ଜାଣନ୍ତୁ ଦୂତୀବାହନ ଓଷାର କ'ଣ ମୁଖ୍ୟ କାରଣ ରହିଛି
ଜାଣନ୍ତୁ ଦୂତୀବାହନ ଓଷାର କ'ଣ ମୁଖ୍ୟ କାରଣ ରହିଛି
ଦୂତୀ ବାହନ ଓଷା (ଦୁତିଆ ଓଷା, ଦୂତୀଆ ଓଷା, ପୁଅ ଜିଉଁତିଆ ଓଷା, ଦୁତିବାମନ ଓଷା ବା ଜୀମୂତବାହନ ଉପବାସ ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ ଓଷା । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହା ଭିନ୍ନ ଭିନ୍ନ ନାମରେ ଜଣାଶୁଣା । ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା "ପୁଅ ଜିଉଁତିଆ" ନାମରେ ଏକ ମୁଖ୍ୟ ଓଷା ଭାବେ ପାଳିତ ହେଉଥିବା ବେଳେ ବାକି କେତେକ ସ୍ଥାନରେ "ଦୁତିଆ/ଦୂତୀଆ" ବା "ଦୂତୀ ବାହନ ଓଷା" ନାମରେ ପାଳିତ ।
ଏହି ଓଷାର ମୁଖ୍ୟ କାରଣ
- ପିତା ମାତାଙ୍କ ମୃତ୍ୟୁ ପରେ ପୁଅ ପିଣ୍ଡଦାନ କରିବାର ସାମାଜିକ ଚଳଣି ଓଡ଼ିଶାରେ ପ୍ରଚଳିତ । ପୁତ୍ରଲାଭ କରିବା ଓ ତା'ର ମଙ୍ଗଳ କାମନା କରିବା ନିମନ୍ତେ ଏହି ଓଷା ପାଳନ କରାଯାଇଥାଏ ।
- ସନ୍ତାନବତୀ ମା' ସନ୍ତାନମାନଙ୍କର ଦୀର୍ଘଜୀବନ କାମନ କରି ଏ ପ୍ରକାର ଓଷା କରୁଥିବାରୁ ଏହି ଓଷା ପ୍ରତ୍ୟେକ ଓଡ଼ିଆ ନାରୀ ପ୍ରାଣରେ ଗଭୀର ରେଖାପାତ କରିଥାଏ । କୌଣସି ଲୋକ ବିପଦରୁ ରକ୍ଷା ପାଇଲେ ଲୋକମାନେ କହିଥା'ନ୍ତି, 'ସତରେ ମା' ତୋର ଦୂତୀଆ ଓଷା ପୂଜ କରିଥିଲା । ତେଣୁ ରକ୍ଷା ପାଇଗଲୁ ।'
- ପୁତ୍ରବତୀ ମା' ପୁତ୍ରର ଚନ୍ଦ୍ର ରିଷ୍ଟ ଖଣ୍ଡନ ପାଇଁ ଦୂତୀଆ ଓଷା କରିଥାନ୍ତି । ତେଣୁ ଜନ୍ମ ସମୟରେ ଚନ୍ଦ୍ରର ପ୍ରଭାବକୁ ଲାଘବ କରିବା ପାଇଁ ଦ୍ୱୀତୀୟା ଚାନ୍ଦ ପୂଜା କରିବା ଯେପରି ଦରକାର ପଡ଼େ ସେହିପରି ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ପାଇଁ ଏ ପ୍ରକାର ବିଧି ବିଧାନର ଆୟୋଜନ କରାଯାଇଛି ।
ବୈଜ୍ଞାନିକ କାରଣ
- ଆୟୁର୍ବେଦ ଅନୁସାରେ ଯୁଇର ବନ୍ଧ୍ୟା ନିରାକରଣ ଶକ୍ତି ଥିବାରୁ ଏହାର ବ୍ୟବହାର କରାଯାଏ ।
- ଅପାମାର୍ଗ ବାତନାଶକ ହୋଇଥିବାରୁ ଏହାର ବ୍ୟବହାର ନାରୀମାନଙ୍କ ସନ୍ତାନଲାଭ ପାଇଁ ହିତକର ହୋଇଥାଏ ।
