ଆଜିର ଦିନକୁ ଗୀତା ଜୟନ୍ତୀ ରୂପେ ପାଳନ କରାଯାଏ କାହିଁକି ?
ଓଡ଼ିଆରେ ଗୋଟିଏ କଥା ଅଛି, ବୁଝ୍ ନ ବୁଝୁ ପଢ଼ ଗୀତା, ରୁଚୁ ନ ରୁଚୁ ଖା ପିତା । ଏହାର ଅର୍ଥ ହେଉଛି, ପିତା ଯେମିତି ଶରୀର ପାଇଁ ହିତକର ସେମିତି ଆମ ଜୀବନ ପାଇଁ ଭଗବତ ଗୀତା ଗୁରୁତ୍ୱପୂର୍ଣ୍ଣ । ଜୀବନରେ ଆଧ୍ୟାତ୍ମିକତାର ପାଠ ଏକାନ୍ତ ଜରୁରୀ । ଏହି ଶିକ୍ଷା ମନୁଷ୍ୟ ମଧ୍ୟରେ ଧାର୍ମିକ ଅନୁଭବ କରାଇବା ସହ ମନୁଷ୍ୟକୁ ଅଜ୍ଞାନ ଅନ୍ଧକାରରୁ ଜ୍ଞାନ ପ୍ରକାଶ ଅଭିମୁଖେ ନେଇଯାଏ । ଜୀବନରେ ଆଧ୍ୟାତ୍ମିକ ବିକାଶ ପାଇଁ ଧର୍ମଗ୍ରନ୍ଥର ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ।
ଶ୍ରୀମଦ୍ଭଗବତ୍ ଗୀତା ବିଶ୍ଵର ଶ୍ରେଷ୍ଠ ଗ୍ରନ୍ଥ ମଧ୍ଯରେ ପରିଗଣିତ ହୋଇଥଏ । ବିଷଦ୍ ଯୋଗ, ସାଂଖ୍ଯ ଯୋଗ, କର୍ମଯୋଗ, ଜ୍ଞାନଯୋଗ, ଭକ୍ତିଯୋଗ ,ସନ୍ୟାସ ଯୋଗ, ବିଜ୍ଞାନଯୋଗ, ମୋକ୍ଷଯୋଗ ଅଦି ବିସ୍ତୃତ ଭାବେ ଏହି ମହାଗ୍ରନ୍ଥରେ ବର୍ଣ୍ଣିତ ।
ଭାଗବତ୍ ଗୀତାର ସୃଷ୍ଟି
କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ ସାମ୍ଭବ୍ୟ ଯୁଦ୍ଧର ଭୟାବହତା ଅଶଙ୍କା କରି ଅର୍ଜୁନ ଅସ୍ତ୍ର ତ୍ୟାଗ କରିଦେଇଥିବା ସମୟରେ ଶ୍ରୀକୃଷ୍ଣ ତାଙ୍କୁ ବୁଝାଇବାକୁ ଯାଇ ଗୀତା ବଚନ ଶୁଣାଇଥିଲେ। ଏହିପରି ଭଗବତ୍ ଗୀତାର ସୃଷ୍ଟି ହୋଇଥିଲା। ତେଣୁ ମୋକ୍ଷଦା ଏକାଦଶୀକୁ ଗୀତା ଜୟନ୍ତୀ ରୂପେ ପାଳନ କରାଯାଏ ।ଗୀତା ମାଧ୍ୟମରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତାଙ୍କ କର୍ଭବ୍ଯ ବିଷୟରେ ସଚେତନ କରାଇଥିଲେ। ଗୀତାର ଦର୍ଶନ ସମସ୍ତଙ୍କ ଜୀବନ ଉପରେ ଲାଗୁ ହୋଇଥାଏ । ତେଣୁ ଆଜିର କର୍ମମୟ ଜଂଜାଳ ମଧ୍ୟରୁ କିଛି ସମୟ କାଢି ପ୍ରତ୍ୟେହ ଗୀତାର ଗୋଟିଏ ଲେଖାଏଁ ଶ୍ଳୋକ ପଢି ଆମ ଜୀବନକୁ ସାର୍ଥକ କରିବା ଉଚିତ ହେବ ।
