କେଉଁ କାରଣ ପାଇଁ ଭଗବାନ ଗଣେଶଙ୍କ ପୂଜାରେ ଲାଗେ ନାହିଁ ତୁଳସୀ
କେଉଁ କାରଣ ପାଇଁ ଭଗବାନ ଗଣେଶଙ୍କ ପୂଜାରେ ଲାଗେ ନାହିଁ ତୁଳସୀ
ପ୍ରଭୁ ଶ୍ରୀ ଗଣେଶଙ୍କ ଜନ୍ମ ପାର୍ବତୀଙ୍କ ଅଙ୍ଗମଳିରୁ,ପାର୍ବତୀଙ୍କ ମନରୁ ଓ ପାର୍ବତୀଙ୍କର ବ୍ରତାଚରଣରୁ ହୋଇଥିବା ଏପରି ତିନିପ୍ରକାରର ବୃତ୍ତାନ୍ତ ଦୃଷ୍ଟି ଗୋଚର ହୁଏ । ପାର୍ବତୀଙ୍କ ସହିତ ଶିବଙ୍କର ବିବାହ ହେବାର ବହୁକାଳ ବିତିଯିବାରେ କିଛି ସନ୍ତାନ ହେଲେ ନାହିଁ | ଦେବର୍ଷି ନାରଦ ପାର୍ବତୀଙ୍କୁ ପୁଣ୍ୟକ ବ୍ରତ କରିବାକୁ ଉପଦେଶ ଦେଲେ । ପୁଣ୍ୟକ ବ୍ରତ ମାତା ପାର୍ବତୀ ଏକ ନିକାଞ୍ଚନ ଗୁମ୍ଫାରେ କଲେ। ବହୁ ବର୍ଷ ବିତିଗଲା । ଦିନେ ପାର୍ବତୀ ଗାଧୋଉଥିବା ବେଳେ ତାଙ୍କ ଅଙ୍ଗ ମଳିରୁ ଏକ ପ୍ରତିମା ତିଆରି କଲେ ଆଉ ସେଇ ପ୍ରତିମାକୁ ଜୀବ ଦାନ ଦେବାକୁ ଭଗବାନ ବିଷ୍ଣୁଙ୍କୁ ଆରାଧନା କଲେ। ଭଗବାନ ବିଷ୍ଣୁ ସଙ୍ଗେସଙ୍ଗେ ଉପସ୍ଥିତ ହୋଇ ସେହି ପ୍ରତିମାକୁ ଜୀବ ଦାନ ଦେଲେ ଆଉ ଖୁବ୍ ସୁଦର ପୁତ୍ର ରୂପରେ ପ୍ରତିମାଟି ଜୀବଦାନ ପାଇ ମାଆ ପାର୍ବତୀଙ୍କୁ ମାତା ରୂପେ ସମ୍ବୋଧନ କଲା। ମାତା ପାର୍ବତୀ ମଧ୍ଯ ପୁତ୍ରକୁ ପାଇ ଖୁବ୍ ଖୁସି ହେଲେ |
କିଛିଦିନ ଅନ୍ତରାଳେ ଶିବଙ୍କର ତପସ୍ୟା ଯୋଗ ନିଦ୍ରାର ଅନ୍ତ ପରେ ପାର୍ବତୀଙ୍କୁ ସାକ୍ଷତ କରିବାକୁ ଉକ୍ତ ଗୁମ୍ଫା ନିକଟକୁ ଆସିଲେ। ଆଉ ଗୁମ୍ଫା ଦ୍ୱାରରେ ଦ୍ବାରପାଳ ସାଜି ଥିବା ପାର୍ବତୀଙ୍କ ପୁତ୍ର ତାଙ୍କୁ ଭିତରକୁ ଛାଡିଲେ ନାହିଁ ଆଉ ଏଥିରେ ମହାଦେବ ରାଗି ଯାଇଁ ଉକ୍ତ ବାଳକର ମସ୍ତକ କାଟିଦେଲେ । ଯାହା ପାର୍ବତୀଙ୍କ ପାଇଁ ଖୁବ କଷ୍ଟ ଦାୟକ ଥିଲା | ପରେ ଯତେବେଳେ ପାର୍ବତୀଙ୍କ ଠାରୁ ଜାଣିପାରିଲେ ଯେ, ସେ ପୁତ୍ର ହେଉଛି ତାଙ୍କର ସେ ଏକ ହାତୀ ଛୁଆର ମସ୍ତକ ଆଣି ସେହି ପିଣ୍ଡରେ ମୁଣ୍ଡଟିକୁ ଯୋଡିଦେଲେ ଆଉ ଶ୍ରୀ ଗଣେଶଙ୍କର ନୂତନରୂପ ଉଦ୍ଭାସିତ ହେଲା । ସଭିଏଁ ଆନନ୍ଦିତ ହେଲେ । ହସ୍ତୀ ମୁଖ ଦେଖି କେହି ଯେପରି ତିରସ୍କର ନ କରନ୍ତି ସେଥିପାଇଁ ତାଙ୍କୁ ଅଗ୍ର ପୂଜ୍ୟର ମାନ୍ୟତା ଦିଆଗଲା । ସେତେବେଳେ ଦେବଗଣ ପ୍ରତିଜ୍ଞା କରିଥିଲେ କି ବିନା ଗଣେଶ ପୂଜାରେ ଆମେ କେବେ ପୂଜା ଗ୍ରହଣ କରିବୁ ନାହିଁ । ସେବେଠାରୁ ଶ୍ରୀଗଣେଶ ଅଗ୍ରପୂଜ୍ୟ ।
ଶାସ୍ତ୍ର ଅନୁସାରେ, ଶ୍ରୀ ଗଣେଶ ଚତୁର୍ଥୀକୁ ସମସ୍ତ ପରିବାରର ସଦସ୍ୟ କରିବା ଉଚିତ୍। ଯଦି ଗୋଟିଏ ପରିବାରର ସମସ୍ତ ଭାଇ ଏକତ୍ର ରୁହନ୍ତି, ଅର୍ଥାତ ସେମାନଙ୍କର ଏକ ରୋଷେଇ ଘର ଅଛି, ସେମାନେ ସମସ୍ତେ ଗୋଟିଏ ପ୍ରତିମା ପୂଜା କରିପାରିବେ। ତଥାପି ଯଦି କୌଣସି କାରଣରୁ ରୋଷେଇ ଘର ଅଲଗା, ତେବେ ପ୍ରତ୍ୟେକ ନିଜ ନିଜ ଘରେ ଶ୍ରୀଗଣେଶଙ୍କୁ ସ୍ବାଧୀନ ଭାବରେ ପୂଜା କରିବା ଉଚିତ୍ | ଶ୍ରୀ ଗଣେଶ ରିଦ୍ଧି -ସିଦ୍ଧି ଦାତା ଓ ବିଦ୍ୟାର ଦେବତା ହୋଇଥିବାରୁ ସମସ୍ତ ଶିକ୍ଷାନୁଷ୍ଠାନରେ ଏହି ପୂଜା କରାଯାଏ ।
ଜ୍ଞାନ, ସମୃଦ୍ଧି ଏବଂ ଭାଗ୍ୟର ଦେବତା ଭାବରେ ଶ୍ରୀ ଗଣେଶଙ୍କର ପୂଜା କରାଯାଏ ଏବଂ ପାରମ୍ପରିକ ଭାବରେ କୌଣସି ନୂତନ ଉଦ୍ୟମ ଆରମ୍ଭରେ କିମ୍ବା ଯାତ୍ରା ଆରମ୍ଭରେ ତାଙ୍କୁ ସର୍ବାଗ୍ରେ ପୂଜା କରାଯାଏ । ଗଣେଶ ପୂଜାରେ ପ୍ରଭୁ ଗଜାନନଙ୍କୁ ପ୍ରସନ୍ନ କରିବାର କେତେ ଗୁଡିଏ ଉପାୟ ଅଛି ଯଥା, ସିନ୍ଦୂର, ଭଗବାନ ଗଣେଶଙ୍କର ଅତି ପ୍ରିୟ | ଗଣେଶ ଚତୁର୍ଥୀ ଦିନ ପ୍ରଭୁଙ୍କୁ ସିନ୍ଦୂର ଲଗାଇଲେ ମଙ୍ଗଳ ହୋଇଥାଏ । ଗଣେଶ ଚତୁର୍ଥୀ ଦିନ ଦୁବ ଅର୍ପଣ କରିବାର ବିଶେଷ ମହତ୍ତ୍ୱ ରହିଛି। ଏହାଦ୍ଵାରା ମନସ୍କାମନା ପୂରଣ ହୁଏ ବୋଲି ବିଶ୍ଵାସ ରହିଛି । ଶ୍ରୀଗଣେଶଙ୍କୁ ଲାଲ ପୁଷ୍ପ ଅର୍ପଣ କରିବା ମଧ୍ଯ ଖୁବ ଶୁଭ ହୋଇଥାଏ। ଭଗବାନ ଗଣେଶଙ୍କର ଲଡୁ ଖୁବ୍ ପ୍ରିୟା | ତେଣୁ ଗଣେଶ ଚତୁର୍ଥୀ ଦିନ ଲଡୁ ଭୋଗ ଲଗାଯାଏ ଯାହା ସିଦ୍ଧି ପ୍ରଦାନ କରିଥାଏ। ଭଗବାନ ଗଣେଶଙ୍କ ପୂଜା ପରେ ଆଳତି କରାଗଲେ ପ୍ରଭୁ ଗଣେଶ ପ୍ରସନ୍ନ ହୋଇଥାନ୍ତି। ମାତ୍ର ଗଣେଶଙ୍କ ତୁଳସୀ ଅର୍ପଣ କରାଯାଏ ନାହିଁ।
ମନୁଷ୍ୟଙ୍କ ପାଇଁ ଗଛ ଲତା ବହୁତ ଉପଯୋଗୀ ଅଟନ୍ତି । ଏମାନଙ୍କ ମଧ୍ଯରୁ ଏକ ଖାସ ଗଛ ଅଟେ ତୁଳସୀ ଗଛ । ତୁଳସୀ ପତ୍ରର ବ୍ୟବହାର ଦ୍ବାରା ଶରୀରର ଅନେକ ରୋଗ ବି ଭଲ ହୋଇଯାଏ । ଏହା ଛଡା ଭଗବାନଙ୍କର ପ୍ରସାଦ ଓ ଚରଣାମୃତରେ ବି ତୁଳସୀ ପତ୍ରର ବ୍ୟବହାର କରାଯାଏ ।
କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ଭଗବାନ ଗଣେଶ ଏକମାତ୍ର ଦେବତା ଅଟନ୍ତି ଯାହାଙ୍କୁ ତୁଳସୀର ଭୋଗ ଲାଗେ ନାହିଁ । ତେବେ ଜାଣନ୍ତୁ ତୁଳସୀ ଭଗବାନ ଗଣେଶଙ୍କୁ କାହିଁକି ଅର୍ପଣ କରାଯାଇ ନ ଥାଏ ।
ଗଣେଶଙ୍କୁ କାହିଁକି ଚଢାଯାଇ ନ ଥାଏ ତୁଳସୀ
ଏହା ପଛରେ ଏକ ପୌରାଣିକ କଥା ଅଛି | ଜଣେ ରାଜା ଥିଲେ ଯାହାଙ୍କର ନାମ ଧର୍ମାତ୍ମଜ ଥିଲା । ତାଙ୍କର ଏକ କନ୍ୟା ଥିଲା ଯାହାଙ୍କର ନାମ ତୁଳସୀ ଥିଲା | ସେ ଯେତେବେଳେ କିଶୋର ଅବସ୍ଥାକୁ ଆସିଲେ ତେବେ ତାଙ୍କ ମଧ୍ଯରେ ବିବାହର ଇଚ୍ଛା ଉତ୍ପନ୍ନ ହେଲା । ଏହା ପରେ ସେ ବହୁତ ଜାଗା ବୁଲିଲେ, କିନ୍ତୁ ତାଙ୍କୁ ତାଙ୍କର ମନଇଚ୍ଛା ବର ମିଳିଲା ନାହିଁ ।
