ପଣ୍ଡୁ ଓଷା କ'ଣ ? ମାର୍ଗଶିର ପୂର୍ଣ୍ଣିମା ଦିନ ପାଳନ କରାଯାଏ କାହିଁକି ?
ପଣ୍ଡୁ ଓଷା କ'ଣ ? ମାର୍ଗଶିର ପୂର୍ଣ୍ଣିମା ଦିନ କାହିଁକି ପାଳନ କରାଯାଏ
ପଣ୍ଡୁଓଷା ମାର୍ଗଶିର ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ । ମାର୍ଗଶିର ପୂର୍ଣ୍ଣିମାକୁ ପଣ୍ଡୁପୂର୍ଣ୍ଣିମା କୁହାଯାଏ । ଏହି ସମୟରେ ହେମନ୍ତ ଋତୁ ସରି, ଶୀତର ଆରମ୍ଭ ହେଉଥାଏ । ସକାଳୁ ସକାଳୁ କୁହୁଡ଼ି ହେତୁ ସର୍ବତ୍ର ଫିକାଧଳା ବା ପାଣ୍ଡୁର ବର୍ଣ୍ଣ ଦିଶୁଥାଏ । ଏଣୁ ଏହି ପୂର୍ଣ୍ଣିମାର ନାଁ ପଣ୍ଡୁ ପୂର୍ଣ୍ଣିମା କୁହାଯାଏ । ମାର୍ଗଶୀର ମାସ ସାରା ମହିଳାମାନେ ପ୍ରତ୍ୟହ ସକାଳୁ ରାସ୍ତା ଝାଡ଼ୁ କରନ୍ତି । ପଣ୍ଡୁ ପୂର୍ଣ୍ଣିମା ଦିନ ଏହା ଶେଷ ହୁଏ । ସନ୍ଧ୍ୟାରେ ସେମାନେ ପଣ୍ଡୁ ଓଷା ପାଳନ କରନ୍ତି ।
ପଣ୍ଡୁ ଓଷାର ପୌରାଣିକ କଥା
ପଣ୍ଡୁନାମଟି ମହାଭାରତର ଚରିତ୍ର କୁନ୍ତୀ ପତିଙ୍କୁ ବୁଝାଇଥାଏ । ସମ୍ଭବତଃ ଏହି ଦିବସରେ ହିଁ ପଣ୍ଡୁ ବ୍ଯାସଙ୍କ ଔରସରୁ ଆମ୍ବାଙ୍କ ଗର୍ଭରୁ ଜନ୍ମ ହୋଇଥିଲେ । ବ୍ୟାସଙ୍କର ଭୟଙ୍କର ଶ୍ମଶ୍ରୁଯୁକ୍ତ ମୁଖମଣ୍ଡଳକୁ ଦେଖି ଅମ୍ବାଙ୍କର ମୁହଁ ପାଣ୍ଡୁର ପଡିଯାଇଥିବାରୁ ବ୍ଯାସ ମାତା ସତ୍ଯବତୀଙ୍କୁ କହିଥିଲେ ଯେ ଅମ୍ବାଙ୍କ ଗର୍ଭରୁ ଜାତହେବା ସନ୍ତାନ ନିଶ୍ଚୟ ପାଣ୍ଡୁବର୍ଣ୍ଣ ଏବଂ ରୁଗ୍ଣ ହେବ । ପିଲାର ଜନ୍ମପରେ ପିଲା ପାଣ୍ଡୁବର୍ଣ୍ଣ ହୋଇଥିବାରୁ ତାଙ୍କର ନାମକରଣ କରାଗଲା ପାଣ୍ଡୁ । ତାଙ୍କ ସମୟରେ ସେ ପ୍ରଚଣ୍ଡ ଧନୂର୍ଦ୍ଧାରୀ ହେବା ସହିତ ପ୍ରବଳ ଇଶ୍ଵରାନୂରାଗୀ ହେଲେ ।
ମାତ୍ର ନିଜର ସାନରାଣୀଙ୍କ ସହ ସମ୍ଭୋଗରେ ଲିପ୍ତ ହେବାରୁ ପୂର୍ବ ଅଭିଶାପ ପାଇଁ ତାଙ୍କୁ ମୃତ୍ୟୁ ମୁଖରେ ପଡ଼ିବାକୁ ହୋଇଥିଲା । ପଣ୍ଡୁଙ୍କର ମୃତ୍ୟୁପରେ ମାଦ୍ରି ମଧ୍ଯ ମୃତ୍ୟୁ ବରଣ କଲେ । ପଣ୍ଡୁଙ୍କର ପାଞ୍ଚପୁତ୍ର ଦୁର୍ଯ୍ୟୋଧନର