ସନ୍ଦେହ, ସଂଶୟ ଏବଂ ବିଷାଦ ଗ୍ରସ୍ତ ମନୁଷ୍ୟଙ୍କ ପଇଁ ଭଗବତ୍ ଗୀତା ସଞ୍ଜିବନୀ ଭଳି କାର୍ଯ୍ୟ କରିଥାଏ। ଜୀବନରେ ଅନେକ କଠିନ ପରିସ୍ଥିତି ଆସିଥାଏ, ଏହି ସମୟରେ ଭଗବତ୍ ଗୀତା କର୍ମ କ୍ଷେତ୍ରରେ ଅଗକୁ ବଢ଼ିବା ଲାଗି ପ୍ରେରଣା ଯୋଗାଇଥାଏ। କର୍ମ ଶବ୍ଦ 'କୃ' ଧାତୁରୁ ଆସିଛି। ଯାହାର ଅର୍ଥ ହେଉଛି “ କରିବା' | କାର୍ଯ୍ୟକ୍ଷେତ୍ରରେ ନିଷ୍ଠାର ସହ କର୍ମ କରିଚାଲିଲେ ମନୁଷ୍ୟ କୁଶଳତା ହାସଲ କରିଥାଏ, ଯାହା ତାକୁ ଏକ ନୂତନ ସୋପାନରେ ପହଞ୍ଚାଇଥାଏ। ସତ୍ପ୍ରୟାସ ସର୍ବଦା ମନୁଷ୍ୟକୁ ଆଗକୁ ନେଇଥାଏ। ସଫଳତା ପାଇବା ଲାଗି ବାରମ୍ବାର ପ୍ରୟାସ କରିବା ଲାଗି ପ୍ରେରଣା ଦେଇଥାଏ ଗୀତା। ଏହି ମହା ଗ୍ରନ୍ଥରେ ଥିବା ଉପାଦେୟ ଶ୍ଲୋକଟି ହେଉଛି,
“ କର୍ମଣ୍ଯେବ୍ୟାଧିକାରସ୍ତେ ମା ଫଳେଷୁ କଦାଚନ। ”, ଅର୍ଥାତ୍ କର୍ମ ଉପରେ ଆମର ଅଧିକାର ରହିଛି, କିନ୍ତୁ ଫଳ ଉପରେ ନୁହେଁ। ଏହା ଭାବି ମନୁଷ୍ଯ କର୍ମ ତତ୍ପର ହେବା ଉଚିତ୍ । ନିଜ ସ୍ବାର୍ଥକୁ ଅଧିକ ଗୁରୁତ୍ୱ ଦେବା ପରିବର୍ତ୍ତେ ଅନ୍ୟମାନଙ୍କ କଲ୍ୟାଣ ପାଇଁ ମନୁଷ୍ୟ କର୍ମତତ୍ପର ହେବା ଇଚିଚ୍। ଏହାଦ୍ଵାର ମନୁଷ ନିଜର ଏବଂ ଅନ୍ଯମାନଙ୍କର ମଧ୍ୟ କଲ୍ଯାଣ କରିପାରିବ। ଏହି ମହାନ ଦର୍ଶନ ଆମକୁ ଶିକ୍ଷା ଦେଇଥାଏ ଭଗବତ୍ଗୀତା । ସ୍ବୟଂ ଜଗତ୍ଗୁରୁ ଶ୍ରୀକୃଷ୍ଣ ମଧ୍ଯ କର୍ମ କରିଥାନ୍ତି ପରମାତ୍ମା ହୋଇ ସୁଦ୍ଧା ତାଙ୍କୁ କର୍ମ କରିବାକୁ ପଡ଼ିଥାଏ, ତେଣୁ ମନୁଷ୍ୟ ମଧ୍ଯ କେବେ ହେଲେ କର୍ମପଥରୁ ବିରକ୍ତ ହେବା ଅନୁଚିତ୍।
