ବାଟ ଓଷା ବା ଦାଣ୍ଡ ପହଁରା ଓଷା
ଭାରତୀୟ ସଂସ୍କୃତିରେ ସୂର୍ଯ୍ୟପୁତ୍ର ଯମ ମୃତ୍ୟୁର ଦେବତା ଭାବରେ ପରିଚିତ। ପୌରାଣିକ ମତେ ମୃତ୍ୟୁର ଦେବତା ଯମ ଅତ୍ୟନ୍ତ କଠୋର ଓ ମର୍ମତୁଦ, ସେ ପ୍ରାଣୀର କର୍ମ ଅନୁସାରେ, ମୃତ୍ୟୁପରେ ଦଣ୍ଡବିଧାନ କରନ୍ତି । ମୃତ୍ୟୁ ପରେ ମନୁଷ୍ୟ ଯମାଳୟ ଗମନ କରେ। କିନ୍ତୁ ଯେଉଁ ବ୍ୟକ୍ତି ସତ୍ୟ, ଧର୍ମ ଓ ନ୍ୟାୟରେ ଥାଏ, ମୃତ୍ୟୁ ତା’ପାଇଁ ମୁକ୍ତିର ଦ୍ୱାର ଉନ୍ମୋଚନ କରିଥାଏ। ଏଣୁ ସତ୍ୟ, ଧର୍ମ ଓ ନ୍ୟାୟର ଦେବତା ହେଉଛନ୍ତି ଯମ। ସେଥିପାଇଁ ଏହି ମୃତ୍ୟୁ ଦେବତାଙ୍କର ଅନ୍ୟ ନାମ ଧର୍ମଦେବତା। ସେ ଧର୍ମର ଜାଗ୍ରତ ପ୍ରହରୀ।
ଗରମ ତେଲ କଢ଼େଇରେ ପକାଇବା, ତାହାର ଚକ୍ଷୁ ଓ କର୍ଣ୍ଣରେ ଗରମ ତେଲ ପକାଇବା; ଅସତୀ ଦୋଚାରୁଣୀମାନଙ୍କୁ ଶିମିଳି ଗଛରେ ଟାଙ୍ଗିବା ସହ ବିଛା, କଙ୍କଡା, ନାଗମାନଙ୍କଦ୍ୱାରା ଅନେକ ଯନ୍ତ୍ରଣା ଦିଅନ୍ତି । ଏସବୁ ଯନ୍ତ୍ରଣାରୁ ରକ୍ଷା କରିବା ଏବଂ ଯମଙ୍କୁ ପ୍ରସନ୍ନ କରିବା ଉଦ୍ଦେଶ୍ୟରେ ବାଟ ଓଷା ବା ଦାଣ୍ଡ ପହଁରା ଓଷାର ସୃଷ୍ଟି ।
ଦୀର୍ଘ ଓ ଧାର୍ମିକ ଜୀବନ ବଞ୍ଚିବା ପାଇଁ ଏହି ଦେବତାଙ୍କୁ ସନ୍ତୁଷ୍ଟ କରିବା ଆବଶ୍ୟକ ପଡ଼ିଥାଏ। ତେଣୁ ଓଡ଼ିଶାର ଗ୍ରାମୀଣ ପରମ୍ପରାରେ ଯମଙ୍କୁ ସନ୍ତୁଷ୍ଟ କରିବାପାଇଁ ଅନେକ ଲୋକପର୍ବ, ଓଷାବ୍ରତ ଆଦି ପାଳନ କରାଯାଇଥାଏ। ସେଥି ମଧ୍ୟରୁ ଗୋଟିଏ ହେଉଛି ‘ବାଟ ଓଷା’ ବା ‘ଦାଣ୍ଡ ପହଁରା ଓଷା’। ଏହି ଓଷା ବାଟ ବା ଦାଣ୍ଡରେ ପାଳିତ ହେଉଥିବାରୁ, ଏପରି ନାମକରଣ ହୋଇଛି।
ପୂଜାପଦ୍ଧତି
“ପଣ୍ଡୁପୂର୍ଣ୍ଣିମା ହେବ ଗତ। ତୃତୀୟ ନବମ ସପତ।।
ଏ ତିନି ଦିନଟି ପ୍ରଧାନ। ଓଷା କରିବାର ବିଧାନ।।
