ନବରାତ୍ରି ଅଷ୍ଟମ ଦିନ ମହାଗୈାରୀ ପୂଜା ଜାଣନ୍ତୁ ଏହି ଦିନର ମହତ୍ତ୍ୱ
ନବରାତ୍ରି ଅଷ୍ଟମ ଦିନ ମହାଗୈାରୀ ଶକ୍ତିଙ୍କ ପୂଜାର୍ଚ୍ଚନା କରା ଯାଇଥାଏ। ତାଙ୍କର ସବୁ ଆଭୁଷଣ ଏବଂ ବସ୍ତ୍ର ଧଳା ଅଟେ।ଏଥିପାଇଁ ତାଙ୍କୁ ଶ୍ଵେତାମ୍ବର ଧରା କୁହାଯାଇଛି। ଚାରି ଭୁଜା ରହିଛି। ବାହନ ବୃଷଭ ଅଟେ। ଡାହାଣ ପାର୍ଶ୍ଵର ଉପର ହାତରେ ଅଭୟ ମୁଦ୍ରା ରହିଛି। ତଳ ହାତରେ ତ୍ରିଶୂଳ ଧରିଛନ୍ତି। ବାମ ପାର୍ଶ୍ୱରେ ଉପର ହାତରେ ଡମ୍ବରୁ ଏବଂ ତଳ ହାତରେ ବର ମୁଦ୍ରା ରହିଛି। ତାଙ୍କର ପୁରା ମୁଦ୍ରା ଅତ୍ୟନ୍ତ ଶାନ୍ତ ଅଟେ।
ଚେତନାର ଅଷ୍ଟମ ଆୟାମର ଦେବୀ ମହାଗୌରୀ।ମହାଗୌରୀଙ୍କ ଅର୍ଥ-ଯିଏ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ,ପ୍ରକାଶମୟ, ଦେଦୀପ୍ୟମାନ,ଶାନ୍ତ, ପୂର୍ଣ୍ଣତଃ କରୁଣାର ସ୍ବରୂପ, ବରଦାୟିନୀ,ମୃଦୁଳତା ସ୍ବରୂପ ଏବଂ ସର୍ବକାମନା ପୂର୍ଣ୍ଣ କାରିଣୀ ଜଗଜ୍ଜନନୀ।ଦେବୀ ସଂପୂର୍ଣ୍ଣ ଗୌରବର୍ଣ୍ଣ,ଯାହାଙ୍କୁ ଶଙ୍ଖ,ଚନ୍ଦ୍ର ଓ କୁନ୍ଦପୁଷ୍ପର ରଙ୍ଗ ସହ ତୁଳନା କରାଯାଇଛି।
କିମ୍ବଦନ୍ତୀ
ପୁରାଣ ଅନୁସାରେ, ଦେବୀ ପାର୍ବତୀଙ୍କ ଜନ୍ମ ରାଜା ହିମାଳୟଙ୍କ ଘରେ ହୋଇଥିଲା। ମାତା ପାର୍ବତୀଙ୍କୁ ମାତ୍ର 8 ବର୍ଷ ବୟସରେ ତାଙ୍କୁ ତାଙ୍କର ପୂର୍ବଜନ୍ମର ଆଭାସ ହୋଇସାରିଥିଲା। ପୌରାଣିକ କଥାନୁସାର , ଦେବୀ ପାର୍ବତୀଙ୍କ ରୂପରେ ମା' ମହାଗୌରୀ ଭଗବାନ ମହାଦେବଙ୍କୁ ସ୍ୱାମୀ ରୂପେ ପାଇବା ପାଇଁ କଠୋର ତପସ୍ୟା କରିଥିଲେ ।ତପସ୍ୟା ବେଳେ ମାତା କେବଳ କନ୍ଦମୂଳ ଏବଂ ପତ୍ର ଭୋଜନ କରୁଥିଲେ। ପରେ ପରେ ମାତା କେବଳ ବାୟୁ ପିଇ ତପସ୍ୟା କରିବା ଆରମ୍ଭ କଲେ। ଥରେ ନିଳକଣ୍ଠଙ୍କ ରୁକ୍ଷ ବାକ୍ୟରେ ମା'ଙ୍କ ମନକୁ ଆଘାତ ପହଁଚିଥିଲା ଏବଂ ମା' କଠୋର ତପସ୍ୟାରେ ଲିନ ହୋଇଯାଇଥିଲେ । ଅନେକ ଯୁଗ ପରେ ମା'ଙ୍କ ତପସ୍ୟା ଯେତେବେଳେ ଭଗ୍ନ ହୋଇନଥିଲା ପ୍ରଭୂ ଭୋଳାନାଥ ସ୍ୱୟଂ ମା'ଙ୍କୁ ଖୋଜିବା ପାଇଁ ବାହାରି ପଡିଥିଲେ ।
