ଜାଣନ୍ତୁ କାଳୀୟଦଳନ ଏକାଦଶୀର କିମ୍ବଦନ୍ତୀ କ'ଣ ?

ଜାଣନ୍ତୁ କାଳୀୟଦଳନ ଏକାଦଶୀର କିମ୍ବଦନ୍ତୀ କ'ଣ ?

କାଳୀୟଦଳନ ଏକାଦଶୀ ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ପାଳନ କରାଯାଇଥାଏ । ଏହିଦିନ ଶ୍ରୀମନ୍ଦିରରେ ମହାପ୍ରଭୁମାନେ କାଳୀୟଦଳନ ବେଶ ଧାରଣ କରିଥାନ୍ତି। କାଳୀୟଦଳନ ଏକାଦଶୀ ମୁଖ୍ୟତଃ ଓଡିଶାରେ ପାଳନ କରାଯାଇଥାଏ । ଭାରତର ଅନ୍ୟ ସ୍ଥାନ ମାନଙ୍କରେ ଏହି ଏକାଦଶୀକୁ ଅନ୍ନଦା ଏକାଦଶୀ ଏବଂ ଅଜ ଏକାଦଶୀ ରୂପେ ପାଳନ କରାଯାଇଥାଏ । 

ପ୍ରଥମ କିମ୍ବଦନ୍ତୀ

କିମ୍ବଦନ୍ତୀ ଅନୁଯାୟୀ, ରମଣକ ଦ୍ଵିପ ଥିଲା କାଳୀୟ ବା କାଳୀୟ ନାଗର ବାସସ୍ଥାନ । ପକ୍ଷୀରାଜ ଗରୁଡ ମହାରାଜଙ୍କ ଭୟରେ ସେ ସପରିବାର ନିଜର ବାସସ୍ଥାନ ଛାଡ଼ି, ବୃନ୍ଦାବନର ଯମୁନା ନଦୀରେ ଆଶ୍ରୟ ନେଇଥିଲା । ସୌରଭି ନାମକ ଜଣେ ରୁଷିଙ୍କ ଶାପରୁ ପକ୍ଷୀରାଜ ଗରୁଡ ଶାପଗ୍ରସ୍ତ ଥିଲେ । ଶାପ ଅନୁଯାଇ ବୃନ୍ଦାବନ ଆସିଲେ ତାଙ୍କର ମୃତ୍ୟୁ ହେବ । ତେଣୁ କାଳୀୟ ନିର୍ଭୟରେ ଯମୁନାରେ ବାସ କରୁଥିଲା । ତା’ ବିଷ ପ୍ରଭାବରେ ଯମୁନା ଜଳ କୃଷ୍ଣ ବର୍ଣ୍ଣ ଧାରଣ କରିଥିଲା । ତୀରରେ ଏକ କଦମ୍ବ ଗଛ ଛଡା ଆଉ କିଛି ଉଧେଇପାରୁ ନ ଥିଲା ।

ସେମାନଙ୍କ ପ୍ରଭାବରେ ଯମୁନା ନଦୀ ମଧ୍ୟକୁ କେହି ପ୍ରବେଶ କରି ପାରୁ ନଥିଲେ । ଥରେ କୌଣସି କାରଣବଶତଃ ପ୍ରଭୁ ଶ୍ରୀକୃଷ୍ଣ ଯମୁନା ନଦୀ ମଧ୍ୟକୁ ଯାଇଥିଲେ । ଏହି ସମୟରେ କାଳୀୟ ନାଗ କୃଷ୍ଣଙ୍କୁ ପାଣି ମଧ୍ୟକୁ ଟାଣି ନେଇଥିଲେ । କାଳୀୟ ନାଗକୁ ଦମନ କରିବା ପାଇଁ ଶ୍ରୀକୃଷ୍ଣ ସେମାନଙ୍କ ମସ୍ତକ ଉପରେ ନୃତ୍ୟ ଆରମ୍ଭ କରିଥିଲେ । 

