ନବରାତ୍ରୀର ପ୍ରଥମଦିନ ମାତା ଶୈଳପୁତ୍ରୀଙ୍କ ପୂଜା ଓ ବିଧିବିଧାନ
ନବରାତ୍ରିର ନବଦୁର୍ଗାଙ୍କ ପ୍ରଥମଦିନ ପ୍ରଥମ ସ୍ୱରୂପ ଭାବେ ମା’ ଶୈଳପୁତ୍ରୀଙ୍କ ପୂଜା କରାଯାଏ | ଆଦିଶକ୍ତିର ପ୍ରଥମ ସ୍ୱରୂପା ଶୈଳପୁତ୍ରୀଙ୍କ ଉପାସନା ସହ ନବରାତ୍ରର ଆରମ୍ଭ ହୋଇଥାଏ। ଆଜି ନବରାତ୍ରୀର ପ୍ରତିପଦା ତିଥି ଅଟେ । ଆଜିର ଦିବସରେ ସମସ୍ତ ଭକ୍ତଜନ ତଥା ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ମାଁ ଆଦିପରାଶକ୍ତିଙ୍କୁ ଗିରିକନ୍ୟା ଶୈଳପୂତ୍ରୀ ଦେବୀଙ୍କ ସ୍ୱରୂପରେ ପୂଜା କରନ୍ତି । ଶାସ୍ତ୍ରୀୟ ମତ ଅନୁସାରେ ସମସ୍ତ ନବଦୁର୍ଗା ମାନେ ମାଁ ପରାଶକ୍ତି ଶ୍ରୀଦୁର୍ଗାଙ୍କର ଦକ୍ଷିଣ ଅଙ୍ଗରୁ ପ୍ରକଟିତ ମହାଶକ୍ତି ଅଟନ୍ତି । ସେଥିପାଇଁ ନବଦୁର୍ଗାଙ୍କର ସର୍ବାଧିକ ଦକ୍ଷିଣାଚାରୀ ପୂଜା କରାଯାଏ କିନ୍ତୁ ସମସ୍ତ ନବଦୁର୍ଗା ବାମାଚାରୀ ତନ୍ତ୍ରରେ ମଧ୍ୟ ପୂଜା କରାଯାଏ ।
କିମ୍ବଦନ୍ତୀ
- ପୁରାଣ ଅନୁସାରେ ଦେବୀ ଶୈଳପୁତ୍ରୀ ପୂର୍ବଜନ୍ମରେ ଦକ୍ଷ ପ୍ରଜାପତିଙ୍କ ପୁତ୍ରୀ ସତୀ ଥିଲେ । ଯାହାଙ୍କର ବିବାହ ଭବବାନ ଶିବଙ୍କ ସହ ହୋଇଥିଲା । ସତୀଙ୍କ ପିତା ଦକ୍ଷଙ୍କ ଦ୍ବାରା ଆୟୋଜିତ ଦକ୍ଷଯଜ୍ଞରେ ଭଗବାନ ଶିବଙ୍କୁ ଦକ୍ଷ ଆମନ୍ତ୍ରଣ କରିନଥିଲେ । ଅପରପକ୍ଷରେ ଯଜ୍ଞ ବେଳେ ଶିବଙ୍କର ଅପମାନ ମଧ୍ୟ ହୋଇଥିଲା । ଫଳରେ ଶିବପତ୍ନୀ ସତୀ ଯଜ୍ଞ ଅଗ୍ନିରେ ନିଜ ଶରୀରକୁ ଭସ୍ମ କରିଦେଇଥିଲେ ।
- ପର ଜନ୍ମରେ ସେ ଗିରିରାଜ ହିମାଳୟ ପୁତ୍ରୀ ରୂପରେ ଅବତାରିତ ହେଲେ ଏବଂ ପରେ ଶୈଳପୁତ୍ରୀ ବୋଲି ବିଦିତ ହେଲେ । ପୌରାଣିକ ମତେ ହିମାଳୟଙ୍କ ତପସ୍ୟା ଓ ପ୍ରାର୍ଥନାଦ୍ୱାରା ପ୍ରସନ୍ନ ହୋଇ ଦେବୀ ତାଙ୍କର କନ୍ୟା ଭାବେ ଜନ୍ମ ନେଇଥିଲେ। ପର୍ବତରାଜ ହିମାଳୟର କନ୍ୟା ହୋଇଥିବା ଯୋଗୁଁ ତାଙ୍କୁ ଶୈଳପୁତ୍ରୀ କୁହାଯାଏ ।ଦେବୀ ଶୈଳପୁତ୍ରୀଙ୍କୁ ପାର୍ବତୀ ମଧ୍ୟ କୁହାଯାଏ । ଯିଏ ଭଗବାନ ଶଙ୍କରଙ୍କର ଅର୍ଦ୍ଧାଙ୍ଗିନୀ ।
