କାର୍ତ୍ତିକମାସ ଓ ତୁଳସୀ କଥା

କାର୍ତ୍ତିକମାସ ଓ ତୁଳସୀ କଥା



ଚତୁର୍ମାସର ଶେଷମାସ ହେଉଛି କାର୍ତ୍ତିକ । ଏହି ମାସ ବିଷ୍ଣୁଙ୍କର ଅତି ପ୍ରିୟ ମାସ କୁହାଯାଏ ଯେ, ବିଷ୍ଣୁ ଚତୁର୍ମାସରେ ଯୋଗନିଦ୍ରାରେ ରହିଥାନ୍ତି । ଏହି ମାସରେ ଯୋଗନିଦ୍ରାରୁ ଉଠି ମାନବ ସମାଜର କଲ୍ୟାଣ କରନ୍ତି । ତେଣୁ ଏହି ମାସସାରା ପ୍ରାତଃସ୍ନାନ, ନିରାମିଷ ଓ ବିନା-ପିଆଜ ରସୁଣରେ ଭୋଜନ କରଯାଏ । ଏହି ମାସରେ ତୁଳସୀ ଗଛ ଲଗାଇବା, ସକାଳେ ଦୀପ ଦେଇ ପୂଜା କରିବା ଦ୍ଵାରା ମଣିଷର ପାପ ନାଶ ହୁଏ ଓ ମୋକ୍ଷ ପ୍ରାପ୍ତି ହୁଏ । 

  1. କାର୍ତ୍ତିକ ମାସ ଏକ ପବିତ୍ର ତଥା ଦାନଧର୍ମର ମାସ । ପ୍ରତି ମଣିଷର ହୃଦୟ ଆଧ୍ୟାତ୍ମିକ ଚେତନାରେ ଉଦ୍ ବୁଦ୍ଧ ହେଇଥାଏ । ନିରାମିଷ ଭୋଜନ କରିଦା ଦ୍ଵାରା ସାତ୍ତ୍ଵିକ ମନୋଭାବ ଉଦ୍ରେକ ହୋଇଥାଏ।  ତେଣୁ ମାସଶ୍ରେଷ୍ଠ କାର୍ତ୍ତିକ ଭାଗବତ୍ ଭପାସନା, ଭଜନ କୀର୍ତ୍ତନ ଅଷ୍ଟପ୍ରହରୀ ନାମଯଜ୍ଞ ନିମନ୍ତେ ସର୍ବ ଅଟେ ।
  2. ତୁଳସୀ ହରିଙ୍କର ଅତିପ୍ରିୟ ହୋଇଥିବାରୁ ଏହି ମାସରେ ତାଙ୍କୁ ଭକ୍ତିର ସହିତ ପୂଜା କରାଯାଏ । ତୁଳସୀର ଅନ୍ୟ ନାମ ବୃନ୍ଦାବତୀ, ହରିକେଶୀ, ବିଷ୍ଣୁବଲ୍ଲଭ, ନାରାୟଣୀ, ବିଶ୍ୱପୂଜିତା, ବିଶ୍ୱପାବନୀ । କୁହାଯାଏ– ମୂଳେ ତା'ର ଗଙ୍ଗା, ଡ଼ାଳେ ତା'ର ବିଷ୍ଣୁ, ପତ୍ରେ ଦେବତାଙ୍କ ବାସ, ସେ ପତ୍ର ପଡ଼ିଲେ ମଣୋହି ହୁଅଇ କହଇ ଗୋଲକ ଦାସ ।

ତୁଳସୀର ଉତ୍ପତ୍ତି ?

