କାର୍ତ୍ତିକ ମାସକୁ କିପରି କରିବେ ପାଳନ
କାର୍ତ୍ତିକ ମାସର ଶୁଦ୍ଧ ଶାନ୍ତ ବାତାବରଣ ମଧ୍ୟରେ ମନରେ ସୃଷ୍ଟି ହୁଏ ଧର୍ମୀୟ ଭାବନା | ଏଥିପାଇଁ କାର୍ତ୍ତିକ ମାସକୁ ପବିତ୍ର ଧର୍ମର ମାସ ବୋଲି କୁହାଯାଏ | ବିଶ୍ୱାସ କରାଯାଏ ଏହିମାସରେ ପବିତ୍ର ଚିତ୍ତରେ ଦେବ ଦର୍ଶନ, ସାତ୍ତ୍ଵିକ ଆହାର ଗ୍ରହଣ ଓ ଭଜନ କୀର୍ତ୍ତନ କଲେ ଭଗବାନ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ଓ ସମସ୍ତ ଅନିଷ୍ଟ ଦୂର କରନ୍ତି |
ଏହି ମାସରେ କ'ଣ କରାଯାଏ
1.କାର୍ତ୍ତିକ ମାସରେ ପ୍ରତ୍ୟୁଷ ସ୍ନାନରେ ଲାଭ :-
- କାର୍ତ୍ତିକ ମାସରେ ଧରାପୃଷ୍ଟର ବାତାବରଣ ଅତ୍ୟନ୍ତ ଶାନ୍ତ ଓ ପରିସ୍କାର ରହେ | ଜଳ ମଧ୍ୟ ପବିତ୍ର ଥାଏ | ଏଥିପାଇଁ ଏହି ମାସରେ ବଡ଼ିଭୋରରୁ ସ୍ନାନ କଲେ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଅନୁଭବ କରେ | ଭକ୍ତି ଭାବ ସୃଷ୍ଟି ହୁଏ |
- ଏହି ସମୟରେ ଜଳରେ ସ୍ୱତନ୍ତ୍ର ଭାବେ ଇଲେକ୍ଟ୍ରୋ-ମ୍ୟାଗନେଟିକ ଶକ୍ତି ସଞ୍ଚାର ହୁଏ | ଯାହା ମନ ଓ ଶରୀରକୁ ଶକ୍ତି ଯୋଗାଏ ଓ ସୁସ୍ଥ ରଖିଥାଏ | ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରିବା ଦ୍ଵାରା ବିଭିନ୍ନ ପ୍ରକାର ରୋଗ ଦୂର ହୁଏ ଓ ଏହା ସହ ହର୍ମୋନ ସନ୍ତୁଳନରେ ରହେ |
- ବର୍ଷାଦିନେ ବର୍ଷାପାଣି ଗଛପତ୍ର ,ଚେରମୂଳ ଧୋଇହୋଇ ଆସି ନଦୀ ଓ ପୋଖରୀରେ ପଡିଥାଏ | ଏହାଦ୍ୱାରା ଜଳ ଔଷଧୀୟ ଓ ପବିତ୍ର ହୋଇଥାଏ | ଯେହେତୁ ବର୍ଷାଦିନ ପରେ କାର୍ତ୍ତିକ ମାସ ଆସେ, ଏଣୁ କାର୍ତ୍ତିକ ମାସରେ ବଡ଼ିଭୋରରୁ ସ୍ନାନ କରିବା ଦ୍ୱାର ରୋଗ ଓ ଶୋକ ଦୂର ହୋଇଥାଏ |
2. ସୋମବାର ବ୍ରତ :-
