କ’ଣ ପାଇଁ ପାଳନ କରାଯାଏ ଓଡିଆ ପର୍ବ ଷଠି ଓଷା

କ’ଣ ପାଇଁ ପାଳନ କରାଯାଏ ଓଡିଆ ପର୍ବ ଷଠି ଓଷା



ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ (ଗଣେଶ ପୂଜାର ଦୁଇ ଦିନ ପରେ), ଷଠି ଓଷା ପାଳନ ହୁଏ । ଷଠି ଓଷା (ଷଠି ବ୍ରତ ଓ ଷଷ୍ଠୀ ଓଷା ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ ପାରମ୍ପାରିକ ଓଷା । ଷଠି ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ ବୋଲି କୁହାଯାଏ । ଗାଁରେ ମା'ମାନେ ତାଙ୍କୁ ପୂଜା କରିଥାନ୍ତି । ଷଠି ଠାକୁରାଣୀଙ୍କୁ ପିଲାଙ୍କ ଭଲ ମନ୍ଦ ପାଇଁ ମା'ମାନେ ପୂଜିଥାନ୍ତି । ଏଇ ପୂଜାଟି, ଗୋଟେ ପିଲା ଜନ୍ମ ହେଲା ପରେ ଯେଉଁ ଷଠି ଦୁସେଇ ପୂଜା ହୁଏ, ତା'ଠୁଁ ଟିକେ ଅଲଗା ।

ଦେବୀ ଷଷ୍ଠୀ ହେଉଛନ୍ତି କାର୍ତ୍ତିକେୟଙ୍କ ପତ୍ନୀ ଦେବସେନା ଯାହାଙ୍କୁ କୌମାରୀ ରୂପେ ମଧ୍ୟ ଜଣାଯାଏ। ଷଠୀ ବୁଢ଼ୀ , ତା'ର ସବୁ ପିଲାଙ୍କୁ ପଣତ କାନି ରେ ଘୋଡେଇ ରଖିଥାଏ। ସାରୁ,ବଜ୍ରମୂଳି,ଅପମାରଙ୍ଗ,ବାଉଁଶ, ବରକୋଳି,ଓଲୁଅ ଡାଳକୁ ନେଇ ବଜ୍ର ମୂଳି ଭାବରେ ମା ଷଠୀ ଦୂଷେଇଙ୍କ ପାଖରେ ପୂଜା ହୁଏ।

ପାଳନ ବିଧି

  1. ସକାଳେ ଶିବଙ୍କ ପାଇଁ ସୋମନାଥ ବ୍ରତ ହୁଏ । 
  2. ଭାତ, ଡାଲି, ମାଛ ଭଜା, (ଜଣେ ଜଣେ ଭୋଗ ଲଗନ୍ତି ନାହିଁ ),ଚକୁଳି ପିଠା, ଦୁଇ ପ୍ରକାର ଶାକାହାରୀ ତରକାରୀ ଭଳି ଛଅ ପ୍ରକାର ଖାଦ୍ୟ ସମର୍ପଣ କରାଯାଏ। । 
  3. ଶୀଳ ଓ ଶିଳପୁଆକୁ ମା ଷଠି ଦେବୀ ମନେ କରି, ଶିଳପୁଆକୁ ହଳଦୀ କନାରେ ବନ୍ଧାଯାଏ ଓ ତା' ଉପରେ ହଳଦୀ ରଖାଯାଏ । 
  4. ଅପାମାରଙ୍ଗ, ବାଉଁଶ, ଧାନ, ବଜ୍ରମୂଳୀ, ସାରୁ ଆଦି ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବନ୍ଧାଯାଏ ।
  5. ଗୋଟେ ପୂର୍ଣ୍ଣ କୁମ୍ଭ ତା' ପାଖରେ ରଖାଯାଏ । ଗଳି ଗୁଆ, ସିନ୍ଦୁର ଫରୁଆ, କଜଳ ପାତି ତା' ପାଖରେ ଥୁଆ ହୁଏ । 
  6. ତା'ପରେ ଦୁବ, ବରକୋଳି ପତ୍ର ଓ ଅରୁଆ ଚାଉଳରେ ବନ୍ଦାପନା ହୁଏ ।
  7. ସମସ୍ତେ ପୂଜା ହୋଇଥିବା ହଳଦୀ କନାକୁ ହାତରେ ବାନ୍ଧନ୍ତି ।