- କିଛି ତନ୍ତ୍ର ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ଦେବୀ ହିମାଳୟରେ ଶଲଂଗାସୁର ନାମକ ଦୈତ୍ୟର ବଧ କରିଥିଲେ । ତେଣୁ ଦେବୀଙ୍କୁ ଶଲଂଗହନ୍ତ୍ରିଣୀ ମଧ୍ୟ କୁହାଯାଏ । ମାଁ ଶୈଳପୁତ୍ରୀ ମୂଳାଧାର ଚକ୍ରର ଅଧିଶ୍ୱରୀ । ଏହିଦିନ ଭକ୍ତ ଓ ସାଧକ ନିଜର ମନକୁ ମୂଳାଧାର ଚକ୍ରରେ ଅବସ୍ଥାନ କରି ଉପାସନା କରିଥାନ୍ତି।
ଦେବୀଙ୍କର ମନ୍ତ୍ର
- ॐ ଐଂ ଶୈଂ ଭଗବତୀ ଶୈଳାଧିରାଜତନୟେ ହୃଂ ନମଃ ।
- ॐ ବନ୍ଦେ ବାଞ୍ଛିତଲାଭାୟ ଚନ୍ଦ୍ରାର୍ଦ୍ଧକୃତଶେଖରାମ୍ ।
ବୃଷାରୂଢାଂ ଶୂଳଧରାଂ ଶୈଳପୁତ୍ରୀଂ ଯଶସ୍ଵିନୀମ୍ ।।
ମାତାଙ୍କୁ ପସନ୍ଦ ଅଟେ କେଉଁ ରଙ୍ଗ
- ନବରାତ୍ରୀର ପ୍ରଥମ ଦିନରେ ଭକ୍ତମାନେ ମାତାଙ୍କୁ ବାଦାମୀ ପୋଷାକ ପିନ୍ଧାଇବା ଉଚିତ୍ |
- ମାତା ଶୈଳପୁତ୍ରୀଙ୍କର ପସନ୍ଦିତା ରଙ୍ଗ ହେଉଛି ହଳଦିଆ,ବାଦାମୀ,ନାଲି ରଙ୍ଗ । ସେଥିପାଇଁ ଆପଣ ନବରାତ୍ରି ପ୍ରଥମ ଦିନ ହଳଦିଆ ରଙ୍ଗର କପଡା ପିନ୍ଧନ୍ତୁ ଓ ମା’ଙ୍କୁ ହଳଦିଆ ଜିନିଷ ଅର୍ପଣ କରନ୍ତୁ ।
ନଅଟି ରୂପ ସହ ଜଡ଼ିତ ଗ୍ରହ ଓ ଦିଗ
ମା’ଙ୍କ ପୂଜା କରିବା ଦ୍ୱାରା ଦିଗ ସହ ସମ୍ବନ୍ଧୀତ ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ। ନବଦୁର୍ଗାଙ୍କର ନଅଟି ରୂପ ସହ ଜଡ଼ିତ ଗ୍ରହ ଓ ଦିଗ। ଏଭଳି ଦିଗ ଅନୁଯାୟୀ ନବରାତ୍ରରେ ପୂଜା କଲେ ସମସ୍ତ ବାସ୍ତୁ ଦୋଷ ଶାନ୍ତି ହୋଇଥାଏ। ଗୃହରେ ସୁଖଶାନ୍ତିର ବାତାବରଣ ରହିବା ସହ ଧନବୃଦ୍ଧି ମଧ୍ୟ ହୋଇଥାଏ।
- ନବରାତ୍ରିର ପ୍ରଥମଦିନ ମା’ ଶୈଳପୁତ୍ରୀଙ୍କ କୃପା ସହ କୁଣ୍ଡଳିର ରବିଙ୍କୁ ମଧ୍ୟ ବଳବାନ କରାଯାଇପାରେ |
ପୂର୍ବ ଦିଗ – ମା’ଶୈଳପୁତ୍ରୀ
ଫୁଲ
ମାତା ଶୈଳପୁତ୍ରୀଙ୍କ ପ୍ରିୟ ଫୁଲ ହେଉଛି ମନ୍ଦାର ଫୁଲ ।
ମା’ ଦୁର୍ଗାଙ୍କ ପ୍ରିୟ ଫୁଲ ହେଉଛି ମନ୍ଦାର । ନବରାତ୍ରିର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କ ନିକଟରେ ଏହି ଫୁଲ ଚଢ଼ାଯାଇଥାଏ । ମାନ୍ୟତା ଅନୁସାରେ ମନ୍ଦାର ଫୁଲର ଉପର ଭାଗରେ ବ୍ରହ୍ମା,ମଧ୍ୟଭାଗରେ ବିଷ୍ଣୁ ଏବଂ ଶେଷଭାଗରେ ମହେଶ୍ୱର ବାସ କରିଥାନ୍ତି । ଫୁଲର ଅଗ୍ରଭାଗରେ ସ୍ୱୟଂ ଦେବୀ ଦୁର୍ଗା ବିରାଜମାନ କରିଥାନ୍ତି । ଏଥିପାଇଁ ଯେଉଁ ଭକ୍ତ ମନ୍ଦାର ଫୁଲ ମାଳା ମା’ଙ୍କୁ ସମର୍ପିତ କରିଥାଏ । ମା’ ତା’ର ମନୋସ୍କାମନା ପୂରଣ କରିଥାନ୍ତି ।
ପୂଜା ଓ ବିଧିବିଧାନ
୯ ଦିନ ୯ ଉପାସନା କଲେ ମା’ଙ୍କ ଆଶୀର୍ବାଦରୁ ୯ ବରଦାନ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି | ବିଧି ଅନୁସାରେ ଶ୍ରଦ୍ଧାର ସହ ନବରାତ୍ରି ପାଳନ କଲେ ସମସ୍ତ ମନୋସ୍କାମନା ପୁର୍ଣ ହୁଏ ବୋଲି କୁହାଯାଏ | ଏହି ୯ଦିନର ଅନେକ ମହତ୍ୱ ରହିଛି |
କଳସ ସ୍ଥାପନା ପାଇଁ ସାମଗ୍ରୀ
ଲାଲ ରଙ୍ଗ ମାତାଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ସେଥିପାଇଁ ଆପଣଙ୍କୁ ମାତାଙ୍କର ସ୍ଥିତି ପାଇଁ ନାଲି ରଙ୍ଗର ଆସନ ଆଣିବା ଉଚିତ। ଏହା ବ୍ୟତୀତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟରେ ଆପଣ କଳସ ସ୍ଥାପନା ପାଇଁ ମାଟିପାତ୍ର , ବାର୍ଲି , ମାଟି , ପାଣିରେ ପୂର୍ଣ୍ଣ କଳସ , ଲାଲି ସୂତା , ଅଳେଇଚ , ଲବଙ୍ଗ, କପୁର , ରୋଲି , ଗୋଟା ସୁପାରୀ , ଗୋଟା ଚାଉଳ , ଆମ୍ବ କିମ୍ବା ଅଶୋକ ପତ୍ର , ନଡ଼ିଆ , ଚୁନରି , ସିନ୍ଦୂର , ଫଳ ଫୁଲ ଏବଂ ଶ୍ରୁଙ୍ଗାର ଆଣନ୍ତୁ।
ଏହିପରି ଭାବରେ କଳସ ସ୍ଥାପନ କରନ୍ତୁ
- ନବରାତ୍ରିର ପ୍ରଥମ ଦିନ ଆପଣ ସ୍ନାନ କରି ,ପୂଜା ଘର ସଫା କରନ୍ତୁ।