- ଗଜାମୁଗ ଓ ଚଣାରେ ପୁଷ୍ଟିସାର ତାହା ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ ହିତକର ।
ପୂଜା ବିଧି
- ଏହି ବ୍ରତର ଉପାସ୍ୟ ଦେବତା ଜିମୂତ ବାହନ । ଓଡ଼ିଆ କବି ପୁରୁଷୋତ୍ତମ ଦାସଙ୍କ ରଚିତ "ଦୂତୀଆ ଓଷା କଥା"ରେ ଜିମୂତବାହନ ସୂର୍ଯ୍ୟଙ୍କ ପୁଅ ବୋଲି ଅଭିହିତ କରାଯାଇଛି । କେବଳ ସଧବା ନାରୀମାନେ ଏହି ଓଷା କରିଥାନ୍ତି ।
- ଜିଉଁତିଆର ପୂର୍ବ ଦିନ ଓଷା କାରିଣୀମାନେ ନଦୀ କିମ୍ବା ପୋଖରୀ ତୁଠକୁ ଭଲ ଭାବରେ ପରିଷ୍କାର କରିଦିଅନ୍ତି ।
- ୧୦୮ ଅକ୍ଷତ ଅରୁଆ ଚାଉଳ, ୧୦୮ ଦୁବ, ନାନାପ୍ରକାରର ଫୁଲ ଓ ଆଖୁ, କଦଳୀ, କନ୍ଦମୂଳ, ନଡ଼ିଆ, ଗଜା ମୁଗ, ବଡ଼ଚଣା, ସୋଲା, ନାରଙ୍ଗ, ପାନ, କାକୁଡି, କମଳା, ଜହ୍ନି, କଖାରୁ ଆଦି୨୧ ପ୍ରକାରର ଫଳ ଓ ପରିବା ଆଣିଥାନ୍ତି ।
- ସପ୍ତମୀ ରାତ୍ରିରେ ଚିଲ ଓ ଶିଆଳକୁ ମନେମନେ ସ୍ମରଣକରି ତା'ପରଦିନ ପ୍ରଭାତରୁ ତାଙ୍କୁ ଯାଇ ଭେଟିବାକୁ ହୁଏ ।
- ସ୍ନାନ ଶେଷକରି ସେହି ଦିନଯାକ ନିର୍ଜଳା ଉପବାସ କରିବାକୁ ପଡ଼େ ।
- ସନ୍ଧ୍ୟା ସମୟରେ ପୂଜା ସ୍ଥାନକୁ ପବିତ୍ର କରି ସେଠାରେ ଗୋଟିଏ କୋଠି ତିଆରି କରାଯାଏ । ଚାରିପାଖରୁ ମାଟିଖୋଳି ନେଇ ମଝିଟିକୁ ଛାଡ଼ି ଦିଆଯାଏ ସତେ ଯେମିତି ଚାରିପାଖରେ ପାଣି ରହିଲେ ମଝି ଅଂଶ ଗୋଟିଏ ଦ୍ୱୀପପରି ଜଣାପଡ଼ିବ । ତହିଁରେ ବାଲି ଦେଇ ବେଦୀ ନିର୍ମାଣ କରାଯାଇଥାଏ ।
- ବେଦୀର ପୂର୍ବ ପାଖରେ ସୂର୍ଯ୍ୟ ଓ ପଶ୍ଚିମ ପାଖରେ ଏକ କଦଳୀ ଗଛକୁ ଜିମୂତବାହନଙ୍କ ପ୍ରତୀକ ରୂପେ ପୂଜା କରାଯାଇଥାଏ ।
- ଏହି କୋଠି ଅତି କମରେ ଦୁଇହାତ ଲମ୍ବା ହେବା ଦରକାର । ତା'ମଝିରେ ତୁଳସୀଗଛ ଲଗାଯାଏ ଏବଂ କଦଳୀ ଗଛ ପୋତାଯାଏ ।
- ଲେଉଟିଆ ଶାଗ ବ୍ୟତୀତ ଅନ୍ୟାନ୍ୟ ପନିପରିବାକୁ ନେଇ ବ୍ୟଞ୍ଜନ ପ୍ରସ୍ତୁତ କରି ଖିରିପିଠା ଇତ୍ୟାଦି ପ୍ରସ୍ତୁତ କରି ସନ୍ଧ୍ୟାରେ ସ୍ନାନ କରି ଗଙ୍ଗାମାତାଙ୍କୁ ପୂଜା କରି ରାତିରେ ଦୂତୀବାହନଙ୍କୁ ଫଳ ଭୋଗ ଦେଇ ଓଷାର ଉପାଖ୍ୟାନ ଶୁଣିଥା'ନ୍ତି । ତା'ସହିତ ଧୂପଦୀପ ଦେଇ ତାଙ୍କୁ ପୂଜା କରନ୍ତି ।
ପାଳନ ବିଧି
