ଇନ୍ଦିରା ଏକାଦଶୀରେ କେଉଁ ଉପାୟ କରିବେ ଜାଣନ୍ତୁ

 ଇନ୍ଦିରା ଏକାଦଶୀରେ କେଉଁ ଉପାୟ କରିବେ ଜାଣନ୍ତୁ

ଅଶ୍ୱିନ ମାସର କୃଷ୍ଣ ପକ୍ଷର ଏକାଦଶୀ ତିଥି ଦିନ ଇନ୍ଦିରା ଏକାଦଶୀ ପାଳନ କରାଯିବ । ପ୍ରତ୍ୟେକ ଏକାଦଶୀ ତିଥି ପରି ଏହି ଦିନ ମଧ୍ୟ ସୃଷ୍ଟିକର୍ତ୍ତା ଭଗବାନ ବିଷ୍ଣୁଙ୍କୁ ପୂଜା କରିବାର ନିୟମ ରହିଛି । ସନାତନ ଧର୍ମର ବିଶ୍ୱାସ ଅନୁଯାୟୀ ଏକାଦଶୀ ତିଥୀ ବିଷ୍ଣୁଙ୍କର ଅତ୍ୟନ୍ତ ପସନ୍ଦ ଅଟେ । ସେଥିପାଇଁ ଏହି ଦିନ ଶ୍ରୀ ହରିଙ୍କର ଭକ୍ତମାନେ ତାଙ୍କୁ ପ୍ରସନ୍ନ କରିବା ପାଇଁ ଲାଗି ପଡ଼ିଥାନ୍ତି । 

ଇନ୍ଦିରା ଏକାଦଶୀ ପିତୃ ପକ୍ଷରେ ପଡୁଥିବାରୁ ଏହାର ଗୁରୁତ୍ୱ ଆହୁରି ଅଧିକ ବଢି ଯାଇଥାଏ । କୁହାଯାଏ ଯେ ଶ୍ରାଦ୍ଧ ପକ୍ଷରେ ପଡୁଥିବା ଏହି ଏକାଦଶୀ ତିଥି ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ । ଏଥିସହିତ ଏହା ମଧ୍ୟ କୁହାଯାଇଛି ଯେ ଇନ୍ଦିରା ଏକାଦଶୀରେ ଶ୍ରୀ ହରିଙ୍କୁ ପୂଜା କରିବା ଦ୍ୱାରା ପିତୃପୁରୁଷମାନେ ଖୁସି ହୁଅନ୍ତି ଏବଂ ଆଶୀର୍ବାଦ ଦେଇଥାନ୍ତି, ଯାହାଦ୍ଵାରା ଜୀବନ ସୁଖମୟ ହୋଇଯାଏ ।

କିମ୍ବଦନ୍ତୀ

ସତ୍ୟଯୁଗରେ ଇନ୍ଦ୍ରସେନ ନାମକ ଜଣେ ରାଜା ମାହିଷ୍ମତିପୁରୀକୁ ଶାସନ କରୁଥିଲେ । ସେ ଅତ୍ୟନ୍ତ ଧର୍ମପରାୟଣ ହୋଇଥିବାରୁ ତାଙ୍କର ଖ୍ୟାତି ଚତୁର୍ଦ୍ଦିଗକୁ ବ୍ୟାପିଥିଲା । ରାଜା ଇନ୍ଦ୍ରସେନ ଭଗବାନ ବିଷ୍ଣୁଙ୍କ ଭକ୍ତିରେ ତଲ୍ଲୀନ ରହି ଗୋବିନ୍ଦଙ୍କର ମୋକ୍ଷଦାୟକ ନାମ ଜପ କରି ସମୟ ଅତିବାହିତ କରୁଥିଲେ । ଦିନେ ରାଜା ରାଜ ଦରବାରରେ ବସିଥିବା ସମୟରେ ଦେବର୍ଷି ନାରଦ ସେଠାରେ ପହଞ୍ଚିଲେ । ତାଙ୍କୁ ଆସିବାର ଦେଖି କରଯୋଡ଼ି ଠିଆହେଲେ ଓ ବିଧିପୂର୍ବକ ପୂଜାକରି ଆସନରେ ବସାଇଲେ । ଆସିବାର କାରଣ ଜିଜ୍ଞାସା କଲେ । ନାରଦ କହିଲେ - ଶୁଣ ରାଜନ୍ । ମୁଁ ଯମଲୋକକୁ ଯାଇଥିଲି ଓ ସେଠାରେ ତୁମ ପିତାଙ୍କୁ ଦେଖିଲି । ସେ ବ୍ରତଭଙ୍ଗ ଦୋଷରୁ ନର୍କଯନ୍ତ୍ରଣା ଭୋଗକରୁଛନ୍ତି । ସେ ମୋହାତରେ ସନ୍ଦେଶ ପଠାଇ କହିଛନ୍ତି, ମୋତେ ଇନ୍ଦିରା ଏକାଦଶୀ ବ୍ରତ ପୁଣ୍ୟ ଦେଇ ସ୍ୱର୍ଗକୁ ପଠାଅ ।