ପ୍ରଭୁଙ୍କ ପାଦର ଆଘାତେ ଫଣାରୁ ରକ୍ତ ସ୍ରାବ ହେଲା । ପ୍ରାଣ ଯିବା ଅବସ୍ଥା ପହଞ୍ଚିବାରୁ ନାଗ ପତ୍ନୀ ମାନେ ସ୍ୱାମୀର ଜୀବନ ଦାନ ପାଇଁ ପ୍ରଭୁଙ୍କୁ ପାର୍ଥନା କଲେ । ଭଗବାନ କୃଷ୍ଣ ସନ୍ତୁଷ୍ଟ ହୋଇ, ତାକୁ ଜୀବନ ଦାନ ଦେବା ସହ ସେହି ଯମୁନା ନଦୀ ଛାଡିବା ପାଇଁ ନିର୍ଦେଶ ଦେଇଥିଲେ ଏବଂ କାଳୀୟ ଗରୁଡ଼କୁ ଭୟ କରୁଥିବାରୁ ଭଗବାନ ଶ୍ରୀକୃଷ୍ଣ କହିଥିଲେ କି କାଳୀୟ ତୋ ଶିରରେ ମୁଁ ମୋର ଶ୍ରୀଚରଣ ସ୍ଥାପିଛି ଗରୁଡ଼ ମୋ ଚରଣ ଦେଖି ତୁମର କୌଣସି କ୍ଷତି କରିବ ନାହିଁ । କାଳୀୟ ନାଗମାନେ ସେହିଦିନ ଯମୁନା ନଦୀ ପରିତ୍ୟାଗ କରିଦେଇଥିଲେ। ଏହି ଦିନଟି ପୁରାଣରେ କାଳୀୟ ଦଳନ ଏକାଦଶୀ ନାମରେ ଉଲ୍ଲେଖ ହୋଇ ରହିଛି। ସେଇ ଦିନକୁ ସ୍ମରଣ ରଖି ଆଜିବି ସେଇ ଭଗବାନ ଗୋବିନ୍ଦ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ନୀଳାଚଳରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ କାଳୀୟ ଦଳନ ବେଶ ହେଉ ଅଛନ୍ତି ।

ଦ୍ଵିତୀୟ କିମ୍ବଦନ୍ତୀ

ଏହି ଏକାଦଶୀର ମାହାତ୍ମ୍ୟ ହେଉଛି ପ୍ରାଚୀନ କାଳରେ ରାଜା ହରିଶ୍ଚନ୍ଦ୍ର ତଥା ଚକ୍ରବର୍ତ୍ତୀ ରାଜା ଶାସନ କରୁଥିଲେ । ସେ ବିଶ୍ୱାମିତ୍ରଙ୍କୁ ନିଜର ସମସ୍ତ ସମ୍ପତ୍ତି, ରାଜ୍ୟ ଦାନ କରିବାପରେ ଦକ୍ଷିଣା ଦେବା ନିମନ୍ତେ ନିଜ ପରିବାରକୁ ମଧ୍ୟ ବିକ୍ରି କରିଦେଲେ । ଫଳରେ ସେ ଚଣ୍ଡାଳର ଦାସ ହୋଇ ସତ୍ୟକୁ ଧାରଣ କରି ମୃତକଙ୍କ ବସ୍ତ୍ର ଗ୍ରହଣ କରୁଥିଲେ । କିନ୍ତୁ କେବେ ସେ ସତ୍ୟରୁ ବିଚଳିତ ହେଉ ନଥିଲେ । କ’ଣ କରିବେ, କୁଆଡ଼େ ଯିବେ ଏବଂ କିପରି ଉଦ୍ଧାର ହେବେ ଇତ୍ୟାଦି ଚିନ୍ତାର ସମୁଦ୍ରରେ ସେ ସର୍ବଦା ଘେରି ହୋଇ ରହୁଥିଲେ । ଏମିତି କେତେବର୍ଷ ଗଲା ଦିନେ ରାଜା ସମୁଦ୍ର କୂଳରେ ଚିନ୍ତାରେ ଥିବାବେଳେ ଗୌତମ ଋଷି ସେଠାରେ ପହଞ୍ଚିଲେ । ରାଜା ତାଙ୍କୁ ପ୍ରଣାମ କରି ତାଙ୍କର ବେଦନା ଜଣାଇଲେ । ଋଷି ତାଙ୍କୁ ଅଜା ଏକାଦଶୀ ବ୍ରତ କରିବାକୁ ପାଇଁ କହିଲେ । ଭାଦ୍ରପଦ କୃଷ୍ଣପକ୍ଷରେ ବିଧିବଦ୍ଧ ଭାବେ ଏହିବ୍ରତ କଲେ ତୁମର ସମସ୍ତ ପାପ ନଷ୍ଟ ହୋଇଯିବ । ଏତିକି କହି ଗୌତମ ଋଷି ଅନ୍ତର୍ଦ୍ଧାନ ହୋଇଗଲେ । ଋଷିଙ୍କ କହିବାନୁସାରେ ରାଜା ବ୍ରତ ପାଳନ କଲେ । ବ୍ରତ କରିବାଦ୍ୱାରା ରାଜାଙ୍କର ସମସ୍ତ ପାପ ନଷ୍ଟ ହେଲା । ନିଜ ପୁତ୍ର ଓ ପତ୍ନୀ ସହ ରାଜ୍ୟର ସମସ୍ତ ଧନ ସେ ଫେରିପାଇଲେ । ଶେଷରେ ସେ ସମସ୍ତ ପାପରୁ ମୁକ୍ତି ହୋଇ ସ୍ୱର୍ଗଲୋକ ଗମନ କଲେ ।

