ପୌଷମାସ ଧନୁ ସଂକ୍ରାନ୍ତି ଏବଂ ପହିଲି ଭୋଗ ନୀତି କିମ୍ବଦନ୍ତୀ
ପବିତ୍ର ଧନୁ ସଂକ୍ରାନ୍ତି ଠାରୁ ପୌଷମାସ ଆରମ୍ଭ । ଶ୍ରୀଜଗନ୍ନାଥଙ୍କୁ ପହିଲି ଭୋଗଲାଗି ପରମ୍ପରା ଧନୁ ସଂକ୍ରାନ୍ତି ଠାରୁ ଶ୍ରୀମନ୍ଦିରରେ ମାସେ ଧରି ନୀତି ଚାଲିବ। ମକର ସଂକ୍ରାନ୍ତିରେ ଏ ନୀତି ଶେଷ ହେବ । ପହିଲି ଭୋଗର ବିଶେଷତ୍ୱ ହେଉଛି ଏହି ସମୟରେ ମାଆଲକ୍ଷ୍ମୀ ବାପଘରକୁ ଯାଇଥାନ୍ତି । ମହାଲକ୍ଷ୍ମୀଙ୍କ ବଦଳରେ ମହାପ୍ରଭୁଙ୍କୁ ଏ ସମୟରେ ମାଆଙ୍କ ହାତ ରାନ୍ଧଣା ଖାଇବାକୁ ମିଳେ । ଏ ଭୋଗ ଶୀଘ୍ର ଲାଗୁଥିବାରୁ ଏବଂ ପ୍ରଥମେ ଲାଗୁଥିବାରୁ ଏହାକୁ ପହିଲି ଭୋଗ କୁହାଯାଏ । ପହିଲି ଭୋଗ ପାଇଁ ପ୍ରତିଦିନ ରାତି ୩ଟାରୁ ଶ୍ରୀମନ୍ଦିରରେ ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବ ରାତି ୧୧ଟାରେ ପହୁଡ ପଡିବ ।
କିମ୍ବଦନ୍ତୀ
ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଦ୍ଵାପର ଯୁଗରେ ମା’ ଯଶୋଦାଙ୍କ ପୁତ୍ର ବାତ୍ସଲ୍ୟ ତଥା ପୁତ୍ର ସ୍ନେହର ପ୍ରମାଣ ସ୍ୱରୂପ ରକ୍ମିଣୀ (ଲକ୍ଷ୍ମୀ) ପିତୃ ଗୃହକୁ ଗମନ ହେତୁ ମାତାଙ୍କର ପୁତ୍ର ସେବା ରୂପକ ‘ପହିଲି ଭୋଗ’ର ସୃଷ୍ଟି ହୋଇଛି । ଜନଶ୍ରୁତି ଅନୁଯାୟୀ, ଏହି କେତେଦିନ ଲକ୍ଷ୍ମୀ ତାଙ୍କ ସ୍ଥାନରୁ ଅନ୍ତର ହୋଇଯାଆନ୍ତି । ଲୋକ ବିଶ୍ୱାସରେ ଏହି ଧନୁ ମାସଟି ଲକ୍ଷ୍ମୀ ତାଙ୍କ ବାପ ଘରେ କାଟନ୍ତି । ପୌଷ ମାସରେ ବୋହୁ ବାପ ଘରକୁ ଯିବାର ଚଳଣି ଓଡ଼ିଶାର ଏକ ପରମ୍ପରା । । ଏହି ପହିଲି ଭୋଗରେ ବିରି ଓ ଗହମ ଚୂନାରେ ଘୃତ ପାଗ ହୋଇ ବହୁବିଧ ସ୍ବତନ୍ତ୍ର ପିଠା କରି, ମା’ ଯଶୋଦା ପୁଅ ଶ୍ରୀକୃଷ୍ଣଙ୍କୁ ଖୁଆଇଥିଲେ । । ସେଥିପାଇଁ ପ୍ରତିଦିନ ସକାଳୁ ମହାପ୍ରଭୁଙ୍କ ନିକଟରେ ପରମ୍ପରାକ୍ରମେ ଏହି ପହିଲି ଭୋଗ ହୋଇଥାଏ । ଏଥିରେ ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପିରେ ଲିଖୁତ ଦ୍ରବ୍ୟ ପରିମାଣ ଅନୁସାରେ ବଡ଼ ଝିଲି, ଦରସୁଆ ଝିଲି, ଦରସୁଆ ବଡ଼ି, ବଡ଼ବଡ଼ା, ଆରିସା, ଏଣ୍ଡୁରୀ, ମୁଗେଇ, ଝଡ଼େଇନଦା, ଚୁଡ଼ାପୁଆ, ଛତୁ, ଲଡୁ, ଗଜା, ଖଇରଚୂଳ, ଗଇଁଠା, ମଣ୍ଡା, ବଡ଼ି, କଣ୍ଢେଇ ଇତ୍ୟାଦି ପଞ୍ଚାପଚାରରେ ପୂଜା ହୋଇ ଭୋରୁ ଲାଗି ହୋଇଥାଏ । ଏହି ସବୁ ଦ୍ରବ୍ୟ ପାକ କରିବାର ସୁବିଧା ପାଇଁ ଏହି ସମୟରେ ମଙ୍ଗଳ ଆଳତି ପରେ ପରେ ରୋଷହୋମ ହୋଇଥାଏ ।
