ସାତ୍ତ୍ଵିକ, ତାମସିକ, ରାଜସିକ ଆଦି ଖାଦ୍ୟ କ'ଣ ? ବ୍ରତ-ଉପବାସରେ କେଉଁଟି ଦରକାର |
ଆଜିର ଆଧୁନିକ ଚିକିତ୍ସା ବିଜ୍ଞାନ ଦ୍ବାରା ବହୁ ପରୀକ୍ଷା ନିରୀକ୍ଷା କରିବା ପରେ ମଧ୍ୟ ଆୟୁର୍ବେଦ ଶାସ୍ତ୍ରରେ ଲିଖିତ ବିଭିନ୍ନ ଔଷଧ ଦ୍ରବ୍ୟର ଗୁଣ ତଥା ଶରୀରରେ ରୋଗପ୍ରତିରୋଧକ ଶକ୍ତି ତଥା ଦୀର୍ଘାୟୁ ନିମନ୍ତେ ବିଭିନ୍ନ ସାତ୍ତ୍ଵିକ, ତାମସିକ, ରାଜସିକ ଆଦି ଖାଦ୍ୟର ଗୁଣାବଳୀ ଓ ତା’ର ଶାରୀରିକ ଓ ମାନସିକ ସ୍ତରରେ ପ୍ରଭାବକୁ ନେଇ ଏକମତ ହୋଇଛନ୍ତି । । ପ୍ରତିଦିନ ଆମେ ଯାହା ଖାଦ୍ୟ ଖାଉ ତାହାର ସାରାଂଶ ହିଁ ଆମ ସ୍ବାସ୍ଥ୍ୟ ରକ୍ଷାର ମାର୍ଗ । ଆମେ ଯେଉଁ ରକମର ଖାଦ୍ୟ ଖାଇଥାଉ ତାହାର ଗୁଣ ଆମର ଶାରୀରିକ ଓ ମାନସିକ ସ୍ତରରେ ପ୍ରଭାବ ପକାଇ ଥାଏ
ସାତ୍ତ୍ୱିକ ଖାଦ୍ୟର ଗୁଣ ଓ ପ୍ରଭାବ
- ଆମେ ପ୍ରତିଦିନ ଖାଉଥିବା ଖାଦ୍ୟ ଭିତରେ କ୍ଷୀର, ଲହୁଣି, ଘିଅ, ସବୁଜ ପନିପରିବା, ପାଚିଲା ଫଳ ତଥା ମୁଗ, ଗହମ, ବାର୍ଲି ଆଦି ଶସ୍ୟଜାତ ଖାଦ୍ୟକୁ ସାତ୍ତ୍ୱିକ ଖାଦ୍ୟ ରୂପେ ଗ୍ରହଣ କରାଯାଇଛି ।
- ସାତ୍ତ୍ୱିକ ଖାଦ୍ୟ ଖାଇବା ଦ୍ବାରା ମାନସିକ ଓ ଶାରୀରିକ ସ୍ତରରେ ଶକ୍ତି ଦୃଢ଼ତା ହେବାସହ ମନରେ ସର୍ବଦା ଉତ୍ସାହ ତଥା ଆଧ୍ୟାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇ ସ୍ବାସ୍ଥ୍ୟ ସୁସ୍ଥ ରହିଥାଏ । ଏହି କାରଣରୁ ମନୁଷ୍ୟକୁ ଶୀଘ୍ର ବୃଦ୍ଧାବସ୍ଥା ନ ଆସି ଦୀର୍ଘାୟୁ ହୋଇଥାଏ ।
- ଶାକାହାରୀ ମନୁଷ୍ୟ ମାଂସାହାରୀ ମନୁଷ୍ୟ ତୁଳନାରେ ନୀରୋଗ, ସୁସ୍ଥ ଓ ନିରାମୟ ଜୀବନ ବିତାଇଥାଏ ।
- ଶାକାହାରୀମାନଙ୍କ ମସ୍ତିଷ୍କ, ଚିନ୍ତାଧାରା ସାଧାରଣତଃ ଶାନ୍ତ, ବଳିଷ୍ଠ ଓ ଆଧ୍ୟାତ୍ମିକତା ଗୁଣ ରହିଥାଏ । ତେଣୁ ସାତ୍ତ୍ୱିକ ଖାଦ୍ୟକୁ ଆୟୁର୍ବେଦ ଶାସ୍ତ୍ରରେ ସ୍ବାସ୍ଥ୍ୟ ନିମନ୍ତେ ଶ୍ରେଷ୍ଠତ୍ୱ ଦିଆଯାଇଛି।
ତାମସିକ ଖାଦ୍ୟର ଗୁଣ ଓ ପ୍ରଭାବ
- ଆମେ ପ୍ରତିଦିନ ଖାଉଥିବା ଖାଦ୍ୟରେ ମାଛ, ମାଂସ, ଅଣ୍ଡା, ମଦ, ରସୁଣ, ପିଆଜ, ତଥା ଚା, କଫି, ତମାଖୁ, ମିଠା, ଫାଷ୍ଟଫୁଡ୍, ପିଜ୍ମା, ବର୍ଗର, ଚକୋଲେଟ, ମସଲା, ଅତ୍ୟଧିକ ଲୁଣିଆ ଆଦି ଖାଦ୍ୟ ଦ୍ରବ୍ୟକୁ ଆୟୁର୍ବେଦ ଶାସ୍ତ୍ରରେ ତାମସିକ ଖାଦ୍ୟ ରୂପେ ଗଣନା କରାଯାଇଛି।
- ଉକ୍ତ ଖାଦ୍ୟଦ୍ରବ୍ୟ ଖାଇବା ଦ୍ବାର ଆଳସ୍ୟ, କ୍ଳାନ୍ତି, ଭୟ, କ୍ରୋଧ, ଈର୍ଷା, ପରଶ୍ରୀକାତରତା ଆଦି ଗୁଣ ଦେଖାଯାଏ।
- ନିୟମିତ ତାମସିକ ଖାଦ୍ୟ ଖାଇବା ଦ୍ବାରା ଶରୀରରେ ହୃଦ୍ରୋଗ, ମଧୁମେହ, କର୍କଟ ଆଦି ଜଟିଳ ରୋଗ ହେବାର ଆଶଙ୍କା ରହିଥାଏ । ତାମସିକ ଖାଦ୍ୟ ଖାଇବା ଦ୍ବାରା ମନରେ ଉତ୍ତେଜନା, କ୍ରୋଧ, ପ୍ରତିହିଂସା, କାମୁକତା ଆଦି ଦୁର୍ଗୁଣ ଦେଖାଦେଇଥାଏ।
ରାଜସିକ ଖାଦ୍ୟର ଗୁଣ ଓ ପ୍ରଭାବ
- ଆମେ ପ୍ରତିଦିନ ଖାଉଥିବା ଖାଦ୍ୟରେ ମାଛ, ମାଂସ, ଅଣ୍ଡା, ମସଲା ଯୁକ୍ତ ଖାଦ୍ୟ, ଲଙ୍କା, ପିଆଜ, ରସୁଣ, ମିଠା, ପରଟା, ଚା, କଫି, ତମାଖୁ ଆଦିକୁ ଆୟୁର୍ବେଦ ଶାସ୍ତ୍ରରେ ରାଜସିକ ଖାଦ୍ୟ ରୂପେ ଗ୍ରହଣ କରାଯାଇଛି ।
- ରାଜସିକ ଖାଦ୍ୟ ଖାଉଥିବା ବ୍ୟକ୍ତି ସାଧାରଣତଃ ଲୋଭି, ଈର୍ଷାନୁ, କ୍ରୋଧୀ, ଅହଙ୍କାରୀ ପ୍ରକୃତିର ହୋଇଥାନ୍ତି।
ଉପରୋକ୍ତ ବର୍ଣ୍ଣିତ ସାତ୍ତ୍ଵିକ, ତାମସିକ ଓ ରାଜସିକ ଖାଦ୍ୟ ବିଷୟରେ ଅନୁଧ୍ୟାନ କଲେ ଜାଣିପାରିବା ଯେ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ସାଧାରଣତଃ ସାତ୍ତ୍ଵିକ ଖାଦ୍ୟର ପ୍ରଭାବ ଶରୀର ପାଇଁ ଅନୁକୂଳ ଅଟେ I ଆମ ଶରୀର ବିଭିନ୍ନ ଶସ୍ୟଜାତ ଦ୍ରବ୍ୟ, ସବୁଜ ପନିପରିବା, ପାଚିଲା ଫଳ ତଥା ଆୟୁର୍ବେଦ ଔଷଧ ଗୁଣଯୁକ୍ତ ଖାଦ୍ୟ ସେବନରୁ ହିଁ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବାରେ ସହାୟକ ହୋଇଥାଏ ।
- ଆୟୁର୍ବେଦ ଶାସ୍ତ୍ର ମତରେ ପ୍ରତିଦିନ ଆମେ ଯେଉଁ ଖାଦ୍ୟ ଖାଇଥାଉ ତାହା ଶରୀରରେ ପ୍ରବେଶ ପରେ ରସ, ରକ୍ତ, ମାଂସ, ମେଦ, ଅସ୍ଥି, ମଜ୍ଜା ଓ ଶୁକ୍ଳ ଏହିପରି କ୍ରମାନ୍ଵୟରେ ସପ୍ତ ଧାତୁରେ ପରିଣତ ହୋଇଥାଏ ସପ୍ତ ଧାତୁର ଅନ୍ତିମ ଧାତୁ ‘ଶୁକ୍ର’ । ଏହା ଶରୀରର ମୁଖ୍ୟ ଉପାଦାନ। ଶୁକ୍ର ଧାତୁର ପରବର୍ତ୍ତୀ ଧାତୁ ହେଲା ‘ଓଜ’ ବା ଶୁକ୍ର ଧାତୁର ସାର ଭାଗ।
- ଏହି 'ଓଜ' ଶରୀରର ସ୍ନେହ ଭାଗ ଅଟେ । ଏହାଦ୍ବାରା ମନୁଷ୍ୟର ଜୀବନ ନିର୍ବାହ ହୋଇଥାଏ । ଶରୀରରେ ‘ଓଜ’ ନାଶ ହେଲେ ଶରୀର ନାଶ ହୋଇଥାଏ ବୋଲି ଚରକ ସଂହିତାରେ ଉଲ୍ଲେଖ ରହିଛି ।
