ଜାଣନ୍ତୁ ଚତୁର୍ମାସ ଉପାସନା କ'ଣ ?

ଜାଣନ୍ତୁ ଚାତୁର୍ମାସ ଉପାସନା କ'ଣ ?

ଚାରିମାସକୁ ନେଇ ଚତୁର୍ମାସ (ଶ୍ରାବଣ,ଭାଦ୍ରବ,ଆଶ୍ୱିନ,କାର୍ତ୍ତିକ) । ଆଷାଢ଼ ଶୁକ୍ଳ ଏକାଦଶୀରୁ ଆରମ୍ଭ ହୋଇ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଚାଲିଥାଏ ଚତୁର୍ମାସ । ଏହି ସମୟରେ ବ୍ରତ ଓ ଉପାସନା ଦ୍ୱାରା ଠାକୁରଙ୍କୁ ପ୍ରସନ୍ନ କରିଥାନ୍ତି ସାଧୁ ଓ ଭକ୍ତଗଣ । ବ୍ରତ, ଭକ୍ତି ଓ ଉପାସନାର ୪ ମାସକୁ ହିନ୍ଦୁ ଧର୍ମରେ ‘ ଚତୁର୍ମାସ’ କୁହାଯାଏ। ଧ୍ୟାନ ଓ ସାଧନା କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ମାସ ଖୁବ୍ ମହତ୍ଵପୂର୍ଣ୍ଣ । ଏହି ସମୟରେ ଶାରୀରିକ ଓ ମାନସିକ ସ୍ଥିତି ଠିକ୍ ଥାଏ, ଏହାସହିତ ବାତାବରଣ ଶୁଦ୍ଧ ଥାଏ । ଚତୁର୍ମାସର ଆରମ୍ଭକୁ ‘ ଦେବଶୟନୀ ଏକାଦଶୀ’ କୁହାଯାଏ ଓ ଚତୁର୍ମାସର ଶେଷକୁ ‘ ଦେବୋସ୍ନାନ ଏକାଦଶୀ’ କୁହାଯାଏ । ପ୍ରଥମ ଶ୍ରାବଣ ମାସରେ ଶ୍ରୀହରି ତଥା ଜଗନ୍ନାଥ ଅସୁସ୍ଥ ରହିବାରୁ ପ୍ରଭୁ ଶୟନ କକ୍ଷକୁ ଯା’ନ୍ତି । ପୂରା ଏକମାସ ବିଶ୍ରାମ ନିଅନ୍ତି । ଏହି ମାସକୁ ଦେବଶୟନୀ ମାସ ବୋଲି କୁହାଯାଏ ।

ଆଷାଢ଼,କାର୍ତ୍ତିକ, ମାଘ ଓ ବୈଶାଖ- ଏଇ ଚାରିମାସ ହେଉଛି ସୂର୍ଯ୍ୟଙ୍କର ଅୟନାନ୍ତ କାଳ । ସମ୍ଭବତଃ ଏହି ଅୟନାନ୍ତ ଦିବସମାନଙ୍କରେ ସୌରଦେବଙ୍କ ଉପାସନା କରାଯାଏ । ପୌରାଣିକ ଅନୁଧ୍ୟାନରୁ ଏହି ଚାରିମାସ ଧର୍ମ ଦୃଷ୍ଟିରୁ ଶୁଭପ୍ରଦ ଏବଂ ଦେବଦେବୀଙ୍କ ଉପାସନା ସକାଶେ ଅତ୍ୟନ୍ତ ଅନୁକୂଳ । ତେଣୁ ଏହି ଚାରିମାସର ଆଦ୍ୟବର୍ଣ୍ଣ ‘ ଆ କା ମା ବୈ ’ ଜନଜୀବନକୁ ଯେ ପ୍ରଭାବିତ କରୁ ନ ଥିବ ତାହା କୁହାଯାଇ ନପାରେ । ହୁଏତ ଗଙ୍ଗା ବା ଲକ୍ଷ୍ମୀନାରାୟଣ ଉପାସନା କରିବା ଛଳରେ ଓଡ଼ିଶାର ନରନାରୀ ଜଳରେ ସ୍ଵଦେଶ ସଂସ୍କୃତିର ପ୍ରତୀକ ଉପାସନା ସାମଗ୍ରୀ ତାମ୍ବୁଳ, ଅକ୍ଷତ ଓ ତିଳ ନିକ୍ଷେପ ପୂର୍ବକ ପ୍ରତିଦାନ ସ୍ଵରୂପ ଦେବତାଙ୍କ ଠାରୁ ପୁଣ୍ୟ କାମନା କରିଥାନ୍ତି |

