କାହିଁକି ୫ ଦିନ ପାଳନ କରାଯାଏ ଦୀପାବଳି ?
କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ସାରା ଦେଶରେ ପାଳନ କରାଯାଏ ଦୀପାବଳି । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ବିଭିନ୍ନ ସ୍ଥାନରେ ଦୀପାବଳି ପାଳନର କାରଣ ଭିନ୍ନ।ତେବେ କ’ଣ ଏଇ ଦୀପାବଳିର ପରମ୍ପରା ? କାହିଁକି ଏହି ଦୀପାବଳି ପାଳନ କରାଯାଏ ? କ’ଣ କାହାଣୀ ରହିଛି ଏହି ପରମ୍ପରା ପଛରେ ? ଆସନ୍ତୁ ଜାଣିବା ଏ ବିଷୟରେ ।
ଅନେକ ସ୍ଥାନରେ ଦୀପାବଳି ଦିନେ ନୁହେଁ, ୫ ଦିନ ଧରି ପାଳନ କରାଯାଏ । ଧନତେରାସ୍, ନରକ ଚତୁର୍ଦ୍ଦଶୀ, ମହାଲକ୍ଷ୍ମୀ ପୂଜା, ଗିରି ଗୋବର୍ଦ୍ଧନ ପୂଜା ଓ ଭାଇଦୁଜ ଆଦି ପର୍ବ ଏହି ୫ ଦିନ ଧରି ପାଳନ କରାଯାଏ । ଏହି ଦିନ ଘର, ଦୋକାନ ଦୀପ, ମହମବତୀ ଏବଂ ଆଲୋକମାଳାରେ ସଜାଯାଇଥାଏ । ଏଠି କହିରଖିବୁ, ସମସ୍ତ ପର୍ବ ଭିନ୍ନ ଭିନ୍ନ ଯୁଗ ସହ ସମ୍ପନ୍ଧ ରଖିଥାଏ ।
ହିନ୍ଦୁ ପୁରାଣ ଏବଂ ଗ୍ରନ୍ଥ ସହ ଧନତେରାସ, ଦୀପାବଳି ଏବଂ ଭାଇଦୁଜ ସମ୍ପର୍କ ସତ୍ୟଯୁଗ ସହ ଥାଏ । ସେହିପରି ଗୋବର୍ଦ୍ଧନ ପୂଜା ଏବଂ ନରକ ଚତୁର୍ଦ୍ଦଶୀ ସମ୍ପର୍କ ଦ୍ୱାପର ଯୁଗ ସହ ବୋଲି କୁହାଯାଏ । ତେବେ ଏହି ପର୍ବ ଭିନ୍ନ ଯୁଗ ସହ ସମ୍ପର୍କ ରଖିଥାଇ ପାରେ କିନ୍ତୁ ୫ ଦିନ ଧରି ଏହା ପାଳନ କରାଯାଇଥାଏ ।
ତେବେ ଆସନ୍ତୁ ଜାଣିବା ଏହି ୫ ଦିନିଆ ଉତ୍ସବ ସମ୍ପର୍କରେ…
1. ଧନତେରାସ ପର୍ବ
ଦୀପବଳୀର ଆରମ୍ଭ ଧନତେରାସରୁ ହୋଇଥାଏ ଏବଂ କାର୍ତ୍ତିକ ମାସ ଅମାବାସ୍ୟା ଦିନ ଶେଷ ହୋଇଥାଏ ।
