ପଞ୍ଚୁକ ବ୍ରତର ମହତ୍ତ୍ବ ଏବଂ ଜାଣନ୍ତୁ କାହିଁକି କରିବା ଉଚିତ ?

 ପଞ୍ଚୁକ ବ୍ରତର ମହତ୍ତ୍ବ ଏବଂ ଜାଣନ୍ତୁ କାହିଁକି କରିବା ଉଚିତ ?

କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ ।  ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରନ୍ତି । ଅନେକ ଅଁଳା ନବମୀ, ରାଧାପାଦ ଦର୍ଶନ ଦିବସ ଠାରୁ ସାତଦିନ ହବିଷ୍ୟ କରନ୍ତି । ତନ୍ମଧ୍ୟରୁ ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅତୀବ ପବିତ୍ର ଦିବସ ପଞ୍ଚକ ଭାବେ ଗଣାଯାଏ। ଏହି ପାଞ୍ଚଦିନକୁ ଭୀଷ୍ମ ପଞ୍ଚକ, ବକ ପଞ୍ଚକ, ମହାପଞ୍ଚକ, ବିଷ୍ଣୁ ପଞ୍ଚକ ବୋଲି ମଧ୍ୟ କୁହାଯାଏ। ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ଶୁଦ୍ଧ, ସାତ୍ତ୍ୱିକ ଖାଦ୍ୟ ଭୋଜନ କରନ୍ତି ।

ତେବେ ସବୁ ପର୍ବପର୍ବାଣୀ ଓ ବତ୍ରଠାରୁ ଭିନ୍ନ ହେଉଛି କାର୍ତ୍ତିକ ବ୍ରତ । କୁହାଯାଏ, କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ । ପଦ୍ମ ପୁରାଣର ଉତ୍ତରଖଣ୍ଡ ଅନୁସାରେ କାର୍ତ୍ତିକ ମାସହିଁ ଆରାଧନା, ଉପାସନା, ଆଦି ସମସ୍ତ ଦୃଷ୍ଟିରୁ ସର୍ବଶ୍ରେଷ୍ଠ ବୋଲି ପ୍ରତିପାଦିତ ହୋଇଛି । ଅର୍ଥାତ୍ କାୟମନୋବାକ୍ୟରେ ଶୁଦ୍ଧ ରହି ବ୍ରତ ଆଚରଣ ପୂର୍ବକ ଯେଉଁ ମାସରେ ଉପାସନା କରାଯାଏ, ତାହା କାର୍ତ୍ତିକ ମାସ । ଏଣୁ ଏହି ମାସ ପୂଣ୍ୟ ମଧ୍ୟରେ ପରମ ପୂଣ୍ୟ ସ୍ୱରୂପ । ତଥା ପବିତ୍ର ମଧ୍ୟରେ ପରମ ପବିତ୍ର ।

ପୁରାଣ ଅନୁସାରେ କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ କାର୍ତ୍ତିକ ମାସ କୁହାଯାଇଥାଏ । ଏହାର ପୂର୍ବ ମାସ ଆଶ୍ଵିନ ଓ ପରମାସ ମାର୍ଗଶିର ମାସ ଅଟେ । ସ୍କନ୍ଦ ପୁରାଣ ଅନୁସାରେ :- ନ କାର୍ତ୍ତିକ ସମୋ ମାସ ,ନ କୃତେନ ସମଂ ଯୁଗଂ/ନ ବେଦସଦୃଶଂ ଶାସ୍ତ୍ରଂ ନ ତୀର୍ଥଂ ଗଙ୍ଗୟା ସମମ୍ । ଅର୍ଥାତ୍ :- କାର୍ତ୍ତିକ ପରି ମାସ ନାହିଁ । ସତ୍ୟ ଯୁଗ  ପରି ଯୁଗ ନାହିଁ । ବେଦ ସଦୃଶ ଶାସ୍ତ୍ର ନାହିଁ । ଗଙ୍ଗା ପରି ତୀର୍ଥ ନାହିଁ ।