ବିଜ୍ଞାନ ମତରେ

ବିଜ୍ଞାନ ମତରେ ଜୁନ୍‌ ୨୧ ପରେ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଆରମ୍ଭ ହୁଏ।  ଆମେ ରହୁଥିବା ଉତ୍ତର ଗୋଲାର୍ଦ୍ଧରେ ଦିବା କ୍ରମଶଃ କ୍ଷୁଦ୍ର, ରାତ୍ର କ୍ରମଶଃ ବଡ଼ ହୁଏ । ସେପ୍ଟେମ୍ବର ୨୩ରେ ଦିବାରାତ୍ର ସମାନ ହୁଏ । ତା' ପରେ ଦିବସ କ୍ରମଶଃ ଅତି କ୍ଷୁଦ୍ର ଏବଂ ରାତ୍ରି କ୍ରମଶଃ ଅତି ବଡ଼ ଆଡକୁ (ଡିସେମ୍ବର ୨୨) ଗତି କରେ । ଜୁନ୍‌ ୨୧ ପରଠାରୁ ବର୍ଷାଋତୁ ଆରମ୍ଭ ହୋଇ ମୌସୁମୀ ବାୟୁ ପ୍ରଭାବରେ ଭାରତରେ ପ୍ରଚୁର ବୃଷ୍ଟି ହୋଇଥାଏ । ପ୍ରଚଣ୍ଡ ରୌଦ୍ରତାପ ସହ ପ୍ରବଳ ଜଳ ବର୍ଷଣ ପ୍ରଭାବରେ ଋତୁ ପରିବର୍ତ୍ତନ ଜନିତ ବ୍ୟାଧି, ଶ୍ଳେଷ୍ମାଦୋଷ, ପେଟଦୋଷ, ପାଚନକ୍ରିୟା ସହ ଅନ୍ୟାନ୍ୟ ଶାରୀରିକ କ୍ରିୟାରେ ମାନ୍ଦାଭାବ ଦେଖାଯାଏ ।  

ମାନ୍ଦା ସ୍ୱାସ୍ଥ୍ୟ ବାତାବରଣରେ ଅସ୍ୱସ୍ତି, ରୋଗବାହକ କୃମି, କୀଟ, ସରୀସୃପ ଆଦି ଜୀବମାନଙ୍କର ବଂଶବୃଦ୍ଧି, ବାୟୁ, ଜଳ ଓ ତାପଜନିତ ବ୍ୟାଧି ସୃଷ୍ଟି ହୁଏ । ଏପରିକି ସ୍ୱୟଂ ଜଗନ୍ନାଥ ମଧ୍ୟ ବ୍ୟାଧିଗ୍ରସ୍ତ ହୋଇପଡ଼ନ୍ତି । ଅଣସର ଗୃହରେ ରହି ଔଷଧ ସେବନ କରି ଆରୋଗ୍ୟ ହୁଅନ୍ତି । ତା' ପରେ ଏକାଦଶୀ (ହରିଶୟନ) ଦିନଠାରୁ ଚାରି ମାସ ଦୀର୍ଘ ବିଶ୍ରାମରୂପକ ଶୟନ କରନ୍ତି । ଏସବୁ ସମସ୍ୟାରୁ ମୁକ୍ତି ପାଇଁ ଶୃଙ୍ଖଳିତ ପ୍ରାଣବାୟୁ, ମନ ଶମନ ଓ ଇନ୍ଦ୍ରିୟ ଦମନ ସହ ସଂଯତ ଜୀବନ, ଆହାର ବିହାର ଓ ପାନୀୟ ଆବଶ୍ୟକ ହୋଇପଡ଼େ ।  