- ଦେବତାମାନଙ୍କୁ ରାଜା ବାଳିଙ୍କ ପ୍ରକୋପରୁ ମୁକ୍ତି ଦେବା ପାଇଁ ଭଗବାନ ବିଷ୍ଣୁ ବାମନ ଅବତାର ନେଇଥିଲେ ଏବଂ ବାଳିଙ୍କ ଯଜ୍ଞସ୍ଥଳରେ ପହଞ୍ଚି ଯାଇଥିଲେ। ଶୁକ୍ରାଚାର୍ଯ୍ୟ ବାମନ ରୂପରେ ଭଗବନା ବିଷ୍ଣୁଙ୍କୁ ଚିହ୍ନି ପାରିଥିଲେ ଏବଂ ବାମନ ଯାହା ମାଗିବେ ଦେବାକୁ ମନା କରିବା ପାଇଁ ରାଜା ବାଳିଙ୍କୁ କହିଥିଲେ। ହେଲେ ରାଜା ବାଳି ଶୁକ୍ରାଚାର୍ଯ୍ୟଙ୍କ କଥା ମାନି ନ ଥିଲେ। ସେ ବାମନଙ୍କୁ ଦାନ ମାଗିବାକୁ କହିଲେ ଏବଂ ବାମନରୂପି ଭଗବାନ ବିଷ୍ଣୁ ବାଳିଙ୍କୁ ୩ ପାଦ ଜାଗା ମାଗିଥିଲେ।
- ରାଜା ବାଳି ଏଥିରେ ରାଜି ହେବାରୁ ଭଗବାନ ରୂପି ବାମନ ଗୋଟିଏ ପାଦ ସମ୍ପୂର୍ଣ୍ଣ ପୃଥିବୀ ଉପରେ, ଅନ୍ୟ ଏକ ପାଦ ଅନ୍ତରୀକ୍ଷରେ ରଖିଲେ। ତୃତୀୟ ପାଦ କେଉଁଠି ରଖିବେ ଜାଗା ନ ପାଇବାରୁ ବାଳି ଭଗବାନଙ୍କ ପାଦ ତଳେ ନିଜ ମୁଣ୍ଡ ଦେଖାଇ ଦେଲେ। ଆଉ ତା ପରେ ବାଳି ସବୁକିଛି ହରାଇଥିଲେ। ଏପ୍ରକାର ବାଳିର ଆତଙ୍କରୁ ଦେବତାମାନେ ମୁକ୍ତି ପାଇଲେ ଏବଂ ବାଳି ଯେଉଁ ଧନସମ୍ପତ୍ତି ଦେବତାଙ୍କଠାରୁ ନେଇଥିଲେ, ତା’ଠାରୁ ୧୩ ଗୁଣ ଅଧିକ କରି ଫେରାଇଲେ। ସେହିଦିନଠାରୁ ଧନତେରାସ ପର୍ବ ପାଳନ କରାଯାଏ।
2. ନରକ ଚତୁର୍ଦ୍ଦଶୀ
ନରକ ଚତୁର୍ଦ୍ଦଶୀକୁ ଛୋଟ ଦୀପାବଳି ବୋଲି ମଧ୍ୟ କୁହାଯାଏ ।
ସେହିପରି ନରକ ଚତୁର୍ଦ୍ଦଶୀକୁ ମୁକ୍ତି ପାଇବାର ପର୍ବ ବୋଲି କୁହାଯାଏ। ଏହି ଦିନ ଭଗବାନ କୃଷ୍ଣ ନରକାସୁର ରାକ୍ଷସର ବଧ କରିଥିଲେ। ସେଥିପାଇଁ ଚତୁର୍ଦ୍ଦଶୀର ନାମ ନରକ ଚତୁର୍ଦ୍ଦଶୀ ରଖାଯାଇଛି। ଏହିଦିନ ପୂଜା କଲେ ନରକ ନିବାରଣଙ୍କ ଆଶୀର୍ବାଦ ମିଳିଥାଏ। ସେଥିପାଇଁ ଏହିଦିନ ଘରେ ଯମରାଜଙ୍କ ପୂଜା କରାଯାଇ ପରିବାର ଲୋକଙ୍କ ନର୍କବାସ ନ ମିଳୁ ବୋଲି ପ୍ରାର୍ଥନା କରାଯାଇଥାଏ।
3. ମହାଲକ୍ଷ୍ମୀଙ୍କ ପୂଜା
