୁପତ୍ନୀଗମନକାରୀ ମନୁଷ୍ୟ ସହିତ କଥାବାର୍ତା କରିବେ ନାହିଁ ।
- ଏହାପରେ ପୂଜା ଘରେ ବିଷ୍ଣୁଙ୍କ ପ୍ରତିମା ସାମ୍ନାରେ ହାତରେ ରାଶି, କୁଶ ମୂଦ୍ରା ଏବଂ ଜଳ ନେଇ ବ୍ରି ସଂକଳ୍ପ କରନ୍ତୁ । ପୁଣି ବିଧି ବିଧାନ ସହ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ ।
- ସର୍ବପ୍ରଥମେ ବିଷ୍ଣୁଙ୍କ ପ୍ରତିମାକୁ ସ୍ନାନ କରାଇ ସାରିବା ପରେ ବସ୍ତ୍ର ପିନ୍ଧାନ୍ତୁ ।
- ଏହାପରେ ଫୁଲ, ତୁଳସୀ ଅର୍ପଣ କରନ୍ତୁ । ପୁଣି ଭଗବାନଙ୍କ ଆଳତୀ କରିବା ପରେ ପ୍ରଣାମ କରି ଭୋଗ ଲଗାନ୍ତୁ ।
- ପୂଜା ସାରିବା ପରେ ପୂଜା ସାମଗ୍ରୀକୁ ନେଇ ଅଁଳା ଗଛ ମୂଳେ ପୂଜା କରନ୍ତୁ ।
ଅଅଁଳାଗଛ ପୂଜା
- ଅପରାହ୍ନରେ ପୁନର୍ବାର ଯଥାବିଧି ସ୍ନାନ କରିବେ । ସେହି ସ୍ନାନରେ ମୃର୍ତ୍ତିକା ଗ୍ରହଣ ପୂର୍ବକ ନଦୀ, ପୋଖରୀ ( ପୁଷ୍ପରିଣୀ ) କୂପ ଅଥବା ଗୃହରେ ଉତ୍ଥିତ ଜଳରେ ସ୍ନାନ ମନ୍ତ୍ରାଦି ପାଠ ସମ୍ପୂର୍ଣ୍ଣ କରିବେ ।
- ଭଗବାନ ପର୍ଶୁରାମଙ୍କର ପୂଜା ମଧ୍ୟ ଏଥିରେ କରାଯିବାର ବିଧି ରହିଛି। ଏହିଦିନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ସ୍ୱର୍ଣ୍ଣମୂର୍ତ୍ତି ସ୍ଥାପନ କରି ବିଧିବଦ୍ଧ ଭାବେ ପୂଜା କରାଯାଏ । ଦ୍ୱାଦଶୀ ଦିନରେ ଏକାଦଶୀ ବ୍ରତ ଉଦ୍ଯାପନ କରି ବ୍ରାହ୍ମଣଙ୍କୁ ପର୍ଶୁରାମ ମୂର୍ତ୍ତି ଭେଟି ଦିଆଯାଏ ।
- ତତ୍ପରେ ସୁବର୍ଣ୍ଣ ଦ୍ବାରା ପର୍ଶୁରାମ ମୂର୍ତ୍ତି ତିଆରି କରିବେ ।
- ସେହି ସୁବର୍ଣ୍ଣର ପରିମାଣ ଏକ ମାଷା ( କୋଡ଼ିଏ ମାଷାରେ ଏକ ତୋଳା ହୁଏ ) ଅଥବା ତାହାର ଅର୍ଦ୍ଧ ବା ଶକ୍ତି ଅନୁସାରେ ତାହାର ଅଧାମଧ୍ୟ କରାଯାଇପାରେ ।