ଚାତୁର୍ମାସ୍ୟା ବ୍ରତରେ ସାତ୍ତ୍ୱିକ ଦିନଚର୍ଯ୍ୟାର ପ୍ରେରଣା ମିଳେ । ଏହାଛଡ଼ା ଭଗବାନଙ୍କଠାରୁ ଦୂରେଇଯାଇ କର୍ମଫଳ ହେତୁ ଜନ୍ମମୃତ୍ୟୁ ଚକ୍ରରେ ଅଳୀକ ସୁଖ ଓ ଦୁଃଖ ଭୋଗୁଥିବା ଜୀବକୁ ତତ୍ତ୍ୱଜ୍ଞାନ ଦେଇ ଶାଶ୍ୱତ ସୁଖ, ଶାନ୍ତି, ଜୀବନ ଓ ମୋକ୍ଷ ପଥରେ ପ୍ରେରିତ କରିବା ଏ ବ୍ରତର ମୁଖ୍ୟ ଲକ୍ଷ୍ୟ ।

ଚତୁର୍ମାସକୁ ବ୍ରତ ମାସ କୁହାଯିବାର କାରଣ ହେଉଛି ୪ ମାସରେ ଆମର ପାଚନ ଶକ୍ତି ଦୁର୍ବଳ ହୋଇଯାଏ । ଏହି ସମୟରେ ଭୋଜନ ଓ ଜଳରେ ବ୍ୟାକ୍ଟେରିଆଙ୍କ ସଂଖ୍ୟା ବଢ଼ିଯାଏ । ଏଣୁ ଏହି ମାସରେ ବ୍ରତ କରି ବ୍ୟକ୍ତି କମ ଭୋଜନ ଆହାର କରିବା ଦ୍ୱାରା ସୁସ୍ଥ ରହିଥାଏ | 4ମାସ ମଧ୍ୟରୁ ପ୍ରଥମ ମାସକୁ ସବୁଠାରୁ ମହତ୍ତ୍ଵପୂର୍ଣ ମନେକରାଯାଏ । ଏହି ମାସରେ ବ୍ୟକ୍ତି ବ୍ରତ ପାଳନ କରି ଶେଷ କରିବା ଦ୍ୱାରା ଲାଭ ହୋଇଥାଏ । ବ୍ରତରେ ସମ୍ପୂର୍ଣ୍ଣ ଉପବାସ ରହିବା ଠିକ୍ ନୁହେଁ କି, ଦିନେ ଉପବାସ ରହି ଅନ୍ୟଦିନ ମାନଙ୍କରେ ଅଧିକ ଖାଇବା ମଧ୍ୟ ଠିକ୍ ନୁହେଁ । ଜାଣିବା ଦରକାର ଯେ କେଉଁ ମାସରେ କ’ଣ ଖାଇବେ ନାହିଁ ଓ କେତେ ଖାଇବା ଦରକାର । ଖାଦ୍ୟ ଗ୍ରହଣର ନିୟମ ପାଳନ ସହିତ ବ୍ରତ ପାଳନ କରିବା ଦରକାର ।

ପୌରାଣିକ କାରଣ

ଆଷାଢ଼ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥ ଶୟନ କରୁଥିବାରୁ ଏ ସମୟରେ ତାଙ୍କ ଉଦ୍ଦେଶ୍ୟରେ ହେଉଥିବା ବ୍ରତକୁ ଚାତୁର୍ମାସ୍ୟା ବ୍ରତ କୁହାଯାଏ । ଦାନବୀର ବଳି ବିଶ୍ୱଜିତ୍‌ ଯଜ୍ଞରେ ବାମନରୂପୀ ତ୍ରିବିକ୍ରମ ନାରାୟଣଙ୍କୁ ତ୍ରିପାଦ ଭୂମି ଦାନ ଦେବାକୁ ସତ୍ୟକରି ସତ୍ୟ ରକ୍ଷା ପାଇଁ ଶେଷରେ ମଥାନତ କରି ଆତ୍ମସମର୍ପଣ କରିଥିଲେ। ଏଥିରେ ପ୍ରୀତ ହୋଇ ବାମନରୂପୀ ନାରାୟଣ ବଳିକୁ ବର ଯାଚନ୍ତେ ହରିଭକ୍ତ ବଳି ଭଗବାନଙ୍କୁ ସଦା ନିଜ ରାଜ୍ୟ ପାତାଳପୁରରେ ରହିବାକୁ ପ୍ରାର୍ଥନା କଲେ। ଶ୍ରୀହରି ତଥାସ୍ତୁ କହି ପାତାଳପୁରରେ ରହିଲେ। ସ୍ୱର୍ଗରେ ଭାଳେଣି ପଡ଼ିଲା । ପରେ ମହାଲକ୍ଷ୍ମୀ ରକ୍ଷାସୂତ୍ର (ରାଖୀ) ଦ୍ୱାରା ବଳି ସହ ଭ୍ରାତୃ ସମ୍ପର୍କ ସୃଷ୍ଟି କରି ବର୍ଷରେ ମାତ୍ର ଚାରି ମାସ ପାତାଳପୁରରେ ରହିବାକୁ ବଳିଙ୍କ ସମ୍ମତିରେ ନାରାୟଣଙ୍କୁ ବଚନ ମୁକ୍ତ କରିଥିଲେ। ପାତାଳପୁରରେ ଚାରି ମାସର ରହଣିକୁ ପୃଥିବୀର ଲୋକମାନେ ଶ୍ରୀହରି ଶୟନ ଆଖ୍ୟା ଦେଇ ତାଙ୍କ ପ୍ରୀତି ପାଇଁ ଚାତୁର୍ମାସ୍ୟା ବ୍ରତ ପାଳନ କରନ୍ତି ।

