ସୁନାବେଶର ମାହାତ୍ମ୍ୟ ଓ ପ୍ରତିବର୍ଷ କେତେଥର ଅନୁଷ୍ଠିତ ହୋଇଥାଏ ?
ସୁନାବେଶର ମାହାତ୍ମ୍ୟ ଓ ପ୍ରତିବର୍ଷ କେତେଥର ଅନୁଷ୍ଠିତ ହୋଇଥାଏ ?
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନା ବେଶ ଅନ୍ୟତମ, ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ । ମହାପ୍ରଭୁଙ୍କ ସକଳ ବେଶରେ ମାଧୁର୍ଯ୍ୟ ଲାବଣ୍ୟ ପ୍ରକଟିତ ହେଉଥିବା ସ୍ଥଳେ, କେବଳ ସୁନା ବେଶରେ ଐଶ୍ୱର୍ଯ୍ୟ ପ୍ରାବଲ୍ୟ ପରିସ୍ଫୁଟ ହୋଇଥାଏ ।
ସୁନାବେଶ
ସୁନାବେଶ (ବା ରାଜବେଶ ବା ବଡ଼ତଢାଉ ବେଶ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ, ଯହିଁରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ସାଜ କରାଯାଏ । ପ୍ରତିବର୍ଷ ସୁନାବେଶ 6 ଥର ଅନୁଷ୍ଠିତ ହୋଇଥାଏ ।
ଏହା ସାଧାରଣତଃ ରତ୍ନସିଂହାସନ ଉପରେ
1. ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ)
2. ମାଘପୂର୍ଣ୍ଣିମା
3. ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା)
4. କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ)
5. ବିଜୟାଦଶମୀ (ଦଶହରା) ଦିନ ଅନୁଷ୍ଠିତ ହୋଇଥାଏ ।
କିମ୍ବଦନ୍ତୀ
କିମ୍ବଦନ୍ତୀରେ ଅଛି ଯେ ରଥ ଉପରେ ଏହି ବେଶର ନାମ ତଡ଼ଉ ବେଶ । କପିଳେନ୍ଦ୍ର ଦେବଙ୍କ ସେବକ ତଡ଼ଉ ବିନତି କରିଥିଲେ ଯେ ରତ୍ନବେଦୀରେ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ସବୁବର୍ଗରେ ଭକ୍ତ ଦର୍ଶନ କରିପାରୁ ନାହାନ୍ତି, ତେଣୁ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ କରାଯାଉ । ଯାହାଫଳରେ ସବୁବର୍ଗରେ ଭକ୍ତମାନେ ମହାପ୍ରଭୁଙ୍କର ଏହି ଅପୂର୍ବ ବେଶକୁ ଦର୍ଶନ କରିପାରିବେ । ସେବେଠୁ କପିଳେନ୍ଦ୍ର ଦେବ ରଥ ଉପରେ ସୁନାବେଶର ଆରମ୍ଭ କରିଥିଲେ ।
କେବଳ ଥରେ ମାତ୍ର ସମସ୍ତବର୍ଗର ଜନତାଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀଦିନ 6. ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), ସିଂହଦ୍ୱାରଠାରେ ରଖାଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି । ରଥ ଉପରେ ହେଉଥିବା ସୁନାବେଶରେ ମହାପ୍ରଭୁ ମହଣ ମହଣ ସୁନାରେ ସଜ୍ଜିତ ହୋଇଥା’ନ୍ତି । ତିନି ରଥ ଉପରେ ଆକର୍ଷଣୀୟ ସୁନାବେଶରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।
ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ସମୟ ବିନିମୟରେ ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ।
ଇତିହାସ
- ଶିଳାଲେଖରେ ଉଲ୍ଲେଖ ରହିଛି ରାଜା ତୃତୀୟ ଅନଙ୍ଗଭୀମ ଦେବ (୧୨୧୧-୧୨୩୮) ଓଡ଼ିଆଙ୍କ ପରମାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରଦେବତାରୂପେ ଘୋଷଣା କରିଥିଲେ । ରାଜା ମହାରାଜା ମାନେ ପ୍ରଭୁଙ୍କ ଆଦେଶ ବାହକ ସେବକ ରୂପେ ସେବା କରୁଥିଲେ । କିଛି ରାଜା ମହାପ୍ରଭୁଙ୍କୁ ଓଡ଼ିଶାର ରାଜା ରୂପେ ଘୋଷଣାକରି ରାଜଭିଷେକ ମଧ୍ୟ କରିଥିଲେ ।
- ପରେ ୧୨୩୮ରୁ ୧୨୬୬ ଯାଏଁ ଶାସନରେ ଥିବା ତାଙ୍କପୁତ୍ର ଲାଙ୍ଗୁଳା ନରସିଂହ ଦେବ ମଧ୍ୟ ନିଜକୁ ପୁରୁଷୋତ୍ତମଙ୍କ ପୁତ୍ର ଭାବେ ଅଭିହିତ କରିଥିଲେ।
- ଭାନୁଦେବ ତୃତୀୟ (୧୩୦୮-୧୩୨୮) ଜଗନ୍ନାଥଙ୍କୁ ରାଜାଧିରାଜ ରୂପେ ସ୍ୱୀକାର କରି ମହାପ୍ରଭୁଙ୍କ ନାମରେ ଅଙ୍କ ଗଣନା ଆରମ୍ଭ କରିଥିଲେ ।
- ତେବେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ ୧୪୩୫ରୁ ୧୪୬୬ ମଧ୍ୟରେ ଶ୍ରୀଜଗନ୍ନାଥଙ୍କୁ ଜାତୀୟ ଦେବତା ଭାବେ ମନେ କରି ନିଜକୁ ତାଙ୍କର ସେବକ ଭାବେ ସ୍ୱୀକାର କରିଥିଲେ। ଏପରିକି ଅନଙ୍ଗଭୀମ ଦେବ ଓ ପୁରୁଷୋତ୍ତମ ଦେବ ଶ୍ରୀଜଗନ୍ନାଥଙ୍କୁ ଓଡ଼ିଶାର ରାଜା ରୂପେ ମାନ୍ୟତା ପ୍ରଦାନ ପୂର୍ବକ ଉଭୟେ ଦୁଇ ବର୍ଷ ଧରି ରାଜ୍ୟ ଅଭିଷେକ ମଧ୍ୟ ହୋଇ ନଥିଲେ।
- ଏହି ସୁନାବେଶ ପ୍ରଚଳନର ଇତିହାସ ସମ୍ପର୍କରେ ଜଣାଯାଏ ଯେ, ଓଡ଼ିଆ ଜାତିର ପରମାରାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ର ଦେବତା ରୂପେ ସ୍ୱୀକାର କରି ଏ ରାଜ୍ୟର ରାଜା ମହାରାଜାମାନେ ସ୍ୱୟଂ ରାଉତ ବା ଆଦେଶ ବାହକ ରୂପେ ମହାପ୍ରଭୁଙ୍କ ସେବା ନିର୍ବାହ କରିଥିବା ପ୍ରମାଣ ଶିଳାଲେଖରୁ ମିଳୁଅଛି।
କେବେଠୁ ଆରମ୍ଭ ହୋଇଥିଲା ଏ ସୁନାବେଶ ?
- କିଛି ଗବେଷକଙ୍କ ମତରେ ରାଜା ଅନଙ୍ଗଭୀମ ଦେବ ପବିତ୍ର ଆଷାଢ଼ ଏକାଦଶୀ ତିଥିରେ ସୁନାବେଶ କରାଇଥିଲେ । ଅନ୍ୟ କେତେ ଗବେଷକଙ୍କ ମତରେ ରଥଉପରେ ସୁନାବେଶ ବଡ଼ତଢାଉଙ୍କ ପରାମର୍ଶରେ ରାଜା କରେଇଥିଲେ ।
- ବଡ଼ତଢାଉ ବେଶ ମତରେ ରାଜା କପିଳେନ୍ଦ୍ର ଦେବ ୧୪୬୦ରେ ଦକ୍ଷିଣ ବିଜୟରୁ ଫେରିବା ବେଳେ ୧୬ଟି ହାତୀ ପିଠିରେ ବୋଝେଇ ସୁନାଅଳଙ୍କାର ଆଣିଥିଲେ ଏହାକୁ ମହାପ୍ରଭୁଙ୍କୁ ସମର୍ପଣ କରିଥିବା ନେଇ ଜୟବିଜୟ ଦ୍ୱାରସ୍ଥିତ ଶିଳାଲେଖରେ ସୂଚନା ରହିଛି ।
- ‘‘ସୁନାବେଶ ରାଜା କପିଳେନ୍ଦ୍ର ଦେବଙ୍କ ସମୟରୁ ଆରମ୍ଭ ହୋଇଥିଲା। କପିଳେନ୍ଦ୍ର ଦେବ କୃଷ୍ଣାନଦୀ ପର୍ଯ୍ୟନ୍ତ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ। ବହୁ ରାଜାଙ୍କୁ ପରାସ୍ତ କରି ସେମାନଙ୍କର କିରିଟୀ, ମୁକୁଟ, ସିଂହାସନ ଏବଂ ସୁନା ୧୬ଟି ହାତୀ ପିଠିରେ ବୋଝେଇ ଆଣିଥିଲେ। ସେହି ସୁନାକୁ ନିଜ କାର୍ଯ୍ୟରେ ନ ଲଗାଇ ମହାପ୍ରଭୁଙ୍କ କାର୍ଯ୍ୟରେ ଲଗାଇଥିଲେ।
- ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନା ବେଶ ଅନୁଷ୍ଠିତ ହୋଇଥାଏ।
କିଏ ଓ କେଉଁମାନେ କରନ୍ତି ଠାକୁରଙ୍କୁ ସୁନାବେଶ ?