- ଘରର ମନ୍ଦିରରେ ମାଙ୍କର ଚୌକି ସ୍ଥାପିତ କରନ୍ତୁ । ଏହା ପରେ ଏହି ଚୌକି ଉପରେ ଆପଣ ନାଲି ରଙ୍ଗର କପଡା ବିଛାଇ ଦିଅନ୍ତୁ । ଏହା ପରେ ତାହା ଉପରେ ମାତାଙ୍କର ମୂର୍ତ୍ତୀ ରଖନ୍ତୁ ।
- ମୂର୍ତ୍ତୀ ସାମନାରେ ଆପଣ ନଡିଆ ଓ କଳସ ସ୍ଥାପିତ କରନ୍ତୁ ।
- ଏହାପରେ ଆପଣ ଚୌକି ଉପରେ ଚାଉଳ ସାହାର୍ଯ୍ୟରେ ସ୍ୱାସ୍ତିକର ଚିହ୍ନ କରନ୍ତୁ ଓ ଏହା ପାଖରେ ଏକ ଘିଅର ଅଖଣ୍ଡ ଦୀପ ଲଗାନ୍ତୁ ।
ମାଟି ପାତ୍ରରେ ମାଟି ଭର୍ତ୍ତି କରି ବାର୍ଲି ମଞ୍ଜି ବୁଣନ୍ତୁ।
- ଏବେ ତମ୍ବା ପାତ୍ରରେ ରୋଲି ସାହାଯ୍ୟରେ ସ୍ୱସ୍ତିକ ପ୍ରସ୍ତୁତ କରନ୍ତୁ ଏବଂ ଲାଲି ସୁତାକୁ ପାତ୍ର ଉପରେ ବାନ୍ଧନ୍ତୁ।
- ବର୍ତ୍ତମାନ ଏଥିରେ ପାଣିରେ ଭରନ୍ତୁ ଏବଂ କିଛି ବୁନ୍ଦା ଗଙ୍ଗା ପାଣି , ତାପରେ ଦୁବ , ମୁଦ୍ରା , ସୁପାରୀ , ଅତର ଏବଂ ଅକ୍ଷତ ଢାଳନ୍ତୁ।
- ତାପରେ କଳସରେ ଆମ୍ବ କିମ୍ବା ଅଶୋକ ପତ୍ର ଲଗାନ୍ତୁ।
- ତାପରେ ନଡ଼ିଆକୁ ଏକ ଲାଲି କପଡ଼ାରେ ଗୁଡ଼ାଇ କଳସ ଉପରେ ରଖି ଦିଅନ୍ତୁ।
- ତାପରେ କଳସକୁ ମାଟି ପାତ୍ର ଉପରେ ରଖିଦିଅନ୍ତୁ , ଯେଉଁଥିରେ ଆପଣ ବାର୍ଲି ବୁଣିଥିଲେ।
- ତାପରେ ଆପଣ ମାତାଙ୍କର ନଅଟି ବ୍ରତ ରଖିବାକୁ ପ୍ରତିଜ୍ଞା କରନ୍ତୁ।
- ଏହା ପରେ ପୂଜା କରନ୍ତୁ ଓ ଆରତୀ କରନ୍ତୁ ।
- ଏହିଭଳି ଆପଣ ଦିନକୁ ଦୁଇ ଥର ପୂଜା କରନ୍ତୁ । ପୂଜା ପରେ ଆପଣ ବ୍ରତ ରଖିବାର ସଂକଲ୍ପ ନିଅନ୍ତୁ ।
- ମନେ ରଖନ୍ତୁ ମାଙ୍କ ସାମନାରେ ଜଳୁଥିବା ଦୀପ ୯ ଦିନ ପର୍ଯ୍ୟନ୍ତ ଜଳିବ ଦରକାର ।
- ୯ ଦିନ ପରେ ଆପଣ କନ୍ୟାମାନଙ୍କୁ ଭୋଜନ କରାଇ ନିଜର ବ୍ରତ ଭାଙ୍ଗି ପାରିବେ ।
- ନବରାତ୍ରର ପ୍ରଥମ ଦିନରେ କଳସ ପୂଜା ସହ ମା’ ଦୁର୍ଗା ଶୈଳପୁତ୍ରୀ ବେଶରେ ପୂଜା ପଆନ୍ତି । କଳସ ବା ଘଟ ସ୍ଥାପନ ପରେ ମା ଶୈଳପୁତ୍ରୀଙ୍କ ପୂଜା ବିଧି ବିଧାନ ସ୍ୱରୂପ କରାଯାଏ ।