ତେଣୁ ଯଦି ଆପଣ ମଧ୍ୟ ଭଗବାନ ବିଷ୍ଣୁଙ୍କ ସହିତ ଆପଣଙ୍କ ପିତୃପୁରୁଷଙ୍କୁ ଏକାଦଶୀ ତିଥିରେ ପ୍ରସନ୍ନ କରିବାକୁ ଚାହୁଁଛନ୍ତି , ତେବେ ଏହି ଇନ୍ଦିରା ଏକାଦଶୀରେ ଆପଣଙ୍କୁ କେଉଁ ଉପାୟ କରିବାକୁ ପଡିବ ଜାଣନ୍ତୁ   ।

ମହତ୍ତ୍ୱ

  1. ଏହି ବ୍ରତର ପ୍ରଭାବରେ ବଡ଼ ବଡ଼ ପାପ ନଷ୍ଟ ହୋଇଯାଏ ।
  2. ଯେଉଁ ବ୍ୟକ୍ତି ଋଣ ଦ୍ୱାରା ଚିନ୍ତିତ ଅଛନ୍ତି , ସେଥିରୁ ମୁକ୍ତି ପାଇବାକୁ ଚାହୁଁଥିଲେ , ତାଙ୍କୁ ଏହି ଦିନ ଅଶ୍ୱତ୍ଥ ଗଛରେ ଶ୍ରଦ୍ଧା ଭାବନା ସହିତ ଜଳ ଅର୍ପଣ କରିବା ଉଚିତ ।
  3. ଏହି ଉପବାସକୁ ପାଳନ କରି ଆମର ସାତ ପିଢିର ପୂର୍ବପୁରୁଷମାନଙ୍କୁ ମୋକ୍ଷ ମିଳିଥାଏ । ଏହାସହ ଯେଉଁମାନଙ୍କର କୁଣ୍ଡଳୀରେ ପିତୃଦୋଷ ଅଛି, ସେମାନେ ମଧ୍ୟ ଇନ୍ଦିରା ଏକାଦାଶୀରେ ଏହି ବ୍ରତ ରଖିବା ଉଚିତ୍ । ଏହାଦ୍ୱାରା ପିତୃଦୋଷ କଟିଥାଏ ।

