ଖୁଦୁରୁକୁଣୀ ଓଷା : ଭଉଣୀ କରେ ଉପବାସ

 ଖୁଦୁରୁକୁଣୀ ଓଷା : ଭଉଣୀ କରେ ଉପବାସ

ଖୁଦୁରୁକୁଣୀ ଓଷା ଓଡ଼ିଶାର ଏକ ପାରମ୍ପାରିକ ଓଷା । ଏହା ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବେ ମଧ୍ୟ ପରିଚିତ । ଭାଦ୍ରବମାସରେ ଏହି ଓଷାକୁ କୁଆଁରୀ ମାନେ ଓ ନବ ବିବାହିତା ମାନେ ପାଳନ କରିଥାନ୍ତି ।  କୁଆଁରୀମାନେ ଭାଇର ମଙ୍ଗଳକାମନା କରି ଏହି ଓଷା ବା ବ୍ରତ କରିଥାନ୍ତି । ଏଥିରେ ଖୁଦୁରୁକୁଣୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ । 

ତଅପୋଇ କଥା କାହାକୁ ବା ଅଛପା । ଯେଉଁଥିରେ ଦେଖିବାକୁ ମିଳେ ଭାଇ-ଭଉଣୀ ମଧ୍ୟରେ ଭଲପାଇବା । ଓଡ଼ିଶାରେ ସାଧବ ପୁଅମାନେ ସୁଦୂର ଅତୀତରେ ଦେଶବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ସେହିପରି ଏକ ସାତ ସାଧବ ଭାଇ ଓ ସେମାନଙ୍କ ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଯାତନା ଦେବା ଓ ଖୁଦୁରୁକୁଣୀଙ୍କୁ ପୂଜି ସେଥିରୁ ମୁକ୍ତି ମିଳିବାକୁ ନେଇ ଏହି ଓଷାର ଆରମ୍ଭ । ଝିଅମାନେ ଦୂରରେ ଥିବା ଆତ୍ମୀୟ ଓ ମୁଖ୍ୟତଃ ଭାଇମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳିଥାନ୍ତି ।

କିମ୍ବଦନ୍ତୀ

କିମ୍ବଦନ୍ତୀ ଅନୁସାରେ ପୁରାତନ ଯୁଗରେ ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟା ସାତଜଣ ସାଧବ ଭାଇ ବୋଇତରେ ଦୂରଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ବର୍ଷରେ ଗୋଟିଏ ଦିନରେ ସେମାନେ ଘରକୁ ଲେଉଟି ଆସୁଥିଲେ । ଏହି ଦିନ ତାଙ୍କର ଗୋଟିଏ ମାତ୍ର ଭଉଣୀ ତଅପୋଇ ଏହି ଓଷା ଭାଇମାନଙ୍କର ଶୁଭ ମନାସିବା ପାଇଁ ପାଳୁଥିଲେ । ସେହି ଦିନଠାରୁ କୁଆଁରୀମାନେ ଏହା କରିବାର ବିଧି ରହିଅଛି ।

