କାହିଁକି ପାଳନ କରାଯାଏ ହୋଲି ? କ'ଣ ଜାଣିଛନ୍ତି ଏହା ପଛରେ ଥିବା ପୌରାଣିକ କାରଣ !

କାହିଁକି ପାଳନ କରାଯାଏ ହୋଲି ? କଣ ଜାଣିଛନ୍ତି ଏହା ପଛରେ ଥିବା ପୌରାଣିକ କାରଣ !

ଓଡ଼ିଶାରେ ଫଗୁ ଦଶମୀରୁ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ ।  ତେବେ ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍‌ଭାବ ଓ ପାରମ୍ପାରିକ ସୌହାର୍ଯ୍ୟର ପରିଚାୟକ ପର୍ବ ଭାବରେ ପାଳିତ ହୋଇଥାଏ । 

ଦୋଳଯାତ୍ରା ଏବଂ ହୋଲି

ଓଡ଼ିଆ ପଞ୍ଜିକା ଅନୁସାରେ ଫାଲଗୁନ ମାସର ପୂର୍ଣ୍ଣିମା ତିଥି ଦୋଳ ପୂର୍ଣ୍ଣିମା ନାମରେ ଅଭିହିତ। ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ ।  ବସନ୍ତ ଋତୁର ଏଇ ଖେଳକୁ ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ଉପଭୋଗ କରିଥାନ୍ତି । ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧା ଓ କୃଷ୍ଣଙ୍କ ନିକଟରେ ଏହି ଦିନଠାରୁ ଅବିର ଅର୍ପଣ କରାଯାଇଥାଏ । ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଛୋଟ ଛୋଟ ବିମାନରେ ମହାଡମ୍ବର ସହକାରେ ଗ୍ରାମର ପ୍ରାୟ ପ୍ରତ୍ୟେକଙ୍କ ଦ୍ୱାରକୁ ନିଆଯାଇଥାଏ । 

ପ୍ରାୟତଃ ପ୍ରତ୍ୟେକ ଦ୍ୱାରରେ ଠାକୁରଙ୍କୁ ଭୋଗ ଅର୍ପଣ କରାଯିବା ସଙ୍ଗେସଙ୍ଗେ ପୁରୋହିତଙ୍କୁ ମଧ୍ୟ ଦକ୍ଷିଣା ଦିଆଯାଇଥାଏ । ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଦ୍ୱାରରେ ଅର୍ପିତ ଭୋଗକୁ ଦ୍ୱାରୀ ଭୋଗ କୁହାଯାଇଥାଏ । 

ଦୋଳପୂର୍ଣ୍ଣମୀ ଦିନ ସାଧାରଣତଃ ଠାକୁରମାନଙ୍କୁ ମନ୍ଦିରର ଦକ୍ଷିଣପୂର୍ବ ଦିଗରେ ନିର୍ମିତ ହୋଇଥିବା ଏକ ମଣ୍ଡପ ଉପରକୁ ନିଆଯାଇଥାଏ । ସେହି ମଣ୍ଡପର ନାମ ଦୋଳ ମଣ୍ଡପ । ସେଠାରେ ପୂଜାର୍ଚ୍ଚନା କରାଯିବା ସଙ୍ଗେସଙ୍ଗେ ଠାକୁରମାନେ ଦୋଳି ଖେଳନ୍ତି ଓ ସେଠାରେ ନାଲି ଅବିର ଅର୍ପଣ କରାଯାଇଥାଏ ।

ତେବେ ମୁଖ୍ୟତଃ ଏହି ଦୋଳ ମେଲଣ ତିନି ଭିନ୍ନ ଭିନ୍ନ ପ୍ରକାରର

  1. ଫାଲଗୁନର ରାଜଦୋଳ ମେଲଣ, ଅର୍ଥାତ ଫଗୁ (ଶୁକ୍ଳପକ୍ଷ) ଦଶମୀ ଠାରୁ ଫଗୁଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ।
  2. ପଞ୍ଚୁଦୋଳ ମେଲଣ , ପାଞ୍ଚଦିନ ଅର୍ଥାତ ଫଗୁଣ ପୂର୍ଣ୍ଣିମା ଠାରୁ ଚୈତ୍ରମାସ କୃଷ୍ଣ ପଞ୍ଚମୀ ପର୍ଯ୍ୟନ୍ତ ।
  3. ଦଶଦୋଳ, ଦଶଦିନ ବ୍ୟାପୀ ମେଲଣ ଅର୍ଥାତ ଫଗୁଣ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ଚୈତ୍ର କୃଷ୍ଣ ନବମୀ ପର୍ଯ୍ୟନ୍ତ ।

