ଇନଫ୍ଲୁଏଞ୍ଜା(Influenza) ରୋଗ କ'ଣ ? ଏହା କେମିତି ବ୍ୟାପେ ଓ ଏହାର ପ୍ରତିକାର

ଇନଫ୍ଲୁଏଞ୍ଜା(Influenza) ରୋଗ କ'ଣ ? ଏହା କେମିତି ବ୍ୟାପେ ଓ ଏହାର ପ୍ରତିକାର

‘ଇନଫ୍ଲୁଏଞ୍ଜା’ ଶବ୍ଦ ଅନେକ କ୍ଷେତ୍ରରେ ଏହାକୁ ‘ଫ୍ଲୁ’ ବୋଲି ମଧ୍ୟ କୁହାଯାଏ । ଏହା ହେଉଛି ଏକ ଗୁରୁତର ସଂକ୍ରମକ ରୋଗ ( ଜଣକଠୁ ଆଉ ଜଣକୁ ସହଜରେ ବ୍ୟାପୁଥିବା), ଯାହା ଭୂତାଣୁ ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥାଏ । ଏହି ସଂକ୍ରମଣରେ ମୁଖ୍ୟତଃ ଶ୍ୱାସନଳୀ, ନାକ, ଗଳା ଓ ଫୁସଫୁସ୍ ଆଦି ପ୍ରଭାବିତ ହୋଇଥାଏ ।

ଇନଫ୍ଲୁଏଞ୍ଜା ବିପଜ୍ଜନକ ଅଟେ 

ଯେକୌଣସି ବୟସରେ ଏହା ହୋଇପାରେ । ଅଳ୍ପରୁ ଆରମ୍ଭ ହୋଇ ଗୁରୁତର ଅବସ୍ଥା ମଧ୍ୟ ଦେଖାଯାଇଥାଏ । ହେଲେ ଏଥିରେ ଶିଶୁମାନେ ଅଧିକ ମାତ୍ରାରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି ।

ଏହା ସାଧାରଣ ଥଣ୍ଡାଠାରୁ ଅଧିକ ବିପଜ୍ଜନକ ଏବଂ ଋତୁକାଳୀନ ଇନଫ୍ଲୁଏଞ୍ଜାରେ ଅଧିକ ଲୋକ ସଂକ୍ରମିତ ହୋଇଥାନ୍ତି । ଇନଫ୍ଲୁଏଞ୍ଜାର ଚିକିତ୍ସାରେ ଅବହେଳା କିମ୍ବା ବିଳମ୍ବ ହେଲେ ଅନେକଗୁଡ଼ିଏ କମ୍ପ୍ଲିକେସନ୍ ହୁଏ | ଯଥା – 

  1. ନିମୋନିଆ (ଫୁସଫୁସ୍ ସଂକ୍ରମଣ)
  2. କାନର ସଂକ୍ରମଣ
  3. ସାଇନସର ସଂକ୍ରମଣ 
  4. ଡିହାଇଡ୍ରେସନ୍ (ଶରୀରରେ ଜଳୀୟ ଅଂଶ କମିଯିବା)  
  5. କନଜେଷ୍ଟିଭ୍ ହାର୍ଟ ଫେଲ୍ୟୁଅର୍‌
  6. ଆଜମା
  7. ଡାଇବେଟିସ୍ 

ଭଳି ଦୀର୍ଘଦିନିଆ ରୋଗ ଆହୁରି ବୃଦ୍ଧି ପାଇଥାଏ । ଏହିସବୁ ଅସୁବିଧା ଯୋଗୁଁ ହସ୍ପିଟାଲରେ ଭର୍ତି ହେବାକୁ ପଡ଼ିଥାଏ ଓ ବେଳେବେଳେ ମୃତ୍ୟୁ ମଧ୍ୟ ହୋଇଯାଇଥାଏ ।

ଇନଫ୍ଲୁଏଞ୍ଜା କେମିତି ବ୍ୟାପେ ?

ଯେଉଁ ବ୍ୟକ୍ତିମାନେ ଫ୍ଲୁରେ ଆକ୍ରାନ୍ତ ହୋଇଥିବେ ସେମାନେ ଯଦି କାଶିବେ, ଛିଙ୍କିବେ ବା କଥା କହିବେ, ତେବେ ସେମାନଙ୍କ ଡ୍ରପଲେଟ୍‌ସ (ନାକରୁ ସ୍ରାବ, ଗଳା ଓ ଫୁସଫୁସର ସ୍ରାବ) ଦ୍ୱାରା ପାଖରେ ଥିବା ବ୍ୟକ୍ତିମାନେ ସଂକ୍ରମିତ ହୋଇଥାନ୍ତି ।

ଲକ୍ଷଣ

ସାଧାରଣତଃ ଫ୍ଲୁର ଲକ୍ଷଣ ସବୁ ସାଧାରଣ ଥଣ୍ଡା ଭଳି ହୋଇଥିବାରୁ ରୋଗ ନିରୂପଣରେ ଏହା କିଛିଟା ଦ୍ୱନ୍ଦ୍ୱ ଉତ୍ପନ୍ନ କରିଥାଏ, ହେଲେ ଫ୍ଲୁର ଲକ୍ଷଣ ସବୁ ପ୍ରାୟତଃ ଗୁରୁତର ହୋଇଥାଏ । ଭୂତାଣୁ ସଂକ୍ରମଣର ଦୁଇ ଦିନ ପରେ ...

