ପାପ ମୁକ୍ତିର ବ୍ରତ ପାପମୋଚନୀ ଏକାଦଶୀ
ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ବର୍ଷକୁ ୨୪ଟି ଏକାଦଶୀ ଆସିଥାଏ, ଯେବେ ମଳମାସ ଆସିଥାଏ ତେବେ ଏହାର ସଂଖ୍ୟା ବଢି ୨୬ ହୋଇଥାଏ । ଏହି ଏକାଦଶୀ ମାନଙ୍କ ମଧ୍ୟରେ ପାପମୋଚନୀ ଏକାଦଶିର ମହତ୍ବ ସବୁଠାରୁ ଅଧିକ ବୋଲି ବିଶ୍ବାସ ରହିଛି । ଚୈତ୍ର କୃଷ୍ଣପକ୍ଷ ଏକାଦଶୀକୁ ପାପମୋଚନ ଏକାଦଶୀ ଭାବେ ପାଳନ କରାଯାଏ । ସନାତନ ଧର୍ମଧାରା ଅନୁସାରେ ଜଣେ ବ୍ୟକ୍ତିର ଜାଣତ କିମ୍ବା ଅଜାଣତରେ ପାପ ହୋଇଥାଏ, ଏବଂ ପାପମୋଚନ ଏକାଦଶୀ ବ୍ରତ ରଖି ପାପର ଦଣ୍ଡକୁ ଏଡେଇ ଦିଆଯାଇପାରେ । ଏହାକୁ ପାପ ନଷ୍ଟ କରୁଥିବା ଏକାଦଶୀ ଭାବେ ପାଳନ କରାଯାଏ । ଏହି ଦିନ ଭଗବାନ ବିଷ୍ଣୁଙ୍କ ଆରଧନା କରାଯାଇଥାଏ ।
ପାପମୋଚନୀ ଏକାଦଶୀ ବ୍ରତ ସଂନ୍ଦର୍ଭରେ ଭବିଷ୍ୟତ୍ତୋର ପୁରାଣରେ ଏକ ଆଖ୍ୟାୟନ ରହିଛି । ଭଗବାନ ଶ୍ରୀକୃଷ୍ଣ ସଖା ଅର୍ଜୁନଙ୍କୁ କହୁଛନ୍ତି – ହେ ପାର୍ଥ, ଚୈତ୍ର କୃଷ୍ଣପକ୍ଷ ଏକାଦଶି ପାପମୋଚିନୀ ଅଟେ ଅର୍ଥାତ ପାପକୁ ନଷ୍ଟ କରିଥାଏ । ପାପମୋଚିନୀ ଏକାଦଶୀ ସମ୍ବନ୍ଧରେ ଭବିଷ୍ୟତ୍ତୋର ପୁରାଣରେ ବିସ୍ତାର ଋପରେ ବର୍ଣ୍ଣନା ରହିଛି ।
କିମ୍ବଦନ୍ତୀ
ପ୍ରାଚୀନ କାଳରେ ଚୈତ୍ରରଥ ନାମକ ଏକ ସୁନ୍ଦର ବନ ଥିଲା । ଏହି ବନରେ ଦେବରାଜ ଇନ୍ଦ୍ର ଗନ୍ଧର୍ବ କନ୍ୟା ଓ ଦେବତାଙ୍କ ସହିତ ବିହାର କରୁଥିଲେ । ମେଧାବୀ ନାମକ ଋଷି ମଧ୍ୟ ଏହିଠାରେ ତପସ୍ୟା କରୁଥିଲେ । ଦିନେ କାମଦେବ ଋଷିଙ୍କ ତପ ଭଙ୍ଗ ପାଇଁ ମଞ୍ଜୁଘୋଷା ନାମକ ଅପ୍ସରାଙ୍କୁ ପଠାଇଲେ । ଯୁବାବସ୍ଥାରେ ଋଷି ଅପ୍ସରାଙ୍କ ହାବଭାବ, ନୃତ୍ୟ, ଗୀତ ତଥା କଟାକ୍ଷରେ କାମ ମୋହିତ ହୋଇଗଲେ ।