ପୌରାଣିକ କାରଣ

ଦୋଳ ସହିତ ବିଭିନ୍ନ ପୁରାଣର କାହାଣୀ ସଂଯୁକ୍ତ ହୋଇରହିଛି । ରଙ୍ଗର ରଙ୍ଗୀନ ଖେଳ ଓ ହୋଲିକା ଦହନର ଅଗ୍ନି ଔଜ୍ଜଲ୍ୟ ଏ ଉଭୟ ଦୁଷ୍ଟ ଶକ୍ତି ଉପରେ ଶୁଭଙ୍କର ପ୍ରତୀକର ବିଜୟକୁ ଏହି ପର୍ବ ସହିତ ସମ୍ମିଳିତ କରି ରଖିଛି । 

1. ଭଗବାନ ଶିବ ଓ ପାର୍ବତୀଙ୍କ କଥା- ହୋଲି ପର୍ବ ପାଳନ କରାଯିବାରେ ଭଗବାନ ଶିବ ମାତାପାର୍ବତୀଙ୍କ ସମ୍ବନ୍ଧ ମଧ୍ୟ ସଂଯୁକ୍ତ ହୋଇଛି । ମାତା ପାର୍ବତୀ ହିମାଳୟର କନ୍ୟା ଥିଲେ, ସେ ଭଗବାନ ଶିବଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଭଗବାନ ଶିବ ସର୍ବଦା ତପସ୍ୟାରେ ମାତି ରହୁଥିଲେ । ଏହି ତପସ୍ୟା ସମୟରେ ମାତା ପାର୍ବତୀଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ରଖିବା ମୁସ୍କିଲ୍‌ ହେବ । ସେତେବେଳେ ତାଙ୍କୁ ସାହଯ୍ୟ କରିବା ପାଇଁ କାମଦେବ ଆସିଲେ ଓ ପୁଷ୍ପ ବାଣ ଦ୍ୱାରା ଭଗବାନ ଶିବଙ୍କ ତପସ୍ୟା ଭଙ୍ଗ କରିଦେଲେ ।

ଭଗବାନ ଶିବଙ୍କ ତପସ୍ୟା ଭଙ୍ଗ କରିବାର ପରିଣାମ ସେ ହୁଏତ ଜାଣିନଥିଲେ, ଯେମିତି ଭଗବାନ ଶିବ ଆଖିଖୋଲିଲେ ସେ କାମଦେବଙ୍କୁ ଦେଖି ତାଙ୍କ ହରକତରେ ବହୁତ କ୍ରୋଧିତ ହେଲେ ଓ ତାଙ୍କର ତୃତୀୟ ଆଖି ଖୋଲି କାମଦେବଙ୍କୁ ଭସ୍ମ କରିଦେଲେ । କିନ୍ତୁ ଠିକ୍‌ ସେହି ସମୟରେ ମାତା ପାର୍ବତୀ ଆସି ପହଁଞ୍ଚିଲେ ଭଗବାନ ଶିବ ତାଙ୍କୁ ଦେଖି ଶାନ୍ତ ହୋଇଗଲେ ଓ ମାତା ପାର୍ବତୀଙ୍କ ବିବାହ ପ୍ରସ୍ତାବକୁ ସ୍ୱୀକାର କଲେ । କୁହାଯାଏ କି ହୋଲି ପର୍ବରେ କାମବାସନାକୁ ଅଗ୍ନିରେ ଜଳାଇ ନିଷ୍କାମ ଭାବରେ ପ୍ରେମ ବିଜୟର ଉତ୍ସବ ପାଳନ କରାଯାଏ ।

2. ଅନ୍ୟକଥାରେ ଅଛି ଯେ କାମଦେବ ଭସ୍ମ ହେବା ପରେ ତାଙ୍କ ପତ୍ନୀ ରତି ଭଗବାନ ଶିବଙ୍କ ଆରାଧନା କରି ତାଙ୍କୁ ପ୍ରସନ୍ନ କରି କାମଦେବଙ୍କୁ ଜୀବତ କରିବା ପାଇଁ ପ୍ରାର୍ଥନା କରୁଥିଲେ । ଭଗବାନ ଶିବ ତାଙ୍କ ପୂଜାରେ ପ୍ରସନ୍ନ ହୋଇ କାମଦେବଙ୍କୁ ଜୀବତ କରିଥିଲେ । ଯେଉଁଦିନ ଏହି ସବୁ ହୋଇଥିଲା ସେହିଦିନ ଫାଲଗୁନମାସର ପୂର୍ଣ୍ଣିମାତିଥି ହୋଇଥିଲା । ସେହିିଦିନ ହୋଲି ଉତ୍ସବ ପାଳନ କରାଯାଏ । ଲୋକମାନେ ଗୀତରେ ମାତିରୁହନ୍ତି ଓ ଅଗ୍ନିରେ ଚନ୍ଦନର କାଠ ଦିଆଯାଏ, ଯାହାକି କାମଦେବ ଜଳିଯାଇଥିବା କଷ୍ଟପୀଡାରୁ ମୁକ୍ତି ମିଳେ । କୁହାଯାଏ କି କାମଦେବ ପୁଣି ଜୀବିତ ହେବାର ଖୁସିରେ ପରଦିନ ରଙ୍ଗହୋଲି ଖେଳିଥାନ୍ତି ।