ପୌରାଣିକ ମତେ ପରମପିତା ବ୍ରହ୍ମା ଦେବର୍ଷି ନାରଦଙ୍କୁ କାର୍ତ୍ତିକ ମହାତ୍ମ୍ୟ ସମ୍ପର୍କରେ ବୁଝାଇ କହିଛନ୍ତି ଯେ :- ମାସ ମଧ୍ୟରେ କାର୍ତ୍ତିକ, ଦେବତାମାନଙ୍କ ମଧ୍ୟରେ ଭଗବାନ ବିଷ୍ଣୁ, ତୀର୍ଥମାନଙ୍କ ମଧ୍ୟରେ ନାରାୟଣ ତୀର୍ଥ ବା ବଦ୍ରିକାଶ୍ରମ ଶ୍ରେଷ୍ଠ ଅଟେ । 

1. ଭୀଷ୍ମ ପଞ୍ଚକ

ମହାଭାରତରେ ଉଲ୍ଲେଖ ରହିଛି ଗଙ୍ଗାପୁତ୍ର ଭୀଷ୍ମ ଶରଶଯ୍ୟାରେ ଥିବା ସମୟରେ ଏହି ପାଞ୍ଚ ଦିନ ପାଣ୍ଡବଙ୍କୁ ନୀତି ଶିକ୍ଷା ଦେଇଥିଲେ । ଭୀଷ୍ମ ପିତାମହ ଶରଶଯ୍ୟା ଉପରେ ଶୟନ କରି ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ଆଦି ବର୍ଣ୍ଣନା କରିଥିଲେ। ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । ଏଥିରେ ପ୍ରସନ୍ନ ହୋଇ ବାସୁଦେବ ଶ୍ରୀକୃଷ୍ଣ କହିଥିଲେ, ଆପଣ ଧନ୍ୟ । ଭୀଷ୍ମ ଇଛାମୃତ୍ୟୁ ବରପ୍ରାପ୍ତ ହୋଇଥିଲେ । ତେଣୁ ଏହି ପବିତ୍ର ସମୟରେ ଦେହତ୍ୟାଗ କରିବା ପାଇଁ ଇଛା ପ୍ରକାଶ କରିଥିଲେ। 
ସୂର୍ଯ୍ୟଙ୍କ ଉତ୍ତରାୟଣ ସମୟରେ ଦେହତ୍ୟାଗ କଲେ ଜନ୍ମ ଜନ୍ମାନ୍ତରର ପାପ କ୍ଷୟ ହେବା ସହିତ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ପ୍ରଭୁ ଶ୍ରୀକୃଷ୍ଣ ସୂଚନା ଦେଇଥିଲେ । ତେଣୁ ଭୀଷ୍ମ ଉତ୍ତରାୟଣ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ।

କାର୍ତ୍ତିକ ଏକାଦଶୀ ଦିନ ତମେ ଜଳର ଇଚ୍ଛା କରିଛ । ଶ୍ରୀକୃଷ୍ଣଙ୍କ ଆଦେଶାନୁସାରେ ଅର୍ଜୁନ ଭୀଷ୍ମକୁ ଜଳ ଅର୍ପଣ କରିଥିଲେ । ଏହି କ୍ରମେ କାର୍ତ୍ତିକ ଏକାଦଶୀ ଦିନଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଯେଉଁମାନେ ତୁମକୁ ଜଳ ଅର୍ଘଦାନ କରିବେ- ସେମାନେ ମୋତେ ତୃପ୍ତକରିବେ । ସେମାନଙ୍କ ମୋକ୍ଷ ପ୍ରାପ୍ତିର ମାର୍ଗ ପ୍ରଶସ୍ତ ହେବ ବୋଲି ବାସୁଦେବ କହିଥିଲେ ।  ଏହା ହେଉଛି ଭୀଷ୍ମପଞ୍ଚକ- ପ୍ରତିବର୍ଷ ପାଳିତ ହେବ । ଏଣୁ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଯେଉଁମାନେ ତୁମକୁ ଜଳ ଅର୍ଘଦାନ କରିବେ – ସେମାନେ ମୋତେ ତୃପ୍ତ କରିବେ ଓ ଏହା ହେଉଛି ଭୀଷ୍ମପଞ୍ଚକ – ପ୍ରତିବର୍ଷ ପାଳିତ ହେବ ଓ ବ୍ରତଧାରୀ ସବ୍ୟ ହୋଇ ମହାତ୍ମା ଭୀଷ୍ମଙ୍କ ପାଇଁ ତର୍ପଣ କରିବେ |

