ଉତ୍ପନ୍ନା ଏକାଦଶୀର ମହତ୍ତ୍ୱ
ଉତ୍ପନ୍ନା ଏକାଦଶୀର ମହତ୍ତ୍ୱ
ଏକାଦଶୀ ବ୍ରତରେ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ । ଅନ୍ୟ ଅର୍ଥରେ କହିବାକୁ ଗଲେ ଏହି ବ୍ରତରେ ପ୍ରକୃତି ଉପାସନା ପ୍ରତି ମଧ୍ଯ ବିଶେଷ ଧ୍ୟାନ ଦିଆଯାଏ ।
ସନାତନ ତଥା ହିନ୍ଦୁ ଧର୍ମରେ ଏକଦଶୀ ବ୍ରତକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି । କୁର୍ମ ପୁରାଣ , ବ୍ରହ୍ମାଣ୍ଡ ପୁରାଣ , ନାରଦ ପୁରାଣ , ବ୍ରହ୍ମ ପୁରଣ , ଭବିଷ୍ୟ ପୁରାଣ , ବ୍ରହ୍ମ କୈବର୍ତ୍ୟ ପୁରାଣ , ଅଗ୍ନି ପୁରଣ ଓ ସ୍କନ୍ଦ ପୁରାଣ ରେ ଏକଦଶୀ ବ୍ରତର ମାହାତ୍ମ ସମ୍ପର୍କରେ ବିଷଦ ଭାବେ ବର୍ଣ୍ଣିତ ହୋଇଛି । ପ୍ରତ୍ୟକ ମାସରେ କୃଷ୍ଣପକ୍ଷ ଏକାଦଶୀ ଓ ଶୁକ୍ଳ ଏକାଦଶୀ ଏହିପରି ଦୁଇଟି ଲେଖାଏଁ କରି ବର୍ଷକୁ ୨୪ ଗୋଟି ଏକାଦଶୀ ବ୍ରତ ପାଳନର ବିଧି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ।
କୃଷ୍ଣ ପକ୍ଷ ଏକାଦଶୀ ଓ ଶୁକ୍ଳପକ୍ଷ ଏକାଦଶୀ ଭାବେ ମାସରେ ଏହି ଦୁଇ ଏକାଦଶୀ ପାଳନ କରାଯାଇଥାଏ । ମାର୍ଗଶୀର ମାସର କୃଷ୍ଣ ପକ୍ଷ ଏକାଦଶୀକୁ ବର୍ଷର ପ୍ରଥମ ଏକାଦଶୀ ଭାବେ ବିବେଚନା କରାଯାଏ । ସେହିଭଳି କାର୍ତ୍ତିକ ମାସର ଶୁକ୍ଳପକ୍ଷ ଏକାଦଶୀକୁ ବର୍ଷର ଶେଷ ଏକାଦଶୀଭାବେ ପାଳନ କରାଯାଏ । ଏହି ୨୪ଟି ଏକାଦଶୀ ପାଳନ କଲେ ବ୍ୟକ୍ତି ମହାବିଷ୍ଣୁ ଯେଉଁଠାରେ ନିତ୍ୟ ବିଚରଣ କରନ୍ତି ସେଠାରେ ସ୍ଥାନ ପାଏ ବୋଲି ବିଶ୍ୱାସ ରହିଛି ।
