ଶାମ୍ବ ଦଶମୀର ପୂଜା ବିଧି
ଶାମ୍ବ ଦଶମୀର ପୂଜା ବିଧି
ମକର ସଂକ୍ରାନ୍ତି ପରେ ସୂର୍ଯ୍ୟଦେବଙ୍କର ଆଉ ଏକ ବିଶେଷ ପୂଜା ଭାବେ ଆସିଛି ଶାମ୍ବ ଦଶମୀ । ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ ଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବ ପାଳିତ ହୋଇଥାଏ । ଶାମ୍ବ ଦଶମୀକୁ ଚାନ୍ଦ୍ରମାନ ବର୍ଷର ଶେଷ ପର୍ବ କହିବାର ତାତ୍ପର୍ଯ୍ୟ ହେଉଛି ଏହାପରେ ଚିତାଲାଗି ଅମାବାସ୍ୟା ପର୍ଯ୍ୟନ୍ତ ପ୍ରାୟ ଛଅମାସ ପର୍ଯ୍ୟନ୍ତ ଆଉ ଏତେ ପିଠାପଣାର ପର୍ବ ପଡ଼େ ନାହିଁ ।
ପୂଜା ବିଧି
ପୌଷ ମାସ ଶୁକ୍ଳ ଦଶମୀ ତିଥିରେ ଶାମ୍ବ ଦଶମୀ ପାଳନର ଏକ ବିଶେଷ ପୂଜା ବିଧି ରହିଛି । ସକାଳେ ମା’ମାନେ ଶୁଦ୍ଧପୂତ ହୋଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥାନ୍ତି । ନାରୀମାନେ ନିଜ ସନ୍ତାନଙ୍କ ମଙ୍ଗଳ କାମନା କରି ଏହି ତିଥିରେ ନିଷ୍ଠାର ସହ ସୂର୍ଯ୍ୟଙ୍କୁ ପୂଜା କରିଥାନ୍ତି । ଶାମ୍ବ ଦଶମୀର ବିଶେଷତ୍ୱ ହେଉଛି, ଆକାଶରେ ସୂର୍ଯ୍ୟଙ୍କ ତିନି ସ୍ଥିତିକୁ ଲକ୍ଷ୍ୟ କରି ଘରେ ତିନିପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ ।
ଏହାପରେ ସନ୍ତାନମାନଙ୍କ ପାଇଁ ମାନସିକ ହୋଇଥିବା ପିଠାପଣା ପ୍ରସ୍ତୁତ କରାଯାଏ । ସମସ୍ତ ପିଠା ଓ ଗୁଡ଼ରେ ତିଆରି ବିଶେଷ ପଣାକୁ ତୁଳସୀ ଚଉରା ମୂଳେ ରଖାଯାଇ ଭୋଗ ଲଗାଯାଇଥାଏ । ଏହାପରେ ସୂର୍ଯ୍ୟଦେବଙ୍କ ବ୍ରତକଥା ପଢ଼ିସାରି ପୂଜା ସମାପ୍ତ ହୁଏ । ସନ୍ତାନମାନଙ୍କ ଦୀର୍ଘ ଆୟୁସ କାମନା କରି ଏହି ପୂଜା କରାଯାଇଥାଏ ।
ଅନ୍ୟ କେତେକ ମତରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ବିଧିବିଧାନ ଓ ଭିନ୍ନ ଭିନ୍ନ ବ୍ୟଞ୍ଜନରେ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରାଯାଏ।
1. ପ୍ରାତଃ କାଳ ପୂଜା