- ଆଶ୍ୱିନ ମାସ ପୂର୍ଣ୍ଣିମା ପରଦିନଠୁ କାର୍ତ୍ତିକ ମାସ ଆରମ୍ଭ ହୁଏ | ଏହିମାସର ସୋମବାର ଶିବଶଙ୍କରଙ୍କ ଅତି ପ୍ରିୟ |ଏହି ମାସର ଧାର୍ମିକ ମହତ୍ତ୍ୱ ଅଧିକ | ମାସର ପ୍ରତ୍ୟେକ ସୋମବାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଏହିଦିନ ମହାଦେବଙ୍କୁ ନିଷ୍ଠାର ସହ ପୂଜା କରାଯାଏ |
- ସୋମବାର ଦିନ ଭକ୍ତମାନେ ବଡ଼ି ଭୋରରୁ ଘର ପୋଛାଲିପା କରି, ନିତ୍ୟକର୍ମ ସ୍ନାନାଦି ସାରି ମହାଦେବଙ୍କ ମନ୍ଦିରକୁ ଯାଆନ୍ତି | ଫୁଲ, ଫଳ, ବେଲପତ୍ର,କ୍ଷୀର,ଧୂପ,ଦୀପ,କର୍ପୁର ଆଦିରେ ମହାଦେବଙ୍କ ପୂଜା କରଥାନ୍ତି |
- ମନ୍ଦିରରୁ ଫେରିଲା ପରେ ଘରେ ଶୁଦ୍ଧ ଭାବରେ ଘିଅ ଅନ୍ନାଦି ଓ ଡାଲମା ରୋଷେଇ କରି ଶିବଶଙ୍କରଙ୍କ ଉଦ୍ଦେଶ୍ୟରେ ଲାଗି କରାଯାଏ | ଏହାପରେ ସୋମବାର ବ୍ରତ କରିଥିବା ଭକ୍ତ ଉକ୍ତ ଭୋଗକୁ ଖାଇଥାନ୍ତି | ଏହିଦିନ ମାତ୍ର ଗୋଟିଏ ଥର ଭୋଜନ କରାଯାଏ |
- କାର୍ତ୍ତିକ ମାସ ସୋମବାର ବ୍ରତ କରୁଥିବା ବ୍ୟକ୍ତି ମାସ ସାରା ନିରାମିଷ ଖାଦ୍ୟ ଭୋଜନ କରନ୍ତି | ଏହିପରି ବ୍ରତ ପାଳନ କରିବା ଦ୍ୱାରା ମହିଳାମାନେ ପୁତ୍ରବତୀ ହୁଅନ୍ତି,ଅଭାବଅନାଟନ ଦୂର ହୋଇଯାଏ ଓ ପରିବାରରେ ଶାନ୍ତି ପ୍ରତିଷ୍ଠା ହୁଏ |
3. ହବିଷ ପାଳନ :-
- ସତ୍ତ୍ୱ ତମ ଓ ରଜ ନୀତିରେ ରହି ଏହିମାସରେ ଖାଦ୍ୟ ଗ୍ରହଣ କଲେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ | ସତ୍ତ୍ୱ ମନକୁ ବିଶ୍ରାମ ଦେବା ସହ ଅନ୍ତର୍ନିହିତ ଗୁଣ ପରିପ୍ରକାଶ କରେ | ରଜ ମନକୁ ସମ୍ପୂର୍ଣ୍ଣ ଭାବରେ ଶାନ୍ତ ଦେଇଥାଏ | ମନକୁ ନକାରାତ୍ମକ ଚିନ୍ତାରୁ ଦୂରେଇ ରଖେ |