- ସ୍ନାନପରେ ଗୃହକୁ ଆସି ସେହି ମୂର୍ତ୍ତି ପୂଜା ଓ ହୋମ ଆଦି ସମାପନପୂର୍ବକ ଅଁଳା ବୃକ୍ଷ ନିକଟକୁ ଯିବେ ।
- ଅଁଳା ଗଛକୁ ପୂଜା କରିବା ପୂର୍ବରୁ ପ୍ରଥମେ ଗଛର ଚାରିପାଖ ସଫା କରି ଗୋବରରେ ପବିତ୍ର କରାନ୍ତୁ ।
- ତତ୍ପରେ ଛିଦ୍ର ଶୂନ୍ୟ ଗୋଟିଏ କଳସୀ ବୃକ୍ଷ ସମ୍ମୁଖରେ ସ୍ଥାପନ କରି ମନ୍ତ୍ରଦ୍ଵାରା ସେଥିରେ ପଞ୍ଚରତ୍ନ , ପଞ୍ଚ ପଲ୍ଲବ , ଦିବ୍ୟ ଗନ୍ଧାଦି , ଛତ୍ର , ପାଦୁକା ବସ୍ତ୍ର ଓ ଶ୍ଵେତଚନ୍ଦନାଦି ପ୍ରଦାନ କରିବେ ।
- ଏଥିରେ ଦେବତାମାନଙ୍କୁ ଆମନ୍ତ୍ରିତ କରନ୍ତୁ । ଏହାପରେ ଦୀପ ଜଳାନ୍ତୁ ।
- ତାହା ଉପରେ ଖଇଭର୍ତ୍ତି ହୋଇଥିବା ଗୋଟିଏ ପାତ୍ର ସ୍ଥାପନ କରି ଏହା ଉପରେ ସେହି ଜାମଦଗ୍ନ୍ୟ ମୂର୍ତ୍ତି ସ୍ଥାପନ କରିବେ । ତତ୍ପରେ ପୂଜା ସମାପନାନ୍ତେ ଶ୍ଵେତବର୍ଣ୍ଣ ଫଳ ଦ୍ବାରା ଅର୍ଘ୍ୟ ପ୍ରଦାନପୂର୍ବକ ରାତ୍ରି ଜାଗରଣ କରିବେ ।
- ନୃତ୍ୟ , ଗୀତ , ବାଦ୍ୟ , ଧର୍ମଗ୍ରନ୍ଥ , ବୈଷ୍ଣବ ଆଖ୍ୟାନ ପାଠ ଓ ଆଲୋଚନା ଦ୍ବାରା ରାତ୍ରି ଅତିବାହିତ କରି ବିଷ୍ଣୁ ନାମ ଓ ମହାମନ୍ତ୍ର କୀର୍ତ୍ତନ ସହ ୧୦୮ ବା ୨୮ ଥର ଅଁଳା ବୃକ୍ଷକୁ ପ୍ରଦକ୍ଷିଣ କରିବେ ।
- ଏହାପରେ ରାତ୍ରି ପାହିବା ସମୟରେ ସେହି ମୂର୍ତ୍ତିଙ୍କର ମଙ୍ଗଳ ଆରତୀ ଆଦି ସମାପ୍ତ କରି ଶ୍ରୀନାମ ପରାୟଣ ବ୍ରାହ୍ମଣଙ୍କୁ ପୂଜା କରିବେ ଏବଂ ଜାମଦଗ୍ନ୍ୟ ସ୍ବରୂପ ଶ୍ରୀକେଶବ ମୋ ପ୍ରତି ପ୍ରୀତ ହୁଅନ୍ତୁ ଏହିପରି ଚିନ୍ତାକରି ସୁବର୍ଣ୍ଣ , ଜାମଦଗ୍ନ୍ୟ ମୂର୍ତ୍ତି , ଘଟ , ବସ୍ତ୍ରଯୁଗଳ , ପାଦୁକା ପ୍ରଭୃତି ପୂଜାଦ୍ରବ୍ୟ ବ୍ରାହ୍ମଣଙ୍କୁ ପ୍ରଦାନ କରି ଉକ୍ତ ବୃକ୍ଷକୁ ସ୍ପର୍ଶ , ପ୍ରଦକ୍ଷିଣ ଓ ପ୍ରଣାମ କରିବେ ।