ପୌରାଣିକ ଗ୍ରନ୍ଥ ଅନୁସାରେ କାର୍ତ୍ତିକ ମାସ ଅମାବାସ୍ୟା ଦିନ ମାତା ଲକ୍ଷ୍ମୀ କ୍ଷୀର ସାଗରରୁ ଉତ୍ପନ୍ନ ହୋଇଥିଲେ ବୋଲି ବିଶ୍ୱାସ କରାଯାଏ। ସେଥିପାଇଁ ଏହିଦିନ ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରାଯାଏ। ଅନ୍ୟପକ୍ଷେ ତ୍ରତୟା ଯୁଗରେ ଏହି ଦିନ ଭଗବାନ ରାମ ୧୪ ବର୍ଷ ବନବାସ କାଟି ଅଯୋଧ୍ୟା ଫେରିଥିଲେ।
ତେବେ ପ୍ରତିବର୍ଷ ଦିନଟିଏ ପାଇଁ ନିଜ ପ୍ରଜାଙ୍କୁ ଦେଖିବାକୁ ସେ ମର୍ତ୍ୟପୁରକୁ ଆସିବାକୁ ଅନୁରୋଧ କରିଥିଲେ । ତେଣୁ ଏହି ଦିନ ତାଙ୍କ ଉପସ୍ଥିତିର ଖୁସିରେ ଲୋକେ ଆଲୋକିତ କରନ୍ତି ବୋଲି କୁହାଯାଏ । ଅନ୍ୟପଟେ ଏହି ଦିନ ମା କାଳିଙ୍କ ଆରାଧନା ମଧ୍ୟ ହୋଇଥାଏ । ଲୋକବିଶ୍ୱାସ ରହିଛି ଏହି ଦିନ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦିଆଯାଏ । ଏହାକୁ ପୟାଶ୍ରାଦ୍ଧ କୁହାଯାଏ । କାଉଁରିଆ କାଠି ଜଳାଇ ଧରାପୃଷ୍ଠକୁ ଅବତରଣ କରିଥିବା ପିତୃପୁରୁଷଙ୍କ ବାଟ ଦେଇବା ଉଦ୍ଦେଶ୍ୟରେ ବଡବଡିଆ ଡାକ ପକାଯାଏ ।
ଏହି ଦିନ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦେଇସାରି କାଉଁରିଆ କାଠି ଜାଳନ୍ତି । କାଉଁରିଆ କାଠି ଜାଳିବାବେଳେ ଉଚ୍ଚାରଣ କରନ୍ତି।
ବଡ଼ ବଡୁଆ ହୋ
ଅନ୍ଧାରରେ ଆସ ଆଲୁଅରେ ଯାଅ,
ପୁରୁଷୋତ୍ତମରେ ମହାପ୍ରସାଦ ଖାଇ
ବାଇଶି ପାବଛରେ
ବଡ଼ଗଡାଉ ଥାଅ ।
ପିତୃ ପୁରୁଷଙ୍କୁ ଆଲୋକ ଦେଖାଇ ସ୍ଵର୍ଗ ଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରନ୍ତି । ଅସଂଖ୍ୟ ଭକ୍ତ ସେଦିନ ବାଇଶି ପାହାଚରେ ପିଣ୍ଡଦାନ କରି କାଉଁରିଆ କାଠି ବି ଜାଳନ୍ତି । ପିତୃଗଣଙ୍କ ଆଶୀର୍ବାଦ କାମନା କରନ୍ତି ।
ପିତୃ ଲୋକଂ ପରିତାଜ୍ୟ
ଆଗତା ଯେ ମହାଳୟେ
ଇଜ୍ଜ୍ଵଳେ ଜ୍ୟୋତିଷାଂ ମାର୍ଗେ
ପ୍ରପଦ୍ୟନ୍ତୋ ବ୍ରଜନ୍ତୁତେ ।