- ଏହାପରେ ଦିନସାରା ଉପବାସ ରହି ସୂର୍ଯ୍ୟାସ୍ତ ପୂର୍ବରୁ ଥରେ ଭୋଜନ କରନ୍ତି | ନିଜେ ହବିଷ୍ୟାଳୀମାନେ କେବଳ ଅରୁଆ ଅନ୍ନ,ଓ ସାରୁ,କଦଳୀ,କନ୍ଧମୂଳ,ଓଉ,ମାଟିଆଳୁଏବଂ ମୁଗଡାଲି ପଡି ଡାଲମା ଖାଆନ୍ତି |ଡ଼ାଲମାରେ ହଳଦୀ କିମ୍ବା ଫୁଟଣ ପଡ଼େ ନାହିଁ |ଏହାସହ ଅଗସ୍ତି ଶାଗ ବି ଖାଇପାରିବେ |
- ହବିଷ୍ୟାଳୀମାନେ ସଂକଳ୍ପ କରି ମାଳା ଧରି ପୂଜା ସ୍ଥାନରେ କୃଷ୍ଣ, ରାମ , ରାଇ-ଦାମୋଦରଙ୍କ ନାମ ଜପ କରନ୍ତି | ମାସକ ଯାକ ବ୍ରାହ୍ମଣମାନେ କାର୍ତ୍ତିକ ପୁରାଣ 33 ଅଧ୍ୟାୟ ପଢ଼ନ୍ତି ଓ ହବିଷ୍ୟାଳୀମାନେ ଶୁଣନ୍ତି |
- କାର୍ତ୍ତିକ ମାସରେ ମାଟି ହାଣ୍ଡିରେ ଦଶମୀ ପର୍ଯ୍ୟନ୍ତ ରୋଷେଇ ହୁଏ | ଏକାଦଶୀରେ ଉପବାସ ରହି ପୁଣି କୃଷ୍ଣପକ୍ଷ ଦ୍ଵାଦଶୀରେ ନୂଆହାଣ୍ଡିରେ ରୋଷେଇ ହୁଏ | ଏହା ଅଅଁଳା ନବମୀ ଓ ଦଶମୀ ପର୍ଯ୍ୟନ୍ତ ଚାଲେ |ଏହାପରେ ପୁନଃ ହାଣ୍ଡି,ନଡ଼ିଆ ଓ ଗୁଆ ପରିବର୍ତ୍ତନ କରାଯାଏ |
- ସେଦିନ ପର୍ଯ୍ୟନ୍ତ ରାଇ-ଦାମୋଦରଙ୍କ ନାମରେ ପୂଜା ହୋଇଥାଏ | ଅଅଁଳା ନବମୀ ଓ ଦଶମୀ ପରଠାରୁ ଲକ୍ଷ୍ମୀ ନାରୟଣଙ୍କ ନାମରେ ନଡ଼ିଆ ଓ ଗୁଆ ବସାଇ ପୂଜା କରାଯାଏ |
4. ଦୀପଦାନ :-
- କାର୍ତ୍ତିକ ମାସରେ ଦୀପଦାନର ମହତ୍ତ୍ୱ ରହିଛି | ଏହିଦିନରେ ପବିତ୍ର ନଦୀ,ପୋଖରୀ,ମନ୍ଦିରରେ ଦୀପଦାନ କରାଯାଏ |
- ଆକାଶଦୀପ ପ୍ରଜ୍ଜ୍ଵଳିତ ପବିତ୍ର କାର୍ତ୍ତିକ ବ୍ରତର ଆଉ ଏକ ମହତ୍ତ୍ଵପୂର୍ଣ୍ଣ ଦିଗ। କାର୍ତ୍ତିକ ମାସରେ ପିତୃପକ୍ଷ ଆରମ୍ଭ ହୋଇଥାଏ । ପ୍ରେତପୁରୁଷ ତଥା ପିତୃଗଣଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କ ଅନ୍ଧକାରାଚ୍ଛନ୍ନ ଦୁର୍ଗମ ପଥକୁ ଆଲୋକିତ କରିବା ସକାଶେ ଉଚ୍ଚ ସ୍ଥାନରେ ଏହି ପ୍ରଦୀପ ପ୍ରଜ୍ଜଳନ ବିଧି ପ୍ରଚଳିତ ।