ଚକ୍ରାନ୍ତରେ ପଡି ରାଜଭବନରୁ ବିତାଡ଼ିତ ହୋଇ ମାତା କୁନ୍ତୀ ଓ ପତ୍ନୀ ଦ୍ରୌପଦୀଙ୍କ ସହ ବିଭିନ୍ନ ସ୍ଥାନ ଭ୍ରମଣ କାଳରେ ନିଜପିତା ପଣ୍ଡୁଙ୍କର ସ୍ମରଣ କରୁଥିଲେ । ପଣ୍ଡୁବଂଶୀ ସହଦେବ କଳିଙ୍ଗ ରାଜାଙ୍କୁ ପରାସ୍ତ କରି ଶାସନ କରୁଥିଲେ ଏବଂ ସମ୍ଭବତଃ ତାଙ୍କର ନିଜ ପିତାଙ୍କୁ ପୂଜା କରିବା ଘଟଣା କାଳକ୍ରମେ ପଣ୍ଡୁ ପୂଜାର ନାମ ନେଇଗଲା ।
ମାତ୍ର ପଣ୍ଡୁ ଓଷା କଥାରେ ନାରୀମାନେ ସନ୍ତାନାଦି ପ୍ରାପ୍ତି ନିମନ୍ତେ ଯମରାକାଙ୍କୁ ପୂକାକରିବା ପ୍ରସଙ୍ଗ ବର୍ଣ୍ଣିତ ହୋଇଛି । ଓଷା କଥାନୁସାରେ ଜମ୍ବୁଦୀପରେ କଳିଙ୍ଗନଗରର ରାଜାଙ୍କ ପାତ୍ରମନ୍ତ୍ରୀ--ଧନଦଉଲତ କୌଣସ ଥିରେ ଅଭାବ ନଥିଲା ବେଳେ ସନ୍ତାନଟିଏ ନଥିବାର ଦୁଃଖରେ ରାଜା ସଦା ବିରସ ରହୁଥିଲେ । ଥରେ ଜଣେ ସ୍ତ୍ରୀଲୋକ ରାଜାଙ୍କୁ ଦେଖି ଅପୁତ୍ରିକକୁ ଦେଖି ପକାଇଥିବାରୁ ନିଜକୁ ଧିକ୍କାର କରିବା କଥା ରାଜାଙ୍କୁ ଖୁବ୍ ବାଧିଲା ଫଳରେ ରାଜା ନିଜ ମନ୍ତ୍ରୀଙ୍କୁ ରାଜଗାଦି ଅର୍ପଣ ପୂର୍ବକ ରାଜାରାଣୀ ବଣକୁ ତପସ୍ଯା ଲାଗି ବାହାରିଲେ । ଏହା ମଧ୍ଯରେ ରାଜା ନିଜକୁ ଧିକ୍କାର କରି ଆତ୍ମହତ୍ଯାର ପ୍ରୟାସ କରି ବିଫଳ ହୋଇଥିଲେ । ବଣରେ ବାସ କରୁଥିବା ସମୟରେ ଅତ୍ଯଧିକ ଭୋକରୁ ରକ୍ଷା ପାଇବା ନିମନ୍ତେ ସେ ନିକଟସ୍ଥ ଏକ ଗ୍ରାମକୁ କିଛି ଭିକ୍ଷାର ଦ୍ଦେଶ୍ଯ ନେଇ ଗମନ କଲାବେଳେ ଦେଖିଲେ କିଛି ସ୍ତ୍ରୀଲୋକ ପଣ୍ତୁଓଷା କରୁଛନ୍ତି । ସେଠାରେ ଯାଇ ସେ ଓଷାର କାରଣ ପଚାରିବାରୁ ସେମାନେ କହିଲେ,ଏହି ବ୍ରତକଲେ ନିଶ୍ଚୟ ସନ୍ତାନ ଜନ୍ମ ହୁଏ । ରାଜା ସେମାନଙ୍କଠାରୁ ବ୍ରତର ବିବରଣୀ ଜ୍ଞାତ ହୋଇ ପ୍ରସାଦ ପାଇଁ ସେଠାରୁ ଫେରି ପଣ୍ଡୁ ଓଷା ଯଥାବିଧି ପାଳନ କଲେ । ଏହାର କିଛି ଦିନପରେ ରାଣୀଙ୍କ ଗର୍ଭରୁ ସୁନ୍ଦର ପୁତ୍ରଟିଏ ଜନ୍ମନେଲା । ପୁତ୍ରଲାଭ ପରେ ରାକା ଏପରି ଆନନ୍ଦରେ ନିମଗ୍ନ ହେଲେ ଯେ ଓଷା କିମ୍ବା ଉପବାସ କଥା ସମ୍ପୂର୍ଣ୍ଣ ଭୁଲିଗଲେ ।