 ଏହିଭୀଷ୍ମ ତର୍ପଣ ସମସ୍ତ ବର୍ଣ୍ଣର ଲୋକେ କରିପାରିବେ ଓ ମନ୍ତ୍ର ହେଉଛି-

“ ସତ୍ୟବ୍ରତାୟ ଶୁଚିୟେ ଗାଙ୍ଗେୟାୟ ମହାତ୍ମନେ ଓ
        ଭୀଷ୍ମାୟୈତଦ୍ ଦଦାମ୍ୟର୍ଘ୍ୟ ମାଜନ୍ମ ବ୍ରହ୍ମଚାରିଣେ ” |

2. ସୂର୍ଯ୍ୟୋଦୟ ପୂର୍ବରୁ ତିଳ ମିଶ୍ରିତ ଜଳରେ ସ୍ନାନ

ଏହି ପାଞ୍ଚ ଦିନ ସକାଳୁ ଉଠି ସୂର୍ଯ୍ୟୋଦୟ ପୂର୍ବରୁ ତିଳ ମିଶ୍ରିତ ଜଳରେ ସ୍ନାନ କଲେ ଅଶେଷ ପୁଣ୍ୟ ମିଳେ। ଏହି ଅବସରରେ ଶ୍ରଦ୍ଧାଳୁ ପବିତ୍ର ନଦୀରେ ସ୍ନାନ କରି ଏହି ମନ୍ତ୍ର ଜପ କରିଥାନ୍ତି। ଏହି ବ୍ରତ କଲେ ଏକ ହଜାର ଏକାଦଶୀ ବ୍ରତର ପୁଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି। 

ଯେଉଁମାନେ ରାତି ଦି’ ଘଡ଼ି ଥିବ ଜଳାଶୟକୁ ତୁଳସୀମୂଳର ମୃତ୍ତିକା ଲଗାଇ, ବସ୍ତ୍ର ଏବଂ କଳସ ନେଇ ଜଳାଶୟକୁ ଯାଇ ଗଙ୍ଗାଆଦି ନଦୀ ତଥା ବିଷ୍ଣୁ ଶିବ ଆଦି ଦେବତା ସ୍ମରଣ ପୂର୍ବକ ନାଭି ପର୍ଯ୍ୟନ୍ତ ଜଳରେ ଠିଆ ହୋଇ ଏହିମନ୍ତ୍ର ଯଥା-

ସ୍ନାନ ମନ୍ତଂ

"କାର୍ତ୍ତିକେ ଅହଂ କରିଷ୍ୟାମି ପ୍ରାତଃ ସ୍ନାନଂ ଜନାର୍ଦ୍ଦନ 
           ପ୍ରୀତ୍ୟର୍ଥଂ ତବ ଦେବେଶ ଦାମୋଦର ମୟଃ ସହ"।

3. ଅର୍ଘ୍ୟ ପ୍ରଦାନ

ଜନାର୍ଦ୍ଦନ ! ଦେବେଶ୍ୱର ଦାମୋଦର ! ଲକ୍ଷ୍ମୀ ସହିତ ଆପଣଙ୍କ ପ୍ରସନ୍ନତା ପାଇଁ ମୁଁ କାର୍ତ୍ତିକ କାର୍ତ୍ତିକ ସ୍ନାନ କରୁଛି ଓ ଅର୍ଘ୍ୟ ପ୍ରଦାନ ପୂର୍ବକ କହନ୍ତି-

     “ ଗୃହାଣାର୍ଘ୍ୟଂ ମୟାଦତ୍ତଂ ରାଧୟା ସହିତ ହରେ ଓ
                      ନମଃ କମଳନାଭାୟ ନମସ୍ତେ ଜଳଶାୟିନେ ଓ
                               ନମସ୍ତେଦ୍ଧସ୍ତୁ ହୃଷିକେଶ ଗୃହାଣାର୍ଘ୍ୟଂ ନମୋଦ୍ଧସ୍ତୁତେ ଓଓ”