- ତେଣୁ ପ୍ରାୟତଃ ପ୍ରତ୍ୟେକ ଗ୍ରାମରେ ଏକ ଉଚ୍ଚ ବାଉଁଶ ଖୁଣ୍ଟ ଉପରେ ପ୍ରତି ସନ୍ଧ୍ୟାରେ ଆକାଶଦୀପ ପ୍ରଜ୍ଜଳନ କରି ରଖାଯାଇଥାଏ ।ମଦିରମାନଙ୍କରେ ମଧ୍ୟ ଆକାଶଦୀପ ପ୍ରଜ୍ଜ୍ଵଳନ କରାଯାଏ |ଏହି ଦୀପ ଦାନ କରିବା ଦ୍ୱାରା ଅଭାବ ଦୂର ହୋଇଥାଏ | ଲକ୍ଷ୍ମୀଓ ନାରାୟଣ ସନ୍ତୁଷ୍ଟ ହୋଇଥାନ୍ତି | କାର୍ତ୍ତିକ ମାସରେ ଘର ମନ୍ଦିରରେ, ଚଉରାମୂଳେ, ନଦୀତଟରେ, ଶୟନ କକ୍ଷରେ ଆଦି ସ୍ଥାନରେ ଦୀପ ଲଗାଯାଇଥାଏ |
- ଏହିଦିନରେ ଅଧିକ ଛୋଟ ଛୋଟ କୀଟାଣୁ ସୃଷ୍ଟି ହୋଇଥାନ୍ତି | ଘରେ ଦୀପ ଜାଳିବା ଯୋଗୁଁ ଏହି କୀଟାଣୁରୁ ରକ୍ଷା ମିଳିଥାଏ |
5. ପଞ୍ଚକ ପାଳନ :-
- ଏହି ମାସର ପଞ୍ଚକ 5ଦିନ ବୟସ୍କ ତଥା ଧର୍ମପ୍ରାଣ ଆବାଳ-ବୃଦ୍ଧ-ବନିତା ପ୍ରତ୍ୟହ ପ୍ରାତଃକାଳରୁ ସ୍ନାନ ସାରି ଦେବ ଦର୍ଶନ ଏବଂ ନଗର ସଂକୀର୍ତ୍ତନରେ ଆତ୍ମ ବିଭୋର ହୋଇଥାନ୍ତି | ପୂର୍ଣ୍ଣିମା ପୂର୍ବ ପାଞ୍ଚଦିନ ପଞ୍ଚକ ଭାବେ ପରିଚିତ |
- ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର ପୂର୍ବକ ଶ୍ରଦ୍ଧା ଭାବନା ତଥା ଧର୍ମୀୟ ମନୋଭାବରେ ଦେବତାଙ୍କୁ ପୂଜା କରିଥାନ୍ତି । କୁହାଯାଏ ଯେ ଏହି ପାଞ୍ଚଦିନକାଳ ବଗ ମଧ୍ୟ ଆମିଷ ସ୍ପର୍ଶ କରେ ନାହିଁ ।
- ସେ ଯାହା ହେଉନା କାହିଁକି ଏହି ମାସର ଶୁକ୍ଳପକ୍ଷ ଏକାଦଶୀ ବା ବଡ ଏକାଦଶୀ ଠାରୁ ପୂର୍ଣ୍ଣମୀ ପାଞ୍ଚଦିନ ଧରି ଅନୁଷ୍ଠିତ ମହାପଞ୍ଚକ ହିନ୍ଦୁମାନଙ୍କ ପାଇଁ ଧର୍ମଗତ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ତୁଳସୀ ଚଉଁରାମୂଳେ ରଙ୍ଗୋଲି ସଜାଯାଏ |
6. କାର୍ତ୍ତିକେୟଙ୍କୁ ପୂଜା :-
- ଭଗବାନ କାର୍ତ୍ତିକେୟଙ୍କୁ ଏହି ମାସରେ ପୂଜା କରାଯାଏ | ଭଗବାନଙ୍କ ନାମାନୁସାରେ ହିଁ ଏହି ମାସର ନାମ କାର୍ତ୍ତିକ | କୁହାଯାଏ, ଧର୍ମ ମାର୍ଗକୁ ଆଗକୁ ନେବା ପାଇଁ ଭଗବାନ ବିଷ୍ଣୁ କାର୍ତ୍ତିକେୟଙ୍କ ପ୍ରେରଣା ଦେଇଥିଲେ |