ମାର୍ଗଶୀର ମାସକୁ ଧାର୍ମିକ ଦୃଷ୍ଟି କୋଣରୁ ସନାତନୀମାନେ ବର୍ଷର ପ୍ରଥମମାସ ବୋଲି ବିବେଚନା କରନ୍ତି । କାରଣ ଶ୍ରୀମଦ ଭଗବତ ଗୀତାରେ ଭଗବାନ କହିଛନ୍ତି ମାସାଣାଂ ମାର୍ଗଶୀରୋ-ଅହଂ ଅର୍ଥାତ ମାସ ମାନଙ୍କ ମଧ୍ୟରେ ସେ ନିଜକୁ ମାର୍ଗଶୀର ମାସବୋଲି ଅଭିହିତ କରିଛନ୍ତି ଏଣୁ ଧର୍ମୀୟ ବିଚାରଧାରାରେ ଏହି ମାସକୁ ବର୍ଷର ପ୍ରଥମମାସ ବୋଲି ମାନ୍ୟତା ପ୍ରଦାନ କରାଯାଇଛି । ତେଣୁ ମାର୍ଗଶୀର ମାସର କୃଷ୍ଣ ପକ୍ଷ ଏକାଦଶୀ ତିଥି ବର୍ଷର ପ୍ରଥମ ଏକଦଶୀ । ଏହି ଏକାଦଶୀକୁ ଉତ୍ପନ୍ନା ଏକାଦଶୀ ବୋଲି ବିଭିନ୍ନ ଶାସ୍ତ୍ର ଓ ପୁରାଣରେ କୁହାଯାଇଛି ।
ଯେଉଁମାନେ ଏକଦଶୀ ବ୍ରତ ପ୍ରଥମ ଥର ଆରମ୍ଭ କରିଥାଆନ୍ତି ସେମାନଙ୍କ ପାଇଁ ଉତ୍ପନ୍ନା ଏକାଦଶୀ ଗୁରୁତ୍ୱପୂର୍ଣ୍ଣ ସାଧାରଣତଃ ଏକଦଶୀ ବ୍ରତ ଆରମ୍ଭ କରୁଥିବା ବ୍ୟକ୍ତି ଏହି ଏକାଦଶୀକୁ ହିଁ ବ୍ରତ ଆରମ୍ଭ କରିଥାଏ । ଏହି ମାସର ପରବର୍ତ୍ତୀ ଅର୍ଥାତ ଶୁକ୍ଳପକ୍ଷ ଏକଦଶୀକୁ ମୋକ୍ଷଦା ଏକାଦଶୀ ବା ଗୋମତୀ ଏକାଦଶୀ ବୋଲି ମଧ୍ୟ କୁହାଯାଇଥାଏ । ଏହିଦିନଟିକୁ ଗୀତା ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଏ । ଶୁକ୍ଳ ପକ୍ଷରୁ ଏକଦଶୀ ହେଉଛି ଅଜ୍ଞାନ ନାଶୀନି । ଏହି ଦିନ ଭଗବାନ ଶ୍ରୀକୃଷ୍ଣ ନିଜ ପ୍ରିୟ ବନ୍ଧୁ ଅର୍ଜୁନଙ୍କୁ ଗୀତା ଜ୍ଞାନ ପ୍ରଦାନ କରିଥିଲେ ।
କିମ୍ବଦନ୍ତୀ
- ସତ୍ଯଯୁଗରେ ତାଳଜଙ୍ଗ ଦୈତ୍ଯର ପୁତ୍ର “ମୁର” ନାମକ ଅତ୍ୟନ୍ତ ବଳଶାଳୀ ଦାନବ ଥିଲା । ଦେବାସୁର ଯୁଦ୍ଧରେ ସେ ଇନ୍ଦ୍ରାଦି ଦେବତାମାନଙ୍କୁ ପରାସ୍ତ କରି ସ୍ଵର୍ଗ ଏବଂ ସର୍ବତ୍ର ନିଜ ଆଧିପତ୍ୟ ବିସ୍ତାର କରିଥିଲା । ଶେଷରେ ସେ ବୈକୁଣ୍ଠାଧିପତି ଭଗବାନ ବିଷ୍ଣୁଙ୍କ ସହ ଶତ୍ରୁତା ଆଚ଼ରଣ କରି ତାଙ୍କ ସହ ଯୁଦ୍ଧରେ ପ୍ରବୃତ୍ତ ହେଲା ।