ମା'ଙ୍କୁ ତପସ୍ୟାରେ ଏଭଳି ମଗ୍ନ ଥିବାର ଦେଖି ଭଗବାନ ଶିବ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ ।ମା’ ଦୂର୍ଗାଙ୍କ ଅଷ୍ଟମ ଶକ୍ତି ହେଉଛି ମହାଗୌରୀ । ଦେବୀ ସତୀ ଯେତେବେଳେ ହିମାଳୟରେ କଠୋର ତପସ୍ୟା କରୁଥିଲେ ସେତେବେଳେ ତାଙ୍କ ଶରୀର ଧୂଳି ମାଟିରେ ମଳିନ ହୋଇପଡିଥିଲା, ସେହି ସମୟରେ ମହାପ୍ରଭୁ ଶିବ ସତୀଙ୍କୁ ଗଙ୍ଗା ଜଳରେ ସଫା କରାଇଥିଲେ । ଅନେକ ଯୁଗ ଅନ୍ତରାଳେ ମଧ୍ୟ ମାତାଙ୍କ ଶରୀରରୁ ଉର୍ଜ୍ଜା ଏବଂ ତେଜ ବାହାରୁଥିଲା । ମାତା ପାର୍ବତୀଙ୍କ ଶରୀରର ରଙ୍ଗ ସ୍ୱର୍ଣ୍ଣ ଭଳି, ତାଙ୍କ ମନଲୋଭା ଛବି ଚନ୍ଦ୍ରମା ସମାନ ଶ୍ୱେତ ଏବଂ ଜୁଇ ଫୁଲ ଭଳି ଧବଳ । ମାତାଙ୍କ ବସ୍ତ୍ର ଏବଂ ଆଭୁଷଣରେ ପ୍ରସନ୍ନ ହୋଇ ଦେବୀ ଉମା ଗୌରବରଣର ବରଦାନ ମିଳିଛି ଏବଂ ମା'ଙ୍କ ନାଁ 'ମହାଗୌରୀ' ରହିଛି ।
ମା’ ମହାଗୌରୀଙ୍କ ଆଉ ଏକ ପୌରାଣିକ କଥାରେ କୁହାଯାଇଛି , ଜଙ୍ଗଲରେ ଘୋର ତପସ୍ୟାରେ ବସିଥିବା ମା’ଙ୍କ ପାଖକୁ ଏକ ଭୋକିଲା ସିଂହ ଭୋଜନ ଲାଳସାରେ ଆସିଥିଲା । ଦେବୀଙ୍କୁ ଦେଖି ସିଂହର ଭୋକ ଅଧିକରୁ ଅତ୍ୟଧିକ ବଢିଯାଇଥିଲା କିନ୍ତୁ ସେ ଦେବୀଙ୍କୁ କ୍ଷତି ନ ପହଁଚାଇ ମା’ଙ୍କ ତପସ୍ୟାରୁ ଉଠିବାକୁ ଅପେକ୍ଷା କରି ସେଠାରେ ବସି ରହିଲା । ମା’ଙ୍କ ତପସ୍ୟା ଭଙ୍ଗ ହେବା ଅପେକ୍ଷାରେ ସିଂହଟି ଖୁବ୍ ଦୁର୍ବଳ ହୋଇପଡିଲା । ଦେବୀ ଯେତେବେଳେ ତପରୁ ଜାଗ୍ରତ ହେଲେ ସେତେବେଳେ ସିଂହର ଦୁର୍ଦ୍ଦଶା ଦେଖି ତାଙ୍କୁ ଦୟା ଆସିଲା ଏବଂ ମା’ ସିଂହକୁ ନିଜ ବାହନ କରିଦେଲେ ।
କୁହାଯାଏ ଏହି ଦିନ ମା ସୀତା ପ୍ରଭୁ ଶ୍ରୀରାମଙ୍କୁ ପାଇବା ପାଇଁ ମଧ୍ୟ ଏହି ପୂଜା କରିଥିଲେ । ଯେହେତୁ ମା ଗୌରୀ ବର୍ଣ୍ଣ ଶ୍ୱେତ ବର୍ଣ୍ଣ । ତେବେ ଶ୍ୱେତ ରଙ୍ଗ ଧାରଣ କରିବା ଅତ୍ୟନ୍ତ ଶୁଭଙ୍କର ।