ଭଗବାନ ! ଆପଣ ଶ୍ରୀରାଧାଙ୍କ ସହିତ ମୋର ପ୍ରଦତ୍ତ ଏହି ଅର୍ଘ୍ୟକୁ ସ୍ୱୀକାର କରନ୍ତୁ ଓ ହରେ ! କମଳା ନାଭ ! ଆପଣଙ୍କୁ ନମସ୍କାର ଓ ଜଳଶାୟୀ ନାରାୟଣ ! ଆପଣଙ୍କୁ ନମସ୍କାର ଓ ହୃଷୀକେଶ ଏହି ଅର୍ଘ୍ୟ ଗ୍ରହଣ କରନ୍ତୁ ଓ ପ୍ରେତପୁରୁଷ ଓ ପିତୃପୁରୁଷଙ୍କୁ ପଥ ପ୍ରଦର୍ଶନ ତଥା ସେମାନଙ୍କ ଅନ୍ଧକାରାଚ୍ଛନ୍ନ ଦୁର୍ଗମପଥକୁ ଉଜ୍ଜଳ କରିବା ସକାଶେ ପ୍ରତ୍ୟେକ ଗ୍ରାମରେ ଆକାଶଦୀପ ପ୍ରତିଷ୍ଠା କରାଯାଇଥାଏ ଓ ଏହି ଧର୍ମମାସର ପ୍ରତ୍ୟେକ ଦିନ ପର୍ବର ଦିନ । ଦିନେ ଦଣ୍ଡକାରଣ୍ୟରେ ଋଷିମୁନିମାନେ ରାମରୂପ ଦର୍ଶନରେ ପ୍ରଲୁବ୍ଧ ହୋଇଥିଲେ ଓ ଭଗବାନ ରାମ ବର ପ୍ରଦାନ କରିଥିଲେ- ଦ୍ୱାପର ଯୁଗରେ ତମେ ସବୁ ଗୋପୀ ହୋଇ ମୋତେ କୃଷ୍ଣ ରୂପରେ ପ୍ରାପ୍ତ ହେବ ଓ

“ବଲ୍ଲଭୀ ତୁମ୍ଭେ ହୋଇବ ଦ୍ୱାପରେ,
ବ୍ରଜେ ରହିବୁ ଆମ୍ଭେ କଂସ ଡରେ ଓ
ବୃନ୍ଦାବନରେ ହେବ ରାସକେଳି,
ବଲ୍ଲଭୀ ଏକା ଏ ଦେହେ ମୈଥିଳୀ ଓ
ବହିବୁ ଗୋପୀନାଥର ନାମକୁ,
ବେଲେ ଉପଇନ୍ଦ୍ର ବୋଧିଲେ ତାଙ୍କୁ ॥”

କୃଷ୍ଣପ୍ରାପ୍ତି ଆଶାରେ ଏହି ଗୋପୀମାନେ କାର୍ତ୍ତିକ ମାସ ସାରା ପ୍ରତ୍ୟୁଷରୁ ସ୍ନାନ କରି ନଦୀ, ସମୁଦ୍ର, ପୁଷ୍କରଣୀ, ଝରଣା ତଟରେ ବାଲିରେ କୃଷ୍ଣମୂର୍ତ୍ତି ସ୍ଥାପନ କରି, ପୁଷ୍ପଚନ୍ଦନ ହୁଳହୁଳି ଦାନପୂର୍ବକ, କୃଷ୍ଣ ତୁଲ୍ୟ ପତି ପ୍ରାପ୍ତ୍ୟର୍ଥେ କାର୍ତ୍ତିକ ବ୍ରତ ପାଳନ କରୁଥିଲେ ଓ ସେ ପରମ୍ପରା ଏବେ ମଧ୍ୟ ଅନୁସୃତ  ।

4. ସନ୍ତାନପ୍ରାପ୍ତି ଉଦ୍ଦେଶ୍ୟରେ

ସାଧାରଣତଃ ସନ୍ତାନପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଏହି ଭୀଷ୍ମପଞ୍ଚକ ବ୍ରତ ପାଳନ କରନ୍ତି । ସନ୍ତାନହୀନ ବ୍ୟକ୍ତିଙ୍କ ପାଇଁ ଭୀଷ୍ମପଞ୍ଚକ ପାଳନୀୟ | ଏକଥା ପଞ୍ଚକରେ ଅର୍ଘ୍ୟଦାନ ମନ୍ତ୍ରରୁ ସୁସ୍ପଷ୍ଟ ହୋଇଥାଏ | ଅର୍ଘ୍ୟଦାନ ମନ୍ତ୍ର ହେଉଛି :-