3. କୁହାଯାଏ କି ଯେବେ କଂସକୁ ବ-ଧ କରିବା ପାଇଁ ଜଣେ ଗୋକୁଳରେ ଜନ୍ମ ହୋଇଛି ବୋଲି ପ୍ରଚାର ହୋଇଥିଲା, ସେହିଦିନ ଠାରୁ କଂସ ଯେତେ ପିଲା ଜନ୍ମ ହୋଇଥିଲେ ସେମାନଙ୍କ ଜୀବନ ନେବା ପାଇଁ ନିର୍ଣ୍ଣୟ ନେଇଥିଲେ । ଏହି କାମ କରିବା ପାଇଁ କଂସ ପୁତନା ନାମକ ଏକ ରାକ୍ଷସୀକୁ ଡାକିଲେ । ପୁତନା ପିଲାମାନଙ୍କୁ ନିଜ ସ୍ତନ୍ୟପାନ କରାଇବ ଓ ସେହି ସ୍ତନ୍ୟପାନ କରି ପିଲାମାନଙ୍କ ଜୀବନ ଚାଲିଯିବ ।

କିନ୍ତୁ ଯେବେ ଶ୍ରୀକୃଷ୍ଣଙ୍କ ଜୀବନ ନେବା ପାଇଁ ପ୍ରୟାସ କରିଲେ ତେବେ ଶ୍ରୀକୃଷ୍ଣ ପୁତନାର ସ୍ତନ୍ୟପାନ କରି କରି ପୁତନାକୁ ବ-ଧ କରିଥିଲେ । ଏହିସବୁ ମଧ୍ୟ ଫାଲଗୁନମାସର ପୂର୍ଣ୍ଣିମାତିଥି ଦିନ ହୋଇଥିଲା । ଯାହା ସେହି ଖୁସିରେ ପରଦିନ ହୋଲିପର୍ବ ପାଳନ କରାଯାଏ ।

ଶ୍ରୀରାଧା - ଶ୍ରୀକୃଷ୍ଣଙ୍କ ପ୍ରେମପ୍ରଣୟର ଲୀଳା, ଦୋଳ ଓ ରଙ୍ଗର ଖେଳ ବ୍ୟତୀତ ଅନ୍ୟଯେଉଁ ସବୁ ଆଖ୍ୟାନ ଉପାଖ୍ୟାନ ଏହି ଦୋଳ-ହୋଲି ଯୁଗ୍ମପର୍ବ ଦିବସ ସହିତ ସଂପୃକ୍ତ ।

4. ପୁଣି କେତେକଙ୍କ ମତରେ ପ୍ରବଳ ପରାକ୍ରମୀ ରାକ୍ଷସ ମେର୍ଦ୍ଧାସୁରର ମୃତ୍ୟୁର ଭଗବାନ କାରଣ ହୋଇ ପୃଥିବୀରୁ ପାପର ମାତ୍ରା ହ୍ରାସ କରିଥିବା ଯୋଗୁଁ ଏହିପର୍ବ ଆୟୋଜିତ ହୋଇଥିଲା ।

ଶ୍ରୀମନ୍ଦିର ଓ ଦୋଳଯାତ୍ରା

ଜଗନ୍ନାଥଙ୍କୁ ବିଭିନ୍ନ ନାମରେ ବିଭିନ୍ନ ମାସରେ ପୂଜା କରାଯାଇଥାଏ । ସେଥି ମଧ୍ୟରୁ ଫାଲଗୁନ ମାସରେ ତାଙ୍କର ନାମ ଗୋବିନ୍ଦ ଏଣୁ ଫାଲଗୁନ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିଟି ଗୋବିନ୍ଦ ଦ୍ୱାଦଶୀ ନାମରେ ସୁପ୍ରସିଦ୍ଧ । 

ରଥଯାତ୍ରା ଓ ଦେବସ୍ନାନ ପୂର୍ଣ୍ଣିମାକୁ ବାଦ ଦେଲେ ଦୋଳଯାତ୍ରା ପୁରୀମନ୍ଦିରର ଏକ ବିଶିଷ୍ଟ ପର୍ବ । ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ଯାନିଯାତ୍ରା ସମ୍ପର୍କରେ ଯେଉଁ ସବୁ ଉଲ୍ଲେଖ ରହିଛି, ତାହାରି ମଧ୍ୟରେ ଦୋଳଯାତ୍ରାର ବିଶେଷ ଗୁରୁତ୍ୱ ସ୍ୱୀକୃତ ହୋଇଛି । ଦୋଳରେ ଦୋଳ ଗୋବିନ୍ଦ, ଚନ୍ଦନ ଯାତ୍ରାର ଚାପରେ ମଧୁସୂଦନ ଓ ରଥଯାତ୍ରାରେ ରଥ ଉପରେ ବାମନଙ୍କୁ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏନାହିଁ ବୋଲି ଆପ୍ତବାକ୍ୟ ଓ ବିଶ୍ୱାସ ରହିଛି । 

Post a Comment

0 Comments