ଦୀପାବଳିରେ କାହିଁକି ମା’ କାଳୀରୂପଙ୍କୁ ପୂଜା କରାଯାଏ ?
ଦୀପାବଳିରେ କାହିଁକି ମା’ କାଳୀରୂପଙ୍କୁ ପୂଜା କରାଯାଏ ?
ଭାରତରେ ଅନେକ ସ୍ଥାନରେ ଦୀପାବଳିକୁ ଆଲୋକ ଓ ଆତସବାଜି ସହ ଧୁମ୍ଧାମ୍ରେ ପାଳନ କରାଯାଉଥିବା ବେଳେ ବିଭିନ୍ନ ରାଜ୍ୟରେ ଏହି ଦିନ ମା’ କାଳୀଙ୍କର ପୂଜା କରାଯାଇଥାଏ। ତେବେ ଆଲୋକର ଏହି ପର୍ବରେ ମା’ ଏହି ମହାକାଳୀ ରୂପରେ କାହିଁକି ପୂଜା ପାଆନ୍ତି ବା ମା’ ଜିଭ କାଢ଼ିଥିବା ରୂପରେ କାହିଁକି ପୂଜା ପାଆନ୍ତି, ସେନେଇ ପୌରାଣିକ କାହାଣୀ ମଧ୍ୟ ରହିଛି ।
- ପୁରାଣ ଅନୁସାରେ, ରାକ୍ଷସ ଶୁମ୍ଭ ଓ ନିଶୁମ୍ଭଙ୍କ ଅତ୍ୟାଚାରରେ କେବଳ ପୃଥିବୀବାସୀ ନୁହନ୍ତି, ସ୍ୱର୍ଗର ଦେବତାମାନେ ମଧ୍ୟ ଅତିଷ୍ଠ ହୋଇ ପଡ଼ିଥିଲେ। ପରମପିତା ବ୍ରହ୍ମାଙ୍କ ଆଶୀର୍ବାଦରେ ବଳୀୟାନ୍ ହୋଇଥିବା ଶୁମ୍ଭ-ନିଶୁମ୍ଭ ସ୍ୱର୍ଗ ଉପରେ ଆକ୍ରମଣ କରି ଦେବରାଜ ଇନ୍ଦ୍ରଙ୍କୁ ପରାସ୍ତ କରିବାକୁ ଚାହୁଁଥିଲେ।
- ଏହି ଦୁଇ ରାକ୍ଷସଙ୍କ ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ଦେବତାମାନେ ମହାମାୟା ମା’ ଦୁର୍ଗାଙ୍କୁ ସ୍ମରଣ କରିଥିଲେ। ଦୁର୍ଗା ନିଜ ଅଂଶର ଅନ୍ୟ ଏକ ସ୍ପରୂପ ଅର୍ଥାତ୍ ମା’ ମହାକାଳୀ ରୂପ ନେଇ ଶୁମ୍ଭ-ନିଶୁମ୍ଭ ରାକ୍ଷସଙ୍କୁ ବଧ କରିଥିଲେ। ତେବେ ଶୁମ୍ଭ-ନିଶୁମ୍ଭ ଅସୁରଙ୍କୁ ନିପାତ କରି ସାରିବା ପରେ ମଧ୍ୟ ମା’ କାଳୀଙ୍କ ରକ୍ତମୁଖା ସ୍ୱଭାବ ଶାନ୍ତ ପଡ଼ି ନ ଥିଲା। ମା’ଙ୍କ ଏହି ରୂପ ଦେଖି ଦେବତାମାନେ ମଧ୍ୟ ଭୟ ପାଇ ଯାଇଥିଲେ।
- ଶେଷରେ ମା କାଳୀଙ୍କୁ ତାଙ୍କ ପୂର୍ବ ସ୍ୱରୂପକୁ ଫେରାଇ ଆଣିବା ପାଇଁ ଭଗବାନ ଶିବ ମା’ଙ୍କ ଯିବା ବାଟର ଭୂମିରେ ଶୟନ କଲେ । ମା’ କାଳୀ ତାଙ୍କ ଯିବା ରାସ୍ତାରେ ଗଳାବେଳେ ମହାଦେବଙ୍କ ଛାତି ଉପରେ ଗୋଡ଼ ରଖି ଦେଇଥିଲେ। ଆଉ ନିଜ ସ୍ୱାମୀଙ୍କ ଉପରେ ଗୋଡ଼ ରଖିବା ପରେ ମା’ ନିଜ ପୂର୍ବ ରୂପକୁ ସ୍ମରଣ କରି ପାରିଥିଲେ ଏବଂ ଲଜ୍ଜାରେ ନିଜ ଜିଭ ଆଗକୁ ବାହାର କରି ଦେଇଥିଲେ।
ସେହିଦିନଠାରୁ ମା’ଙ୍କର ଏହି ରୂପକୁ କାଳୀ ପୂଜା ଅର୍ଥାତ୍ ଦୀପାବଳିରେ ପୂଜା କରାଯାଇଥାଏ । ଅମାବାସ୍ୟା ରାତିରେ କାଳୀଙ୍କର ପୂଜା ହେଉଥିବାରୁ ତାନ୍ତ୍ରିକମାନେ ମଧ୍ୟ ଏହି ଦିନ ମା’ଙ୍କର ଉପାସନା କରିଥା’ନ୍ତି।