ଏ ସମ୍ପର୍କରେ ଭଗବତ୍ ଗୀତାରେ କହିଛନ୍ତି , ' ନ ମେଂ ପାର୍ଥସ୍ତି କର୍ତ୍ତବଂ ତିଷୁ ଲୋକେଷୁ କିଞ୍ଚନ । ନାନାବାତ୍ପମବାତ୍ପବ୍ୟଂ ବର୍ତ ଏବ ଚ କର୍ମଣି |', ଅର୍ଥାତ୍ ହେ ଅର୍ଜୁନ ! ଏହି ତିନି ଲୋକରେ ମୋ ପାଇଁ ନା କିଛି କର୍ତ୍ତ୍ୟବ୍ୟ ଅଛି, ନା କୌଣସି ବସ୍ତୁ ମୋ ପାଇଁ ଅପ୍ରାପ୍ୟ । ତଥାପି ମୁଁ କର୍ମ କରି ଚାଲିଛି ।
ଶ୍ରୀକୃଷ୍ଣ ରୂପୀ ଚେତନା ସର୍ବତ୍ର ପରିବ୍ୟାପ୍ତ | ନିଜ କାର୍ଯ୍ୟରେ ପୂର୍ଣ୍ଣତଃ କୁଶଳତା, ସଦ୍ କାର୍ଯ୍ୟ କରି ବଞ୍ଚିବା, କେବେବି ଅଭିମାନ, ଅହଂକାର, କ୍ରୋଧ, ଲୋଭ , ମୋହର ବଶବର୍ଭୀ ନହେବା ପାଇଁ ଗୀତା ଅମକୁ ଶିକ୍ଷା ଦେଇଥାଏ। ଗୀତାର ଶିଷା ଆମ ପାଇଁ ଅତ୍ୟନ୍ତ ଉପଯୋଗୀ । ଶ୍ରୀକୃଷ୍ଣ ପ୍ରତ୍ୟେକ ବ୍ୟକ୍ତି ଠାରେ ଆତ୍ମବିଶ୍ଵାସ ସୃଷ୍ଟି କରିଛନ୍ତି । ସେ କହିଛନ୍ତି, ମୁଁ ସମସ୍ତଙ୍କ ଭିତରେ ଥିବା ଆତ୍ମା । ତେଣୁ ମନୁଷ୍ଯ ଆତ୍ମା ଅର୍ଥାତ୍ ନିଜ ଉପରେ ବିଶ୍ବାସ ରଖିବା ଉଚିତ୍। ଏହାଦ୍ୱାରା ଶ୍ରୀକୃଷ୍ଣ ଆମର ରକ୍ଷା କରିବେ।
ଗୀତା ମାନବ ଜଗତକୁ ନୂତନ ଦିଗଦର୍ଶନ ଦେଇ ଅସିଛି । ଗୀତାର ଚିନ୍ତନ ଅଜ୍ଞାନତା ଦୂର କରି ଆତ୍ମଜ୍ଞାନ ଲାଭ ପାଇଁ ପ୍ରବର୍ତ୍ତାଇଥାଏ । ଗୀତା ଭଗବାନଙ୍କ ଶ୍ଵାସ ଏବଂ ଭକ୍ତର ବିଶ୍ଵାସ । ଗୀତା ଜ୍ଞାନର ଅସରନ୍ତି ଭଣ୍ଡାର । ଆମେ ପ୍ରତ୍ୟେକ କାର୍ଯ୍ୟରେ ତୁରନ୍ତ ଫଳ ଚାହିଁଥାଉ । କିନ୍ତୁ ଭଗବାନ କହିଛନ୍ତି, ଧୈର୍ଯ୍ୟ ବିନା ଅଜ୍ଞାନ, ଦୁଃଖ, ମୋହ, କ୍ରୋଧ, କାମ ଏବଂ ଲୋଭରୁ ନିବୃତ୍ତି ମିଳିନଥାଏ । ଗୀତା ମଙ୍ଗଳମୟ ଜୀବନର ଗ୍ରନ୍ଥ । ଗୀତା ଜୀବନକୁ ଧନ୍ୟ କରିଥାଏ । ଏହା ମୋକ୍ଷର ମାର୍ଗ ପ୍ରଶସ୍ତ କରିଥାଏ ।