- ସକାଳ ସମୟରେ ଯେଉଁ ପୂଜା ହୋଇଥାଏ ସେତେବେଳେ ପ୍ରଥମେ ସକାଳୁ ସ୍ନାନ କରି ଯେଉଁ ସ୍ଥାନରେ ପୂଜା ହେବ ସେହି ସ୍ଥାନ କୁ ଭଲ ଭାବରେ ଧୋଇ ସେଠାରେ ଗଙ୍ଗା ପାଣି ବା ଗୋବର ପାଣି ଛିଞ୍ଚି ଦିଅନ୍ତୁ । ତାପରେ ସେଠାରେ ଝୋଟି ଚିତା ପକାନ୍ତୁ । ଏହାପରେ ସେଠାରେ କଳସ ସ୍ଥାପନ କରିବେ । ପ୍ରଥମେ କଳସ ଏବଂ ସୂର୍ଯ୍ୟ ଦେବଙ୍କୁ ପୂଜା କରନ୍ତୁ ଏବଂ ନିଜ ସନ୍ତାନଙ୍କ ନାମରେ ଭୋଗ ଲଗାନ୍ତୁ ।
- ଯେଉଁ ସ୍ଥାନରେ ଚିତା ପକାଇଛନ୍ତି ସେଠାରେ ଛୋଟ ଛୋଟ କଦଳୀ ପତ୍ର ରଖନ୍ତୁ ଏବଂ ସେହି କଦଳୀ ପତ୍ର ରେ ସକାଳ ର ଭୋଗ ପରସନ୍ତୁ । ଅରୁଣୋଦୟ ସମୟରେ ଧୂପ ହୁଏ । ନାରୀମାନେ ଶୁଦ୍ଧପୂତ ଶୁଚିମନ୍ତ ହୋଇ ଏହି ମୁହୂର୍ତ୍ତରେ ଫଳମୂଳ ଓ ମିଷ୍ଟାନ୍ନ ଇତ୍ୟାଦି ନୈବେଦ୍ୟ ବାଢ଼ନ୍ତି । ବ୍ରାହ୍ମ ମୁହୂର୍ତ୍ତରେ ପୂଜା ନୈବେଦ୍ୟ ବା ପ୍ରଥମ ଧୂପ ଅନୁଷ୍ଠିତ କରି ସୂର୍ଯ୍ୟ ପୂରାଣ ପାଠ କରିଥାନ୍ତି ।
2. ଦ୍ଵିପ୍ରହର ପୂଜା
- ମଧ୍ୟାହ୍ନରେ ମଧ୍ୟାହ୍ନ ସୂର୍ଯ୍ୟ ତେଜୋଦୀପ୍ତ ଭାସ୍କରଙ୍କୁ ଦ୍ୱିତୀୟ ଧୂପ ଦିଆଯାଏ । ଏହି ଭୋଗ କୁ ୭ ଟି ବାଇଗଣ ପତ୍ରରେ ଯଥା ଗଇଁଠା, ଖିରି, ବିଭିନ୍ନ ପ୍ରକାରର ଛଣା ପିଠା, ଖେଚୁଡି, କାକରା, ଆରିସା ପିଠା, ପୁରି,ଫଳମୂଳ, ସାକର, ମଣ୍ତ| ମାଲପୁଆ, ଲଡୁ, ଗଜା, ବିରି ଲଡୁ,ରସଗୋଲା, ମିଠାଦହି ଆଦି ନୈବେଦ୍ୟ ରୂପେ ଅଲଗା ଅଲଗା କରି ରଖି ପୂଜା କରନ୍ତୁ । ଛୁଆଙ୍କ ମଙ୍ଗଳ ମନାସି ମାଆମାନେ ଯାହା ଯାଚିଥାନ୍ତି ସେହିସବୁ ତିଆରି କରି ପୂଜା କରାଯାଇଥାଏ ।
- ସର୍ବ ଶେଷରେ ୭ଥର ପାଣି ଛଡାନ୍ତୁ ଏବଂ ମଝି ରେ ଥିବା ପତ୍ରର ଭୋଗକୁ ଘରର ସଦସ୍ୟ ଙ୍କୁ ଖାଇବାକୁ ଦିଅନ୍ତୁ ।ଏହାପରେ ଛୋଟ ଛୋଟ ପିଲା ଙ୍କୁ ଭୋଗ ଦିଅନ୍ତୁ । ଗୃହର ପ୍ରତି ସଦସ୍ୟଙ୍କ ନାମରେ ଗୋଟିଏ ଗୋଟିଏ ଫଳ ଯଚାଯାଇଥାଏ | ସେଇ ଅନୁସାରେ ସୂର୍ଯ୍ୟଦେବଙ୍କୁ ମଧ୍ୟ ଅର୍ପଣ କରାଯାଏ ପୂଜା ସମ୍ପନ୍ନ କରନ୍ତୁ ।
- ଦ୍ଵିପ୍ରହର ସମୟରେ ଗୋଟିଏ ପିତଳ ପାତ୍ରରେ ହଳଦୀ ପାଣିରେ ପାନ ପତ୍ର ପକେଇ ଚଉଁରା ମୂଳରେ ସୂର୍ଯ୍ୟଦେବଙ୍କ ପ୍ରତିବିମ୍ବକୁ ସେଇ ହଳଦୀ ପାଣିରେ ଦର୍ଶନ କରିଥାନ୍ତି | ଏବଂ ସୂର୍ଯ୍ୟ ଦେବତାଙ୍କୁ ଘରର ସମସ୍ତ ସଦସ୍ୟ ହଳଦୀ ପାଣି ଅର୍ପଣ କରନ୍ତୁ । ଏହାପରେ ସେହି ପାଣିରୁ ସନ୍ତାନମାନଙ୍କ ଉପରେ ସିଞ୍ଜନ କରାଯାଏ ଓ ପାଦୁକା ଭାବେ ଗ୍ରହଣ କରାଯାଏ । ତାପରେ ମା' ମାନେ “ଶାମ୍ବ ଦଶମୀର ବ୍ରତ କଥା" ପାଠ କରିବା ସହ ପରିବାରବର୍ଗଙ୍କ ଶୁଭକାମନା ମନାସି ଥାନ୍ତି | ଏହିପରି ଭାବରେ ମଧ୍ୟାହ୍ନ ପୂଜାକୁ ସମ୍ପନ୍ନ କରନ୍ତୁ ।