ପାଳନ ବିଧି

  1. ଏହା ଏକ ଭାଦ୍ରବ ମାସର ରବିବାରରେ ପଡ଼ିଥାଏ । ଏହି ଦିନ ସକାଳୁ କୁଆଁରୀ ଝିଅମାନେ ଖୁଦୁରୁକୁଣୀ ଠାକୁରାଣୀଙ୍କୁ ଖୁଦ ଭଜା, ଲିଆ, ଉଖୁଡ଼ା, କଣ୍ଟିଆଳି କାକୁଡ଼ି ଆଦି ଭୋଗ ଭାବରେ ଅର୍ପଣ କରିଥାନ୍ତି । ତେବେ ଖୁଦଭଜା ଠାକୁରାଣିଙ୍କର ସବୁଠୁ ପ୍ରିୟ ବୋଲି ମନେ କରାଯାଇଥାଏ ଓ ତାହାଙ୍କୁ "ଖୁଦରଙ୍କୁଣି" ବା ଖୁଦ ପାଇଁ ବାଇ ବୋଲି ଶ୍ରଦ୍ଧାରେ କୁହାଯାଇଥାଏ ଯାହା ପାଇଁ ତାହାଙ୍କର ନାମ ଖୁଦୁରୁକୁଣୀ ହୋଇଅଛି । 
  2. ଝିଅମାନେ ଗାଧୋଇ ପାଧୋଇ କନିଅର, ଚମ୍ପା, ଗୋଡ଼ିବବାଣ, ମାଳତୀ, ମନ୍ଦାର ଓ କଇଁ ଆଦି ଫୁଲ ତୋଳି ମାଟିରେ ବା ବାଲିରେ ଛୋଟ ଛୋଟ ଦେଉଳ ତୋଳି ତାହାକୁ ଫୁଲରେ ସଜାଇଥାନ୍ତି ଓ ସେଥିରେ ଠାକୁରାଣିଙ୍କୁ ଅଧିଷ୍ଠିତ କରାଇ ପୂଜା କରିଥାନ୍ତି ଓ ଯେଝା ଘରକୁ ଲେଉଟିଆସିଥାନ୍ତି । 
  3. ତାହା ପରେ ସେମାନେ ଅଢ଼େଇ ମୁଠା ଉଷୁନା ଚାଉଳରେ ବିନା ଲୁଣରେ ଭାତ ରାନ୍ଧିଥାନ୍ତି । ଭାତ ରନ୍ଧା ହେଲା ପରେ ସେଥିରେ ଲୁଣ ମିଶାଇଥାନ୍ତି । ଏହା ପରେ ସେମାନେ ଫୁଲ ମାଳ କରି ଠାକୁରାଣୀଙ୍କୁ ସଜାଇଥାନ୍ତି ।
  4. ଗାଁମାନଙ୍କରେ ଖୁଦୁରୁକୁଣୀଙ୍କୁ ଢିଙ୍କିଶାଳରେ ପୂଜା କରାଯାଇଥାଏ । ଏହି ଜାଗାଟିକୁ ଗୋବରରେ ଲିପା ପୋଛା କରି ସେଠାରେ ଦେବୀଙ୍କୁ ଅଧିଷ୍ଠିତ କରାଯାଇଥାଏ । ଏଥିରେ ରଙ୍ଗବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଇଥାଏ ।
  5. ଫୁଲରେ ତୋରଣ ସବୁ ତିଆରି କରାଯାଇଥାଏ । ଦିନ ସାରା ଏହି ସଜାଣିରେ ସମୟ ବିତିବା ପରେ ସଞ୍ଜବେଳରେ ପୂଜା ଆରମ୍ଭ ହୋଇଥାଏ । ପାଳନ ବେଳେ ଝିଅମାନେ ଗୀତ ବୋଲିଥାନ୍ତି: “ଆମ ଭାଲକୁଣ୍ଡି ଖାଏ ଲିଆ, ତୁମ ଭାଲକୁଣ୍ଡି ମୁହଁରେ ନିଆଁ ।”
  6. ସନ୍ଧ୍ୟାରେ ପୂଜା ଆରମ୍ଭ କରି ଖୁଦୁରୁକୁଣୀ ବ୍ରତ ପୁରାଣ ପଢ଼ାଯାଏ । ଶେଷରେ ମାଆ ମଙ୍ଗଳାଙ୍କ ଠାରେ ଭୋଗ ଲଗାଯାଏ । ପୂଜାରେ ଧୂପ ,ଦୀପ, ଶଙ୍ଖ, ହୁଳହୁଳି ମଧ୍ୟରେ ଠାକୁରାଣୀଙ୍କୁ ଖୁଦ ଭଜା, ଲିଆ, ଉଖୁଡ଼ା, କାକୁଡ଼ି ,ଖସା ଲଡୁ ଓ ନାନାଦି ଫଳରେ ଆଦି ଭୋଗ ଭାବରେ ଅର୍ପଣ କରିଥାନ୍ତି ।
  7. ଏଥିରେ ଝିଅମାନେ ତଅପୋଇ ଗୀତ ଗାଇଥାନ୍ତି । ପିଢ଼ି ପରେ ପିଢ଼ି ଏହି ଗୀତ ଲୋକ ସାହିତ୍ୟ ଭାବରେ ଲୋକମୁଖରେ ଆଜି ଯାଏଁ ଚଳିଆସୁଅଛି । ଏବେ ଏହା ଛପା ହୋଇ ମିଳୁଅଛି । ପ୍ରଥମ ପାଳିରେ ଦୁର୍ଗାଙ୍କର ମହିଷାସୁର ବଧ ବାବଦରେ ବଖଣାଯାଇଅଛି । ୨ୟ ପାଳିଟି ହେଉଛି "ତଅପୋଇ", ଏଥିରେ ଏହି ସାଧବ ଝିଅର ଦୟନୀୟ କାହାଣୀ, ଭାଉଜମାନଙ୍କର ଦୂରାଚାର, ସାନ ଭାଉଜଙ୍କ ଦୟା ଓ ତଅପୋଇର ଉଦ୍ଧାର ଆଦି ବଖଣାଯାଇଅଛି । ଏହି ଦୁଇଟି ପାଳି ଏହି ଓଷାରେ ପଢ଼ାଯାଇଥାଏ । ପ୍ରଥମଟିରେ ଦୁର୍ଗାଙ୍କର ଅସୁର ଶକ୍ତିର ବିନାଶ ଓ ଦ୍ୱିତୀୟଟିରେ ତଅପୋଇର ଦୁଃଖ, କଷଣକୁ ସହିବା ଓ ତାହାପରର ଆନନ୍ଦ ଏହି ଓଷାର ମୁଖ୍ୟ ବିଷୟ ହୋଇଥାଏ । ପୂଜା ଓ ବନ୍ଦାପନା ଶେଷରେ ଖୁଦୁରୁକୁଣୀଙ୍କ ମୂର୍ତ୍ତୀକୁ ଜଳ-ବିସର୍ଜନ କରାଯାଇଥାଏ ।