ମନ୍ତ୍ର
1. ଶ୍ଵେତ ବୃଷେ ସମାରୂଢା ଶ୍ୱେତାମ୍ବରୀ ଧରା ଶୁଚିଃ ।
ମହାଗୌରୀ ଶୁଭଂ ଦଧ୍ୟନ୍ମ ମହାଦେବ ପ୍ରମୋଦଦା ॥
2. ଯା ଦେବୀ ସର୍ବଭୂତେଷୁ ମା' ମହାଗୌରୀ ରୂପେଣ ସଂସ୍ଥିତା।
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସୟୈ ନମୋ ନମଃ।।
ରଙ୍ଗ
- ନବରାତ୍ରୀର ଅଷ୍ଟମ ଦିନରେ, ମାତା ମୟୂର ରଙ୍ଗର ପୋଷାକ ପିନ୍ଧିବା ଉଚିତ୍ | ଧାର୍ମିକ ବିଶ୍ୱାସ ଅନୁଯାୟୀ, ମାତା ମୟୂର ରଙ୍ଗ ପସନ୍ଦ କରନ୍ତି।
- ନବରାତ୍ରିର ଅଷ୍ଟମ ଦିନ ମହାଗୌରୀଙ୍କର ପୂଜା କରାଯାଇଥାଏ ଓ ମା’ଙ୍କୁ ଗୋଲାପି ରଙ୍ଗ ଭଲ ଲାଗେ । ସେଥିପାଇଁ ଆପଣ ବି ଗୋଲାପି ରଙ୍ଗର କପଡା ନିଜ ପାଇଁ ବାଛନ୍ତୁ ।
ନଅଟି ରୂପ ସହ ଜଡ଼ିତ ଗ୍ରହ ଓ ଦିଗ
ମା’ଙ୍କ ପୂଜା କରିବା ଦ୍ୱାରା ଦିଗ ସହ ସମ୍ବନ୍ଧୀତ ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ। ନବଦୁର୍ଗାଙ୍କର ନଅଟି ରୂପ ସହ ଜଡ଼ିତ ଗ୍ରହ ଓ ଦିଗ। ଏଭଳି ଦିଗ ଅନୁଯାୟୀ ନବରାତ୍ରରେ ପୂଜା କଲେ ସମସ୍ତ ବାସ୍ତୁ ଦୋଷ ଶାନ୍ତି ହୋଇଥାଏ। ଗୃହରେ ସୁଖଶାନ୍ତିର ବାତାବରଣ ରହିବା ସହ ଧନବୃଦ୍ଧି ମଧ୍ୟ ହୋଇଥାଏ।
ଜ୍ୟୋତିଷ ଶାସ୍ତ୍ରରେ ମା’ ଗୌରୀଙ୍କ ସମ୍ବନ୍ଧ ଶୁକ୍ର ଗ୍ରହ ସହିତ ରହିଥାଏ।
ଉତ୍ତର ପୂର୍ବ ଦିଗ – ମହାଗୌରୀ
ଫୁଲ
- ମହାଗୌରୀଙ୍କ ପ୍ରିୟ ହେଉଛି ଚମେଲି ଫୁଲ ଏବଂ କେଶର ।
- ଏହା ସହିତ ଏହି ଦିନରେ ମଲ୍ଲି ଫୁଲ ଅର୍ପଣ କରିବା ଆପଣଙ୍କ ପାଇଁ ଭଲ ହୋଇଥାଏ ।
- ଏହି ଦିନ ଭକ୍ତମାନେ ମା’ଙ୍କ ପାଖରେ ଅପରାଜିତା ଫୁଲ ସାଙ୍ଗକୁ ବେଲପତ୍ର ଅର୍ପଣ କରିଥାନ୍ତି ।
ପୂଜା
- ପ୍ରଥମେ ସାକାଳୁ ସ୍ନାନ ସାରି ଦେବୀଙ୍କୁ ପୂଜା କରାଯାଏ ।
- ଗଙ୍ଗା ଜଳ, ବିଶୁଦ୍ଧ ଜଳ, କଂଚା କ୍ଷୀର, କଦଳୀ ପଂଚମିଶ୍ରିତ, ପୋକଷାକ, ଶୁଭଫଳ ସୂତ୍ର, କଦଳୀ, ସିନ୍ଦୁର, ଅଳଙ୍କାର, ପୁଷ୍ପହାର, ସୁଗନ୍ଧିତ ଧୂପ, ଦୀପ, ନଡିଆ, ଲବଙ୍ଗ ଆଦି ଲଗାଇ ପୂଜାର୍ଚ୍ଚନା କରାଯାଏ ।