ଜଗତର ନାଥ ପତିତଙ୍କ ପାବନ ଓ କଲ୍ୟାଣ ପାଇଁ ସ୍ନାନ ଓ ଗୁଣ୍ଡିଚା ଯାତ୍ରା କରିବା ପରେ ଓ ଶଙ୍ଖାସୁର ବଧକରି ବେଦ ଉଦ୍ଧାରଣ ପରେ ଚାରି ମାସ ବିଶ୍ରାମ ନେଉଥିବାରୁ ଚାତୁର୍ମାସ୍ୟା ବ୍ରତରେ ପ୍ରାୟ ବସ୍ତୁ ତ୍ୟାଗ ଓ ସ୍ନାନ ଏବଂ ଯାତ୍ରାର ମହତ୍ତ୍ୱ ଅଧିକ। ସାଧାରଣ ଭାବରେ ତୀର୍ଥସ୍ଥଳକୁ ଯାତ୍ରାକରି ସେଠାରେ ସ୍ନାନ କରିବା ଓ ବିଶେଷ ଭାବରେ ଅଯୋଧ୍ୟା, ମଥୁରା, ହରିଦ୍ୱାର, କାଶୀ, କାଞ୍ଚି, ଅବନ୍ତୀ, ଦ୍ୱାରକା ଓ ପୁରୀ ଆଦି ପୁଣ୍ୟ କ୍ଷେତ୍ରରେ ସ୍ନାନ ଓ ଯାତ୍ରା ବିଶେଷ ପୁଣ୍ୟପ୍ରଦ। ଶାସ୍ତ୍ରରେ ଅଷ୍ଟବିଧ ସ୍ନାନ ବ୍ୟବସ୍ଥା ମଧ୍ୟରେ ତୀର୍ଥ ସ୍ନାନ, ମନ୍ତ୍ର ସ୍ନାନ ଓ ବାରୁଣୀ ସ୍ନାନର ମହତ୍ତ୍ୱ ଅଧିକ। ସ୍ନାନ ଦ୍ୱାରା ସତ୍ୟ ଓ ଧର୍ମ ସାଧନ ଏବଂ ଜନ୍ମ-ମୃତ୍ୟୁ ଚକ୍ରରୁ ମୁକ୍ତି ମିଳିଥାଏ। ସ୍ନାନ ପରେ ଦେବତା ଓ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଅର୍ଚ୍ଚନ ଓ ତର୍ପଣ କର୍ତ୍ତବ୍ୟ। ଭଗବାନ ସର୍ବତ୍ର ବିଦ୍ୟମାନ। ସେ ପତିତପାବନ। ଦରିଦ୍ର ନାରାୟଣଙ୍କୁ, ଅକ୍ଷମ, ଅବହେଳିତ ବୃଦ୍ଧାବୃଦ୍ଧଙ୍କୁ ଅନ୍ନ ଓ ଜଳ ଦାନ ଦେବା ଚାତୁର୍ମାସ୍ୟା ବ୍ରତରେ ବିଧି ଅଛି।