- ଭଗବତ ଗୀତା ହେଉଛି ସନାତନ ହିନ୍ଦୁ ଧର୍ମର ଶ୍ରେଷ୍ଠ ଗ୍ରନ୍ଥମାନଙ୍କ ମଧ୍ୟରେ ଶ୍ରେଷ୍ଠ ଗ୍ରନ୍ଥ । ଏହା ସ୍ୱୟଂ ଭଗବାନଙ୍କ ମୁଖ ନିସୃତ ବାଣୀ ।
- ଏଥିରେ ଜୀବନ ସମ୍ପର୍କରେ ଅତି ସୂକ୍ଷ୍ମ ଭାବରେ ବିଚାର କରାଯାଇ ଆତ୍ମା, ଭଗବାନ, ନିର୍ବାଣ, ଯୋଗ, ଧର୍ମ ଆଦି ଅନେକ ବିଷୟରେ ବିଶଦ ବର୍ଣ୍ଣନା କରାଯାଇଛି ।
- ନିଜର ପ୍ରକୃତ ପରିଚୟ ପାଇବା ଓ ଜୀବନର ଲକ୍ଷ୍ୟ ପରି ବହୁ ଜଟିଳ ପ୍ରଶ୍ନର ଉତ୍ତର ଏହି ଗ୍ରନ୍ଥ ପ୍ରଦାନ କରିଥାଏ ।
- ଆଜିର ସମୟରେ ମନୁଷ୍ୟ ପଥଭ୍ରଷ୍ଟ ହେଉଥିବାବେଳେ ଗୀତା ପାଠ ମଣିଷକୁ ଉଚିତ ମାର୍ଗ ଦେଖାଇବା ସହିତ ଜୀବନର ମୂଲ୍ୟକୁ ବୁଝାଇବାରେ ସାହାଯ୍ୟ କରେ ।
ଭଗବତ ଗୀତାର ୧୮ଟି ଅଧ୍ୟାୟ ହେଉଛି ୧୮ଟି ଯୋଗ
ଶ୍ରୀମଦ ଭଗବତ ଗୀତା ହେଉଛି ମହାଭାରତର ଅଂଶ । ଯେତେବେଳେ କୁରୁକ୍ଷେତ୍ରରେ କର୍ତ୍ତବ୍ୟ ପଥରେ ଓହରି ଯାଉଥିବା ପାର୍ଥଙ୍କୁ ଯୁଦ୍ଧକ୍ଷେତ୍ରରେ କର୍ତ୍ତବ୍ୟ ଶିଖାଇବା ତଥା ଆଗାମୀ ବଂଶଧରଙ୍କୁ ଧର୍ମର ପଥ ପ୍ରଦର୍ଶନ ହେତୁ ଶ୍ରୀକୃଷ୍ଣ ଏହାକୁ କହିଥିଲେ । ଶ୍ରୀ ବ୍ୟାସଦେବ ହେଉଛନ୍ତି ଏହାର ସଙ୍କଳନ କର୍ତ୍ତା । ଗୀତାର ୧୮ଟି ଅଧ୍ୟାୟ ହେଉଛି ୧୮ଟି ଯୋଗ ।
- ଗୀତାର ପ୍ରଥମ ୬ଟି ଅଧ୍ୟାୟରେ ନିଷ୍କାମ କର୍ମଯୋଗ,
- ଦ୍ୱିତୀୟ ୬ଟି ଅଧ୍ୟାୟରେ ଭକ୍ତିଯୋଗ ଏବଂ
- ଶେଷ ୬ଟି ଅଧ୍ୟାୟରେ ଜ୍ଞାନଯୋଗର ବର୍ଣ୍ଣନା କରାଯାଇଛି ।