“ବୈୟାଘ୍ୟପଦ ରୋତ୍ରାୟ ସାଙ୍କୃତ ପ୍ରବରାୟ ଚ
                    ଅପୁତ୍ରାୟ ଦଦାମ୍ୟେତ ଦୁଦକଂ ଭୀଷ୍ମ ବର୍ମଣେ
ବତ୍ସନାମବତାରାୟ ଶନ୍ତନୋ ରାତ୍ମଜାୟ ଚ
                        ଅର୍ଘ୍ୟଂ ଦଦାମି ଭୀଷ୍ମାୟ ଆଜନ୍ମ ବ୍ରହ୍ମଚାରିଣେ |”

ଯାହାଙ୍କର ବ୍ୟାଘ୍ରପଦ ଗୋତ୍ର ଏବଂ ସାଂକୃତ ପ୍ରବର, ସେହିପୁତ୍ର ରହିତ ଭୀଷ୍ମବର୍ମାଙ୍କୁ ମୁଁ ଏହିଜଳ ଦେଉଛି | ବସୁମାନଙ୍କ ଅବତାର, ଶାନ୍ତନୁଙ୍କ ପୁତ୍ର, ଆଜନ୍ମ ବ୍ରହ୍ମଚାରୀ ଭୀଷ୍ମଙ୍କୁ ମୁଁ ଅର୍ଘ୍ୟ ଦେଉଛି | 

ପଞ୍ଚଗବ୍ୟ, ସୁଗନ୍ଧଚନ୍ଦନ, କୁଙ୍କୁମ ଦ୍ୱାରା ଭକ୍ତିପୂର୍ବକ ଶ୍ରୀହରିଙ୍କ ପୂଜନ କରିବ | ଅଷ୍ଟାକ୍ଷର ମନ୍ତ୍ର “ଓଁ ନମୋ ବାସୁଦେବାୟ ” ବା ଷଡାକ୍ଷର ମନ୍ତ୍ର “ ଓଁ ରାମାୟନମଃ, ” ଶହେ ଆଠବାର ଜପ କରିବ | ବ୍ରତକାଳରେ ବ୍ରାହ୍ମଚର୍ଯ୍ୟ ପାଳନ କରିବ | କାର୍ତ୍ତିକ ପୌଷମାସୀରେ ବ୍ରାହ୍ମଣଙ୍କୁ ନ୍ୟୁନ ପକ୍ଷେ ପାଞ୍ଚ ଜଣ ବ୍ରାହ୍ମଣଙ୍କୁ ଭୋଜନ ଦେଇ ବ୍ରତ ଉଦ୍ ଯାପନ କରିବ । 

5. ତେତିଶ କୋଟି ଦେବତା ମନୁଷ୍ୟମାନଙ୍କର ସନ୍ନିକଟ ହୋଇଥାନ୍ତି

ଏହି ପଞ୍ଚକରେ ତେତିଶ କୋଟି ଦେବତା ମନୁଷ୍ୟମାନଙ୍କର ସନ୍ନିକଟ ହୋଇଯାନ୍ତି | ଏହି ସମୟରେ ଏକଲକ୍ଷ ତୁଳସୀପତ୍ର ଚଢାଇ ବିଷ୍ଣୁଙ୍କୁ ପୂଜାକଲେ, ସମସ୍ତ ଦେବତା ପ୍ରସନ୍ନହୋଇ ବର ପ୍ରଦାନକରନ୍ତି | 

“ ସର୍ବଦେବ ନମସ୍କାରଃ କେଶବଂ ପ୍ରତିଗଚ୍ଛତି |” 

              ଭଗବାନ୍ ବିଷ୍ଣୁ ଇପ୍ସିତ ବର ପ୍ରଦାନକରନ୍ତି | 

ଗୋଟିଏ ଗୋଟିଏ ତୁଳସୀ ଦଳ ଗୋଟିଏ ଗୋଟିଏ ମୋତି ହୋଇଯାଏ | 

6. ଗୋବିନ୍ଦ ନାମ ସ୍ମରଣକଲେ ଅକ୍ଷୟପୁଣ୍ୟ ପ୍ରାପ୍ତିହୁଏ

ପାଞ୍ଚଦିନ ଗୋବିନ୍ଦ ନାମ ସ୍ମରଣକଲେ ଅକ୍ଷୟପୁଣ୍ୟ ପ୍ରାପ୍ତିହୁଏ | 

“ଗୋବିନ୍ଦ ଗୋବିନ୍ଦ ହରେ ମୁରାରେ ଗୋବିନ୍ଦ ଗୋବିନ୍ଦ ମୁକୁନ୍ଦକୃଷ୍ଣ 

ଗୋବିନ୍ଦ ଗୋବିନ୍ଦ ରଥାଙ୍ଗ ପାଣେ ଗୋବିନ୍ଦ ଦାମୋଦର ମାଧବେତି |” 