ବାଲି ତୃତୀୟାରୁ ଆରମ୍ଭ ହୁଏ ଷଠିଓଷା ପାଇଁ ପ୍ରସ୍ତୁତି, ଯେତେବେଳେ ପୋଖରୀ କୂଳରୁ କଞ୍ଚା ମାଟି ଆଣି ଘରେ ରଖାଯାଏ। ଏହି ମାଟିରୁ ଗଣେଶ ଚତୁର୍ଥୀରେ ମା ତିଆରି କରନ୍ତି ଦୁଇଟି ମାଟି କଣ୍ଢେଇ, ଯୁଗଳ ମୂର୍ତ୍ତି। ଗୋଟିଏ ଥାଏ ସ୍ତ୍ରୀ କଣ୍ଢେଇ ଗ୍ରାମଦେବତୀ, ଆଉ ଗୋଟେ ପୁରୁଷ କଣ୍ଢେଇ ସ୍ଥାନ / ଥାନପତି । ସୁନ୍ଦର ଭାବରେ ତିଆରି ହୋଇଥିବା ଏହି କଣ୍ଢେଇରେ ସୋରିଷ ନହେଲେ ବିରିରେ ଆଖି ହୋଇଥାଏ । ପୁରୁଷ କଣ୍ଢେଇରେ ମାଟିରେ ପଇତା କରାଯାଉଥିବାବେଳେ ମହିଳା କଣ୍ଢେଇରେ ମାଟିର ମାଳି ସାଙ୍ଗକୁ ଉଭୟର ନାକ ପାଟି ବେଶ ନିଖୁଣ ଭାବରେ ତିଆରି ହୋଇ ଖରାରେ ଶୁଖିବା ପାଇଁ ଛାଡି ଦିଆଯାଏ ।

ଏହାପରେ ଷଠିଓଷା ଦିନ ସକାଳୁ ଷଠି ଠାକୁରାଣୀଙ୍କୁ ପିଢ଼ା ଉପରେ ହଳଦୀ କନା ପକେଇ ସ୍ଥାପିତ କରାଯାଏ । ଯୁଗଳ ମାଟି କଣ୍ଢେଇ ସହିତ ଅଁଳା ଓ ହଳଦୀ ବଟାରେ ତିଆରି ହୁଏ ଆଉ ସାତଟି ଛୋଟ ଛୋଟ କଣ୍ଢେଇ । ନଅଟି ଯାକ କଣ୍ଢେଇ ପିଢ଼ା ଉପରେ ଥିବା ହଳଦୀଲଗା କନା ଉପରେ ପୂଜା ହେବା ପାଇଁ ରଖି ଦିଆଯାଏ । ମାଟି କଣ୍ଢେଇ ଯୁଗଳଙ୍କୁ ନୂଆ କନା ପିନ୍ଧା ହୁଏ । ପୁରୁଷ କଣ୍ଢେଇକୁ ହଳଦିଆ ରଙ୍ଗର କନା ଧୋତି ଭଳି ପିନ୍ଧାଯାଏ ଆଉ ତା ସାଙ୍ଗକୁ ଥାଏ ନାଲି କିମ୍ବା ସବୁଜ ରଙ୍ଗର ଦୋସଡା । ସେହିଭଳି ସ୍ତ୍ରୀ କଣ୍ଢେଇକୁ ଲାଲ ଲୁଗା ସାଙ୍ଗକୁ ହଳଦୀ ରଙ୍ଗ କିମ୍ବା ସବୁଜ ରଙ୍ଗର ଓଢଣୀ ପରିଧାନ କରାଯାଏ ।

