ପଲ୍ସ ଅକ୍ସିମିଟର ବ୍ୟବହାର କରିବା ପୂର୍ବରୁ କେତୋଟି ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ।

ପଲ୍ସ ଅକ୍ସିମିଟର ବ୍ୟବହାର କରିବା ପୂର୍ବରୁ କେତୋଟି ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ



ପଲ୍ସ ଅକ୍ସିମିଟର ହେଉଛି ଏମିତି ଏକ ମେଡିକାଲ ଉପକରଣ, ଯାହା ସାହାଯ୍ୟରେ ଆମେ ହାର୍ଟ ବିଟ୍ (ହୃଦସ୍ପନ୍ଦନ) ଏବଂ ଶରୀରର ଅମ୍ଳଜାନ ସ୍ତର (SpO2)କୁ ମାପିପାରିବା। ଅକ୍ସିଜେନ୍‌ ସ୍ତରରୁ ଜାଣିପାରିବା ଯେ, ଫୁସ୍‌ଫୁସ୍‌ ସଠିକ୍‌ ଭାବରେ କାମ କରୁଛି କି ନାହିଁ। ଏହା ଦେଖିବାକୁ ଏକ କ୍ଲିପ୍ ପରି। ପଲ୍‌ସ ଅକ୍ସିମିଟରକୁ ଆଙ୍ଗୁଠିରେ ରଖିଲେ ଆପଣଙ୍କ ରକ୍ତରେ ଥିବା ଅମ୍ଳଜାନର ମାତ୍ରା ରିଡିଂ ଆକାରରେ ଦେଖିବାକୁ ମିଳିଥାଏ। ଏହି ପରୀକ୍ଷାରେ ଆପଣଙ୍କୁ କୌଣସି ଯନ୍ତ୍ରଣା ହୋଇନଥାଏ।

ହୃତପିଣ୍ଡ ଆମ ଶରୀରର ପ୍ରତ୍ୟେକ ଅଙ୍ଗକୁ ରକ୍ତ ପହଞ୍ଚାଇଥାଏ। ସେହିପରି ଫୁସଫୁସ୍‌ରେ ରକ୍ତ ଅମ୍ଳଜାନରେ ସଂସ୍ପର୍ଶରେ ଆସି ବିଶୁଦ୍ଧ ହୋଇଥାଏ। ଶରୀରର ରକ୍ତ ସଞ୍ଚାଳନ ପାଇଁ ଏହି ଦୁଇଟି ଅଙ୍ଗ ଗୁରୁତ୍ୱପୂର୍ଣ୍ଣ। ପଲ୍‌ସ ଅକ୍ସିମିଟରରେ ଆପଣଙ୍କ ହୃତପିଣ୍ଡ କିଭଳି କାମ କରୁଛି ତାହା ମଧ୍ୟ ଜାଣି ପାରିବେ। ଏହି ଡିଭାଇସ ଜରିଆରେ ଆପଣଙ୍କ ହାର୍ଟ ରେଟ୍ ମଧ୍ୟ ମପା ଯାଇପାରେ। ଅନ୍ୟପକ୍ଷରେ ଆପଣଙ୍କ ନିଃଶ୍ୱାସ ନେବାରେ ଅସୁବିଧାରେ ଏହି ଡିଭାଇସ ଆପଣଙ୍କୁ ସତର୍କ କରାଇଥାଏ ।

କୋଭିଡ ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହା କିଭଳି କାମ କରୁଛି ?