ଗୀତାରେ ୭୦୦ରୁ ଉର୍ଦ୍ଧ୍ଵ ଶ୍ଳୋକ ରହିଛି । ତେବେ ଏଥିରେ ଶ୍ରୀକୃଷ୍ଣଙ୍କ କଥିତ ଶ୍ଳୋକସଂଖ୍ୟା ୬୨୦, ଅର୍ଜୁନଙ୍କ କଥିତ ଶ୍ଳୋକ ସଂଖ୍ୟା ୫୭, ସଞ୍ଜୟ କଥିତ ଶ୍ଳୋକ ସଂଖ୍ୟା ୬୭ ଏବଂ ଧୃତରାଷ୍ଟ୍ରଙ୍କ ଦ୍ୱାରା ଗୋଟିଏ ଶ୍ଳୋକ କଥିତ ରହିଛି । ଏହି ୭୪୫ଶ୍ଳୋକରେ ସମ୍ପୂର୍ଣ୍ଣ ହୋଇଥିବା ଗୀତା ଗ୍ରନ୍ଥକୁ ଅଠର ଅଧ୍ୟାୟରେ ବିଭକ୍ତ କରି ମହାଭାରତର ଅଂଶଭାବେ ଯୋଗ କରାଯାଇଛି ।
- ଗୀତାର ପ୍ରଥମ ଅଧ୍ୟାୟରେ ଅର୍ଜୁନଙ୍କ ବିଷାଦ ଯୋଗ ସମ୍ପର୍କରେ ବର୍ଣ୍ଣନା ରହିଛି । ଭଗବାନ ଶ୍ରୀକୃଷ୍ଣ ଏହି ଅଧ୍ୟାୟରେ ଅର୍ଜୁନଙ୍କୁ କର୍ତ୍ତବ୍ୟର ଜ୍ଞାନ ଦେଇଛନ୍ତି । କଠୋର କର୍ତ୍ତବ୍ୟ ନିକଟରେ ବନ୍ଧୁବାନ୍ଧବ, କୁଟୁମ୍ବ, ଭାଇ ଓ ପିତା ମାତା ଆଦିଙ୍କର ସ୍ଥାନ ନାହିଁ । ଏମାନଙ୍କ ଅନୀତିକୁ ପ୍ରଶ୍ରୟ ଦେଲେ କର୍ତ୍ତବ୍ୟରେ ଅବହେଳା ହୁଏ ବୋଲି ଶ୍ରୀକୃଷ୍ଣ କହୁଛନ୍ତି ।
- ଦ୍ୱିତୀୟ ଅଧ୍ୟାୟରେ ସାଂଖ୍ୟଯୋଗର ବର୍ଣ୍ଣନା ରହିଛି । ଏଥିରେ ମୁଖ୍ୟତଃ ଆତ୍ମତତ୍ତ୍ୱ ଆଲୋଚିତ ହୋଇଛି । ମନୁଷ୍ୟ ସ୍ଥିତପ୍ରଜ୍ଞହେଲେ ଆତ୍ମବଶୀଭୂତ ଇନ୍ଦ୍ରିୟ ମାଧ୍ୟମରେ କର୍ମକରି ମଧ୍ୟ କର୍ମରେ ଆବଦ୍ଧ ହୁଅନ୍ତି ନାହିଁ ବୋଲି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇଛନ୍ତି ।
- ତୃତୀୟ ଅଧ୍ୟାୟଟିରେ କର୍ମଯୋଗ ବିଷୟରେ ବର୍ଣ୍ଣନା କରାଯାଇଛି । ଏଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମର ମାହତ୍ମ୍ୟ ଏବଂ ନିଷ୍କାମ କର୍ମର ପ୍ରେରଣା ଦେଇଛନ୍ତି ।