- ଦୀପାବଳିର ଆଗମନରେ ମହାକାଳୀଙ୍କୁ ପୂଜା କଲେ, ମା’ ସୁଖସମୃଦ୍ଧି ପ୍ରଦାନ କରିଥା’ନ୍ତି। ଏହାମଧ୍ୟ କୁହାଯାଏ, ଏହି ଦିନ ମା’ କାଳୀ ତାଙ୍କ ଅନୁଗାମୀଙ୍କର ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର କରିଥା’ନ୍ତି। ଏଥିପାଇଁ ମା’ଙ୍କ ଆଗରେ ଅଖଣ୍ଡ ଦୀପ ମଧ୍ୟ ବସାଯାଏ।
- ଅନେକ ବିଶ୍ୱାସ କରନ୍ତି, ମା’ କାଳୀ ପୃଥିବୀରେ ନ୍ୟାୟ ଓ ଜୀବନର ପୁନଃନିର୍ମାଣ କରିଥା’ନ୍ତି, ଯେଉଁଥିରେ ପ୍ରତ୍ୟେକ ମଣିଷକୁ ଶାନ୍ତି ଓ ସଂହତିର ସହ ରହିବା ପାଇଁ ବାର୍ତ୍ତା ଦିଆଯାଏ । ଏହି କାରଣରୁ ପୂର୍ବ ଭାରତର କିଛି ହିନ୍ଦୁ ଧର୍ମାବଲମ୍ବୀ ଦୀପାବଳି ଅପେକ୍ଷା କାଳୀ ପୂଜାକୁ ଅଧିକ ଗୁରୁତ୍ୱ ଦେଇଥା’ନ୍ତି।
- ଲୋକକଥା ଅନୁସାରେ, ନବଦ୍ୱୀପର ରାଜା କୃଷ୍ଣଚନ୍ଦ୍ର ୧୮୦୦ ଶତାବ୍ଦୀରେ ମହାକାଳୀଙ୍କର ପୂଜା ପଶ୍ଚିମବଙ୍ଗରେ ଆରମ୍ଭ କରିଥିଲେ। ସେହିଦିନଠାରୁ କୋଲକାତା ସମେତ ପଶ୍ଚିମବଙ୍ଗର ବହୁ ଜମିଦାର୍ ଏହି ପରମ୍ପରାକୁ ବଜାୟ ରଖି ମା’କାଳୀଙ୍କର ପୂଜା କରି ଆସୁଛନ୍ତି।
- ଭାରତରେ ଅନେକ ସ୍ଥାନରେ ଦୀପାବଳିକୁ ଆଲୋକ ଓ ଆତସବାଜି ସହ ଧୁମ୍ଧାମ୍ରେ ପାଳନ କରାଯାଉଥିବା ବେଳେ ପଶ୍ଚିମବଙ୍ଗ ଓ ଆସାମ ଭଳି ପୂର୍ବ ଭାରତୀୟ ରାଜ୍ୟରେ ଏହି ଦିନ କାଳୀଙ୍କର ପୂଜା କରାଯାଇଥାଏ।
- ମା’ କାଳୀଙ୍କର ଅନେକ ମନ୍ଦିର କୋଲକାତା ସମେତ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ରହିଛି। ପ୍ରସିଦ୍ଧ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର କୋଲକାତାର ଗଙ୍ଗାନଦୀ କୂଳରେ ଥିବାବେଳେ ପଶ୍ଚିମ କୋଲକାତାରେ କାଳୀଘାଟ ମନ୍ଦିର ଏବଂ ଦ୍ୱାରକା ନଦୀ କୂଳରେ ତାରା ପୀଠ ରହିଛି। ସେହିପରି ଆସାମରେ କାମାକ୍ଷା ମନ୍ଦିର ରହିଛି। ଏସବୁ ମନ୍ଦିରଗୁଡ଼ିକୁ ହିନ୍ଦୁ ପୁରାଣରେ ଶକ୍ତିପୀଠ ବୋଲି କୁହାଯାଇଛି। ଏହି ଠାରେ ଭଗବାନ ଶିବ ଏବଂ ମା’ ଶକ୍ତି ଏକାଠି ପୂଜା ପାଆନ୍ତି।
0 Comments
Do you have any doubts or suggestions? Ask them here in the comments!