କାହିଁକି ପାଳିତ ହୁଏ ବଡ଼ଓଷା
କାହିଁକି ପାଳିତ ହୁଏ ବଡ଼ଓଷା
ବଡ଼ଓଷା ଓଡ଼ିଶାରେ ପାଳିତ ଏକ ଓଷା । ଏହା କାର୍ତ୍ତିକ ମାସର ଶୁକ୍ଲ ପକ୍ଷ ତ୍ରୟୋଦଶୀ ତିଥିରେ ପାଳନ କରାଯାଏ । ଧବଳେଶ୍ୱର ପୀଠରେ ବିଶେଷ ପୂଜା ଅନୁଷ୍ଠାନ କରାଯାଏ ଓ ଧବଳେଶ୍ୱର ବଡ଼ସିଂହାର ରୂପରେ ଦର୍ଶନ ଦିଅନ୍ତି ।
ପୂଜାବିଧି
ଏହି ଅବସରରେ ମହାଦେବଙ୍କୁ ସ୍ୱତନ୍ତ୍ର ପୂଜା କରାଯାଏ । ପୂଜାଦିନ ଭୋରରୁ ଧବଳେଶ୍ୱରଙ୍କୁ ୧୦୮ ଗରା ପାଣିରେ ସ୍ନାନ କରାଯାଇ, ମଙ୍ଗଳ ଆରତୀ ଓ ମଇଲମ ଆଦି ରୀତିନୀତି କରାଯାଏ ।
- ଏହି ଓଷା ପାଳନ ଅବସରରେ ମହାଦେବଙ୍କ ଠାରେ ସ୍ୱତନ୍ତ୍ର ଭୋଗ ଲାଗିହୁଏ । ଏହାକୁ ‘ଗଜପିଠା’ କୁହାଯାଏ ।
- ଏହି ଓଷାରେ ବ୍ରତଧାରୀମାନେ ଏକପ୍ରକାର ଭୋଗ ପ୍ରସ୍ତୁତ କରନ୍ତି ,ଯାହାକୁ ମକର ଚାଉଳ କୁହାଯାଏ। ଏହା ଅରୁଆ ଚାଉଳ, ଖୀର, କଦଳୀ, ନଡିଆରେ ପ୍ରସ୍ତୁତ ହୋଇ ପୂଜା କରାଯାଏ । ପୁନଶ୍ଚ ଏହି ଓଷାରେ ଏକପ୍ରକାର ସ୍ୱତନ୍ତ୍ର ଭୋଗ ଅଛି ଯାହାକୁ ବଡ଼ଓଷା ଭୋଗ କହନ୍ତି ।
- ଧୁଆଲିପା ହୋଇ ନୂତନ ଧାନର ଅରୁଆ ଚାଉଳ, ଗୁଡ଼, ନଡ଼ିଆ, ଘିଅ ସହିତ ଏକ ପ୍ରକାର ଓଷା ଗୁଣ୍ଡ ଦେଇ ନୂତନ ଭାବେ ଚୁଲି ବା ଅହିଆରେ ପ୍ରସ୍ତୁତ ହୁଏ । ଶାଳ କାଠରେ ଭୋଗ ରାନ୍ଧିବା ପାଇଁ ଏକ ବାଡି ତିଆରି ହୁଏ, ଯାହାକୁ ଘୋଟା କହନ୍ତି। କେହି କେହି ଏହି ଭୋଗକୁ ଚିନିରେ ତ କେହି ଏହାକୁ ଗୁଡ଼ରେ ତିଆରି କରନ୍ତି । ଓଡ଼ିଆରେ ବଡ଼ ଓଷା ଭୋଗକୁ ତରଣ କହନ୍ତି ।
- ତରଣ ଓ ଗଜା ପିଠା ବା ଗଜା ମଣ୍ଡା ଭୋଗ ଲଗାଯାଏ । ଗଜପିଠା ଦେଖିବାକୁ ପୂରା ଧଳା ଧବଳ । ଅରୁଆ ଚାଉଳ ଚୂନାରେ ଏହି ପିଠା ତିଆରି କରାଯାଏ । ପିଠାରେ ନଡ଼ିଆ, ଗୁଡ଼, ଗୁଜୁରାତି ଆଦି ପୁର ଦିଆଯାଏ । ମହାଦେବଙ୍କୁ ଅର୍ପଣ କରାଯିବା ପରେ ଭକ୍ତମାନେ,ବ୍ରତଧାରୀ, ଓ ଶଦ୍ଧାଳୁମାନେ ଏହି ପିଠା ସେବନ କରନ୍ତି ।