ବାଟ ଓଷା ବା ଦାଣ୍ଡ ପହଁରା ଓଷା ପୌଷମାସ କୃଷ୍ଣ ଦ୍ୱିତୀୟା ତିଥିରେ ପାଳନ କରାଯାଏ । ଏହି ଓଷା ଯମରାଜାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଏ । ପ୍ରତ୍ୟେକ ମାଆମାନେ ନିଜ ପୁତ୍ରମାନେ ଦୀର୍ଘାୟୁ ହେବା ନିମନ୍ତେ ରାତିରେ ଉପବାସ ରହି ବଜ୍ରମୂଳି ଗଛରେ ଦାଣ୍ଡ ପହଁରି ନିଜ ନିଜର ପୁତ୍ରମାନଙ୍କୁ ଝାଡ଼ିଥାନ୍ତି । ଇନ୍ଦ୍ରଙ୍କର ଅମୋଘ ଅସ୍ତ୍ର ହେଉଛି ବଜ୍ର । ସେଥିପାଇଁ ପ୍ରବାଦ ଅଛି-ମାତାମାନେ ନିଜ ସନ୍ତାନର ଦୀର୍ଘଜୀବନ କାମନା କରି ଓଷା ମଣ୍ଡପର ଚତୁର୍ପାଶ୍ୱକୁ ବଜ୍ରମୂଳିରେ ପହଁରିବା ପରେ ସେଥିରେ ସନ୍ତାନମାନଙ୍କୁ ଝାଡ଼ିଥାନ୍ତି ।
ଏହି ଓଷା ପାଳନ ଟିକିଏ କଠିନ। ନାରୀମାନେ ଦିନସାରା ଉପବାସ ରହି, ସ୍ୱାଦିଷ୍ଠ ପିଠାପଣା ସହିତ ଉଖୁଡ଼ା, କଦଳୀ, ଆଖୁ ଓ ମୂଳା ଆଦି ନୈବେଦ୍ୟ ରଖି, ଏକ ବଜ୍ରମୂଳି ଗଛରେ ତାହାକୁ ଘୋଡ଼ାଇ ତିନିମୁହାଣି ସ୍ଥାନକୁ ନେଇ ଯାଆନ୍ତି। ସେଠାରେ ଆଗରୁ ଏକ ଗାତ ଖୋଳି ତାହାର ଚାରି ପାଖକୁ ଲିପାପୋଛା କରାଯାଇ ଫୁଲରେ ସଜା ହୋଇଥାଏ। ସେହି ପନ୍ଥେଇକୁ ଚନ୍ଦନ, ସିନ୍ଦୂର ଓ ଧୂପ ଦେଇ ବଜ୍ରମୂଳି ଡାଳ ରଖି ପୂଜା କରାଯାଏ। ଓଷା ବହି ପଢ଼ାହୁଏ। ପୂଜା ସରିବା ପରେ ସେହି ତିନି ମୁହାଣି ଦାଣ୍ଡକୁ ବଜ୍ରମୂଳିରେ ଓଳାଯାଏ।
ଏହା ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ, ନୂଆ ଧାନ କୁଟି ମଣ୍ଡାପିଠା, ମୁଢି, ଖଇ, ମୁଆଁ, ଚୁଡା, କଦଳୀ, ମୂଳା, ଆଖୁ, କରମଙ୍ଗା, କନ୍ଦମୂଳ, ତୁଷ ଓ କୁଣ୍ଡା ଆଦି ନୈବେଦ୍ୟ କରାଯାଏ । ଗାଁ ଦାଣ୍ଡ ବା ବନସ୍ତରେ ଗାତ ଖୋଳାଯାଇ, ଗୋଟିଏ ପାତ୍ରରେ ସିନ୍ଦୂରରେ ଯମଙ୍କ ପ୍ରତିମା ସ୍ଥାପନ ପୂର୍ବକ ମାତାମାନେ ଚାରିପଟେ ଚାଙ୍ଗୁଡା ଧରି, ବଜ୍ରମୂଳି ଉପରେ ରଖି କପଡ଼ା ଢାଙ୍କି ବସନ୍ତି ଏବଂ ଯମ ଦେବତାଙ୍କୁ ଷୋଡ଼ଶୋପଚାରରେ ବ୍ରାହ୍ମଣଙ୍କଦ୍ୱାରା ପୂଜାର୍ଚ୍ଚନା କରନ୍ତି । ତାହା ପରେ ମାତାମାନେ ନିଜ ସନ୍ତାନମାନଙ୍କର ଦୀର୍ଘଜୀବନ କାମନା କରି ଯମଙ୍କୁ ସ୍ମରଣ କରିଥାନ୍ତି ।
ଏହି ପୂଜାର ନିୟମ ଏପରି, ସବୁ ପ୍ରସାଦ ପୂଜାମଣ୍ଡପକୁ ନେବେ ଏବଂ ଘରେ ଲୋଭବଶତଃ ପୂଜାଦ୍ରବ୍ୟ ରଖିଲେ ଯମ ଅସନ୍ତୁଷ୍ଟ ହୋଇଥାନ୍ତି । ପୂଜାଅନ୍ତେ ସମସ୍ତ ପ୍ରସାଦକୁ ବାଳକ, ବୃଦ୍ଧ ଓ ପରିବାରବର୍ଗଙ୍କ ମଧ୍ୟରେ ବାଣ୍ଟିଦେବା ବିଧେୟ ।
ପୌରାଣିକ କିମ୍ବଦନ୍ତୀ
କୋଶଳ ଦେଶର ରାଜା ସୁଦର୍ଶନ ଓ ରାଣୀ ଲୀଳାବତୀ, ଦୁହେଁ ପରୋପକାରୀ ଓ ପ୍ରଜାବତ୍ସଳ ହୋଇଥିଲେ ମଧ୍ୟ ପୁତ୍ରସନ୍ତାନ ନଥିବାରୁ ମନସ୍ତାପ କରିଥିଲେ । ବିଜ୍ଞ ବ୍ରାହ୍ମଣ, ଜ୍ୟୋତିଷ ଦାଣ୍ଡ ପହଁରା ବା ବାଟ ଓଷା କରିବାଦ୍ୱାରା ଯମଙ୍କୁ ସନ୍ତୁଷ୍ଟ କଲେ ପୁତ୍ରପ୍ରାପ୍ତି ହେବ ବୋଲି ପରାମର୍ଶ ଦେଇଥିଲେ । ଓଷା କରିଥିବା ରାଜ୍ୟର ଗୃହିଣୀମାନଙ୍କଠାରୁ ପ୍ରସାଦ ପାଇ ରାଣୀ ଗର୍ଭବତୀ ହେବା ସହ ଉତ୍ତମ ପୁତ୍ରପ୍ରାପ୍ତ କରିଥିଲେ , ଯାହାର ନାମ ବୀରସେନ । କିନ୍ତୁ ପୁତ୍ରପ୍ରାପ୍ତି ପରେ, ରାଣୀ ଆଉ ଯମଦେବତାଙ୍କ ବାଟ ଓଷା ନ କରିବା ଯୋଗୁଁ ଯମ ବୀରସେନଙ୍କୁ ଅପହରଣ କରି ନେଇଗଲେ ଏବଂ ନିଜର ମାତାଙ୍କୁ ତାଙ୍କୁ ମାରି ରୋଷେଇ କରି ଖାଇବାକୁ ଦେବା ପାଇଁ କହିଥିଲେ । ତତ୍ପରେ ଯମ ସ୍ନାନ କରିବାକୁ ଚାଲିଗଲେ ।