ଦିନେ ରାଜା ପୃଥୁ ନାରଦଙ୍କୁ ପଚାରିଲେ ତୁଳସୀର ପରିଚୟ ଓ ତୁଳସୀ ପୂଜା କାହିଁକି କରାଯାଏ ? ନାରଦ ମୁନି ତୁଳସୀ କାହାଣୀକୁ ବିସ୍ତୃତ ଭାବେ ବର୍ଣ୍ଣନା କରିବାକୁ ଲାଗିଲେ । ପୌରାଣିକ କାହାଣୀ ଅନୁସାରେ- କାଳନେମୀ ଋଷିଙ୍କର ଗୋଟିଏ ସୁନ୍ଦର ଝିଅ ଥିଲା, ତା' ନାମ ବୃଦା । ରାକ୍ଷସ କୁଳରେ ତା'ର ଜନ୍ମ। ସେ ବାଲ୍ୟକାଳରୁ ବିଷ୍ଣୁ ଭକ୍ତ ଥିଲା । ନାରାୟଣଙ୍କୁ ପତି ରୂପେ ପାଇବା ପାଇଁ ବହୁତ ଇଛା କରି ସଦାସର୍ବଦା
ବିଷ୍ଣୁଙ୍କର ପୂଜା କରୁଥିଲା । ଦିନେ ବ୍ରହ୍ମା ତା' ପୂଜାରେ ସନ୍ତୁଷ୍ଟ ହୋଇ ବର ମାଗିବାକୁ କହିବାରୁ ବୃନ୍ଦା କହିଲା- ପ୍ରଭୁ ତୁମେ ତ ଅନ୍ତର୍ଯ୍ୟାମୀ, ତୁମକୁ କୋଉ କଥା ବା ଅଛପା ? ବ୍ରହ୍ମା ବର ମାଗିବାକୁ କୁହନ୍ତେ ବୃନ୍ଦା ନାରାୟଣଙ୍କୁ ନିଜର ଲଭିବା ପାଇଁ ମନୋଭାବ ବ୍ୟକ୍ତ କଲା । 
ବୃନ୍ଦା ଯେହେତୁ ରାକ୍ଷସ କୁଳରେ ଜାତ, ତେଣୁ ବଡ଼ ହେବାପରେ ତା’ ବିବାହ ହୋଇଗଲା ରାକ୍ଷସ ରାଜା ଜଳନ୍ଧର ସହିତ । ବୃନ୍ଦା ପ୍ରତିବତା ନାରୀ  । ସବୁବେଳେ ପତିସେବାରେ ତା'ର ସମୟ ଅତିବାହିତ କରୁଥିଲା । ଜଳନ୍ଧର ପ୍ରବଳ  ପ୍ରତାପୀ ଥିଲା । ତାର ପରିକ୍ରମାରେ ଥରହର ହେଉଥିଲା ଧରିତ୍ରୀ। ଏକଥା ଦେଖି ଦେବତାମାନଙ୍କ ଭିତରେ ଭାଳେଣି ପଡ଼ିଲା ଜଳନ୍ଧରକୁ କିପରି ନିଧନ କରିବେ । ଶେଷରେ ବୃନ୍ଦାର ସତୀତ୍ଵ ଅପହରଣ ପାଇଁ ଯୋଜନା କରାଗଲା।