କିମ୍ବଦନ୍ତୀ ~ କାହିଁକି ପାଳିତ ହୁଏ ବଡ଼ଓଷା ~
- ପଦ୍ମପୁରାଣ ମତେ ବ୍ରହ୍ମାଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ ଇନ୍ଦ୍ର ଧବଳେଶ୍ୱରଙ୍କ ନିକଟରେ ବଡ଼ଓଷା ବ୍ରତ ପାଳନ କରି କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ଼ ପକେଇ ଶାପମୁକ୍ତ ହୋଇଥିଲେ ।
- ଅନ୍ୟ ଏକ କାହାଣୀ ଅନୁସାରେ ଉତ୍କଳରେ କ୍ରତୁ ନାମକ ଧାର୍ମିକ ରାଜା ଥିଲେ । ସେ ଥରେ ଶିକାର ଉଦ୍ଦେଶ୍ୟରେ ବନକୁ ଯାଇଥିଲେ । ବନରେ ଲକ୍ଷ୍ୟହୀନଭାବେ ଯାଉଥିବା ବେଳେ ଏକ ଭଙ୍ଗା ଶିବମନ୍ଦିର ପାଖରେ ପହଞ୍ଚିଲେ । ସେଠାରେ ନାଗପୁରର ରାଜକୁମାରୀ ହରପ୍ରିୟା କ୍ରତୁଙ୍କୁ ବିବାହ କାମନା କରି ପୂଜାକରୁଥିଲେ । ମନ୍ଦିର ନିକଟରେ ଉଭୟଙ୍କର ଭେଟ ହେଲା ଓ ସେମାନେ ବିବାହ କଲେ । ବିବାହ ପରେ ରାଜା ଭୋଗ ବିଳାସରେ ରହି ରାଜ୍ୟକଥା ବୁଝିଲେ ନାହିଁ । ଫଳରେ ବାହ୍ୟଶତ୍ରୁଙ୍କ ପରାଜିତ ହୋଇ ରାଜ୍ୟ ହରାଇବାକୁ ପଡିଲା । ସେ ବଣରେ ରାଣୀଙ୍କ ସହିତ ଦୁଃଖରେ କାଳାତିପାତ କଲେ । ସେହି ବନରେ ଜଣେ ଶିବପୂଜକ ସନ୍ୟାସୀ ବାସକରୁଥିଲେ ।
- ସେ ଥରେ ଶିବଙ୍କ ପୂଜା ଉଦ୍ଦେଶ୍ୟରେ କେତକୀ ଫୁଲ ନେଇ ଯାଉଥିଲେ । ରାଜା ସେହି ଫୁଲଗୁଡ଼ିକୁ ସନ୍ୟାସୀଙ୍କଠାରୁ ବଳପୂର୍ବକ ଛଡ଼ାଇନେଇ ରାଣୀଙ୍କୁ ଅର୍ପଣକଲେ । ଶିବ ରୁଷ୍ଟ ହେଲେ ଓ ରାଜାଙ୍କୁ କୁଷ୍ଠରୋଗ ହେଲା । ତାଙ୍କର ଦୁଃଖ ବଢ଼ି ଚାଲିଲା । ରାଣୀ ରାଜାଙ୍କ ସେବା ଓ ଈଶ୍ବର ଭକ୍ତିରେ ସମୟ ଅତିବାହିତ କରୁଥିଲେ । ସେ ଜଣେ ସନ୍ୟାସୀଙ୍କୁ ଭେଟି ରାଜାଙ୍କର ଆରୋଗ୍ୟ ଉପାୟ ପଚାରିଲେ । ଶିବଭକ୍ତଙ୍କ ଅଭିଶାପରୁ ରାଜାଙ୍କୁ କୁଷ୍ଠରୋଗ ହୋଇଛି ବୋଲି ସନ୍ୟାସୀ ଜଣାଇଲେ । ରାଣୀ ସନ୍ୟାସୀଙ୍କ ପରାମର୍ଶରେ ମହାନଦୀ ଗର୍ଭରେ ଥିବା ଧବଳେଶ୍ବରଙ୍କ ନିକଟରେ ନିଷ୍ଠାର ସହିତ ବଡ଼ଓଷା ବ୍ରତ ପାଳନ କଲେ । ଶିବ ସନ୍ତୁଷ୍ଟ ହୋଇ ବର ପ୍ରଦାନ କଲେ । କ୍ରତୁ ରୋଗମୁକ୍ତ ହୋଇ ସପତ୍ନୀକ ଓ ପୁତ୍ର ସନ୍ତାନ ସହ ରାଜତ୍ବ କଲେ । ସେହି ଦିନଠାରୁ ମର୍ତ୍ତବାସୀ ନିଷ୍ଠାର ସହ ବଡଓଷା ପାଳନ କରିଆସୁଛନ୍ତି ।
ଦୁର୍ଲଭ ନାଗାର୍ଜୁନ କିରାତ ବେଶ
ପଞ୍ଚକ ୬ ଦିନ ପଡ଼ିଲେ ବଡ଼ଓଷାରେ ବାବାଙ୍କର ଦେବ ଦୁର୍ଲଭ ନାଗାର୍ଜୁନ କିରାତ ବେଶ ଅନୁଷ୍ଠିତ ହୁଏ ।
- କିମ୍ବଦନ୍ତୀ ଅନୁସାରେ, ଦ୍ବାପର ଯୁଗରେ ମହାଭାରତ ଯୁଦ୍ଧ ପୂର୍ବରୁ ଧନୁର୍ଦ୍ଧାରୀ ଅର୍ଜୁନ ଶଙ୍କର ଭଗବାନଙ୍କ ଠାରୁ ଦିବ୍ୟାସ୍ତ୍ର ପ୍ରାପ୍ତ କରିବା ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ପରାମର୍ଶରେ ଜଙ୍ଗଲରେ ଗଭୀର ତପସ୍ୟାରେ ନିମଗ୍ନ ଥିଲେ। ସେହି ସମୟରେ ଏକ ଶୁକର ଅର୍ଜୁନଙ୍କ ତପ ଭଗ୍ନ ଉଦ୍ଦେଶ୍ୟରେ ତାଙ୍କୁ ଆକ୍ରମଣ କରିଥିଲା।
- ଶୁକର ମୁଖରୁ ବର୍ତ୍ତିବା ପାଇଁ ଗୋଟିଏ ପଟେ ଅର୍ଜୁନ ଶୁକରକୁ ଶର ନିକ୍ଷେପ କରିଥିବା ବେଳେ ଅନ୍ୟପଟେ ଅର୍ଜୁନଙ୍କୁ ରକ୍ଷା କରିବା ପାଇଁ ଭଗବାନ ଶଙ୍କର କିରାତ ରୂପରେ ଆବିର୍ଭୂତ ହୋଇ ଶୁକରକୁ ବାଣ ନିକ୍ଷେପ କରିଥିଲେ। ଶେଷରେ ଅର୍ଜୁନ କିରାତ ରୂପରେ ମହାଦେବ ତ୍ରିପୁରାରୀଙ୍କୁ ଦର୍ଶନ କରିବା ସହ ଭଗବାନ ଶିବଙ୍କ ଠାରୁ ଦିବ୍ୟାସ୍ତ୍ର ପ୍ରାପ୍ତ ହୋଇଥିଲେ। ଏହି ପୌରାଣିକ କଥାବସ୍ତୁ ଓ ପରମ୍ପରା ଆଧାରରେ କାର୍ତ୍ତିକ ମାସ ପଞ୍ଚକ ୬ଦିନ ପଡ଼ିଥିବା ବର୍ଷରେ ବଡ଼ଓଷା ଦିନ ପ୍ରଭୁ ଧବଳେଶ୍ୱରଙ୍କୁ ନାଗାର୍ଜୁନ କିରାତ ବେଶରେ ସଜ୍ଜିତ କରାଯାଏ ।
0 Comments
Do you have any doubts or suggestions? Ask them here in the comments!