ମହତ୍ତ୍ୱ

  1. ଧର୍ମ ଗ୍ରନ୍ଥ ଅନୁସାରେ ମନୁଷ୍ୟମାନେ କଠିନ ତପସ୍ୟା ଦ୍ୱାରା ଯେଉଁ ଫଳ ପ୍ରାପ୍ତ କରିପାରନି ନାହିଁ, ସେହି ଫଳ କାଳିନାଗ ଫଣାକୁ ଦଳନ କରୁଥିବା ଶ୍ରୀ କୃଷ୍ଣଙ୍କ ନିକଟରେ ଏକାଦଶୀ ଦିନ ବାସ କରିଲେ ପ୍ରାରବ୍ଧ ଖଣ୍ଡନ ହୋଇ ପୂଣ୍ୟ ଫଳ ମିଳିଥାଏ |
  2. ବ୍ରତାଚାରୀ ମନୁଷ୍ୟ ଏହିଜନ୍ମରେ ସୁଖସୌଭାଗ୍ୟ ଭୋଗକରି ବିଷ୍ଣୁ  ଲୋକକୁ ଗମନ କରନ୍ତି |
  3. ଯେଉଁମାନେ ଏହି ଏକାଦଶୀ ଉପବାସ ବ୍ରତ କରନ୍ତି ସେମାନଙ୍କ ପିତୃପୁରୁଷ ମଧ୍ୟ ନର୍କ ଯନ୍ତ୍ରଣାରୁ ମୁକ୍ତି ପାଇ ବିଷ୍ଣୁ  ଲୋକ ଯାଇଥାନ୍ତି |

ଏହି ବ୍ରତ ବିଧି ନିୟମାନୁସାରେ ପାଳନ କରାଯିବା ଉଚିତ...

ବ୍ରତବିଧି

  1. ଏହିଦିନ ସମସ୍ତ ବ୍ରତୀ ବ୍ରତ କରିବା ଆବଶ୍ୟକ, ଏହି ଦିନ ଗହମ, ହରଡ, ମୁଗ, ଚଣା, ଯଅ, ମସୁର ଓ ଚାଉଳ ଆଦିରୁ ଜାତ ଦ୍ରବ୍ୟମାନ ଭୋଜନ କରିବେ ନାହ , କାରଣ ଏହା ଏକାଦଶୀ ଦିନ ପୂଜା କରାଯାଏ |
  2. ପୁର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ଼ |
  3. କେବଳ ଫଳମୂଳ ସେବନ କରି ପାରିବେ | 

ପାଳନ ବିଧି

  1. ଏହି ଏକାଦଶୀତିଥି ଦିନ ପ୍ରାତଃରୁ ଉଠି ସ୍ନାନ ଆଦି କରିବା ପରେ ବ୍ରତର ସଙ୍କଳ୍ପ ନେବା ଉଚିତ଼ |  ସଙ୍କଳ୍ପ ନିଜ ଶକ୍ତି ଅନୁସାରେ କରିବା ଦରକାର |
  2. ସଂକଳ୍ପ କରିବା ପରେ ପୂର୍ଣ୍ଣକୁମ୍ଭ ବା ଘଟ ସ୍ଥାପନା କରିବେ | 
  3. ତାହା ଉପରେ ଶ୍ରୀ କୃଷ୍ଣଙ୍କ କାଳୀୟ ଦଳନ ମୂର୍ତ୍ତି କିମ୍ବା ବନ୍ଧେଇ ଫଟୋ ସ୍ଥାପନ କରିବେ |
  4. ଯେଉଁମାନେ ଏହି ବ୍ରତ ପାଳନ କରିବେ ସେମାନେ ରାତିରେ ଶ୍ରୀ ବିଷ୍ଣୁ ସହସ୍ର ନାମ ପାଠ କରିବା ଉଚିତ଼ |
  5. ଏହି ବ୍ରତର ସମାପନ ଏକାଦଶୀତିଥିରେ ହୁଏ ନାହ |  ଏହା ଦ୍ୱାଦଶୀ ତିଥିରେ ପ୍ରାତଃରୁ ଉଠି ସ୍ନାନ ଆଦି କରିବା ପରେ ବାଳକ ଓ ବ୍ରାହ୍ମଣଙ୍କୁ ଅନ୍ନ ଦାନ ସହିତ ଦକ୍ଷିଣା ଦେଲାପରେ ବ୍ରତ ସମାପ୍ତ କରିବେ | 
  6. ଏହି ବ୍ରତ କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ହୋଇ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ।

