ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ଜଡ଼ିବୁଟି

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ଜଡ଼ିବୁଟି

କରୋନା ମହାମାରୀରୁ ଆମେ ଅନେକ ଶିକ୍ଷା ପାଇଛୁ । ସେସବୁ ମଧ୍ୟରୁ ଗୁରୁତ୍ବପୂର୍ଣ୍ଣ ହେଲା ସମସ୍ତଙ୍କୁ ପ୍ରାକୃତିକ ଉପାୟରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଦରକାର। ରୋଗ ହେବା ପରେ ଔଷଧ ଖାଇବା ଅପେକ୍ଷା କିପରି ସେହି ରୋଗ ଦାଉରୁ ନିଜକୁ ବଞ୍ଚାଇ ରଖିପାରିବା ତାହା ଆମକୁ ଏହି ମହାମାରୀ ଶିକ୍ଷା ଦେଇଛି। ତା’ ହେଲେ ଆସନ୍ତୁ ନଜର ପକାଇବା ନିତିଦିନିଆ ଜୀବନଶୈଳୀରେ ଆମେ କେଉଁସବୁ ଜଢ଼ିବୁଟିକୁ ସାମିଲ କଲେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଜନକ ହୋଇପାରିବ |

ଅଶ୍ବଗନ୍ଧା

  1. ଅଶ୍ଵଗନ୍ଧା ପ୍ରକୃତିର ଏକ ଅନନ୍ୟ ଉପହାର କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା କେବଳ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧିରେ ସହାୟକ ହୋଇନଥାଏ ବରଂ ଶରୀରରୁ କର୍ଟିସଲ୍ ନାମକ ଏକ ହରମୋନ ନିଃସରଣକୁ ନିୟନ୍ତ୍ରିତ ରଖିଥାଏ। 
  2. କର୍ଟିସଲ୍ ହରମୋନକୁ ସାଧାରଣତଃ ଷ୍ଟ୍ରେସ୍ ହରମୋନ୍ ବି କୁହାଯାଇଥାଏ।  ଷ୍ଟ୍ରେସ୍ ବା ମାନସିକ ଚାପ ଯେତେ କମ୍ ରହିବ ଆମେ ସେତେ ସୁସ୍ଥ ରହିପାରିବା।
  3.  ବିଶେଷ କରି ଏହି ମହାମାରୀ ସମୟରେ ଚାପଗ୍ରସ୍ତ ରହିଲେ ଏହା ଶରୀର ପ୍ରତି ଅଧିକ କ୍ଷତି ପହଞ୍ଚାଇବ। ଅଶ୍ଵଗନ୍ଧାକୁ କ୍ଷୀର ବ ହଳଦୀ ସହିତ ମିଶାଇ ଖାଇପାରିବେ।

ହଳଦୀ

  1. ଆମେ ସାଧାରଣତଃ ରୋଷେଇରେ ଏହାକୁ ବ୍ୟବହାର କରିଥାଉ। କିନ୍ତୁ ଏଥିରେ ଥିବା ଔଷଧୀୟ ଗୁଣ ସହିତ ଏକ ପ୍ରକାର ବାୟୋଆକ୍ଟିଭ୍ ଯୌଗିକ ରହିଛି ଯାହା ରୋଗ ପ୍ରତିରୋଧ କ୍ଷମତାକୁ ଅଧିକ ସକ୍ରିୟ କରିଥାଏ ।
  2.  ହଳଦୀରେ ଥିବା ବାୟୋଆକ୍ଟିଭ ଯୌଗିକ ମଧ୍ୟରୁ କର୍କୁମିନ୍ ଅନ୍ୟତମ ଯାହା କି ଆଣ୍ଟିଇନଫ୍ଲାମେଟାରି ଏବଂ ଆଣ୍ଟି ଅକ୍ସିଡାଣ୍ଟ ଭାବେ କାମ ଦେଇଥାଏ।
  3.  ତେଣୁ ଏବେ ଉଷୁମ କ୍ଷୀରରେ ହଳଦୀ ମିଶାଇ ପିଇବା ପାଇଁ ପରାମର୍ଶ ଦିଆଯାଉଛି ।