ପାଳନ

  1. ଏହି ଉପବାସ ଦଶମୀ ତିଥିରୁ ଆରମ୍ଭ ହୋଇଥାଏ । ତେବେ ବ୍ରତ କରୁଥିବା ବ୍ୟକ୍ତି, ଦଶମୀ ତିଥିରେ ସୂର୍ଯ୍ୟୋଦୟ ପୂର୍ବରୁ ଖାଦ୍ୟ ଗ୍ରହଣ କରିବା ଉଚିତ୍ |
  2. ଇନ୍ଦିରା ଏକାଦଶୀ ଦିନ ସକାଳୁ ଜଲଦି ଉଠି ଗାଧୋଇବା ପରେ ସଫା ପୋଷାକ ପିନ୍ଧନ୍ତୁ  । 
  3. ଏକାଦଶୀ ସକାଳେ ନିତ୍ୟକର୍ମ ସାରି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରି ବ୍ରତର ସଂକଳ୍ପ ନେବେ । 
  4. ତା’ପରେ ଭଗବାନ ଶଲିଗ୍ରାମଙ୍କ ପୂଜା କରାଯିବା ଉଚିତ । ଦିନସାରା ଫଳାହାର କରି ବ୍ରତ ରଖାଯାଏ । 
  5. ଏହି ଦିନ ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ ଏବଂ ହଳଦିଆ ଫୁଲ ଦ୍ୱାରା ତାଙ୍କୁ ସଜାନ୍ତୁ  । ଧାର୍ମିକ ଶାସ୍ତ୍ର ଅନୁଯାୟୀ ଭଗବାନଙ୍କର ହଳଦିଆ ରଙ୍ଗ ପ୍ରିୟ ଅଟେ ।
  6. ଯେଉଁ କାରଣରୁ ତାଙ୍କର ପୂଜା ସାମଗ୍ରୀରେ ବ୍ୟବହୃତ ହେଉଥିବା ପ୍ରାୟତଃ ସବୁ ଜିନିଷ ହଳଦିଆ ରଙ୍ଗର ହୋଇଥାଏ । ଏହି କ୍ଷେତ୍ରରେ ହଳଦିଆ ଜିନିଷର ଦାନ କରିବା ମଧ୍ୟ ଶୁଭଦାୟକ ହୋଇଥାଏ।
  7. ଇନ୍ଦିରା ଏକାଦଶୀରେ ଉପବାସ କରିବା ଉଚିତ ଏବଂ ଭଗବାନ ବିଷ୍ଣୁଙ୍କୁ କ୍ଷୀର ଭୋଗ ଅର୍ପଣ କରିବା ଉଚିତ । ମନେରଖନ୍ତୁ ଯେ ଏହା ତୁଳସୀ ବିନା ହେବା ଉଚିତ୍ ନୁହେଁ । 
  8. ବିଶ୍ୱାସ କରାଯାଏ ଯେ ଏହି ଭୋଗର ପ୍ରସାଦ ଗ୍ରହଣ କରିବା ଦ୍ୱାରା ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ଭାଇଚାରା ବୃଦ୍ଧି ପାଇଥାଏ ।
  9. ଇନ୍ଦିରା ଏକାଦଶୀ ଦିନ ବିଷ୍ଣୁ ସହସ୍ରନାମ ଏବଂ ବିଷ୍ଣୁ ସତନାମ ସ୍ରୋତ ପଢନ୍ତୁ ।
  10. ଘରେ ସୁଖ ଏବଂ ଶାନ୍ତି ପାଇଁ ଇନ୍ଦିରା ଏକାଦଶୀ ଦିନ ସନ୍ଧ୍ୟାରେ ତୁଲସୀ ଆଗରେ ଗାଈ ଘିଅର ଏକ ଦୀପ ଜାଳନ୍ତୁ ଏବଂ ‘ଓଁ ବାସୁଦେବାୟ ନମଃ’ର ମନ୍ତ୍ର ଜପ କରନ୍ତୁ ଏବଂ ୧୧ ଥର ପରିକ୍ରମା କରନ୍ତୁ । ବିଶ୍ୱାସ କରାଯାଏ ଯେ ଏହାଦ୍ୱାରା ଘରର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯାଏ ।
  11. ଏହା ପରେ ଦ୍ୱାଦଶ ତିଥିରେ ବ୍ରାହ୍ମଣମାନଙ୍କୁ ଭୋଜନ କରାଇ ଦାନ ଧର୍ମ କରିବା ଉଚିତ । ଶେଷରେ ବ୍ରତ ରଖିଥିବା ବ୍ୟକ୍ତି ଖାଦ୍ୟ ଗ୍ରହଣ କରିବା ଉଚିତ ।