ଦିନେ ରାକ୍ଷସ ଓ ଦେବତାମାନଙ୍କ ଭିତରେ ଯୁଦ୍ଧ ହେଲା । ଯେବେ ଜଳନ୍ଧର ଯୁଦ୍ଧକୁ ଯିବାପାଇଁ ବାହାରିଲା ବୃଦା କହିଲା ସ୍ୱାମୀ ଆପଣ ଯୁଦ୍ଧକ୍ଷେତ୍ରକୁ ଯାଉଛନ୍ତି, ଅପଣ ଯେଉଁ ପର୍ଯ୍ୟନ୍ତ ଯୁଦ୍ଧରୁ ଫେରିନାହାଁନ୍ତି ମୁଁ ମୋ ପୂଜା ଛାଡ଼ିବିନି । ତା' ବ୍ରତ ପ୍ରଭାବରେ ଦେବତାମାନେ ଜଳନ୍ଧରଙ୍କୁ ହରାଇ ପାରିଲେ ନାହିଁ । ସେମାନେ ବିଷ୍ଣୁ ପାଖକୁ ସାହାଯ୍ୟ ମାଗିବାକୁ ଗଲେ । ଭଗବାନ କହିଲେ ବୃନ୍ଦା ମୋର ପରମ ଭକ୍ତ । ମୁଁ ତା' ସହିତ ଛଳ କରିପାରିନାହିଁ । ଏକଥା ଶୁଣି ଦେବତାମାନେ କହିଲେ ତେବେ ଅନ୍ୟ କିଛି ଉପାୟ ବତାନ୍ତୁ । ସ୍ଵୟଂ ଭଗବାନ ବିଷ୍ଣୁ ଜଳନ୍ଧର ରୂପ ଧାରଣ କରି ବୃନ୍ଦାଙ୍କ ମହଲରେ ପହଞ୍ଚିଲେ, ବୃନ୍ଦାଙ୍କ ସତୀତ୍ବ ହରଣ କଲେ ଏବଂ ଦେବତାମାନେ ଯୁଦ୍ଧରେ ଜଳନ୍ଧରକୁ ବଧ କଲେ । ଏକଥା ଯେତେବେଳେ ବୃନ୍ଦା ଜାଣିପାରିଲେ ଯେ, ବିଷ୍ଣୁ ମାୟା କରି ଜଳନ୍ଧରକୁ ବଧ କରିଛନ୍ତି, କ୍ରୋଧରେ ଜର୍ଜରିତ ହୋଇ ବିଷ୍ଣୁଙ୍କୁ ଅଭିଶାପ ଦେଲେ ଯେ ସେ ପଥର ହୋଇଯାଆନ୍ତୁ ।

ବୃନ୍ଦା ସତୀ ନାରୀ ହୋଇଥିବାରୁ ଭଗବାନ ମୁଣ୍ଡପାତି ସତୀ ନାରୀର ଅଭିଶାପକୁ ସହିଗଲେ ଓ ପଥର ହୋଇଗଲେ । ସେତେବେଳେ ଥାଏ ଦ୍ଵାପର ଯୁଗ, ଭଗବାନଙ୍କ ଅବତାରେ ଥାଆନ୍ତି କୃଷ୍ଟ । କଥା ଯାଇ ପହଞ୍ଚିଲା ଅଷ୍ଟପାଟବଂଶୀଙ୍କ ପାଖରେ । ସେମାନେ ଜାଣିଲେ ଯେ ବୃନ୍ଦାଙ୍କ ଅଭିଶାପ ପରେ ଭଗବାନ ଆଉ କଳିଯୁଗରେ ଅବତାରୀ ପୁରୁଷ ଭାବେ ଜନ୍ମ ନେବେନି । 

ସେମାନେ ଉତ୍‌କ୍ଷିପ୍ତ ହୋଇ ବୃନ୍ଦଙ୍କୁ ଫଳ ଫୁଲ ଛାଇହୀନ ବୃକ୍ଷଭାବରେ ପରଜନ୍ମରେ ଜନ୍ମ ନେବାକୁ ଅଭିଶାପ ଦେଲେ ଯାହା ଫଳରେ କେହି ଆକୃଷ୍ଟ ହେବେନାହିଁ, ଏପରିକି ଶ୍ୱାନ ପାଲ ମଳମୁତ୍ର ତ୍ୟାଗ କରିବେ ବୋଲି କହିଲେ । ବୃନ୍ଦା ନିଜର ଭୁଲ ବୁଝିପାରି ଅନୁତପ୍ତ ହେଲେ, ଭଗବାନଙ୍କୁ କ୍ଷମା ମାଗିଲେ । ଭଗବାନ ବୃନ୍ଦା ଉପରେ ସଦା ପ୍ରସନ୍ନ ଥିଲେ, ତେଣୁ କହିଲେ ତୁମେ ପୁନର୍ଜନ୍ମ ଲାଭ କରିଲେ ମୋରି ସାନ୍ନିଧ୍ୟ ପାଇବ । ପରଜନ୍ମରେ ତୁମେ ବୃନ୍ଦାରୁ ପବିତ୍ର ତୁଳସୀ ଗଛ ହୋଇ ଜନ୍ମ ନେବ | ମୋର ସବୁପ୍ରକାର ପୂଜା ନୈବେଦ୍ୟରେ ଅର୍ପିତ ହେବ। 