ଏହା ପରେ ଦିନେ ସେ ଭ୍ରମଣ କରିବା ସମୟରେ ଗଙ୍ଗା ତଟରେ ପହଞ୍ଚିଲେ ତ ଗଣେଶଙ୍କୁ ତପସ୍ୟା କରୁଥିବାର ପାଇଲେ ଓ ଭଗବାନ ଗଣେଶ ରତ୍ନ ସିଂହାସନ ଉପରେ ବିରାଜମାନ ଥିଲେ | ତାଙ୍କର ଅଙ୍ଗରେ ଚନ୍ଦନ ଲାଗି ଥିଲା ଓ ସେ ପୁରା ସୁନ୍ଦର ବେଶଭୂଷାରେ ବିରାଜମାନ ଥିଲେ । ତୁଳସୀ ତାଙ୍କୁ ଦେଖି ବିବାହ କରିବା ପାଇଁ ମନ ବଳାଇଲେ ।
ଏହା ପରେ ସେ ଗଣେଶଙ୍କ ତପସ୍ୟାକୁ ଭଙ୍ଗ କରି ତାଙ୍କ ସମ୍ମୁଖରେ ବିବାହର ପ୍ରସ୍ତାବ ରଖିଲେ । କିନ୍ତୁ ଭଗବାନ ଗଣେଶ ନିଜର ତପସ୍ୟା ଭଙ୍ଗ ହେବା ଦ୍ବାରା କ୍ରୋଧିତ ହୋଇଗଲେ ଓ କହିଲେ କି ସେ ବ୍ରହ୍ମଚାରୀ ଅଟନ୍ତି ଓ କେବେ ବି ବିବାହ କରିବେ ନାହିଁ । ଏହା ପରେ ତୁଳସୀ ଏହି କଥା ଉପରେ କ୍ରୋଧିତ ହୋଇ ଗଣେଶଙ୍କୁ ଅଭିଶାପ ଦେଲେ କି ଆପଣଙ୍କୁ ଦୁଇଟି ବିବାହ କରିବାକୁ ପଡିବ । ଏହା ପରେ ଭବିଷ୍ୟତରେ ଭଗବାନ ଗଣେଶଙ୍କର ପତ୍ନୀ ହେଲେ ରିଦ୍ଧୀ ଓ ସିଦ୍ଧୀ |
ଭଗବାନ ଗଣେଶ ଦେଲେ ଅଭିଶାପ
ଏହା ପରେ ଗଣେଶ ଭଗବାନ ବି ତାଙ୍କୁ ଅଭିଶାପ ଦେଲେ କି ତୁମର ବିବାହ ଏକ ଅସୁର ଶଂଖଚୂର୍ଣ୍ଣ ଜଳନ୍ଧର ସହ ହେବ । ଏହା ଶୁଣି ତୁଳସୀ କାନ୍ଦିବାକୁ ଲାଗିଲେ ଓ ଗଣେଶଙ୍କୁ କ୍ଷମା ମାଗିଲେ । ଏହା ପରେ ଗଣେଶ କହିଲେ କି ସେ ଭଗବାନ ବିଷ୍ଣୁ ଓ କୃଷ୍ଣଙ୍କର ପ୍ରିୟ ହେବେ ଓ କଳିଯୁଗରେ ଜୀବନ ଓ ମୋକ୍ଷ ଦେବାରେ କାମ କରିବେ | କିନ୍ତୁ ମୋ ପୂଜାରେ ତୁମର ଭୋଗ କେବେ ବି ଲାଗିବ ଆହିଁ । ଏହି କାରଣରୁ ଭଗବାନ ଗଣେଶଙ୍କ ପୂଜାରେ କେବେ ବି ତୁଳସୀ ଲାଗେ ନାହିଁ ।
0 Comments
Do you have any doubts or suggestions? Ask them here in the comments!