କାଳୀୟଦଳନ ଏକାଦଶୀରେ ଶ୍ରୀ ମନ୍ଦିରରେ ନୀତିକାନ୍ତି

  1. ଏହି ଦିନ ମହାପ୍ରଭୁଙ୍କୁ କେବଳ ମହାଭୋଇ (ଗଉଡ଼) ଘର ବୋହୂମାନେ ସେବା କରିପାରିଥାନ୍ତି । ସେମାନେ ସେବା କରିବା ପୂର୍ବରୁ ଗୀତ ଗୋବିନ୍ଦ ଖଣ୍ଡୁଆ ପରିଧାନ କରିଥାନ୍ତି ।
  2. ମଧ୍ୟାହ୍ନ ଧୂପ ପରେ ରତ୍ନ ସିଂହାସନ ଉପରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳୀୟଦଳନ ବେଶରେ ସୁସଜ୍ଜିତ କରାଯାଇଥାଏ । ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର କାଷ୍ଠ ନିର୍ମିତ ଶ୍ରୀଭୁଜ ଓ ଶ୍ରୀପୟର ଯୁକ୍ତ ହୋଇଥାନ୍ତି । ବେଶ ପୂର୍ବରୁ ଦରଜି ଓ ମହାରଣା, ଚିତ୍ରକାର ଓ ସୋଲ ଶିଳ୍ପୀମାନଙ୍କ ଦ୍ୱାରା ବେତ, ସୂତା ଓ କନାରେ ପ୍ରସ୍ତୁତ ପ୍ରାୟ ୩୦ ଫୁଟ୍ ଲମ୍ବର ଏକ ବିରାଟକାୟ ସପ୍ତ ଫେଣିଆ କାଳୀୟ ସର୍ପ ବା ନାଗଟି ଚାରିଟି ଅଂଶରେ ବିଭକ୍ତ ଅଟେ । ୨ଟି ଅଂଶ ଗଣ୍ଡି, ୧ଟି ଅଂଶ ମୁଣ୍ଡ ଓ ୧ଟି ଅଂଶ ଲାଞ୍ଜ ।
  3. ସର୍ପଟିର ସମଗ୍ର ଶରୀର କଳା କନାରେ ଆବୃତ ହୋଇଥିବାବେଳେ ଶରୀରର କାତିଗୁଡ଼ିକ ନିମନ୍ତେ ଧଳା କନା ବ୍ୟବହୃତ ହୋଇଥାଏ । ସର୍ପଟିର ଏହି ୪ଟି ଅଂଶ ପୁଷ୍ପାଳକ ସେବକମାନଙ୍କଦ୍ୱାରା ରତ୍ନ ସିଂହାସନ ଉପରକୁ ଯାଇଥାଏ । ସେଠାରେ ସମ୍ପୂର୍ଣ୍ଣ ଶରୀରଟିକୁ ଖଞ୍ଜାଯାଇ ସପ୍ତ ଫେଣିଆ ମସ୍ତକଟି ଶ୍ରୀଜଗନ୍ନାଥଙ୍କ ଶ୍ରୀପୟର ତଳେ ରଖାଯାଏ ଓ ଅବଶିଷ୍ଟ ଅଂଶ ଠାକୁରଙ୍କ ସମଗ୍ର ଶରୀରକୁ ଆବୃତ କରି ଅର୍ଥାତ୍, ଉପର ଦେଇ ବାମ ହସ୍ତରେ ପୁଚ୍ଛଟି (ଲାଞ୍ଜ) ରହିଥାଏ । ସୁଭଦ୍ରା ଦେବୀ ସାଧାରଣ ବେଶ ଧାରଣ କରିଥାନ୍ତି । ଶ୍ରୀବଳଭଦ୍ରଙ୍କ ଦୁଇ ପାର୍ଶ୍ବରେ ଗୋଟିଏ ଲେଖାଏଁ ଗାଈ, ବାଛୁରୀ (କାଷ୍ଠ ନିର୍ମିତ) ଦଣ୍ଡାୟମାନ ଭଙ୍ଗୀରେ ରହିଥାନ୍ତି ।

Post a Comment

0 Comments