  1. ଚାତୁର୍ମାସ୍ୟା ବ୍ରତରେ ବର୍ଷଣମୁଖର ଶ୍ରାବଣ ମାସରେ ସୋମବାର ଦିନ ଶିବଙ୍କର ଜଳ ଅଭିଷେକ ବହୁଳ ଭାବରେ କରାଯାଏ। ଭକ୍ତମାନେ ସ୍ବାସ୍ଥ୍ୟବର୍ଦ୍ଧକ ଅଁଳା, ତିଳ, ବିଲ୍ବପତ୍ର ମିଶ୍ରିତ ଜଳରେ ସ୍ନାନ କରି ବିଷ୍ଣୁଙ୍କ ପାଦନିଃସୃତ ପାବନୀ ଗଙ୍ଗା ଜଳରେ ନିଷ୍ଠାର ସହ ଜଳ ଅଭିଷେକ କରି ସିଦ୍ଧି ଓ ଋଦ୍ଧି କାମନା କରିଥାନ୍ତି।
  2. ଭାଦ୍ରବ ମାସରେ ଶ୍ରୀହରି ଶୟନ ଅବସ୍ଥାରେ ପାର୍ଶ୍ୱ ପରିବର୍ତ୍ତନ କରିଥାନ୍ତି। ଭାଦ୍ରବ ମାସରେ ବ୍ୟାପକ ଭାବରେ ଭାଗବତ ଜନ୍ମ ବେଦ-ଭାଗବତର ପ୍ରଚାର, ପ୍ରସାର, ହୋମଯଜ୍ଞ, ପୁରାଣ ପାଠ ଓ ପ୍ରବଚନ ସହ ଆଶ୍ରମ ଜୀବନଚର୍ଯ୍ୟା ପାଳନ କରାଯାଏ। 
  3. ଚାତୁର୍ମାସ୍ୟା ତଥା ସୂର୍ଯ୍ୟଙ୍କର ଦକ୍ଷିଣାୟନ ସମୟ ପିତୃଲୋକରେ ଦିବସ (ଦେବଲୋକରେ ରାତ୍ର) ହୋଇଥିବାରୁ ବିଶେଷକରି ଆଶ୍ୱିନ ଓ କାର୍ତ୍ତିକ କୃଷ୍ଣପକ୍ଷରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ତର୍ପଣ କରାଯାଏ। ଚାତୁର୍ମାସ୍ୟା ବ୍ରତର ଶେଷ ମାସ କାର୍ତ୍ତିକରେ ଶ୍ରଦ୍ଧା ଓ ଭକ୍ତି ସହ ପୂଜାପାଠ, ଜପ, ମନ୍ତ୍ର, ହବନ, ସେବା ଓ ଧର୍ମ ପାଳନ କରି ବ୍ରତ ଶେଷ କରାଯାଏ।

କ’ଣ ଖାଇବେ ନାହିଁ

ଏହି ବ୍ରତରେ କ୍ଷୀର, ଦହି, ଚିନି, ତେଲ, ବାଇଗଣ, ପତ୍ରଯୁକ୍ତ ପରିବା, ଲୁଣ ଓ ମସଲାଯୁକ୍ତ ଖାଦ୍ୟ, ମିଠା, ଗୁଆ ଆଦି ଖାଦ୍ୟ ଖାଆନ୍ତୁ ନାହିଁ। ଶ୍ରାବଣ ମାସରେ ପତ୍ରଯୁକ୍ତ ପରିବା ଯେପରି ପାଳଙ୍ଗ, ଶାଗ / ଭାଦ୍ରବରେ ଦହି / ଆଶ୍ୱିନରେ କ୍ଷୀର / କାର୍ତ୍ତିକରେ ପିଆଜ ଓ ରସୁଣ ଏବଂ ବିରି ଡ଼ାଲି ଆଦି ତ୍ୟାଗ କରନ୍ତୁ ।