- ଏହି ସୁନା ବେଶ ସାମଗ୍ରୀ ଭଣ୍ଡାର ଘରୁ ପାଳିଆ ଭଣ୍ଡାରି ମେକାପ, ପାଳିଆ ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ, ପୋଲିସ, ଶ୍ରୀମନ୍ଦିର ଅଫିସର, ମନ୍ଦିର ଅଧିକାରୀ ତଥା ଗାରଦ କର୍ମଚାରୀମାନଙ୍କ ଉପସ୍ଥିତିରେ ବେଶ ଅଳଙ୍କାର ଗଣତି କରି ଆଣିଥାନ୍ତି ।
- ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରଭୃତି ସେବକମାନେ ଉପସ୍ଥିତ ରହି ଶ୍ରୀବିଗ୍ରହମାନଙ୍କ ସୁନାବେଶ କରିଥାନ୍ତି ବା ଆଭୁଷଣ ଲାଗି କରିଥାନ୍ତି ।
ଶ୍ରୀଜୀଉମାନଙ୍କ ଅଳଙ୍କାର
- ‘‘ମହାପ୍ରଭୁ ନିରାକାର, ନିରଞ୍ଜନ, ପରବ୍ରହ୍ମ । ତାଙ୍କୁ କେହି ଛୁଇଁପାରିବେନି। ମହାପ୍ରଭୁଙ୍କର ମସ୍ତଷ୍କ ନାହିଁ, ପାଦ ନାହିଁ, ଆଙ୍ଗୁଳି ନାହିଁ। ସେଥିପାଇଁ ତାଙ୍କ ପାଇଁ ସୁନାର ହାତ ଲାଗିଲା, ତାଙ୍କର ପୟର ଲାଗିଲା। ସୁଭଦ୍ରାଙ୍କର କାନ ନାହିଁ, ସେଥିପାଇଁ ସୁନାର କାନ ଲାଗିଲା, କାନରେ କୁଣ୍ଡଳ ଲାଗିଲା’’
- ପୃଥିବୀରେ ମହାପ୍ରଭୁଙ୍କ ବେଶ ଭଳି ବେଶ କେଉଁଠି ନାହିଁ । ଏତେ ବଡ଼ ବଡ଼ ଅଳଙ୍କାର ମହାପ୍ରଭୁଙ୍କ ଛଡ଼ା ଆଉ କେହି ପିନ୍ଧି ପାରିବେ ନାହିଁ । ମହଣ ମହଣ ଓଜନର ଅଳଙ୍କାର କେବଳ ଦାରୁବ୍ରହ୍ମ ହିଁ ପିନ୍ଧି ପାରିବେ ।
- ଜଗନ୍ନାଥ ଅର୍ଦ୍ଧନାରୀଶ୍ୱର। ଜଗନ୍ନାଥଙ୍କୁ ଶାଢ଼ି ଦିଆଯାଉଛି। ଜଗନ୍ନାଥଙ୍କୁ ପୁରୁଷ ଅଳଙ୍କାର ଦିଆଯାଉଛି ଏବଂ ସ୍ତ୍ରୀର ଅଳଙ୍କାର ମଧ୍ୟ ଦିଆଯାଉଛି । ଭକ୍ତ ପ୍ରିୟ ଏ କାଳିଆ ଠାକୁର।
- ବହୁବର୍ଷ ଧରି ରଥ ଉପରେ ସୁନାବେଶରେ ମହାପ୍ରଭୁଙ୍କୁ ୧୩୮ ପ୍ରକାର ରତ୍ନ ଖଚିତ ସ୍ୱର୍ଣ୍ଣାଳଙ୍କାର ଲାଗି ହେଇଥିଲା । ଏବେ ଏଥିରେ କିଛି ପରିବର୍ତ୍ତନ ହେଇଛି ।
ଶ୍ରୀଜଗନ୍ନାଥ :-
କିରିଟ, ଶ୍ରୀପୟର, ଶ୍ରୀଭୁଜ, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ, ଓଢିଆଣୀ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି
ଶ୍ରୀବଳଭଦ୍ର :-
କିରିଟ, ଶ୍ରୀପୟର, ଶ୍ରୀଭୁଜ, ହଳ ଓ ମୂଷଳ, ଓଢିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ବାଘନଖ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି
ଦେବୀସୁଭଦ୍ରା :-
କିରୀଟ, ଓଢ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ସେବତୀ ମାଳି, ତଗଡ଼ି-୨ଟି
0 Comments
Do you have any doubts or suggestions? Ask them here in the comments!