- ଶୈଳପୁତ୍ରୀ ଦେବୀ ଧୂସର ରଙ୍ଗର ବସ୍ତ୍ର ପରିଧାନ କରିଥାଆନ୍ତି ।
- ତ୍ରିନେତ୍ରଧାରୀ ଦେବୀ ଦ୍ୱିଭୂଜା ଅଟନ୍ତି ତଥା ନିଜର ଡାହାଣ ହସ୍ତରେ ଶ୍ରୀଚକ୍ରସମ୍ବର ନାମକ ତ୍ରିଶୂଳ ଏବଂ ବାମ ହସ୍ତରେ ଭବମୋହିନୀ ନାମକ କମଳ ପୁଷ୍ପ ଧାରଣ କରି ଶ୍ୱେତ ବୃଷଭ ଉପରେ ଉତ୍ତରିମୁଦ୍ରାରେ ବିରାଜିତା ।
- ଶ୍ୱେତବସ୍ତ୍ର ପରିହିତା ଦେବୀ ଶୈଳପୁତ୍ରୀ ଅଗ୍ନିମହାଭୂତ ଉପରେ ନିୟନ୍ତ୍ରଣ ରଖନ୍ତି ଏବଂ ସମସ୍ତ ପର୍ବତ ତାଙ୍କର ଭ୍ରାତା ଅଟନ୍ତି । ନବଗ୍ରହ ମାନଙ୍କ ମଧ୍ୟରେ ଦେବୀ ଶୈଳପୁତ୍ରୀ ଶୁକ୍ର ମହାଗ୍ରହଙ୍କ ଅଧିଷ୍ଠାତ୍ରୀ ଦେବୀ ଅଟନ୍ତି ।
- ଦେବୀଙ୍କର ରକ୍ଷକ ଶକ୍ତି ସ୍ତମ୍ଭିନୀ ଅଟନ୍ତି ।
- ଶୈଳପୁତ୍ରୀ ସ୍ୱରୂପରେ ଦେବୀଙ୍କର ଭୈରବ ହେଉଛନ୍ତି ସୁରମୂଖଭୈରବ । ଏବଂ ସ୍ୱାମୀ ଅଘୋରେଶ୍ୱର ମହାଦେବ ଅଟନ୍ତି ।
ଭୋଗ
- ନବଦୁର୍ଗାଙ୍କ ପ୍ରଥମ ସ୍ୱରୂପ ଶୈଳପୁତ୍ରୀଙ୍କୁ ହଳଦିଆ ରଙ୍ଗ ଖୁବ ପସନ୍ଦ । ତେଣୁ ଏଥିପାଇଁ ବେସନର ଲଡୁ, ମିଠା ଚାଉଳ ଭଳି ହଳଦିଆ ରଙ୍ଗର ପ୍ରସାଦ ଭୋଗ ଲାଗି କରିବା ଉଚିତ। ଏହା କରିବା ଦ୍ୱାରା ବ୍ୟକ୍ତି ରୋଗ ମୁକ୍ତ ହୋଇଥାଏ ।
- ଏହି ଦିନ ମାଙ୍କୁ ଘିଅ ତଥା ଘିଅ ତିଆରି ଲଡ଼ୁ, ଆଳୁ ତିଆରି ଉପମା, ସାଗୁଦାନା ଖେଚୁଡ଼ି ଆଦି ଭୋଗ କରାଯାଇଥାଏ।
- ଶୈଳପୁତ୍ରୀଙ୍କ ପୂଜାରେ ତାଙ୍କୁ ଗାଈ କ୍ଷୀରରେ ତିଆରି ସାମଗ୍ରୀ ଅର୍ପଣ କରାଯାଏ । ଏହା ସହିତ ତାଙ୍କୁ ଗାଈ କ୍ଷୀରରେ ତିଆରି ମିଷ୍ଟାନ୍ନ ବି ଦିଆଯାଏ ।
ଶୈଳପୁତ୍ରୀ ରୂପ ଦିନ ମାତାଙ୍କୁ ଶୁଦ୍ଧ ଘିଅ ପ୍ରସାଦ ରୂପରେ ଅର୍ପଣ କରାଯାଏ । ଏହିଭଳି କରିବା ଦ୍ଵାରା ଆପଣ ନିରୋଗ ରହିଥାନ୍ତି ।
ପ୍ରଥମ ଦିନ- ଆରୋଗ୍ୟ ଏବଂ ଆୟୁ ପ୍ରାପ୍ତି ହୋଇଥାଏ