ଭାଗବତ ଏବଂ ଗୀତା ପାଠ କରିବା ବିଧେୟ | ଏହିସମୟରେ ପ୍ରତ୍ୟେହ ଗୀତାର ଗୋଟିଏ ଶ୍ଳୋକ ପାଠକରି ମଧ୍ୟ ମନୁଷ୍ୟ ଜୀବନ୍ମୁକ୍ତ ହୋଇଯିବ । ସ୍କନ୍ଦ ପୁରାଣ ମତେ :-


“ କାର୍ତ୍ତିକ ମାସି ବିପ୍ରେନ୍ଦ୍ର ଯସ୍ତୁଗୀତାଂ ପଠେନ୍ନରଃ
                         ତସ୍ୟ ପୁଣ୍ୟଫଳଂ ବକ୍ତୁଂ ମମଶକ୍ତି ର୍ନ ବିଦୀତେ
          ଗୀତାୟାସ୍ତୁ ସମଂ ଶାସ୍ତ୍ରଂ ନ ଭୂତଂ ନ ଭବିଷ୍ୟତି
                     ସର୍ବ ପାପହରା ନିତ୍ୟଂ ଗୀତୈକା ମୋକ୍ଷଦାୟିନୀ
                               ଶ୍ରୀମଦ୍ ଭଗବତସ୍ୟାପି ଶ୍ରବଣଂ ଯଃ ସମାଚରେତ୍
                                               ସର୍ବପାପ ବିନିର୍ମୁକ୍ତଃ ପରଂ ନିର୍ବାଣ ମୃଚ୍ଛତି |”

7. ଚତୁର୍ମାସ୍ୟା ପରେ କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଜାଗ୍ରତ ହୁଅନ୍ତି

ଏହି ପଞ୍ଚକରେ ପାଞ୍ଚଦିନ ଯାକ ତାତ୍ପର୍ଯ୍ୟ ପୂର୍ଣ୍ଣ । ପଞ୍ଚକର ପ୍ରଥମଦିନ ହେଉଛି ବଡ ଏକାଦଶୀ | ଆଷାଢ ଶୁକ୍ଳପକ୍ଷ, ଏକାଦଶୀ ତିଥିରେ ଭଗବାନବିଷ୍ଣୁ ଶଙ୍ଖାସୁରକୁ ବଧ କରିଥିଲେ | ଅତଃ ସେହିଦିନ ଠାରୁ ଚାରିମାସ କାଳ ଭଗବାନ କ୍ଷୀରସାଗରରେ ବିଶ୍ରାମ କରନ୍ତି | ଚତୁର୍ମାସ୍ୟା ପରେ କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଜାଗ୍ରତ ହୁଅନ୍ତି | ଏହିକାରଣରୁ ବୈଷ୍ଣବମାନେ ମନ୍ତ୍ରୋଚାରଣ କରି ବିଷ୍ଣୁ ଭଗବାନଙ୍କୁ ଜାଗ୍ରତ କରାନ୍ତି | 

ମନ୍ତ୍ର 

“ଉତ୍ତିଷ୍ଠୋତ୍ତିଷ୍ଠ ଗୋବିନ୍ଦ ଉତ୍ତିଷ୍ଠ ଗରୁଡଧ୍ୱଜ ଉତ୍ତିଷ୍ଠ କମଳାକାନ୍ତ ତୈଲୋକ୍ୟ ମଙ୍ଗଳଂ କୁରୁ”

 ହେ ଗୋବିନ୍ଦ ! ଉଠନ୍ତୁ, ଉଠନ୍ତୁ, ହେ ଗରୁଡଧ୍ୱଜ ! ଉଠନ୍ତୁ | ହେ କମଳାକାନ୍ତ ! ନିଦ୍ରା ତ୍ୟାଗକରି ତିନିଲୋକର ମଙ୍ଗଳ କରନ୍ତୁ |

Post a Comment

0 Comments