ଗୋଲମରିଚ

  1. ଏମିତି କୌଣସି ଭାରତୀୟ ପରିବାର ନଥିବ ଯାହାଙ୍କ ଘରେ ଗୋଲମରିଚ ବ୍ୟବହାର ହେଉନଥିବ। ଏହା ଶରୀରରେ ଗ୍ୟାସ ଜମିବାକୁ ଦିଏ ନାହିଁ।
  2. ଶରୀରକୁ ପ୍ରାକୃତିକ ଉପାୟରେ ଗରମ ରଖିବାରେ ସହାୟକ ହୋଇଥାଏ ଫଳରେ ଶରୀରରୁ ଅଧିକ ଝାଳ ବାହାରିଥାଏ।  ଝାଳ ଦ୍ଵାରା ଶରୀରରୁ ଟକ୍ସିନ୍ ମଧ୍ୟ ନିଷ୍କାସିତ ହୋଇଯାଏ। 
  3. ଗୋଲମରିଚରେ ଆଣ୍ଟିଇନଫ୍ଲାମେଟୋରୀ, ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି ବ୍ୟାକ୍ଟେରିଆଲ୍ ଉପାଦାନ ରହିଥିବା ବେଳେ ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧିରେ ସହାୟକ ହୋଇଥାଏ।

ତୁଳସୀ

  1. ତୁଳସୀ କେବଳ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଜଡ଼ିବୁଟି ନୁହେଁ। ବରଂ ଅଧିକାଂଶ ଭାରତୀୟ ଲୋକଙ୍କ ଘରେ ଏହି ଗଛଟିକୁ ବିଭିନ୍ନ କାରଣ ପାଇଁ ଲଗାଯାଇଥାଏ। ବିଭିନ୍ନ ପ୍ରକାର ସ୍ଵାସ୍ଥ୍ୟକର ଗୁଣ ପାଇଁ ତୁଳସୀ ବ୍ୟବହାର କରାଯାଇଥାଏ । 
  2. ତେବେ ତୁଳସୀରେ ଏମିତି ଏକ ଔଷଧୀୟ ଉପାଦାନ ମହଜୁଦ ରହିଛି ଯାହା ଫୁସଫୁସ ସମ୍ବନ୍ଧୀୟ ସମସ୍ୟା ଯେମିତିକି ଆସ୍ଥମା, ବ୍ରୋଙ୍କାଇଟିସ୍, ଫ୍ଲୁ ଆଦିକୁ ମଧ୍ୟ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ । 
  3. ଏହାକୁ ଖାଲିପେଟରେ ଚୋବାଇ ଖାଇବାକୁ ଆୟୁର୍ବେଦ ଚିକିତ୍ସକମାନେ ପରାମର୍ଶ ଦିଅନ୍ତୁ। ତୁଳସୀ ରସ ସହିତ ମହୁ ଏବଂ ଅଦାରସ ଛାତିରେ ଜମିଥିବା କଫ କରିବାରେ ସହାୟକ ହୋଇଥାଏ ।

ନିମ୍ବ 

  1. ଅନେକ ଲୋକ ଏହାକୁ କେବଳ ତ୍ବଚା ପାଇଁ ଉପଯୋଗୀ ଭାବି ଥାଆନ୍ତି। କିନ୍ତୁ ଏଥିରେ ଅନେକ ଅନେକ ଆଣ୍ଟି ବ୍ୟାକ୍ଟେରିଆଲ୍ ଉପାଦାନ ମହଜୁଦ ଥାଏ।
  2. ନିମ୍ବ ରକ୍ତ ବିଶୋଧକ ଭାବେ କାମ କରିଥାଏ। ନିମ୍ବରେ ଫଙ୍ଗସ, ଭାଇରସ୍ ଏବଂ ବ୍ୟାକ୍ଟେରିଆ ସହିତ ମୁକାବିଲା କ୍ଷମତା ଅଛି। 
  3. ସପ୍ତାହରେ ଦୁଇରୁ ତିନି ଦିନ ଖାଦ୍ୟରେ ସାମାନ୍ୟ ନିମ୍ବ ପତ୍ର ମିଶାଇ ଖାଇବା ଦ୍ଵାରା ରୋଗ ପ୍ରତିରୋଧକ କ୍ଷମତା ଆହୁରି ମଜଭୁତ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି ।