କାହାଣୀ

ଅଲିଅଳି ତଅପୋଇ । ସାତ ଭାଇରେ ଗୋଟିଏ ଭଉଣୀ । ଯାହା ଜିଦ୍ କରେ ସାଙ୍ଗେସାଙ୍ଗେ ତାହା ପୁରଣ ହୋଇଯାଏ । ତା ଜିଦ୍ ରେ ସୁବର୍ଣ୍ଣ କୁଲାଇ ତିଆରି କରିଥିଲେ ସାଧବ । ଅଧା ଚାନ୍ଦରେ ସାଧବଙ୍କର ଦେହାନ୍ତ ହୋଇଥିବାବେଳେ ପୁରା ଚାନ୍ଦରେ ସାଧବାଣୀଙ୍କର ମୃତ୍ୟୁ ହୋଇଥିଲା ।

ପୂର୍ବେ ଓଡିଆ ସାଧବ ପୁଅ ବାଣିଜ୍ୟ କରିବାକୁ ବିଦେଶକୁ ଯାଉଥିଲେ । ଦିନେ 7 ଜଣ ସାଧବ ପୁଅ ମଧ୍ୟ ଦୂରଦେଶକୁ ବଣିଜ କରିବାକୁ ଯାଇଥିଲେ । ଆଉ ଘରେ ଛାଡି ଯାଇଥିଲେ ତାଙ୍କର ଗେହ୍ଲା ଭଉଣୀ ତଅପୋଇକୁ । ଭାଇମାନେ ଥିବା ସମୟରେ ତଅପୋଇକୁ ଯେମିତି ଭଲପାଇବା ମିଳୁଥିଲା ସେମାନେ ଗଲା ପରେ ମଧ୍ୟ ତାକୁ ସେହି ଭଲପାଇବା ଦେଉଥିଲେ ଭାଉଜମାନେ । ହେଲେ ତାହା ଥିଲା କିଛି ଦିନ ପାଇଁ ।

ଖୁସିରେ ଗ୍ରହଣ ଲାଗିବା ଭଳି ଘରେ ଆସି ପହଞ୍ଚିଥିଲା ରାଣ୍ଡୀ ବ୍ରାହ୍ମଣୀ । ଭାଉଜମାନଙ୍କ ସିଖେଇ ନଣନ୍ଦ ତଅପୋଇକୁ ଦେଉଥିଲା ଗଞ୍ଜଣା ।  ଭାଉଜମାନେ ରାଣ୍ଢୀ ବ୍ରାହ୍ମଣୀ କଥାରେ ପଡି ତଅପୋଇକୁ ଘରକାମ ସହ ଛେଳି ଚରାଇବା ପାଇଁ କହୁଥିଲେ । ଭାତ ବଦଳରେ ଗୋଡି ମିଶା ଖୁଦ ଦେଉଥିଲେ । ଭାଇମାନେ ପାଖରେ ନଥିବାରୁ ତଅପୋଇ ଏକଥା କାହାରିକୁ କହିପାରୁନଥିଲା । ନିଜ କଷ୍ଟ ନିଜ ମନରେ ଚାପି କାନ୍ଦି କାନ୍ଦି ରହୁଥିଲା । କିନ୍ତୁ ସାନ ଭାଉଜ ଥିଲେ ତଅପୋଇ ସପକ୍ଷରେ । 6 ଭାଉଜଣଙ୍କୁ ଛାଡି ସବୁଠାରୁ ସାନ ଭାଉଜ କିନ୍ତୁ ତଅପୋଇ ପ୍ରତି ଥିଲା ଭଲପାଇବା । ସମସ୍ତଙ୍କୁ ଲୁଚାଇ ଖାଇବାକୁ ଦେଉଥିଲେ । ସ୍ନେହ ଆଦର କରୁଥିଲେ ।