- ମା’ ଶୈଳପୁତ୍ରୀଙ୍କୁ ସୌଭାଗ୍ୟ, ପ୍ରକୃତି ଏବଂ ଆୟୁର ଦେବୀ ବୋଲି କୁହାଯାଏ | ମା’ଙ୍କ ଆରାଧନା ଦ୍ୱାରା ଆରୋଗ୍ୟ ଏବଂ ଆୟୁ ପ୍ରାପ୍ତି ହୋଇଥାଏ |
- ମାଆଙ୍କ ଦିବ୍ୟ ସ୍ବରୂପର ଧ୍ୟାନ କରିବା ଦ୍ବାରା ମନ ପରିମାର୍ଜିତ ହୁଏ । ବିନମ୍ରତା ଓ ସୌମ୍ୟତାର ବିକାଶ ହୋଇଥାଏ । ମାଆଙ୍କ ଏହି ସ୍ବରୂପ ଜୀବନରେ ଅନାସକ୍ତ ରହିବା ପାଇଁ ସନ୍ଦେଶ ଦେଇଥାଏ । କଠିନ ସଂଘର୍ଷରେ ମଧ୍ୟ ଧର୍ଯ୍ୟ, ଆଶା ଏବଂ ବିଶ୍ବାସର ସହ ଆଗକୁ ବଢିବାକୁ ପ୍ରେରଣା ଦେଇଥାଏ ।
- ମାଆଙ୍କ ଶ୍ବେତ ସ୍ବରୂପ ଆମକୁ ସତ୍ ପ୍ରବୃତି ପାଇଁ ମାର୍ଗଦର୍ଶନ କରିଥାଏ ।
- ମାଆ ବୃଷଭ ଉପରେ ବିଦ୍ୟମାନ । ବୃଷଭ ହେଉଛନ୍ତି ଧର୍ମର ପ୍ରତୀକ । ସତ୍ ପ୍ରବୃତି ହିଁ ଧର୍ମ । ତେଣୁ ଆମକୁ ତାହା କରିବାକୁ ସନ୍ଦେଶ ମିଳିଥାଏ ।
- ବାମ ହାତରେ ପଦ୍ମ ଆମକୁ ପବିତ୍ର କାମ କରିବାକୁ ସନ୍ଦେଶ ଦେଇଥାଏ । ଡାହାଣ ହାତରେ ଥିବା ତ୍ରିଶୂଳ ମଣିଷ ମଧ୍ୟରେ ଥିବା ଦୈହିକ, ଦୈବିକ ଏବଂ ଭୌତିକ ବିକୃତିକୁ ନଷ୍ଟ କରିଥାଏ ।
- ମାତା ଶୈଳପୁତ୍ରୀ ଶାନ୍ତି ଏବଂ ଉତ୍ସାହ ଦେବା,ଭୟର ନାଶ କରୁଥିବା ଦେବୀ ଅଟନ୍ତି। ତାଙ୍କ ଆରାଧନା ଦ୍ଵାରା ଭକ୍ତ ମାନଙ୍କୁ ଯଶ କୀର୍ତ୍ତି, ଧନ,ବିଦ୍ୟା ଏବଂ ମୋକ୍ଷ ପ୍ରାପ୍ତି ହୋଇଥାଏ।
ଆୟୁର୍ବେଦରେ-ଭଗବତୀ-ଶୈଳପୁତ୍ରୀ
- ମାଁ ଶୈଳପୁତ୍ରୀ ହରିଡ଼ା ବୃକ୍ଷରେ ନିବାସ କରନ୍ତି । ହରିଡ଼ା ବୃକ୍ଷ ସାଧାରଣତଃ ସାତ ପ୍ରକାରର । ପଥୟା, ହରିତିକା, ଅମୃତା, ହେମବତୀ, କାୟସ୍ଥ, ଚେତା, ଶ୍ରେୟାସୀ ।
- ଶୈଳପୁତ୍ରୀ ସମସ୍ତ ଜଡ଼ ପଦାର୍ଥର ଅଧିଷ୍ଠାତ୍ରୀ ଦେବୀ ଅଟନ୍ତି । ଶୈଳପୁତ୍ରୀ ପୂଜନର ଅର୍ଥ ଜଡ଼ ପଦାର୍ଥରେ ପରମାତ୍ମାଙ୍କ ସ୍ୱରୂପର ଉପସ୍ଥିତ ଅନୁଭବ କରିବା ।

0 Comments
Do you have any doubts or suggestions? Ask them here in the comments!