ଗିଲୟ

  1. ପ୍ରକୃତିର ଏହା ଏକ ଅନନ୍ୟ ବରଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ରକ୍ତ ବିଶୋଧକ ଭାବେ କାମ ଦେଇଥାଏ। 
  2. ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ କାରଣରୁ ଏହା ହଜମଜନିତ ସମସ୍ୟା ଦୂର କରିବାରେ ବେଶ୍ ଫଳପ୍ରଦ ହୋଇଥାଏ। ଗିଲୟରେ ରହିଛି ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାର କ୍ଷମତା। 
  3. ଏବେ ଗିଲୟ ଟାବଲେଟ୍ ରୂପରେ ଆୟୁର୍ବେଦ ଦୋକାନଗୁଡିକରେ ଉପଲବ୍ଧ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଆପଣ ଏହି ଟାବଲେଟ୍ ଦୈନିକ ଖାଇପାରିବେ ।

ଅଁଳା

  1. ହି ବିଷୟରେ ଅଧିକ କହିବା ଦରକାର ନାହିଁ । ଅଁଳା ଭିଟାମିନ୍ ସି' ରେ ଭରପୂର। 
  2. ଏହା ବ୍ୟତୀତ ଏଥିରେେ କେତୋଟି ପ୍ରାକୃତିକ ଉପାଦାନ ନିହିତ ରହିଛି ଯାହା ମଣିଷର ରୋଗ ପ୍ରତିରୋଧକ କ୍ଷମତାକୁ ଦୁଇଗୁଣ ବୃଦ୍ଧି କରିବାରେ ସହାୟକ ହୋଇଥାଏ । 
  3. କିଛିଦିନ ଖାଲି ପେଟରେ ଅଁଳା ରସ ପିଇବା ଦ୍ଵାରା ଏହାର ଲାଭ ଜଣାପଡେ । 
  4. ନହେଲେ ପ୍ରତିଦିନ ଛୋଟ ଖଣ୍ଡେ ଶୁଖିଲା ଅଁଳା ପାଟିରେ ଜାକି ରଖିବା ଦ୍ଵାରା ମଧ୍ୟ ଉପକାର ମିଳିଥାଏ।

ଅଦା

  1. ବର୍ଷ ବର୍ଷ ଧରି ଫ୍ଲୁ ଏବଂ ସାଧାରଣ ଥଣ୍ଡା, କାଶ ପାଇଁ ଅଦାର ଉପଯୋଗ ହୋଇଆସୁଛି। ତେବେ ଏହି ମହାମାରୀ ସମୟରେ ଅଦାର ବେଶ ଉପଯୋଗିତା ରହିଛି। ଏବେ ଖାଦ୍ୟ ତାଲିକାରେ ଅଦାକୁ ସାମିଲ କରିବା ପାଇଁ ପରାମର୍ଶ ଦିଆଯାଉଛି। 
  2. ଅଦାରେ ଜିଞ୍ଜେରୋଲ୍ ନାମକ ଏକ ଆଣ୍ଟିଅକ୍ସିଡାଣ୍ଟ ରହିଛି ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ବିଭିନ୍ନ ଭାଇରସ୍‌କୁ ନଷ୍ଟ କରିବାରେ ସହାୟକ ହୋଇଥାଏ। 
  3. ବିଶେଷ କରି ଶ୍ଵାସକ୍ରିୟାଜନିତ ସଂକ୍ରମଣ ଦୂରେଇବାରେ ଅଦାର ବିଶେଷ ଭୂମିକା ରହିଛି।

Post a Comment

0 Comments