- ତତ୍ପରେ ଯଥା ବିଧାନରେ ସ୍ନାନାଦି ସମାପନ ପୂର୍ବକ ଯଥାଶକ୍ତି ବ୍ରାହ୍ମଣମାନଙ୍କୁ ଭୋଜନଦେଇ କୁଟୁମ୍ବଗଣଙ୍କ ସହିତ ନିଜେ ପ୍ରସାଦ ସେବନ କରିବେ ।
- ଏହି ଏକାଦଶୀ ବ୍ରତର ପୁଣ୍ୟ ଅନ୍ୟାନ୍ୟ ସମସ୍ତ ଦାନ ଓ ଯଜ୍ଞାଦିଠାରୁ ଅଧିକ । ଏଥିରେ କୌଣସି ସନ୍ଦେହ ନାହିଁ ।
- ଏହାବ୍ୟତିତ ଏହିଦିନ ଆପଣ ଗରିବ ଲୋକଙ୍କୁ ଦାନ କରିପାରିବେ ।
ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା
- ଭଗବାନ ବିଷ୍ଣୁଙ୍କ ପ୍ରସନ୍ନତା ଏବଂ ମୋକ୍ଷର କାମନା ଲାଗି ଅଅଁଳା ଏକାଦଶୀ ଦିନ ଭକ୍ତ ନିତ୍ୟକର୍ମ ସାରି ଭଗବାନ ବିଷ୍ଣୁଙ୍କ ପ୍ରତିମାକୁ ଧ୍ୟାନ କରି ସଂକଳ୍ପ ନେଇ ଏକାଦଶୀ ବ୍ରତ ରଖିଥାନ୍ତି |
- ବିଶ୍ୱାସ ଅଛି ଯେ ଏହି ବ୍ରତ ପାଳନ କଲେ ସାତ ଜନ୍ମର ପାପମୋଚନ ହୋଇଥାଏ। ସମସ୍ତ କାର୍ଯ୍ୟରେ ବିଜୟ ଲାଭ ସହିତ, ମୃତ୍ୟୁ ପରେ ବୈକୁଣ୍ଠ ପ୍ରାପ୍ତି ହୁଏ। ବ୍ରତପାଳନକାରୀଙ୍କର ପିତୃକୁଳ ଓ ମାତୃକୁଳର ମଙ୍ଗଳ ହୁଏ।
- କିନ୍ତୁ ଏହି ବ୍ରତ ସହ ଜଡ଼ିତ ଉପାଖ୍ୟାନଟିର ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ହେଉଛି- ଜଣେ ନିଜେ ପୂଜା ବା ବ୍ରତ ନ କରି, ଭଗବାନଙ୍କୁ ଦର୍ଶନ କରିବା ସହିତ ଆଗ୍ରହ ଓ ଭକ୍ତି ସହକାରେ ଅନ୍ୟର ପୂଜା ବା ବ୍ରତ ପାଳନକୁ ନିରୀକ୍ଷଣ କଲେ ମଧ୍ୟ, ପୂଜା ଓ ବ୍ରତ ପାଳନର ସୁଫଳ ଲାଭ କରିଥାଆନ୍ତି।
- ଭଗବାନ କହିଛନ୍ତି – ଯେଉଁ ପ୍ରାଣୀ ସ୍ୱର୍ଗ ଏବଂ ମୋକ୍ଷ ପ୍ରାପ୍ତି ପାଇଁ କାମନା କରୁଛନ୍ତି ସେମାନେ ଫାଲଗୁନ ଶୁକ୍ଳ ପକ୍ଷରେ ଏକାଦଶୀ ବ୍ରତ କରିବା ଉଚିତ୍ ।
0 Comments
Do you have any doubts or suggestions? Ask them here in the comments!