  1. କରୋନାର ସାଧାରଣ ଲକ୍ଷଣ ହେଉଛି ଥଣ୍ଡା, ଜ୍ୱର, ଛିଙ୍କ, କାଶ ଓ ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବା। ତେବେ ଅନେକ କୋଭିଡ୍ ରୋଗୀଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳୁନଥିବା ଜଣାପଡ଼ିଛି। ଅଜାଣତରେ ଯଦି ଆପଣ ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେଉଥାଏ ଏବଂ ଶରୀରକୁ ସଠିକ ପରିମାଣରେ ଅମ୍ଳଜାନ ମିଳୁନଥାଏ ତେବେ ପଲ୍‌ସ ଅକ୍ସିମିଟର ରକ୍ତରେ ଥିବା ଅମ୍ଳଜାନର ମାତ୍ରା ମାପି ଆପଣଙ୍କୁ ସତର୍କ କରାଇବ।
  2. ଯେଉଁ ରୋଗୀମାନଙ୍କର ନିଶ୍ୱାସ ନେବାରେ ଅସୁବିଧା ହେଉଛି ବା ଫୁସ୍‌ଫୁସ୍‌ରେ ନିମୋନିଆ ହେଲା ଭଳି ଲକ୍ଷଣ ଦେଖାଦେଉଛି, ସେମାନଙ୍କୁ ଅମ୍ଳଜାନ ନିହାତି ଦରକାର। ହେଲେ ରୋଗୀର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ପୂର୍ବରୁ ବା ନିମୋନିଆ ହେବା ପୂର୍ବରୁ ଯଦି ସଠିକ୍‌ ଚିକିତ୍ସା କରାଯାଏ, ତେବେ ଜଲଦି ସୁସ୍ଥ ହେବାର ସମ୍ଭାବନା ଅଧିକ।
  3. ହୋମ୍‌ ଆଇସୋଲେସନ୍‌ରେ ଥିବା ବ୍ୟକ୍ତି ପଲ୍ସ ଅକ୍ସିମିଟର ସାହାଯ୍ୟରେ ନିୟମିତ ଅମ୍ଳଜାନ ସ୍ତର ଜାଣିପାରିବେ। ଯଦି ୯୪ ପ୍ରତିଶତ ତଳକୁ ରହେ, ତେବେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସା ହୋଇପାରିବେ ଏବଂ ଜଲ୍‌ଦି ସୁସ୍ଥ ହୋଇପାରିବେ।

କେମିତି କାମ କରେ ପଲ୍‌ସ ଅକ୍ସିମିଟର ?

ଆମ ଶରୀରର ରକ୍ତରେ ଅମ୍ଳଜାନର ମାତ୍ରା ୮୯ ପ୍ରତିଶିତରୁ ଅଧିକ ରହିବା ଉଚିତ। ଏହା ଦ୍ୱାରା ଆମ ଶରୀରର କୋଷିକାଗୁଡ଼ିକ ସୁସ୍ଥ ରହିଥାଏ। ଅମ୍ଳଜାନର ମାତ୍ରା ୮୯ ପ୍ରତିଶିତରୁ କମିଗଲେ ପଲ୍‌ସ ଅକ୍ସିମିଟର ଆପଣଙ୍କୁ ସତର୍କ କରାଇବ। ଯଦି ଆପଣଙ୍କ ଶରୀରରେ କିଛି ସମୟ ପାଇଁ ଅମ୍ଳଜାନ କମ ଥିବା ଦେଖାଯାଉଛି, ତେବେ ଏହା ଚିନ୍ତାର ବିଷୟ ନୁହେଁ। ଯଦି ଏହା ଲମ୍ବା ସମୟ ଯାଏଁ ଅମ୍ଳଜାନ କମ ରହୁଥିବା ଦେଖୁଛନ୍ତି ତେବେ ସାବଧାନ।

ପଲ୍ସ ଅକ୍ସିମିଟରକୁ ବ୍ୟବହାର କେମିତି କରିବେ ?

ପଲ୍ସ ଅକ୍ସିମିଟର ହେଉଛି ଏକ କ୍ଲିପ୍‌ ଭଳି ଉପକରଣ, ଏହାକୁ ହାତ ଓ ଗୋଡ଼ର ଆଙ୍ଗୁଠିରେ ଲଗାଇ ରଖିଲେ ଆପଣଙ୍କ ରକ୍ତରେ ଥିବା ଅମ୍ଳଜାନର ମାତ୍ରା ରିଡିଂ ଆକାରରେ ଦେଖିବାକୁ ମିଳିପାରିବ। ଏହାଛଡ଼ା ଏହାକୁ ଆପଣ କାନର ତଳପଟେ ମଧ୍ୟ ବ୍ୟବହାର କରିପାରିବେ। ଏହି ଜାଗାଗୁଡ଼ିକରେ ରକ୍ତ ନଳୀର ସାନ୍ଧ୍ରତା ଅଧିକ ଥାଏ, ତେଣୁ ଏହା ସହଜରେ ରକ୍ତରେ ଥିବା ଅମ୍ଳଜାନର ସ୍ତରକୁ ମାପିପାରେ।