ଷଠିଓଷା ସକାଳୁ ଆମ୍ବ, ଓଲୁଅ, ବଣସାରୁ, ବଜ୍ରମୁଳି, ବରକୋଳି, ଅଁଳା ଓ ମଲ୍ଲୀ ଆଦି ସାତ ପ୍ରକାର ଡାଳକୁ ଏକାଠିକରି ହଳଦୀଲଗା କନାରେ ବିଡା କରି ବଂନ୍ଧାହୁଏ ଆଉ ବନ୍ଦାଣ ଥାଳିରେ ଦୁବ, ବରକୋଳିପତ୍ର, ଫୁଲ ଓ ହଳଦୀ ବୋଳା ଚାଉଳ ସାଙ୍ଗରେ ରଖା ହୋଇଥାଏ । ଷଠି ଠାକୁରାଣୀଙ୍କ ପାଖରେ ଦୀପ ଜଳୁଥାଏ ଆଉ ଗୋଟେ ଯାଗାରେ ବଢ଼ା ହୋଇଥାଏ ଅତୁଟେଇ ଭୋଗ ଭାବରେ ଚାଉଳ, ମକା, ସାରୁ, ଭେଣ୍ଡି କଷି, ଜନହିଁ କଷି, ନଡିଆ ଇତ୍ୟାଦି ଇତ୍ୟାଦି ।



ଷଠି ବାଡ଼ିଆ

  1. ରାତିରେ, ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବାନ୍ଧିଥିବା ଗୋଛାରେ ଶିଶୁମାନଙ୍କ ରକ୍ଷାବିଧାନାର୍ଥ ତାଙ୍କ ପିଠିରେ ମାଆ ଆଦି ବର୍ଷୀୟସୀମାନେ ଧୀରେ ଧୀରେ ଆଘାତ କରନ୍ତି ଏହାକୁ ଷଠିବାଡ଼ିଆ କହନ୍ତି |
  2. ଏତଦ୍ୱାରା ଶିଶୁମାନଙ୍କର ସମସ୍ତ ବାଳରିଷ୍ଟ ଖଣ୍ଡିତ ହୁଏ ବୋଲି ବିଶ୍ୱାସ । 
  3. ବଜ୍ରମୂଳିରେ ପିଲାମାନଙ୍କୁ ମାରିଲେ ସେମାନଙ୍କ ଦେହ ସୁସ୍ଥ ରହିବା ସହ ବଜ୍ର ଭଳି କଠିନ ହେବ।
  4. ଏହାଛଡ଼ା କୌଣସି ଅଶୁଭ ଶକ୍ତି ସେମାନଙ୍କ ଦେହରେ ପ୍ରବେଶ କରିପାରିବ ନାହିଁ |
  5. ଏହି ସମୟରେ ଆଘାତ କରୁଥିବା ମହିଳାମାନେ ବୋଲନ୍ତି: "ଓଲୁଅ ପରି ବଢିଯା, ବଣସାରୁ ପରି ମାଡ଼ିଯା, ଜୀଁ ଜୀଁ - ବଜ୍ର ହୋ ! ବଜ୍ର ହୋ !"
  6. ଷଠି ଓଷାକୁ ଯାଜପୁର ଅଞ୍ଚଳରେ ନେଙ୍କୁଡ଼ିଆ ଷଠି ବୋଲି କହନ୍ତି |
  7. ସ୍କନ୍ଦ ପୁରାଣରେ ଏ ଷଷ୍ଠୀର ନାମ ଚପେଟା ଷଷ୍ଠୀ ଓ ତିଥି ତତ୍ତ୍ୱରେ ଏ ଷଷ୍ଠୀର ନାମ ଅକ୍ଷୟା ଷଷ୍ଠୀ । 
  8. ଚପେଟୀର ଅର୍ଥ ଚାପୁଡ଼ା 'ଚପେଟୀଷଷ୍ଠୀ' ନାମରୁ ଅନୁମିତ ହୁଏ ଯେ, ବର୍ଷୀୟସୀମାନେ ପିଲାମାନଙ୍କ ପିଠିରେ ଯେଉଁ 'ଷଠି ବାଡ଼ିଆ' କରନ୍ତି ତହିଁ ସଙ୍ଗେ ଏ ନାମର କିଛି ସମ୍ପର୍କ ଅଛି ।