ଅନେକ ଦିନ ଅନ୍ତେ ଭାଇମାନେ ବିଦେଶରୁ ଫେରିବାରେ ଡେରି ହୋଇଥିଲା । ତଅପୋଇ ମନରେ ଭାଇମାନଙ୍କ ଫେରିବାକୁ ନେଇ ଅନେକ ଦୁଶ୍ଚିନ୍ତା ଆସିଲା । ଆଉ ଶେଷରେ ତଅପୋଇ ନଦୀ ବାଲିରେ ମାଟିରେ ମୂର୍ତ୍ତି ଗଢ଼ି ଭାଇମାନଙ୍କର ମଙ୍ଗଳମନାସୀ ଖୁଦୁରୁକୁଣୀ ଓଷା କରିଥିଲା । ପାଖରେ କିଛି ନଥିବାବେଳେ ସେ ଶୁଖିଲା ଖୁଦକୁ ଭୋଗ ଆକାରରେ ଠାକୁରାଣୀଙ୍କ ପାଖରେ ଖୁଦ ଭୋଗ କରିଥିଲା ।  ସେଦିନ ଥିଲା ରବିବାର । ସେହିଦିନଠୁ 5 ପାଳି ଓଷା କରିଥିଲା ତଅପୋଇ । ତା ଡାକ ଶୁଣି ମା ମଙ୍ଗଳା ବା ଖୁଦୁରୁକୁଣି ଭାଇମାନଙ୍କୁ ଘରକୁ ଫେରାଇ ଆଣିଥିଲେ ।

ସେହି ଜଙ୍ଗଲରେ ତଅପୋଇ ପୂଜା କରୁଥିବା ବେଳେ ଭାଇମାନେ ଏକ କୁଆଁରୀ କନ୍ୟାର କାନ୍ଦ ବାରି ତା ପାଖୁ ଆସି ଦେଖିଥିଲେ । ଆଉ ପାଇଥିଲେ ଭଉଣୀ ତଅପୋଇକୁ । ଭାଇମାନଙ୍କୁ ବନ୍ଦାପନା କରିବା ନିମନ୍ତେ ସବୁ ଭାଉଜ ଯାଇଥିବା ବେଳେ ତଅପୋଇକୁ ଭାଉଜମାନେ ଘରକୋଣରେ ବାନ୍ଧି ଦେଇଥିଲେ । ହେଲେ ତଅପୋଇ ନ ଆସିଲେ ଆମ୍ଭେ ବୋଇତରୁ ଓହ୍ଲାଇବୁ ନାହିଁ ବୋଲି ଭାଇମାନେ ଜିଦ ଧରି ବସିବାରୁ ସାନଭାଉଜ ସବୁ ଗୋପନ କଥା ଭାଇମାନଙ୍କ ଆଗରେ କହିଥିଲେ ।

ଶେଷରେ ଭଉଣୀ ତଇପୋଇକୁ ଦଣ୍ଡ ସ୍ୱରୁପ କେବଳ ସାନ ଭାଉଜଙ୍କୁ ଛାଡ଼ି ସାତ ସାଧବ ବାକି ସମସ୍ତଙ୍କର ନାକ କାଟିବାକୁ ନିର୍ଦେଶ ଦେଇଥିଲେ ଭାଇମାନେ । ଆଉ ତଅପୋଇ ସମସ୍ତଙ୍କ ନାକ କାଟିଥିଲା ସତ ହେଲେ ସାନଭାଉଜଙ୍କ ବେକରେ ଅଳଙ୍କାର ପକାଇ ତାଙ୍କୁ ସ୍ନେହ କରିଥିଲା ।  ଆଉ ସେବେଠୁ ହୋଇ ଆସୁଛି ଖୁଦୁରୁକୁଣୀ ଓଷା ।

Post a Comment

0 Comments