- ଭଗବାନ ବିଷ୍ଣୁଙ୍କର ଏପରି ଆଜ୍ଞାକୁ କାର୍ତ୍ତିକେୟ ଏହି କାର୍ଯ୍ୟକାରୀକରିଥିଲେ | ଏହି ମାସରେ କାର୍ତ୍ତିକେୟଙ୍କ ପୂଜା କରିବା ଦ୍ୱାରା ବିଶେଷ ଫଳ ମିଳିଥାଏ |
- ଏହି ଦିନ କାର୍ତ୍ତିକେୟଙ୍କ ସହ ମହାଦେବ ଓ ବିଷ୍ଣୁଙ୍କ ପୂଜା କରାଯାଏ |
- କାର୍ତ୍ତିକେୟ ହେଉଛନ୍ତି ଶକ୍ତି ବଳର ସଂକେତ | ସମସ୍ତ ଶତ୍ରୁକୁ ଦୂରେଇବା ପାଇଁ ପରିବାରରେ ଶାନ୍ତି ଆଣିବା ପାଇଁ ଏହି ଦିନରେ କାର୍ତ୍ତିକେୟ ପୂଜା କରାଯାଏ |
- କାର୍ତ୍ତିକେୟଙ୍କ ବାହାନ ମୟୂର | ଗର୍ବ ଓ ଅହଂକାରକୁ ଦମନ କରିବାର ପ୍ରତୀକ ଦର୍ଶାଏ ମୟୂର |
7. କାର୍ତ୍ତିକ ମାସରେ ଦାନ :-
- କାର୍ତ୍ତିକ ମାସରେ ଦାନ କରିବାର ବିଶେଷ ମହତ୍ତ୍ୱ ରହିଛି |ଏହି ମାସରେ ଗରିବଙ୍କୁ ଓ ବ୍ରାହ୍ମଣଙ୍କୁ ଦାନ କରିବାର ପରମ୍ପରା ରହିଛି | ଏହି ଦିନ ଗରିବଙ୍କୁ ଦାନ କରିବା ଦ୍ୱାରା ବିଭିନ୍ନ ସମସ୍ୟା ଦୂର ହେବା ସହ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।
- ଏହା ବ୍ୟତୀତ ଏହିଦିନରେ ତୁଲସୀ ଦାନ, ଅନ୍ନ ଦାନ, ଗାଈ ଦାନ, ଅଁଳା ଦାନ, ପଶୁମାନଙ୍କୁ ସବୁଜ ଘାସ ଖୁଆଇବା ଦ୍ୱାରା ଭଗବାନ ବିଷ୍ଣୁ ସନ୍ତୁଷ୍ଟ ହୋଇଥାନ୍ତି | ନିଜ ସାମର୍ଥ୍ୟ ଅନୁଯାୟୀ ଦାନ କରନ୍ତୁ।
8. କାର୍ତ୍ତିକରେ ଭଜନ ପାଠ :-
- ଭଜନ, କୀର୍ତ୍ତନ, ପ୍ରବଚନ ଓ ଧର୍ମ ଗ୍ରନ୍ଥ ଅଧ୍ୟୟନ ଦ୍ୱାରା ମନରେ ଅଧିକ ଭକ୍ତି ଭାବ ଜାଗ୍ରତ ହୋଇଥାଏ | ଏଣୁ କାର୍ତ୍ତିକ ମାସରେ ଘରେ, ମନ୍ଦିରରେ ଶ୍ରଦ୍ଧାଳୁ ଭଜନ କରିବା ଦ୍ୱାରା ଭଗବାନ ସନ୍ତୁଷ୍ଟ ହୋଇଥାନ୍ତି |
- ଏହି ଦିନରେ ରାମାୟଣ ପାଠ, ଭାଗବତ ଗୀତା ପାଠ କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କର କୃପ|ଦୃଷ୍ଟି ପଡିଥାଏ |