ଏହା ମଧ୍ଯରେ ସେହି ସନ୍ତାନ ବଡ ହେଲା । ଘରେ ଆଉ ପୂଜା ହେଉନଥିବାରୁ ଯମରାକା କ୍ରୋଧିତ ହୋଇ ସେହି ପିଲାକୁ ବାନ୍ଧିଆଣିବା ନିମନ୍ତେ ଦୂତମାନଙ୍କୁ ପ୍ରେରଣ କଲେ । ଦୂତମାନେ କାଳପାଶରେ ସେହି ଯୁବକଙ୍କୁ ବାନ୍ଧି ଆଣିବାରୁ ଯମଙ୍କ ମାଆ ବ୍ଯଥିତ ହୋଇ କହିଲେ,ଯଦି ତୁ ଏହି ନିରୀହ ରାଜକୁମାରଙ୍କ ପରିବର୍ତ୍ତେ କୌଣସି ବୃଦ୍ଧକୁ ଧରି ଆଣିଥାନ୍ତୁ ତାହାଲେ ମୋର ଆପତ୍ତି ନଥିଲା ମାତ୍ର ଏହାକୁ ଆଣି ତୁ ମୋତେ ମର୍ମାହତ କଲୁ ।
ଯମ କେବଳ ଏତିକି କହିଲେ ଏହାର ସତ୍ଯାସତ୍ୟ ମୁଁ ନିଶ୍ଚୟ ତୁମକୁ ବୁଝାଇଦେବି । ଥରେ ଯମରାଜା ତାଙ୍କ ମାଆଙ୍କୁ କହିଲେ ମାଆ ବାଡ଼ିରୁ ଖାଇବା ଲାଗି କଦଳୀ ଆଣିବ । ମାଆ ବାଡ଼ିକୁ ଯାଇ ପାଚିଲା କଦଳୀ ପରିବର୍ତ୍ତେ କଞ୍ଚାକଦଳୀ ଆଣିବାରୁ ଯମ ପଚାରିଲେ ପାଚିଲା ପରିବର୍ତ୍ତେ କାହିଁକି କଞ୍ଚାକଦଳୀ ଆଣିଛ ? ମାଆ ନିଜର ଭୂଲ ବୁଝିପାରି ଚୂପ୍ ରହିଲେ ।
ସେତିକିବେଳେ ଯମ ବୁଝାଇ କହିଲେ ଏହି ପିଲାର ପିତାମାତା ସତ୍ଯ ଭଗ୍ନ କରିଥିବାରୁ ଯମଦୂତମାନେ ମୋ ନିର୍ଦ୍ଦେଶରେ ଏହାକୁ ବାନ୍ଧି ଆଣିଛନ୍ତି । ଏକଦା ଯମପୁରୀରେ ଯମଙ୍କ ମାଆ ବିଚରଣ କରୁଥିବା ସମୟରେ ସେହି ରାଜକୁମାରଟି ଛିଙ୍କି ଦେବାରୁ ଯମ ମାଆଙ୍କ ପାଟିରୁ ବାହାରି ଆସିଲା ଅମର ହୋଇଥା । ମୃତ୍ୟଲାଗି ଉଦ୍ଧିଷ୍ଟ ପୁତ୍ରକୁ ଅମରତ୍ବ ପ୍ରଦାନ କରିଥିବାରୁ ଯମ କହିଲେ ମାଆ ମାନସିକ କରିପୂରଣ କରିନଥିବାରୁ ମୁଁ ଏହିପୁତ୍ରକୁ ଲୁଚାଇ ରଖିଥିଲି ମାତ୍ର ତୁମେ ଏହାକୁ ଅମର ବର ଦେବାରୁ ସଂସାରରେ ମୋତେ ଆଉ କେହି ପୂଜା କରିବେ ନାହିଁ । ମାଆ ତାଙ୍କୁ ଆଶ୍ବାସନା ଦେଇ କହିଲେ ଏହି ପୁତ୍ରକୂ ତାଙ୍କ ଘରେ ଛାଡି ଦେଇଆସ ଏବଂ ସେହି ରାଜକୁମାରଙ୍କୁ ବୁଝାଇଦେଲେ ମାର୍ଗଶିର ମାସ ପୂର୍ଣ୍ଣମୀରେ ଯେପରି ତାହାର ପିତାମାତା ପଣ୍ଡୁ ଓଷା କରନ୍ତି ନଚେତ୍ ସନ୍ତାନ କଷ୍ଟ ପାଇବେ । ଏଣୁ ମାର୍ଗଶିର ପୂର୍ଣ୍ଣିମୀରେ ନାରୀମାନେ ପୁତ୍ର ପ୍ରାପ୍ତି ଏବଂ ସନ୍ତାନର ନୀରୋଗ ଜୀବନ ପାଇଁ ପଣ୍ଡୁ ଓଷା କରନ୍ତି।