ରତି-କ୍ରୀଡ଼ାରେ ୫୭ ବର୍ଷ ବିତିଗଲା । ଦିନେ ମଞ୍ଜୁଘୋଷା ଦେବଲୋକ ଯିବାକୁ ଆଜ୍ଞା ମାଗିଲେ । ଏହାଶୁଣି ଋଷିଙ୍କର ଆତ୍ମଜ୍ଞାନ ଫେରିଆସିଲା । ସେ ରସାତଳଗାମୀ ହେବାର ଏକମାତ୍ର କାରଣ ଅପ୍ସରା ମଞ୍ଜୁଘୋଷା ବୋଲି ଜାଣିପାରିଲେ । ଋଷି କ୍ରୋଧରେ ମଞ୍ଜୁଘୋଷାକୁ ପିଶାଚିନୀ ହେବାକୁ ଅଭିଶାପ ଦେଲେ । ମଞ୍ଜୁଘୋଷା ଅଭିଶାପରୁ ମୁକ୍ତି ପାଇବା ପାଇଁ ଋଷିଙ୍କୁ ଅନୁରୋଧ କଲେ । ପାପମୋଚନୀ ଏକାଦଶୀ ଉପବାସ କରି ଅଭିଶାପରୁ ମୁକ୍ତ ହେବା ଲାଗି ଋଷି ମଞ୍ଜୁଘୋଷାକୁ କହିଲେ ।
ଏହି ବ୍ରତ କରିବା ପରେ ମଞ୍ଜୁଘୋଷା ଅପ୍ସରା ପିଶାଚିନୀରୁ ମୁକ୍ତି ହୋଇ ଦେବଲୋକ ଚାଲିଗଲେ । ଋଷି ମଧ୍ୟ ଏହି ବ୍ରତ କରି ପାପ ମୁକ୍ତ ହେଲେ । ଶେଷରେ ବ୍ରହ୍ମା କହିଲେ ହେ ନାରଦ! ଯେଉଁ ମନୁଷ୍ୟ ବିଧିପୂର୍ବକ ଏହି ବ୍ରତ କରିବ, ସେ ସମସ୍ତ ପାପରୁ ନିଶ୍ଚିତ ମୁକ୍ତି ପାଇବ । ଯିଏ ଏହି ବ୍ରତର ମାହାତ୍ମ୍ୟ ପଢ଼ିବ ଓ ଶୁଣିବ ତା’ର ସମସ୍ତ ସଙ୍କଟ ଦୂର ହୋଇଯିବ । ବ୍ରତଧାରୀମାନେ ହବିଷାନ୍ନ, ଜଳଖିଆ ଓ ଫଳମୂଳ ଖାଇ ଦିନଟିକୁ କଟାନ୍ତି । ଏହିଦିନ ନିଷ୍ଠାର ସହିତ ଶ୍ରୀବିଷ୍ଣୁଙ୍କୁ ଆରାଧନା କଲେ ଜୀବନର ସମସ୍ତ ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି ।
ପାପମୋଚିନୀ ଏକାଦଶୀ ବ୍ରତ ପୂଜା ବିଧି
- – ବ୍ରତ ଦିନ ସୂର୍ଯ୍ୟୋଦୟ ସମୟରେ ସ୍ନାନ ତର୍ପଣ କରିବା ବିଧେୟ
- – ଭଗବାନ ବିଷ୍ଣୁଙ୍କ ପ୍ରତିମା ସମ୍ମୁଖରେ ବସି ବ୍ରତ ପାଠ କରିବା ଉଚିତ
- – ନିରାହାର କରି ଭଜନ – କିର୍ତ୍ତନ ସହ ରାତ୍ରୀ ଜାଗରଣ କରିବା କଥା
- – ଏକାଦଶୀ ପରଦିନ ଦ୍ବାଦଶି ତିଥିରେ ପ୍ରାତଃ କାଳରୁ ସ୍ନାନ କରି ବିଧି ମୁତାବକ ଭଗବାନ ବିଷ୍ଣୁଙ୍କ ପୂଜା କରାଯାଏ ।
- – ଏହା ପରେ ବ୍ରାହ୍ମଣଙ୍କୁ ଭୋଜନ କରାଇ ଦକ୍ଷିଣା ପ୍ରଦାନ କରାଇବା ଉଚିତ ।
- – ଏସବୁ କାର୍ଯ୍ୟ ପରେ ବ୍ରତି ଭୋଜନ କରିବା ବିଧେୟ ।

0 Comments
Do you have any doubts or suggestions? Ask them here in the comments!