- ଅଷ୍ଟମୀରେ ମା’ ଗୌରୀଙ୍କ ପୂଜା କରିବା ବହୁତ ଫଳଦାୟୀ ହୋଇଥାଏ।
- ମା’ ମହାଗୌରୀଙ୍କୁ ପୂଜା କରିବା ପାଇଁ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧି ଆରମ୍ଭ କରନ୍ତୁ।
- ମା’ଙ୍କ ସମ୍ମୁଖରେ ଦୀପ ଲଗାନ୍ତୁ ଏବଂ ଧ୍ୟାନ କରନ୍ତୁ।
- ପୂଜାରେ ମା’ଙ୍କୁ ଧଳା କିମ୍ବା ହଳଦିଆ ରଙ୍ଗର ଫୁଲ ଅର୍ପିତ କରନ୍ତୁ।
- ତା’ ପରେ ମନ୍ତ୍ର ଜପ କରନ୍ତୁ।
ଭୋଗ
ଏହିଦିନ ମାତାଙ୍କୁ ନଡ଼ିଆ ଭୋଗ ଲାଗି କରାଯାଏ। ଏହାଦ୍ୱାରା ବ୍ୟକ୍ତିଙ୍କୁ ସନ୍ତାନ ପ୍ରାପ୍ତିର ସୌଭାଗ୍ୟ ମିଳେ। ଏହିଦିନ ବ୍ରାହ୍ମଣଙ୍କୁ ନଡ଼ିଆ ଦାନ କରିବା ଶୁଭ ମନାଯାଏ।
ଅଷ୍ଟମ ଦିନ- ଧନ ଓ ସମ୍ପନ୍ନତା
- ମା’ ଗୌରୀ ପରମ କଲ୍ୟାଣକାରୀ | ମା’ ଭକ୍ତଙ୍କ ସବୁ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି |
- ଯଦି ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତାହେଲେ ମା’ ଗୌରୀଙ୍କୁ ଉପାସନା କରିବା ଦ୍ୱାର ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇଯିବ |
- ଏହାଛଡା ମା’ଙ୍କୁ ପୂଜା କରିବା ଦ୍ୱାର ଇଛା ମୁତାବକ ବିବାହ ମଧ୍ୟ ହୋଇଥାଏ |
- ମା’ ହେଉଛନ୍ତି ସକଳ ଶକ୍ତିର ଆଧାର ତେଣୁ ସଦା ସର୍ବଦା ଆମକୁ ମା’ଙ୍କର ଆରାଧନା କରିବା ଉଚିତ୍। ମହାଗୌରୀଙ୍କ ପୂଜାର୍ଚ୍ଚନା କଲେ ଭକ୍ତର ସମସ୍ତ ଦୁଃଖ, କଷ୍ଟ ଦୂର ହୋଇଥାଏ।
- କୁହାଯାଏ କି, ମା’ ମହାଗୌରୀ ମାତାଙ୍କୁ ପୂଜା କରିବା ଦ୍ୱାରା ପାପରୁ ମୁକ୍ତି ମିଳିଥାଏ ଏବଂ ମନରେ ବିଚାର ଶୁଦ୍ଧତା ଆସିଥାଏ।
- ମା’ ମହାଗୌରୀ ସବୁପ୍ରକାର ନକାରାତ୍ମକତା ଦୂର କରିଥାନ୍ତି।

0 Comments
Do you have any doubts or suggestions? Ask them here in the comments!