3. ସନ୍ଧ୍ୟା ପୂଜା
- ଶେଷରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଧୂପ, ଦୀପ, ନୈବେଦ୍ୟ ଦେଇ ପୂଜା କରାଯାଇଥାଏ । ଶେଷଧୂପ ବା ତୃତୀୟ ଧୂପ ହେଉଛି ସନ୍ଧ୍ୟା ସମୟର ଅସ୍ତାଚଳଗାମୀ ସୂର୍ଯ୍ୟଦେବଙ୍କ ନିମିତ୍ତ । ସନ୍ଧ୍ୟା ସମୟରେ ସୂର୍ଯ୍ୟ ଙ୍କ ଅସ୍ତକୁ ଅନାଇ ପୂଜା କରାଯାଇଥାଏ । ଏହି ସମୟରେ ମଧ୍ୟ ଆପଣ ଚିତା ପକାଇ ସେଠାରେ କଦଳୀ ପତ୍ର ରଖନ୍ତୁ ଏବଂ ସେଥିରେ ବାଇଗଣ ପତ୍ର ମଧ୍ୟ ରଖନ୍ତୁ । ଏହି ଧୂପରେ ମଧ୍ୟ ଏଣ୍ଡୁରି , କାକରା, ମାଲପୁଆ, ଗଜା ଆଦି ନୈବେଦ୍ୟ ଅର୍ପଣ କରାଯାଇଥାଏ । ସାୟଂକାଳରେ “ମହାକାଳ ପୂଜା" କରାଯାଏ |
- ଏହି ପୂଜାରେ ବୁଢା ଚକୁଳି, ଘଡ଼ଘଡିଆ ଘାଣ୍ଡ ତରକାରୀ ପ୍ରସ୍ତୁତ କରାଯାଇ ଯମଦେବଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ରୂପେ ଅର୍ପଣ କରାଯାଏ | ତେବେ ଆପଣ ଭୋଗ ଲଗାଇ କେବଳ ମଝି ପତ୍ରକୁ ଛାଡି ଦେଇ ଅନ୍ୟ ପତ୍ରର ଭୋଗକୁ ବାଣ୍ଟି ଦିଅନ୍ତୁ । ତେବେ ଏହିପରି ଭାବରେ ସନ୍ଧ୍ୟା ପୂଜା ସମ୍ପନ୍ନ କରନ୍ତୁ ।
- କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ଏ ସମୟରେ ପନିପରିବାରେ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଥାଏ । ବିଭିନ୍ନ ପନିପରିବାରେ ଏ ପର୍ବରେ ଯେଉଁ ତରକାରୀ ପ୍ରସ୍ତୁତ ହୁଏ, ତାକୁ “ଘଡ଼ଘଡ଼ା ତିଅଣ” କୁହାଯାଏ । ଏହି ପର୍ବର ମୁଖ୍ୟ ହେଉଛି ଏହି ଘାଣ୍ଟ ତରକାରୀ ଘଡ଼ାଘଡ଼ା ତିଅଣ ।
- ଏହି ଘଡ଼ଘଡ଼ା ତରକାରୀ ସବୁପ୍ରକାର ପରିବା ଦ୍ୱାରା ପ୍ରସ୍ତୁତ ହୋଇଥାଏ ଏବଂ ସିଝିବାର ଘଡ଼ଘଡ଼ ଶଦ୍ଦ ପରେ ଏହାକୁ ଚୂଲିରୁ ଓହ୍ଲାଇ ସନ୍ଧ୍ୟା ପୂଜା କରାଯାଇଥାଏ । ତେଣୁ ଏହି ବ୍ୟଞ୍ଜନର ନାମ ‘ଘଡ଼ଘଡ଼ା ତିଅଣ’ ହୋଇଛି ।
0 Comments
Do you have any doubts or suggestions? Ask them here in the comments!