କାର୍ତ୍ତିକ ପୂର୍ଣ୍ଣିମାରେ ଜଗନ୍ନାଥଙ୍କୁ ଦୀପଦାନ କରାଯାଇ ବନ୍ଦାପନା କରାଯାଏ । ଯେଉଁ ଭକ୍ତ ଦୀପଦାନ, ବନ୍ଦାପନା ଦର୍ଶନ କରନ୍ତି , ସେ ଅନ୍ତ କାଳରେ ବିଷ୍ଣୁ ଲୋକକୁ ଗମନ କରନ୍ତି ବୋଲି ବିଶ୍ଵାସ ରହିଛି ।
4. ଗିରି ଗୋବର୍ଦ୍ଧନ ପୂଜା
ଅନ୍ୟଏକ କାହାଣୀ ଶୁଣାଯାଏ, ଇନ୍ଦ୍ରଙ୍କ କୋପରୁ ରକ୍ଷା ପାଇବା ପାଇଁ ଶ୍ରୀକୃଷ୍ଣ ଗୋପପୁରବାସୀଙ୍କୁ ଗୋବର୍ଦ୍ଧନ ପାହାଡ଼ ତଳେ ସାତ ଦିନ ରହିଥିଲେ। ସେହିଦିନଠାରୁ ପ୍ରତିବର୍ଷ ଏହି ତିଥିରେ ଗିରି ଗୋବର୍ଦ୍ଧନ ପୂଜା କରାଯାଏ। କୁହାଯାଏ, ଏହି ଦିନ ଖୁସି ରହୁଥିବା ବ୍ୟକ୍ତି ବର୍ଷ ସାରା ଖୁସି ରୁହେ। ସେଥିପାଇଁ କାର୍ତ୍ତିକମାସ ଶୁକ୍ଳପକ୍ଷ ପ୍ରତିପଦାଦିନ ଏହି ପୂଜା କରାଯାଏ।
5. ଭାଇ ଦୁଜ
- ଅନ୍ୟ ଏକ କଥା ପୁରାଣରେ ରହିଛି। କୁହାଯାଏ ଭଗବାନ ସୂର୍ଯ୍ୟ ନାରାୟଣଙ୍କ ପତ୍ନୀ ଛାୟାଙ୍କ ଦୁଇ ସନ୍ତାନ ଯମରାଜ ଓ ଯମୁନା ଥିଲେ। ଯମୁନା ଯମରାଜଙ୍କୁ ଅନୁରୋଧ କରନ୍ତି ତାଙ୍କ ଘରକୁ ଆସି ଭୋଜନ କରିବା ପାଇଁ । ହେଲେ ଯମରାଜ ବ୍ୟସ୍ତତା ଭିତରେ ଏହା ଭୁଲି ଯାଆନ୍ତି। ଦିନେ କାର୍ତ୍ତକ ଶୁକ୍ଳପକ୍ଷରେ ଯମୁନା ପୁଣି ଭାଇ ଯମରାଜଙ୍କୁ ଅନୁରୋଧ କଲେ।
- ଏଥର ଯମରାଜ ଭଉଣୀଙ୍କ ଘରକୁ ଗଲେ। ଯମରାଜ ଘରକୁ ଆସିବା ପୂର୍ବରୁ ଯମୁନା ଏକ ପ୍ରତିଶ୍ରୁତି ମାଗିଥିଲେ। ପ୍ରତିବର୍ଷ ଏହି ଦିନ ତାଙ୍କ ଘରକୁ ଖାଇବାକୁ ଆସିବା ପାଇଁ ଭାଇଙ୍କୁ ବଚନ ମାଗିଥିଲେ ଯମୁନା ଏବଂ ଯମରାଜ ତାଙ୍କୁ କଥା ମଧ୍ୟ ଦେଇଥିଲେ। ସେହିଦିନଠାରୁ ଏହି ଦିନକୁ ଭାଇ ଦୁଜ ବୋଲି କେତେକ ସ୍ଥାନରେ ପାଳନ କରାଯାଏ।

0 Comments
Do you have any doubts or suggestions? Ask them here in the comments!