ପଣ୍ଡୁଓଷା ପୂଜାବିଧି
ବଡ଼ ଓଷା ପରି ଏହି ବ୍ରତକୁ ଗଜ ବସାଇ ପାଳନ କରାଯାଏ । ନାରୀମାନେ ଏହି ବ୍ରତ ମାଧ୍ୟମରେ ଯମରାଜାଙ୍କୁ ବା ଉପାସନା କରନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ପୁତ୍ର ସନ୍ତାନ କାମନା । ଏହି ବ୍ରତ ପାଳନରେ ନିର୍ଦ୍ଧିଷ୍ଟ ବିଧି ରହିଅଛି । ଏଥିପାଇଁ ଗୃହ ଚଟାଣକୁ ଗୋବରରେ ଚିକ୍କଣ କରି ଲିପାଯାଏ । ଚିତା ଓ ମୁରୁଜ ତହିଁ ପରେ ପକାଯାଏ । ଗଜକୁ ସ୍ଥାପନ କରାଯାଏ ଏବଂ ପୂଜନ ବିଶେଷକରି ପୁରୋହିତଙ୍କଦ୍ୱାରା ଯମରାଜଙ୍କୁ ଆବାହନ, ପୂଜନ ଏବଂ ନୈବେଦ୍ୟ ଅର୍ପଣ ପୂର୍ବକ ଭକ୍ତି ପ୍ରଣତି ବଢ଼ାଯାଏ । ଏହି ପୂଜାର ମୁଖ୍ୟ ଭୋଗ ହେଉଛି ମଣ୍ଡା ପିଠା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ନୂଆ ଗୋବର ଲିପା ଟୋକେଇ ବା ପାଛିଆ ପୂର୍ଣ୍ଣଧାନ ଆଣି ଢିଙ୍କିରେ କୁଟି ଚାଉଳ କରାଯାଏ । ଏହି ଚାଉଳକୁ ପୁଣି ଚୁନା କରି ସେଥିରେ ନଡ଼ିଆ ଦେଇ ନଡ଼ିଆ ମଣ୍ଡା କରାଯାଏ ଓ ପୂଜାଭୋଗ କରାଯାଏ । ଏହାସହିତ ଖଇ, କଦଳୀ, ଫଳ ଏବଂ ଛେନା ଆଦି ଭୋଗ ମଧ୍ୟ ବଢ଼ାଯାଏ । ପଣ୍ଡୁଓଷା ଏକ ନିଷ୍ଠାର ବ୍ରତ ସହିତ ପଣ୍ଡୁଓଷା ବ୍ରତ ବହି ପାଠ କରାଯାଏ । ନାରୀଜାତି ବିଶେଷ କରି ମା’ମାନଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ।
ଲୋକଗୀତରେ ଅଛି: ""ଅଇଲା ପଣ୍ଡୁ ମଲେ ମଶା/ଫାଟୁଆ ଦେଲେ ମୁରୁକି ହସା ॥ କୁହୁଡ଼ି ହେଉଛି ମଶାଙ୍କର ଯମ । ଅନ୍ୟପକ୍ଷରେ ଗୋଡ଼ଫଟା ରୋଗ ଶୀତକୁ ଆରମ୍ଭ ହୁଏ ।
0 Comments
Do you have any doubts or suggestions? Ask them here in the comments!