ପୁଷ ମାସରେ ଧାନ ଅମଳ ପରେ 'ଉଖୁଡା'ବା 'ମୁଆଁ'ର ପ୍ରସ୍ତୁତି ଓଡ଼ିଆ ଚଳଣିର ଏକ ବିଶେଷତ୍ୱ । ଧନୁ ସଂକ୍ରାନ୍ତିର ପ୍ରସିଦ୍ଧି ମୁଆଁ ଭୋଗ ପାଇଁ । ଧନୁ ସଂକ୍ରାନ୍ତି ଦିନ ମୁଆଁକୁ ଠାକୁରଙ୍କ ପାଖରେ ଭୋଗ ଲଗାଯାଏ । ମୁଆଁ ତିଆରିରେ ନଡ଼ିଆ ସହ ଜୁଆଣୀ ରହୁଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଉପଯୋଗୀ ।
କୃଷିଭିତ୍ତିକ ଉକ୍ରଳୀୟ ପରମ୍ପରା ଓ ପର୍ବପର୍ବାଣୀର ସ୍ଥାନସ୍ୱତନ୍ତ୍ର । ମାର୍ଗଶୀର ମାସରେ ଲକ୍ଷ୍ମୀପୂଜା ବା ମାଣବସା ପରେ ପୌଷମାସର ଆରମ୍ଭରେ ଚାଷୀ ମାନେ ପରମ ଆନନ୍ଦରେ ମା’ଲକ୍ଷ୍ମୀ ଠାକୁରାଣୀଙ୍କୁ ଖଳାବାଡ଼ିରୁ ସଯତ୍ନେ ଗୃହପ୍ରାଙ୍ଗଣକୁ ନେଇଥାନ୍ତି । ସଂଯୋଗ ବଶତଃ ଏହି ସମୟରେ ଆଖୁ ଅମଳ ମଧ୍ୟ ସରିଥାଏ । ତେଣୁ ସର୍କରାଯୁକ୍ତ ମିଶ୍ରିତ ପଦାର୍ଥରେ ତିଆରି ହୋଇଥିବା ମୁଆଁ ବା ଉଖୁଡ଼ା ଗୃହର ଆରଧ୍ୟଦେବତା ଓ ଧନଲକ୍ଷ୍ମୀଙ୍କ ପାଖରେ ନୈବେଦ୍ୟ ଅର୍ପଣ କରାଯାଇଥାଏ । ଅମାବାସ୍ୟା ଓ ପୂର୍ଣ୍ଣିମାକୁ ଧରି ଚନ୍ଦ୍ରଙ୍କ କଳାର କ୍ଷୟ ବୃଦ୍ଧି ସହିତ ଚାନ୍ଦ୍ରମାନ ଓ ସଂକ୍ରାନ୍ତି କଳାରେ ଓ ସୌରମାନ ମାସ ଆମର ପଞ୍ଜିକାରେ ଅନ୍ତର୍ଭୁକ୍ତ ।
ଜାଣନ୍ତୁ ଧନୁ ସଂକ୍ରାନ୍ତି ସଂପର୍କରେ ଦଶଟି କଥା
ଏହି ଅବସରରେ ସୂର୍ଯ୍ୟପୂଜା ସାଙ୍ଗକୁ ପୁରୀରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପାଇଁ ପହିଲି ଭୋଗ ଲାଗି ହୋଇଛି, ଏଥିସହିତ ଘରେ ଘରେ ଠାକୁରଙ୍କ ପାଖରେ ଧନୁମୁଆଁ ଲାଗି କରାଯାଇଛି।
(୧) ପୌଷ ମାସର ପ୍ରଥମ ଦିନ ସୂର୍ଯ୍ୟ ଧନୁରାଶିରେ ପ୍ରବେଶ କରୁଥିବାରୁ ଏହାକୁ ଧନୁ ସଂକ୍ରାନ୍ତି ବୋଲି କୁହାଯାଏ।
(୨) କୃଷିପ୍ରଧାନ ରାଜ୍ୟ ଓଡ଼ିଶା ପାଇଁ ପୌଷ ମାସ ହେଉଛି ସମୃଦ୍ଧିର ମାସ। କାରଣ ଏହି ମାସ ଚାଷୀଘରକୁ ଅମଳ ହୋଇଥିବା ଖାଦ୍ୟଶସ୍ୟ ଆସିଥାଏ। ତେଣୁ ଏହିଦିନ ଧାନ ଅମଳ ପରେ ମୁଆଁ ବା ଉଖୁଡ଼ା ପ୍ରସ୍ତୁତ ହୋଇ ଚାଷୀଘରେ ଦିଅଁଙ୍କ ପୂଜା କରାଯାଏ, ଯାହାକୁ ଧନୁମୁଆଁ ବୋଲି କୁହାଯାଏ।
(୩) ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପହିଲି ଭୋଗନୀତି ଅନୁଷ୍ଠିତ ହୁଏ ।