  1. ଜ୍ୱର
  2. ମୁଣ୍ଡବ୍ୟଥା
  3. ହାଲିଆ ଲାଗିବା  
  4. ତଂଟି ବ୍ୟଥା ହେବା (ବା ତଂଟି ଫୁଲିଲା ପରି ଲାଗିବା) ଆଦି ଦେଖାଯାଏ । ଏହା ବ୍ୟତୀତ 
  5. ଦେହ ଥଣ୍ଡା ଲାଗିବା
  6. ମାଂସପେଶୀ ବ୍ୟଥା ହେବା
  7. ମୁଣ୍ଡ ବୁଲାଇ ହେବା ଭଳି ଲାଗିବା
  8. ଭୋକ ନ ଲାଗିବା 
  9. କାଶ
  10. ନାକରୁ ପାଣି ବାହାରିବା ବା ସିଂଘାଣି ବାହାରିବା
  11. ବାନ୍ତି ବାନ୍ତି ଲାଗିବା, ବାନ୍ତି ହୋଇଯିବା
  12. ଝାଡ଼ା ହେବା
  13. ଦୁର୍ବଳ ଲାଗିବା ଏବଂ
  14. କାନବ୍ୟଥା ଇତ୍ୟାଦି ମଧ୍ୟ ଦେଖାଯାଇଥାଏ ।

ଇନଫ୍ଲୁଏଞ୍ଜା ପ୍ରତିକାର

ସତ କହିବାକୁ ଗଲେ ଇନଫ୍ଲୁଏଞ୍ଜାର ପୂର୍ଣ୍ଣ ପ୍ରତିଷେଧକ ବ୍ୟବସ୍ଥା (୧୦୦% ପ୍ରତିକାର ବ୍ୟବସ୍ଥା) ଏଯାଏଁ ଉଦ୍ଭାବିତ ହୋଇନାହିଁ; ଏପରିକି ଟୀକାକରଣ ମଧ୍ୟ ନୁହେଁ । ହେଲେ ବି ନିମ୍ନ ପ୍ରଦତ ପଦକ୍ଷେପ ଦ୍ୱାରା ଫ୍ଲୁକୁ ନିଶ୍ଚିତ ଭାବରେ ଅନେକାଂଶରେ ଦୂର କରାଯାଇପାରିବ ।

  1. – ଫ୍ଲୁରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କଠାରୁ ଯଥାସମ୍ଭବ ନିଜକୁ ଦୂରେଇ ରଖିବା କିମ୍ବା ଅତି ନିକଟ ସଂସ୍ପର୍ଶରୁ ଦୂରେଇ ରହିବା ।
  2. – ଯେତେବେଳେ ଆପଣ ଅସୁସ୍ଥ ଅଛନ୍ତି, ସେତେବେଳେ ଅନ୍ୟମାନଙ୍କ ସହ ଯେତେ ସମ୍ଭବ ସେତେ କମ୍ ମିଶନ୍ତୁ ।
  3. – ଯେଉଁ ପୃଷ୍ଠତଳ (ବା ସରଫେସ୍‌) ବା ବସ୍ତୁ ଫ୍ଲୁ ଭୂତାଣୁ ସଂସ୍ପର୍ଶରେ ଆସିବାର ଆଶଙ୍କା ରହିଛି, ସେସବୁକୁ ଭଲ ଭାବେ ସଫା ତଥା ବିଶୋଧିତ କରିବା ଉଚିତ ।
  4. – କାଶିବା ଓ ଛିଙ୍କିବା ସମୟରେ ନାକ ଓ ପାଟିକୁ ଢାଙ୍କିବା ପାଇଁ ଟିସୁ ପେପର୍ ବ୍ୟବହାର କରନ୍ତୁ ଏବଂ ବ୍ୟବହାର କରିସାରିବା ପରେ ତାକୁ ଡଷ୍ଟବିନ୍‌ରେ ହିଁ ପକାନ୍ତୁ ।
  5. – ଯଦି ଟିସୁ ପେପର୍ ଉପଲବ୍ଧ ନାହିଁ, ତେବେ କାଶିବା ଓ ଛିଙ୍କିବା ସମୟରେ ପାଟି ଓ ନାକକୁ ଢାଙ୍କିବା ପାଇଁ ଉପର ବାହୁ ବ୍ୟବହାର କରନ୍ତୁ ଏବଂ କେବେ ବି ହାତ ପାପୁଲିକୁ ବ୍ୟବହାର କରନ୍ତୁ ନାହିଁ ।
  6. – ଖାଇବା ପୂର୍ବରୁ, କାଶିବା ପରେ, ଛିଙ୍କିବା ପରେ, ପାଇଖାନା ବ୍ୟବହାର ପରେ, ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ ତଥା ଶିଶୁକୁ ଖୁଆଇବା ପୂର୍ବରୁ ହାତକୁ ସାବୁନ ଓ ପାଣିରେ ଭଲ ଭାବେ ସଫା କରିବା ଆବଶ୍ୟକ । ଯଦି ସାବୁନ ଓ ପାଣିର ସୁବିଧା ନାହିଁ, ତେବେ ‘ଆଲକହଲ-ବେସଡ୍ ହ୍ୟାଣ୍ଡ୍ ସାନିଟାଇଜର୍‌’ ବ୍ୟବହାର କରିପାରିବେ ।
  7. -ବାହାରକୁ ଯିବା ପୂର୍ବରୁ ମୁହଁକୁ ମାସ୍କ ଦ୍ୱାରା ଆବୃତ୍ତ ରଖନ୍ତୁ।

Post a Comment

0 Comments