  1. ପଲ୍ସ ଅକ୍ସିମିଟର ବ୍ୟବହାର କରିବା ପୂର୍ବରୁ କେତୋଟି ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ।
  2. ଯେପରିକି ଆପଣଙ୍କ ନଖ ସଫା ରହିଥିବ, ନଖରେ ନେଲ ପଲିସ୍‌ ଲାଗିନଥିବ।
  3. ଏହାଛଡ଼ା ଏସିରେ ରହି ପଲ୍ସ ଅକ୍ସିମିଟର ବ୍ୟବହାର କରନ୍ତୁ ନାହିଁ କାରଣ ଥଣ୍ଡା ଯୋଗୁଁ ଅକ୍ସିଜେନ୍‌ ସ୍ତର କମ୍‌ ଆସିପାରେ। 
  4. ପଲ୍ସ ଅକ୍ସିମିଟର ଆଙ୍ଗୁଠିରେ ଲଗାଇବା ପୂର୍ବରୁ ଦୁଇ ପାପୁଲିକୁ ଘଷି ଦିଅନ୍ତୁ। 
  5. ଅକ୍ସିମିଟର ଲଗାଇବା ବେଳେ ଧ୍ୟାନ ଦିଅନ୍ତୁ ଯେ, ଉପକରଣଟି ଆପଣଙ୍କ ଆଙ୍ଗୁଠିରେ ସଠିକ୍‌ ଭାବରେ ଲାଗିଛି। ଏହାପରେ ସେଥିରେ ଥିବା ସୁଇଚ୍‌କୁ ଅନ୍‌ କରିବେ। ଅକ୍ସିମିଟରକୁ ଆଙ୍ଗୁଠିରେ ଲଗାଇବାର ୧୦ ବା ୨୦ ସେକେଣ୍ଡ ପରେ ରିଡିଂ ନେବେ। ଅକ୍ସିମିଟର ସ୍କ୍ରିନ୍‌ରେ SpO2 ୯୪ ପ୍ରତିଶତରୁ ଅଧିକ ଥିଲେ ଜାଣିବେ ଯେ ଆପଣ ସୁସ୍ଥ ଅଛନ୍ତି। 
  6. ଏହାସହ ଅକ୍ସିମିଟରରେ ପଲ୍ସ ରେଟ୍‌ ବା ହାର୍ଟ ରେଟ୍‌ ବି ଜାଣି ହୁଏ। ଏହାପରେ ଆପଣ ପଲ୍ସ ଅକ୍ସିମିଟକୁ ଆଙ୍ଗୁଠିରୁ ବାହାର କରି ସୁଇଚ୍‌ ବନ୍ଦ କରିଦେବେ। 
  7. ହାର୍ଟରେଟ୍‌ ୧୨୦ ଉପରକୁ ଓ ୬୦ ତଳକୁ ରହିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
  8. କେଉଁମାନଙ୍କୁ ଦରକାର ପଡ଼ିପାରେ ପଲ୍‌ସ ଅକ୍ସିମିଟର?
  9. ଯଦି ଆପଣଙ୍କଠାରେ ଶ୍ୱାସକ୍ରିୟା ସମ୍ବନ୍ଧିତ କୌଣସି ସମସ୍ୟା ଥାଏ
  10. କରୋନା ସନ୍ଦିଗ୍ଧଙ୍କ ସଂସ୍ପର୍ଶରେ ଆସିଥିଲେ
  11. ଉଚ୍ଚ ରକ୍ତଚାପ, ଡାଏବେଟିସ୍, ବିଭିନ୍ନ ଫୁସଫୁସ ଓ ହୃଦପିଣ୍ଡ ଜନିତରୋଗ ଥିଲେ
  12. ପୋଲିସ, ସ୍ୱାସ୍ଥ୍ୟକର୍ମୀଙ୍କ ଭଳି ଆଗ ଧାଡ଼ିର କୋଭିଡ୍ ଯୋଦ୍ଧା, ବରିଷ୍ଠ ନାଗରିକ ଏମାନଙ୍କ କ୍ଷେତ୍ରରେ ପଲ୍‌ସ ଅକ୍ସିମିଟର ବିଶେଷ ଭାବେ ସହାୟକ ହୋଇଥାଏ ।

Post a Comment

0 Comments