(୪) ଠାକୁରମାନଙ୍କ ନିକଟରେ ଅନ୍ୟ ମାସ ଅପେକ୍ଷା ଏହି ସମୟରେ ଅତି ସକାଳୁ ସକାଳୁ ଭୋଗ ଲାଗି କରାଯାଏ ।
(୫) ଲୋକବିଶ୍ବାସ ଅନୁସାରେ, ଧନୁ ସଂକ୍ରାନ୍ତିରେ ମହାଲକ୍ଷ୍ମୀ ଶ୍ରୀମନ୍ଦିର ଛାଡ଼ି ମାସକ ଲାଗି ତାଙ୍କ ବାପଘରକୁ ଯାଆନ୍ତି । ତେଣୁ ଏହି ସମୟରେ ଠାକୁରମାନଙ୍କ ଲାଗି ମା ଯଶୋଦା ଖାଦ୍ୟ ପ୍ରସ୍ତୁତ କରି ତାଙ୍କ ପୁଅଝିଅ (ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା)ଙ୍କୁ ସକାଳୁ ସଅଳ ସଅଳ ଖାଇବାକୁ ଦେଇଥାନ୍ତି । ଯଶୋଦା ଖାଦ୍ୟ ପ୍ରସ୍ତୁତ କରୁଥିବାରୁ ଅନ୍ୟ ସମୟ ଅପେକ୍ଷା ଏହି ସମୟରେ ସ୍ବତନ୍ତ୍ର ଭୋଗ ମାନ ଲାଗି ହୁଏ ।
(୬) ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କ ବାପଘର ଯିବା ପରମ୍ପରା ଅନୁସାରେ ଓଡ଼ିଆ ଚଳଣୀରେ ପୂର୍ବରୁ ବାହା ହୋଇଯାଇଥିବା ଝିଅମାନେ ଏହି ସମୟରେ ବାପଘରକୁ ଆସୁଥିଲେ ଓ ସେମାନଙ୍କ ଲାଗି ମାମୁଘର ପକ୍ଷରୁ ସ୍ବତନ୍ତ୍ର ଖାଦ୍ୟପେୟ ଭାର ଆସୁଥିଲା ।
(୭) ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଓଡ଼ିଆ ପରମ୍ପରାରେ କୌଣସି ଶୁଭକାର୍ଯ୍ୟ (ବିବାହ, ବ୍ରତ ଇତ୍ୟାଦି) କରାଯାଏ ନାହିଁ । ଏହି ସମୟରେ ଲୋକେ ତୀର୍ଥଯାତ୍ରାରେ ଯିବା ବିଧି ରହିଛି ।
(୮) ପୌଷ ମାସରେ ବଉଳ ଅମାବାସ୍ୟା ପଡ଼େ ଓ ଏହିଦିନ ବରାହ (ଅବତାର) ଜନ୍ମ ହୋଇଥିଲେ ବୋଲି ପୁରାଣରେ ବର୍ଣ୍ଣନା ରହିଛି । ବରାହ ଅମାବାସ୍ୟାରେ ଗଇଁଠା ପୂଜା କରାଯିବା ପରମ୍ପରା ରହିଛି।
(୯) ପୌଷ ପୂର୍ଣ୍ଣିମା ଦିନ ରାମଚନ୍ଦ୍ର ଚଉଦ ବର୍ଷ ବନବାସ ସାରି ଅଯୋଧ୍ୟା ଫେରି ଶାସନ ଭାର ଗ୍ରହଣ କରିଥିବା କୁହାଯାଏ । ପୁରାଣ ଅନୁସାରେ, ଏହି ତିଥିରେ ତାଙ୍କର ରାଜାଭିଷେକ ହୋଇଥିଲା । ଏହାର ସ୍ମୃତିରେ ଏହି ଦିନ ଶ୍ରୀମନ୍ଦିର ସମେତ ବିଭିନ୍ନ ଦେବପୀଠରେ ଦିଅଁମାନଙ୍କର ପୁଷ୍ୟାଭିଷେକ ହୁଏ ।
(୧୦) ଏହି ସମୟରେ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପଡ଼େ, ଯାହା ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ମାନ୍ୟତା ପାଇଛି ।

0 Comments
Do you have any doubts or suggestions? Ask them here in the comments!