- ଚତୁର୍ଥ ଅଧ୍ୟାୟରେ ଜ୍ଞାନ ଯୋଗ ସମ୍ପର୍କରେ ବିଶଦ ସୂଚନା ଦିଆଯାଇଛି । ଏଥିରେ ଶ୍ରୀକୃଷ୍ଣ ଜ୍ଞାନର ସ୍ୱରୂପ, ଆତ୍ମଜ୍ଞାନର ପ୍ରୟୋଜନୀୟତା ଓ ମାହତ୍ମ୍ୟ ବୁଝାଇଛନ୍ତି ।
- ପଞ୍ଚମ ଅଧ୍ୟାୟରେ ସନ୍ନ୍ୟାସ ଯୋଗ,
- ଷଷ୍ଠ ଅଧ୍ୟାୟରେ ଧ୍ୟାନଯୋଗ,
- ସପ୍ତମ ଅଧ୍ୟାୟରେ ବିଜ୍ଞାନଯୋଗ,
- ଅଷ୍ଟମ ଅଧ୍ୟାୟରେ ଅକ୍ଷୟ ବ୍ରହ୍ମ ଯୋଗ,
- ନବମ ଅଧ୍ୟାୟରେ ରାଜଯୋଗ,
- ଦଶମ ଅଧ୍ୟାୟରେ ବିଭୂତି ଯୋଗ,
- ଏକାଦଶ ଅଧ୍ୟାୟରେ ବିଶ୍ୱରୂପ ଦର୍ଶନ ଯୋଗ ଓ
- ଦ୍ୱାଦଶ ଅଧ୍ୟାୟରେ ଭକ୍ତି ଯୋଗ ସମ୍ପର୍କରେ ବର୍ଣ୍ଣନା ହୋଇଛି ।
- ତ୍ରୟୋଦଶ ଅଧ୍ୟାୟରେ ପ୍ରକୃତି ଓ ପୁରୁଷ, ଦେହ ଓ ଆତ୍ମା, ଜ୍ଞାନ ଓ ଜ୍ଞେୟ ଇତ୍ୟାଦି ତତ୍ତ୍ୱ ବିଷୟରେ ଶ୍ରୀକୃଷ୍ଣ କହିଛନ୍ତି ।
- ଚତୁର୍ଦ୍ଦଶ ଅଧ୍ୟାୟରେ ତ୍ରିଗୁଣ ବିଭାଗ ଯୋଗ ବା ଏଥିରେ ସୃଷ୍ଟି ରହସ୍ୟ, ପୁରୁଷର ସଂସାର ବନ୍ଧନ, ସାତ୍ତ୍ୱିକ ଆଦି ତ୍ରିବିଧ ଗୁଣର ଲକ୍ଷଣ ବର୍ଣ୍ଣନା କରାଯାଇଛି ।
- ପଞ୍ଚଦଶ ଅଧ୍ୟାୟରେ ପୁରୁଷୋତ୍ତମ ଯୋଗ ବିଷୟରେ ବର୍ଣ୍ଣନା ରହିଛି ।
- ଷୋଡ଼ଶ ଅଧ୍ୟାୟରେ ଦୈବାସୁର ସମ୍ପଦ ବିଭାଗ ଯୋଗ,
- ସପ୍ତଦଶ ଅଧ୍ୟାୟରେ ଶ୍ରଦ୍ଧାତ୍ରୟ ବିଭାଗ ଯୋଗ ସମ୍ପର୍କରେ ବର୍ଣ୍ଣନା ଥିବାବେଳେ
- ଅଷ୍ଟାଦଶ ଅଧ୍ୟାୟରେ ମୋକ୍ଷଯୋଗ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଏଥିରେ କର୍ମତତ୍ତ୍ୱର ବିଶ୍ଲେଷଣ, କର୍ମଯୋଗରେ ମୋକ୍ଷଲାଭର ଉପାୟ, ସର୍ବଧର୍ମ ତ୍ୟାଗ ଅଭୟବାଣୀ ଓ ଶରଣାଗତ ସମ୍ବନ୍ଧରେ ବିସ୍ତୃତ ବର୍ଣ୍ଣନା କରାଯାଇଛି ।

0 Comments
Do you have any doubts or suggestions? Ask them here in the comments!