ଯୁଦ୍ଧରେ ଅସୁର ପରାସ୍ତ ହେଲା ନାହିଁ । ଭଗବାନ ବିଷ୍ଣୁ ବିଶ୍ରାମ କରିବା ନିମିତ୍ତ ବଦରୀବନ ସମୀପସ୍ଥ ସିଂହାବଳୀ ନାମକ ମହାଗୁମ୍ଫାରେ ପ୍ରବେଶ କଲେ । ସେଠାରେ ଭଗବାନ ବିଷ୍ଣୁ ଯୋଗନିଦ୍ରାରେ ବିଶ୍ରାମ କରିବାକୁ ଲାଗିଲେ ।
- ଏଣେ ଚନ୍ଦ୍ରାବତୀ ନଗରୀରେ ନିବାସ କରି ମୁର ଦାନବ ସର୍ବଜୀବଲୋକକୁ କରାୟତ୍ତ କରି ବିଷ୍ଣୁଙ୍କ ବିଶ୍ରାମସ୍ଥଳ ଅନ୍ବେଷଣ ପୂର୍ବକ ଭକ୍ତ ଗୁମ୍ଫା ମଧ୍ୟରେ ପ୍ରବେଶ କଲା । ସେଠାରେ ସେ ଭଗବାନଙ୍କୁ ଯୋଗନିଦ୍ରାରେ ଲୀନ ଦେଖ ଶୟନାବସ୍ଥାରେ ହିଁ ଆକ୍ରମଣ କରିବାକୁ ଉଦ୍ୟତ ହେଲାବେଳେ ଶ୍ରୀବିଷ୍ଣୁଙ୍କ ବିଗ୍ରହରୁ ଏକ ଦିବ୍ୟ ଶନ୍ତି କନ୍ୟା ରୂପରେ ସହସା ଆବିର୍ଭୂତ ହୋଇ ମୁରଦାନବକୁ ଯୁଦ୍ଧ ନିମିତ୍ତ ଆହ୍ଵାନ କଲେ । ଦାନବେନ୍ଦ୍ର ସେହି କନ୍ୟା ସହ ଯୁଦ୍ଧ ଆରମ୍ଭ କଲା । ସେହି ଦିବ୍ୟ କନ୍ୟା ଅକ୍ଲେଶରେ ମୁର ଦାନବର ସମସ୍ତ ଶସ୍ତ୍ରାସ୍ତ୍ର ନଷ୍ଟ କରି ତାକୁ ବିରଥ କରିଦେଇ ତାର ବକ୍ଷ ସ୍ଥଳରେ ମୁଷ୍ଟିକାଘାତ କରିବାରୁ ସେ ଧରାଶାୟୀ ହେଲା । କିନ୍ତୁ ପୁନଃ ଉତଥିତ ହୋଇ ଦେବୀଙ୍କ ପ୍ରତି ପ୍ରଧାବିତ ହେବାରୁ ମହାଶକ୍ତି ହୁଙ୍କାର ମାତ୍ରରେ ତାକୁ ଭସ୍ମ କରିଦେଇଥିଲା । ଦାନବର ସହଯୋଗୀମାନେ ପ୍ରାଣ ଭୟରେ ପାତାଳକୁ ପଳାୟନ କଲେ ।
- ଏହାପରେ ଭଗବାନ ଜାଗ୍ରତ ହୋଇ ନିଜ ଠାରୁ ଉତ୍ପନ୍ନ ମହାଶକ୍ତିଙ୍କୁ ଦିବ୍ୟ କନ୍ଯା ରୂପରେ ଦେଖୁ ତାଙ୍କୁ ପଚାରିଲେ- କନ୍ଯକେ ! ତୁମେ କିଏ ? ଏହି ଦୁଷ୍ଟ ଦାନବର ବଧ କିଏ କଲା ? କନ୍ୟା କହିଲେ- ଏହି ଦୁଷ୍ଟ ଦାନବ ଆପଣଙ୍କ ଶୟନାବସ୍ଥାରେ ଆକ୍ରମଣ କରିବାକୁ ଉଦ୍ୟତ ହେବାରୁ ମୁଁ ଆପଣଙ୍କ ଶରୀରରୁ ନିର୍ଗତ ହୋଇ ତା'ସହ ଯୁଦ୍ଧ କଲି । ଆପଣଙ୍କ କୃପାରେ ତାକୁ ବଧ କରି ଇନ୍ଦ୍ରାଦି ଦେବତାଙ୍କୁ ସେମାନଙ୍କ ସ୍ଥାନ ପ୍ରଦାନ କଲି । ଏହା ଶୁଣି ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇ କହିଲେ- ହେ କନ୍ଯକେ ! ମୁଁ ତୁମ ପ୍ରତି ଅତ୍ୟନ୍ତ ପ୍ରୀତ ହେଲି । ତୁମେ ଅଭୀଷ୍ଟ ବର ମାଗ ।
- କନ୍ୟାରୂପୀ ମହାଶକ୍ତି କହିଲେ- ହେ ପରମେଶ୍ବର ! ଯଦି ଆପଣ ମୋ ପ୍ରତି ସନ୍ତୁଷ୍ଟ ତେବେ ଏପରି ବର ପ୍ରଦାନ କରନ୍ତୁ ଯଦ୍ବାରା ବ୍ରତ- ଉପବାସ କରୁଥିବା ଭକ୍ତଜନମାନଙ୍କୁ ଉଦ୍ଧାର କରିପାରିବି ତଥା ଆପଣ ସେମାନଙ୍କୁ ଧର୍ମ,ଐଶ୍ଚର୍ଯ୍ୟ (ଧନ) , ଭଳି ଏବଂ ମୁକ୍ତି ପ୍ରଦାନ କରିବେ । ଭଗବାନ କହିଲେ ତଥାସ୍ତୁ' । ତୁମର ଭକ୍ତମାନେ ମୋର ଭକ୍ତ ରୂପେ ବିବେଚିତ ହେବେ । ତୁମେ ଏକାଦଶୀ ତିଥିରେ ମୋର ବିଗ୍ରହାଙ୍ଗରୁ ସମୁତ୍ପନ୍ନ ହୋଇଥିବାରୁ ତୁମେ "ଉତ୍ପନ୍ନା ଏକାଦଶୀ” ନାମରେ ଲୋକ ପରଲୋକରେ ପ୍ରସିଦ୍ଧ ହେବ । ଏକାଦଶୀ ବ୍ରତାଚାରୀମାନେ ସର୍ବାଧିକ ପୁଣ୍ୟ ପ୍ରାପ୍ତ ହେବେ ।
- ମାର୍ଗଶିର କୃଷ୍ଣପକ୍ଷ ଏକାଦଶୀ ଦିନ ଏହି ଦେବୀଙ୍କର ଉତ୍ପତି ହୋଇଥିବାରୁ ତାଙ୍କ ନାମ ଏକାଦଶୀ ହେଲା ଏବଂ ତାଙ୍କର ଏହି ଜନ୍ମଦିନଟି "ଉତ୍ପନ୍ନା ଏକାଦଶୀ" ଭାବରେ ପ୍ରସିଦ୍ଧ ହେଲା। ଭଗବାନ ବିଷ୍ଣୁଙ୍କର ବର ଅନୁସାରେ ପ୍ରତ୍ୟେକ ମାସର କୃଷ୍ଣ ଓ ଶୁକ୍ଷ ଏକାଦଶୀ ପବିତ୍ର ଦିନ ଭାବରେ ପରିଗଣିତ ହେଲା ଏବଂ ସ୍ଵୟଂ ମୁରାରି ଏହି ଦିନର ଅଧିପତି ହେଲେ।
0 Comments
Do you have any doubts or suggestions? Ask them here in the comments!