ସକାଳୁ ଗାଧୋଇ ସାରି ସଫା ପ୍ୟାଣ୍ଟ ସାର୍ଟ ପିନ୍ଧି ସବୁ ପିଲାମାନେ ଜଣେ ପରେ ଜଣେ ବନ୍ଦାଣ ପାଇଁ ବସନ୍ତି। ହାତରେ ଧରେଇ ଦିଆଯାଏ ସରୁଚକୁଳି ପିଠା ଓ ଲଡୁ ଏବଂ ହୁଳହୁଳି ସାଙ୍ଗକୁ ମୁଣ୍ଡରେ ପଡେ ଦୁବ ବରକୋଳି ପତ୍ର ଆଉ ହଳଦୀ ବୋଳା ଚାଉଳ । ବନ୍ଦାଣ ପରେ ଡାଳ ବିଡାରେ ପିଠିରେ ବସେ ସାତଟି ପାହାର । ପ୍ରଥମ ଛଅଟି ଧୀରେ ଧୀରେ ପାହାର ହେଉଥିବାବେଳେ ବଜ୍ର ପାହାର କୁହାଯାଉଥିବା ସପ୍ତମଟି ଜୋରରେ ପଡିଥାଏ । ଏହାପରେ ଘରେ ପିଠା ଅଟକାଳି ଖାଇ ସମ୍ପର୍କୀୟ ଓ ଅନ୍ୟ କିଛି ଘରକୁ ପିଲାମାନେ ଯାଇ ବନ୍ଦାଣ ହୋଇଥାନ୍ତି ସେହି ସମାନ ଧାରାରେ । ଏହି ବନ୍ଦାଣ ପଛରେ ବିଶ୍ୱାସ ରହିଛି ଯେ ଷଠି ଠାକୁରାଣୀ ପିଲାମାନଙ୍କ ଶରୀରକୁ ବଜ୍ର ଭଳି ସୁରକ୍ଷା ଦେଇଥାନ୍ତି ।

ଷଠି ଓଷା ପରେ ବଡ ଦଶମୀ ଯାଏଁ ସେଇମିତି ରହିଥାଏ ଦେବୀଙ୍କ ଆସ୍ଥାନ । ବଡ଼ଦଶମୀ ଦିନ ବଢାଯାଇଥିବା ଅତୁଟେଇକୁ ନେଇ ଗୋଟେ ବଡ ପିଠା କରାଯାଏ । ଏହି ଅତୁଟେଇ ପିଠା ଘର ମଧ୍ୟରେ ହିଁ ଖାଇବା ବିଧି ରହିଛି ଯାହା ଇରୁଣ୍ଡି ଡେଇଁ ବାହାରକୁ ଯାଏ ନାହିଁ । ଯଦି ବଡ଼ଦଶମୀ ଶନିବାର ପଡେ ତେବେ ପରବର୍ତ୍ତୀ ଦିନ ଏହି ପିଠା ହୋଇଥାଏ । ଏଥିସହିତ କଣ୍ଢେଇ ସମେତ ସବୁଜିନିଷ ଏକାଠି ପାଣିରେ ବିସର୍ଜନ କରାଯାଇଥାଏ।

ପିଲାଦିନେ କଣ୍ଢେଇ ତିଆରି ହେବାବେଳେ ମାଟି ଚକଟି ଖେଳିବା, ଘରକୁ ଘର ବନ୍ଦାଣ ହୋଇ ପିଠା ଖାଇବା ଏବଂ ଶେଷରେ ଅତୁଟେଇ ପିଠା ଖିଆ ଓ ବିସର୍ଜନ ସବୁକିଛି ବେଶ ରୋମାଞ୍ଚକର ଅନୁଭୂତି ହେଉଥିଲା । ତେବେ ବର୍ତ୍ତମାନ ମଧ୍ୟ ସହରରେ ମାଟି କଣ୍ଢେଇ ସ୍ଥାନରେ ଅନେକ ହଳଦୀ ବଟାରେ ତିଆରି ଷଠି ଠାକୁରାଣୀଙ୍କୁ ପୂଜା କରି ବିଧି ରକ୍ଷା କରିଥାନ୍ତି । 

Post a Comment

0 Comments