କଳିରେ ଜଳନ୍ଧର କୀଟରୁପେ ଜନ୍ମନେବ, ମୁଁ ଦାରୁ ରୂପେ ପୂଜା ହେବି । ନିମ୍ବ ଦାରୁରେ ମୋ ବିଗ୍ରହ ପ୍ରତିଷ୍ଠା ହେବ, ମୋ ଶରୀର ସ୍ପର୍ଶ କରିପାରିବନି ଜଳନ୍ଧର କି ତୁମ ମହମହ ବାସ୍ନା ରେ ପାଖ ପଶିବନି । ସେଦିନଠାରୁ ବିଷ୍ଣୁ ଆରାଧନାରେ ତୁଳସୀ ଥାଏ ସର୍ବାଗ୍ରେ । 

ଦେବତାମାନେ ବୃନ୍ଦାକୁ ତାଙ୍କ ଅଭିଶାପ ଫେରଇନେବାକୁ କହିଲେ । ବୃନ୍ଦା ଦେଇଥିବା ଅଭିଶାପ ଫେରାଇନେବାକୁ କଥା ଦେଲେ, ନିଜେ ସ୍ବାମୀଙ୍କ ସହିତ ସତୀ ହୋଇଗଲେ । ସେହି ପାଉଁଶରୁ ଗୋଟିଏ ଗଛ ହେଲା, ସେହି ଗଛର ନାମ ତୁଳସୀ ହେଲା । ଭବାନ ପଥରରୂପୀ ଶାଳଗ୍ରାମ ପାଲଟିଯିବାରୁ ତାଙ୍କୁ ତୁଳସୀ ସହିତ ପୂଜା କରାଗଲା । ସେହିଦିନ ବିଷ୍ଣୁଙ୍କର ସମସ୍ତ କାର୍ଯ୍ୟରେ ତୁଳସୀ ପୂଜା ହୋଇଆସୁଛି । କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ଶାଳଗ୍ରାମ ସହିତ ତୁଳସୀକୁ ବିବାହ କରଯାଏ, ଯାହାକି ଦେହ ଉତ୍ଥାପନ ଏକାଦଶୀ ନାମରେ ନାମିତ ।

ତୁଳସୀ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ଭାରତରେ ସର୍ବତ୍ର ଦେଖିବାକୁ ମିଳେ । ଏହା ଭାରତୀୟ ଜନଜୀବନ ସହିତ ଅତି ପରିଚିତ । ଏହା ସାତ ପ୍ରକାରର ହୋଇଥିଲେ ବି ପତ୍ରର ରଙ୍ଗକୁ ନେଇ ଧଳା ଓ କଳା ଭେଦରେ ଦୁଇଟି ଜାତି ପ୍ରଧାନ ଅଟେ । ଶ୍ୱେତ ତୁଳସୀର ପତ୍ରଗୁଡ଼ିକ ହାଲୁକା ରଙ୍ଗର ଥାଏ ଏହାକୁ କେହି କେହି 'ଗୌରୀ ତୁଳସୀ' ମଧ୍ୟ କହିଥାନ୍ତି । କୃଷ୍ଣ ତୁଳସୀ ପତ୍ରଗୁଡ଼ିକ ଗାଢ଼ କଳା । ଏହା ବ୍ୟତୀତ ବଣ ତୁଳସୀ ନାମକ ଆଉ ଏକ ଜାତି ରହିଅଛି । ଏହାକୁ ହିନ୍ଦୀରେ 'କାଠେରକ୍' କୁହାଯାଏ ।