- ଏହାର ତାତ୍ପର୍ଯ୍ୟ ହେଲା ଓଜ କ୍ଷୟ ହେଲେ ଶରୀରରେ ଆଣ୍ଟିବଡିର କ୍ଷୟ ହୋଇଥାଏ; ଯଦ୍ବାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇ ବିଭିନ୍ନ ଜୀବାଣୁ ଭୂତାଣୁ ଶରୀରରେ ପ୍ରବେଶ ପାଇଁ ସହଜ ହୋଇଥାଏ।
- ଯେତେବେଳେ ଶରୀର ଭିତରକୁ ବାହ୍ୟ ଜୀବାଣୁ ବା ଭୂତାଣୁ ପ୍ରବେଶ କରନ୍ତି ସେତେବେଳେ ‘ଓଜ’ ଶ୍ବେତରକୁ କଣିକା ଶରୀରରେ ବିଷାକ୍ତ ପଦାର୍ଥକୁ ପ୍ରଭାବ ଶୂନ୍ୟ କରିବା କ୍ଷମତା ତିଆରି କରି ନବାଗତ ଜୀବାଣୁ ବା ଭୂତାଣୁକୁ ନଷ୍ଟ କରିଦିଅନ୍ତି । ଏହି ପ୍ରକ୍ରିୟାକୁ ଶରୀରର ବ୍ୟାଧି କ୍ଷେମତ୍ୱ (ଶରୀରକୁ ପ୍ରବେଶ କରିଥିବା ବିଷ ଦ୍ରବ୍ୟକୁ ନଷ୍ଟ କରିବା ପାଇଁ ରକ୍ତରେ ଗଢି ଉଠିଥିବା ବିଷ ନାଶକ ପୁଷ୍ଟିସାର) ବା ଆଣ୍ଟିବଡି କୁହାଯାଏ ।
- ଶରୀରରେ ଶ୍ବେତରକୁ କଣିକା ଯେତେବେଳ ଦୁର୍ବଳ ହୋଇପଡନ୍ତି ଏବଂ ‘ଓଜ’ ଦ୍ବାରା ଯେତେବେଳେ ଆଣ୍ଟିଟକ୍ସିନ୍ ତିଆରି ହୋଇପାରେ ନାହିଁ ସେତେବେଳେ ମନୁଷ୍ୟ ଶରୀର ଭିତରକୁ ବାହ୍ୟ ଜୀବାଣୁ ବା ଭୁତାଣୁ ସହଜରେ ପ୍ରବେଶ କରି ବିଭିନ୍ନ ରୋଗ ସୃଷ୍ଟି କରିଥାନ୍ତି । ତେଣୁ ଆୟୁର୍ବେଦ ଶାସ୍ତ୍ରରେ ‘ଓଜ’ କ୍ଷୟ ହେଲେ ମନୁଷ୍ୟ ବିଭିନ୍ନ ଅସାଏ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡିଥାଏ ।
- ତେଣୁ ଆୟୁର୍ବେଦ ଶାସ୍ତ୍ରରେ ‘ଓଜ’କୁ ଶରୀରର ରୋଗପ୍ରତିରୋଧକ ଶକ୍ତି ଭାବେ ଗ୍ରହଣ କରାଯାଇଥିବା ବେଳେ ଆଧୁନିକ ଚିକିତ୍ସା ମତରେ ଏହାକୁ ଇମ୍ୟୁନିଟି ପାୱାର ବୋଲି କୁହାଯାଏ ।
ଓଡ଼ିଆ ଘରେ ବାର ମାସରେ ତେର ପର୍ବ। ବିଭିନ୍ନ ପର୍ବ ପର୍ବାଣିରେ ଉପବାସ ରହିବାର ପ୍ରଥା ମାନ ରହିଛି । ଦେବାଦେବୀଙ୍କୁ ଆରାଧନା କରିବାର ଏହା ମଧ୍ୟ ଏକ ମାର୍ଗ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ତେବେ କିଛି ଲୋକ ନିର୍ଜଳା ଉପବାସ ରହୁଥିବା ବେଳେ କିଛି ଫଳମୂଳ ଆହାର କରି ଉପବାସ କରନ୍ତି। ଉପବାସ ସମୟରେ ଲୋକମାନେ ସାତ୍ତ୍ଵିକ ଖାଦ୍ୟ ଗ୍ରହଣ କରିଥାନ୍ତି ।
0 Comments
Do you have any doubts or suggestions? Ask them here in the comments!