    ବିଧି

    1. ଆଶ୍ୱିନ ମାସ କୃଷ୍ଣପକ୍ଷର ଦଶମୀ ଦିନ ପ୍ରାତଃକାଳରେ ସ୍ନାନ କରିବା ସହିତ ମଧ୍ୟାହ୍ନରେ ପୁଣି ଅବଗାହନ କରି ଭୋଜନ କରିବା ଉଚିତ୍ । ରାତିରେ ଭୂମିରେ ଶୟନ କରିବା ନିୟମ ରହିଛି । 
    2. ଏକାଦଶୀ ଦିନ ସ୍ନାନ ଶୌଚ ହୋଇ "ଅଦ୍ୟ ସ୍ଥିତ୍ୱା ନିରାହାରାଃ ସର୍ବଭୋଗ ବିବର୍ଜିତଃ । ଶ୍ୱୋ ଭୋକ୍ଷେ ପୁଣ୍ଡରୀକାକ୍ଷ ଶରଣଂ ମେ ଭବାଚ୍ୟୁତ ।।" ମନ୍ତ୍ର ପାଠ କରି ଉପବାସର ନିୟମ ପାଳନ କରିବା ଜରୁରୀ । 
    3. ଏହିପରି ନିୟମ ଅନୁସରଣ କରି ମଧ୍ୟାହ୍ନ କାଳରେ ପିତରଙ୍କ ପ୍ରସନ୍ନତା ନିମନ୍ତେ ଶାଳଗ୍ରାମ-ଶିଳା ସମ୍ମୁଖରେ ବିଧିପୂର୍ବକ ଶ୍ରାଦ୍ଧ ଦେବା ଉଚିତ ।
    4. ଦକ୍ଷିଣାଦ୍ୱାରା ବ୍ରାହ୍ମଣଙ୍କୁ ସତ୍କାର କରି ତାଙ୍କୁ ଭୋଜନ ଦେବା ଉଚିତ୍ । ପିତୃପୁରୁଷଙ୍କୁ ଦିଆଯାଇଥିବା ଅନ୍ନପିଣ୍ଡକୁ ଶୁଙ୍ଘି ଗାଈକୁ ଖୁଆଇ ଦିଆଯାଏ । 
    5. ଧୂପ ଓ ଗନ୍ଧଦ୍ୱାରା ଭଗବାନ୍ ହୃଷିକେଶଙ୍କ ପୂଜା କରି ରାତିରେ ତାଙ୍କ ପାଖରେ ଉଜାଗର ରହିବ ।
    6. ସକାଳ ହେଲେ ଦ୍ୱାଦଶୀ ଦିନ ପୁଣି ଭକ୍ତିପୂର୍ବକ ଶ୍ରୀହରିଙ୍କର ପୂଜା କରିବ । ଏହା ପରେ ବ୍ରାହ୍ମଣଙ୍କୁ ଭୋଜନ କରାଇ ଭାଇ-ବନ୍ଧୁ ନାତି ଓ ପୁତ୍ରମାନଙ୍କ ସହିତ ସ୍ୱୟଂ ମୌନପୂର୍ବକ ଭୋଜନ କର ।

    ରାଜା ଇନ୍ଦ୍ରସେନ ନାରଦଙ୍କ କହିବା ଅନୁସାରେ ବ୍ରତ ପାଳନ କଲେ । ବ୍ରତ ପୂର୍ଣ୍ଣ ହେବା ପରେ ଆକାଶରୁ ପୁଷ୍ପ ବୃଷ୍ଟି ହେଲା । ଇନ୍ଦ୍ରସେନଙ୍କ ପିତା ଗରୁଡ଼ରେ ବସି ବିଷ୍ଣୁଧାନକୁ ଚାଲିଗଲେ ଓ ଇନ୍ଦ୍ରସେନ ମଧ୍ୟ ନିଷ୍କଣ୍ଟକ ରାଜ୍ୟ ଭୋଗ କରି ନିଜର ପୁତ୍ରକୁ ରାଜସିଂହାସନରେ ବସାଇ ସ୍ୱର୍ଗକୁ ଚାଲିଗଲେ ।

    ଏହାକୁ ପଠନ ଓ ଶ୍ରବଣ କରି ମନୁଷ୍ୟ ସବୁ ପାପରୁ ମୁକ୍ତ ହୋଇଯାଏ ।

    Post a Comment

    0 Comments