ଇତ୍ୟବସରରେ ବୀରସେନଙ୍କ ନାକରେ ଦୁଇ ଖଣ୍ଡ କାଠି ପୂରାଇ ପୂଜା ସମୟରେ ଛିଙ୍କିବା ପାଇଁ ଯମଙ୍କ ମାତା ଶିଖାଇ ଦେଲେ । ବୀରସେନ, ଯମମାତାଙ୍କ କହିବା ଅନୁସାରେ ନାକରେ କାଠି ପୂରାଇ ଛିଙ୍କିଥିଲେ । ଏହି ସମୟରେ ଯମମାତା ଅଚ୍ଛମର ହୁଅ ବୋଲି କହିଥିଲେ । ଯାହା ଫଳରେ ଯମଦେବ ବୀରସେନଙ୍କୁ ନ ମାରି, ବାଟ ଓଷା ନକଲେ ପୁନର୍ବାର ନେଇଯିବେ ବୋଲି ବୀରସେନଙ୍କ ମାତାଙ୍କୁ କହି ଘରେ ଛାଡ଼ି ଦେଇଗଲେ । ପରିବାରବର୍ଗ ବୀରସେନଙ୍କୁ ପାଇ ଅତ୍ୟନ୍ତ ଖୁସି ହୋଇଥିଲେ ମଧ୍ୟ କାହିଁକି ରୁଷିଥିଲେ ବୋଲି ପଚାରିବାରୁ ଉତ୍ତରରେ କହିଲେ, ତୁମେ ଯମଦେବଙ୍କ ବାଟ ଓଷାକୁ ଭୁଲି ଯାଇଥିବାରୁ ମୋତେ ଧରି ନେଇଥିଲେ ବୋଲି କହିଥିଲେ । ଶେଷରେ ରାଜଗୃହରେ ମାତା କୌଶଲ୍ୟା ଯମଦେବଙ୍କ ବାଟ ଓଷା କରି, ଦାଣ୍ଡ ପହଁରି, ପୁତ୍ରର ଦୀର୍ଘ ଜୀବନ କାମନା କରିଥିଲେ ।
“ସର୍ବେ କହନ୍ତି ରୁଣ୍ଡ ହୋଇ। ଯମରାଜାଙ୍କ ଓଷା ଏହି।।
ଏଥି ସନ୍ତୋଷ ଜନ୍ତୁପତି। ଆନନ୍ଦେ ପୁତ୍ର ବର ଦ୍ୟନ୍ତି।”
ବ୍ରତକଥା ଅନୁସାରେ କୋଶଳ ଦେଶର ଅପୁତ୍ରକ ରାଣୀ ଏହି ଓଷା କରିବାରୁ ତାଙ୍କର ପୁତ୍ର ପ୍ରାପ୍ତି ହେଲା। ଅଥଚ ପୁତ୍ର ପ୍ରାପ୍ତି ପରେ ରାଣୀ ଏହି ଓଷା ନକରିବାରୁ ରାଣୀଙ୍କୁ ଦଣ୍ଡ ଦେବାପାଇଁ ଯମ ତାଙ୍କର ପୁତ୍ରକୁ ଅପହରଣ କରିନେଲେ। ରାଣୀ ନିଜର ଭୁଲ୍ ବୁଝିପାରି ପୁଣି ଓଷା କରିବାରୁ ନିଜ ପୁଅକୁ ଫେରିପାଇଲେ।
କେବଳ ପୁତ୍ର ପ୍ରାପ୍ତି ନୁହେଁ; ଏହି ଓଷା ନିଷ୍ଠାର ସହିତ କଲେ ନିର୍ଦ୍ଧନ ଧନବାନ ହୋଇ ସୁଖରେ କାଳାତିପାତ କରେ ବୋଲି ମଧ୍ୟ ବ୍ରତକଥାରେ ଉଲ୍ଲେଖ ଅଛି-
“ଏମନ୍ତ ଅଟେ ବାଟ ଓଷା। ଯେ କରେ ପାଲଟେ ତା ଦଶା।।
ଯମର ଜ୍ୱାଳା ନ ଲାଗଇ। ମହା ସୁଖରେ ଦିନ ଯାଇ।।

0 Comments
Do you have any doubts or suggestions? Ask them here in the comments!