- ଭଜନ କୀର୍ତ୍ତନ ସମୟରେ ବ୍ୟବହାର ହେଉଥିବା ବାଦ୍ୟର ଶବ୍ଦରେ ବାୟୁମଣ୍ଡଳର ବାତାବରଣରେ ସକାରତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ଓ ମନରେ ଶକ୍ତି ଜାଗ୍ରତ ହୋଇଥାଏ |
9. କାର୍ତ୍ତିକ ପୂର୍ଣ୍ଣିମା :-
- କାର୍ତ୍ତିକ ପୂର୍ଣ୍ଣମାକୁ ରାସ ବା ରାସ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ । ପୂର୍ଣ୍ଣିମା ଅବକାଶରେ କଦଳୀପଟୁଆ ନିର୍ମିତ ଡଙ୍ଗା ଭସାଇବାର ବିଧି ପ୍ରଚଳିତ। ସେ ଦିନ ପ୍ରତ୍ୟୁଷରୁ ଆବାଳ- ବୃଦ୍ଧା- ବନିତା ନଦୀ ବା ପୁଷ୍କରଣୀରେ ବୁଡ ପକାଇ କଦଳୀ ବାହୁଙ୍ଗା ବା ସୋଲ ତିଆରି ଖେଳଣା ଡଙ୍ଗାରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ସେସବୁ ଭସାଇ ଦିଅନ୍ତି ।
- ବିଷ୍ଣୁଙ୍କର ବିଭିନ୍ନ ଅବତାର ମଧ୍ୟରୁ ମତ୍ସ୍ୟ ଅବତାର ଅନନ୍ୟ ଓ ଆକର୍ଷଣୀୟ। ଶଙ୍ଖାସୁର ବେଦକୁ ଚୋରାଇ ନେଇ ଅଥଳ ସମୁଦ୍ର ମଧ୍ୟକୁ ପ୍ରବେଶ କରିବା ସମୟରେ ସ୍ୱୟଂ ନାରାୟଣ ମତ୍ସ୍ୟ ଅବତାର ଧାରଣ କରି ଶଙ୍ଖସୁରକୁ ମାରି ବେଦକୁ ଉଦ୍ଧାର କରିଥିଲେ କାର୍ତ୍ତିକ ପୂର୍ଣ୍ଣିମା ଦିନ। ସେଥିପାଇଁ ଏହି ମାସର ବିଶେଷତ୍ୱ ରହିଛି।
- ଏହି ସମୟରେ ସମସ୍ତେ ଉତ୍ ଫୁଲ୍ଲିତ ଚିତ୍ତରେ ଗାନ କରନ୍ତି 'ଆ କା ମା ବୈ, ପାନ ଗୁଆ ଥୋଇ ପାନ ଗୁଆ ତୋର, ମାସକ ଧରମ ମୋର ।’ ଏହି ଅବସରରେ ପ୍ରତ୍ୟେକ ପୁଣ୍ୟ ଅର୍ଜନ ସକାଶେ ମନାସ କରିଥାନ୍ତି । ବିଶ୍ଵାସ ରହିଛି ଯେ ଏହିଦିନ ପ୍ରତ୍ୟୁଷରୁ ସ୍ନାନପୂର୍ବକ ଦେବଦର୍ଶନ କଲେ ସମସ୍ତ ପ୍ରକାର ପାପ ନାଶ ହୋଇଥାଏ ।