- ଯଦି କେହି ଅପୁତ୍ରିକ ଥାଆନ୍ତି ତା'ହେଲେ ବାସ ଓ ଯୁଇ ଡାଳ ଆଣି ତାରି ପାଖରେ ପୋତି ରଖନ୍ତି । ବିଭିନ୍ନ ବର୍ଣ୍ଣର ମୁରୁଜ କରି ସୂର୍ଯ୍ୟ ଦେବତାଙ୍କର କାଳ୍ପନିକ ଚିତ୍ର ଆଙ୍କି, ଚିଲ ଏବଂ ଶିଆଳକୁ ଉତ୍ତରରେ ରଖି ପଶ୍ଚିମରେ ଦୂତୀବାହନଙ୍କୁ ସ୍ଥାପନ କରି ଥାଆନ୍ତି ।
- ବ୍ରତ ଧାରଣ କରିଥିବା ନାରୀମାନେ ବାଲିରେ ଚିଲ ଏବଂ ଶିଆଳର ଚିତ୍ର ଆଙ୍କି ଅପାମାର୍ଗ କାଠିରେ ଦାନ୍ତ ଘସିଥାନ୍ତି ।
- ସେଦିନ ସମସ୍ତେ ଶୁକ୍ଳବସ୍ତ୍ର ପରିଧାନ କରନ୍ତି । ଏଥିପାଇଁ ଯୋଗାଡ଼ କରିଥିବା ୨୧ପ୍ରକାର ଫଳ ଓ ପରିବାକୁ ଚାଙ୍ଗୁଡ଼ିରେ ଥୋଇ ତା' ଉପରେ ଗୋଟିଏ ନୂଆଲୁଗା ପକାଇ ଆସ୍ଥାନ ପାଖରେ ନେଇ ରଖାଯାଏ ।
- ତା'ସହିତ କଉଡ଼ି, ଚଉରାଅଶୀଟା ଗୁଆ ସେହି କୋଠି ଭିତରେ ପକାଇବାକୁ ହୁଏ ।
- ଏହି ପ୍ରକାର ବିଧିରେ ଓଷା ଶେଷକରି ଓଷା ଦ୍ରବ୍ୟକୁ ନିଜେ ନଖାଇ ରାତି ନ ପାହୁଣୁ ସ୍ନାନ କରି ବିବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ସମସ୍ତଙ୍କୁ ବାଣ୍ଟି ଦିଆଯାଏ । ସାଧାରଣତଃ ଅପୁତ୍ରିକ ପୁତ୍ର ଲାଭ ଆଶାରେ |
- ଓଷା ଶେଷରେ ଓଷାରେ ବ୍ୟବହୃତ ପୂଜା ସାମଗ୍ରୀକୁ ଓଷାକାରିଣୀମାନେ ଗିଳିବା ବା ଚୋବାଇବାର ପରମ୍ପରା ରହିଛି ।
- ପୂଜା ଶେଷକରି ସୂର୍ଯ୍ୟଦେବତାଙ୍କୁ ପ୍ରଣାମକରି ଏକମୁହାଁ ହୋଇ ଘରକୁ ଲେଉଟି ଆସନ୍ତି ।
- ଓଷାର ପରଦିନ ସେମାନେ ନୂଆ ଲୁଗା ପିନ୍ଧି ଘରେ ପୂର୍ଣ୍ଣ କୁମ୍ଭ ବସାଇ ଗୋଟିଏ ସ୍ଥାନକୁ ଗୋବର ପାଣିରେ ଲିପି ପୋଛି ରନ୍ଧାବଢ଼ା କରିଥିବା ଜିନିଷକୁ ସେଇଠାରେ ଥୋଇ ଦିଅନ୍ତି ।
- କୁମ୍ଭ ଆଗରେ ଦୀପ ଜାଳି ପୂଜା ସ୍ଥଳରେ ୧୦୮ ଚାଉଳ ଓ ୧୦୮ ଦୁବ ସହ ଏକ କଷି କାକୁଡ଼ିକୁ ଶାଳପତ୍ରରେ ବାନ୍ଧି ପୁଅମାନଙ୍କୁ ବନ୍ଦାଇଥାନ୍ତି । ତାକୁ ସେମାନେ ଦୂତୀବାହନଙ୍କୁ ନୈବେଦ୍ୟ ଦିଅନ୍ତି ।
- ସେହି ସାମଗ୍ରୀକୁ ପୁଅମାନଙ୍କ ଆପାଦମସ୍ତକ ଛୁଆଁଇ ବ୍ରତ ବା "ଜିଉଁତିଆ"କୁ ସେମାନଙ୍କ ହାତରେ କବଚ ଭଳି ବାନ୍ଧି ଦେଇଥାନ୍ତି ଓ ବନ୍ଧୁବାନ୍ଧବ ପିଲା ସମସ୍ତଙ୍କୁ ପରସିଥାନ୍ତି।
0 Comments
Do you have any doubts or suggestions? Ask them here in the comments!