  1. କାର୍ତ୍ତିକ ପୂର୍ଣ୍ଣିମା ଦିନ ତୁଳସୀ ପୂଜା କଲେ ସର୍ବରିଷ୍ଟ ଖଣ୍ଡନ ହୁଏ । 
  2. କାର୍ତ୍ତିକ ମାସର ପ୍ରବୋଧୀନି ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମା ଭିତରେ ଅନୁଷ୍ଠିତ ହୁଏ ତୁଳସୀ ବିବାହ । ଅର୍ଥାତ ଏହି ଦିନ ଭଗବାନ ବିଷ୍ଣୁଙ୍କ ସହ ତୁଳସୀ ବୃକ୍ଷର ବିବାହ ସମ୍ପନ୍ନ ହୁଏ । ହିନ୍ଦୁ ଭକ୍ତମାନେ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ୧୦୦୦ ତୁଳସୀ ମାଳ ଗୁନ୍ଥି ଅର୍ପଣ କରନ୍ତି । 
  3. ଘରର ଦକ୍ଷିଣ ଦିଗରେ ତୁଳସୀକୁ ସ୍ଥାପନ କରାଯାଏ । କାରଣ ଘରୁ ବାହାରିବା ସମୟରେ ତୁଳସୀ ଚଉରାକୁ ଦକ୍ଷିଣରେ ଦେଖି ଗଲେ ଶୁଭ ହୋଇଥାଏ ।  
  4. ମୃତ୍ୟୁପରେ ଶବ ଶିରରେ ତୁଳସୀ ରଖିଲେ ମୋକ୍ଷ ପ୍ରାପ୍ତି ହୁଏ ।  
  5. ତୁଳସୀ ଗଛରେ ସ୍ନାନ ସାରି ଓଦାବସ୍ତ୍ର ପିନ୍ଧି ଜଳଦାନ କରି ପ୍ରଦକ୍ଷିଣ କରାଯାଏ । ସକାଳ ଓ ସଞ୍ଜରେ ତୁଳସୀ ପାଖରେ ଦୀପଦାନ କରିବା ଦ୍ଵାରା ଘରର ସୁଖ ସୌଭାଗ୍ୟ ବଢ଼ିଥାଏ । 
  6. ହିନ୍ଦୁ ଶାସ୍ତ୍ରରେ ଅଁଳା, ତୁଳସୀ ଓ ବେଲ ବୃକ୍ଷକୁ ପବିତ୍ର ମାନଯାଏ । ମା' ଲକ୍ଷ୍ମୀ ଅଁଳା ନବମୀ ଦିନ ଅଁଳାଗଛକୁ ପୂଜା କରିଥିଲେ । ପୂଜା କରିବା ପରେ ଶିବ ବିଷ୍ଣୁ ପ୍ରକଟ ହୋଇଥିଲେ । 
  7. ତୁଳସୀ ଗଛ ସ୍ପର୍ଶ ପବନକୁ ବି ଯମଦୂତଙ୍କ ଭୟ । ଯାହା ରେ କଣ୍ଠରେ ତୁଳସୀ ମାଳ ଥାଏ, ତା’ ଜୀବନ ଧନ୍ୟ |
  8. ତୁଳସୀ ଗଛର ହାଓ୍ବାରେ ଜୀବାଣୁ ମାନେ ନାଶ ଯାଆନ୍ତି । ଏହା ଏକ ପ୍ରାକୃତିକ ବିଶୋଧକ । ତୁଳସୀ ଗଛ ମୂଳର ଜଳ ଏକ ହଜମକାରୀ ଔଷଧ ଡାଳ ଚର୍ମ ରୋଗର ନିରୋଧକ । 
  9. ତୁଳସୀରେ କର୍ପୁର ଅଂଶ ଥିବାରୁ ଏହାର ପତ୍ରକୁ ଯେଉଁ ଖାଦ୍ୟ ଉପରେ ପ୍ରୟୋଗ କରାଯାଏ  ସେଥିରେ ଜୀବାଣୁ ପ୍ରବେଶ କରନ୍ତି ନାହିଁ । ଏଥିପାଇଁ ଅବଢ଼ା ଉପରେ ତୁଳସୀ ପତ୍ର ପକାଯାଏ । 
  10. ପରିବେଶରେ ଜୀବାଣୁ ପ୍ରଦୂଷଣ ଏବଂ ସଂକ୍ରମଣ ନହେବା ପାଇଁ ଘରବାଡ଼ିରେ ତୁଳସୀ ଗଛ ଲଗାଯାଇଥାଏ |

Post a Comment

0 Comments