- କାର୍ତ୍ତିକ ପୂର୍ଣ୍ଣିମା ଦିନ ମନ୍ଦିରରେ ଘିଅ ଦୀପ ଲଗାଇ ବ୍ରାହ୍ମଣଙ୍କୁ ଦାନ କରିବା ଦ୍ୱାରା ଅଶୁଭ ଗ୍ରହ ଦୂର ହୋଇଥାଏ | ଅନିଷ୍ଟ, ରୋଗ, ଶୋକ ଓ ବିପଦ ଆଦି ଦୂର ହୋଇଯାଏ |
- ଏହିଦିନ ଜଳୁଥିବା ଦୀପକୁ ନଦୀ କିମ୍ବା ପୋଖରୀରେ ଭସାଇଲେ ପୂର୍ବପୁରୁଷଙ୍କ ବିଷ୍ନୁଲୋକ ଗମନ ହୋଇଥାଏ ବୋଲି ବିଶ୍ୱାସ ରହିଛି |
10.ତୁଳସୀ ପୂଜା :-
- ହବିଷ୍ୟାଳୀମାନେ ରାତି 4ଟାରୁ ଉଠି ନଦୀ,ପୋଖରୀ ବା ନାଳରେ ଗାଧାନ୍ତି | ପୂର୍ବରୁ ସେଠାରେ ତୁଳସୀ ଚଉରା ତିଆରି କରିଥାନ୍ତି | ଚଉରାମୂଳେ ରାଇ-ଦାମୋଦରଙ୍କର ମୂର୍ତ୍ତି କରି ପୂଜା କରନ୍ତି |
- ମୁରୁଜରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଚିତ୍ର ଅଙ୍କା ଯାଏ | ଏହା ସହିତ ବଟ ପିପ୍ପଳୀ ଗଛ,ତୁଳସୀ ଗଛ ସହ ଅନ୍ୟ ଦେବଦେବୀଙ୍କ ମଧ୍ୟ ଚିତ୍ର ଅଙ୍କା ଯାଏ | ସବୁ ଦେବଦେବୀଙ୍କୁ ବିଭିନ୍ନ ଫଳମୂଳରେ ଭୋଗ ଲଗାଇ ପୂଜା କରିଥାନ୍ତି | ରାଇ-ଦାମୋଦରଙ୍କ ଗୀତ ଗାଇ ପୂଜା ଶେଷ କରନ୍ତି |
- ସୂର୍ଯ୍ୟଙ୍କୁ ପାଣି ଟେକିବା ପରେ ଧଳା ରଙ୍ଗର ସଫା ବସ୍ତ୍ର ଧାରଣ କରନ୍ତୁ , ସେଠାରୁ ଫେରି ଘର ଚଉରାରେ ନଡ଼ିଆ ଓ 2ଟି ଗୁଆ ରାଇ-ଦାମୋଦରଙ୍କ ନାମରେ ବସାଇ ପୂଜା କରନ୍ତି | ସେଠାରେ ମଧ୍ୟ ମୁରୁଜ ପକାନ୍ତି |
- କାର୍ତ୍ତିକ ମାସରେ ତୁଳସୀ ଚଉରା ମୂଳେ ତୁଳସୀ ଦେବୀଙ୍କୁ ଦୀପ ଦାନ କରିବା ଦ୍ୱାରା ସୁଖ ଓ ସମୃଦ୍ଧି ବୃଦ୍ଧି ପାଇଥାଏ |
- ଏହିଦିନରେ ଅଧିକ ଛୋଟ ଛୋଟ କୀଟାଣୁ ସୃଷ୍ଟି ହୋଇଥାନ୍ତି | ତୁଳସୀକୁ ପୂଜା କରିବା ଦ୍ୱାରା ଏଥିରୁ ଉତ୍ପନ୍ନ ହେଉଥିବା ଟକ୍ସିନ କେମିକାଲ କୀଟାଣୁ ଓ ଭୂତାଣୁକୁ ନାଶ କରିବା ସହ ବାତାବରକୁ ଶୁଦ୍ଧ ରଖିଥାଏ |
0 Comments
Do you have any doubts or suggestions? Ask them here in the comments!