ନିୟମ

  1. ଚତୁର୍ମାସରେ ଶୀଘ୍ର ଶୋଇବା ସହ ସୂର୍ଯ୍ୟୋଦୟ ପୂର୍ବରୁ ଉଠିବା ବହୁତ ଶୁଭ ମନାଯାଏ । ଉଠିବା ପରେ ଭଲ ଭାବରେ ସ୍ନାନ କରନ୍ତୁ। ଏହାସହିତ ଅଧିକାଂଶ ସମୟ ମୌନ ରହିବା ଭଲ । ଦିନରେ କେବଳ ଥରେ ଭୋଜନ କରନ୍ତୁ । ଏପରି ସାଧୁ ନିୟମ ପାଳନ କରିବା କଷ୍ଟ । ହେଲେ ଏପରି ନିୟମ ପାଳନ କଲେ ବହୁତ ଭଲ ଫଳ ମିଳିଥାଏ ।
  2. ଯେଉଁ ମାନେ ଚତୁର୍ମାସ୍ୟରେ ଦୀପଦାନ, ପଳାଶ ପତ୍ରରେ ଭୋଜନ, ଭୂମିରେ ଶୟନ ଏବଂ ବ୍ରତ କରି ଚତୁର୍ମାସ ଅତିବାହିତ କରେ ସେ  ବିଷ୍ଣୁଙ୍କର ଅତି ପ୍ରିୟ ହୋଇଥାନ୍ତି । ଶୟନୀ ଓ ବୋଧନୀ ମଧ୍ୟରେ ଯେଉଁ କୃଷ୍ଣଏକାଦଶୀ ତାହା ଓ ଗୃହସ୍ଥଙ୍କ ପକ୍ଷରେ ଅଧିକ ଫଳପ୍ରଦ ।ଚତୁର୍ମାସରେ ଭଗବାନ ବିଷ୍ଣୁ ଶୋଇ ରହନ୍ତି, ଏଥିପାଇଁ ମନୁଷ୍ୟ ଭୂମିରେ ଶୟନ କରିବା ଉଚିତ । ଯିଏ ଚତୁର୍ମାସରେ ବ୍ରହ୍ମଚର୍ଯ୍ୟ ପାଳନ କରେ, ସେ ପରମଗତି ପ୍ରାପ୍ତ ହୁଏ । 
  3. ଭକ୍ତି ଓ ନିଷ୍ଠାର ସହ କର୍ତ୍ତବ୍ୟ ପାଳନକୁ ବ୍ରତ କୁହାଯାଏ। ଶୁଦ୍ଧପୂତ ମନ, ଶରୀର କର୍ମଯୁକ୍ତ ହୋଇ ଆମିଷ, କ୍ଷୌର, ମଧୁ, ମୈଥୁନ ବର୍ଜନ କରି ସୂର୍ଯ୍ୟାସ୍ତ ପୂର୍ବରୁ ଏକବାର ହବିଷ ଗ୍ରହଣ କରାଯାଏ। ଐଶ୍ୱର୍ଯ୍ୟ, ବୀର୍ଯ୍ୟ, ଯଶ, ଶ୍ରୀ, ଜ୍ଞାନ ଓ ବୈରାଗ୍ୟ -ଏହି ଷଡ଼ ଐଶ୍ୱର୍ଯ୍ୟର ଅଧିକାରୀ ଭଗବାନ ସବୁର ବୀଜ ବା କାରଣ । ସେ ହିଁ ସବୁର ସୃଷ୍ଟି, ସ୍ଥିତି ଓ ପ୍ରଳୟକାରକ । ସୂତାରେ ଫୁଲ ଗୁନ୍ଥା ହୋଇ ହାର ହେବା ପରି ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ତାଙ୍କଠାରେ ଗ୍ରଥିତ। ସର୍ବ ଧର୍ମ, ସର୍ବ ଶ୍ରୁତି ଓ ସ୍ମୃତି ଶାସ୍ତ୍ରର ସାର ଗ୍ରନ୍ଥ, ସବୁ ଉପନିଷଦର ସାର ଭଗବତ୍‌ ଗୀତା ଭଗବାନଙ୍କର ମହିମା ବର୍ଣ୍ଣନା କରେ। ସେହି ପରମପୁରୁଷଙ୍କୁ ବାଦ ଦେଇ ଜୀବର ସ୍ଥିତି, ଗତି, ସୁଖଦୁଃଖ ଭୋଗ, ପୁରୁଷାର୍ଥିକ ଓ ପାରମାର୍ଥିକ ଜୀବନର ଲକ୍ଷ୍ୟ ପୂରଣ ଅସମ୍ଭବ। ଏହା ହିଁ ଚାତୁର୍ମାସ୍ୟା ବ୍ରତର ମାହାତ୍ମ୍ୟ । 

ବର୍ଜିତ କାର୍ଯ୍ୟ

ଉକ୍ତ ଚାରି ମାସରେ ବିବାହ ସଂସ୍କାର, ଜାତକକର୍ମ ସଂସ୍କାର, ଗୃହ ପ୍ରବେଶ ଆଦି ମାଙ୍ଗଳିକ କାର୍ଯ୍ୟ ନିଷେଧ କରାଯାଇଥାଏ । ଚାତୁର୍ମାସ୍ୟା ବ୍ରତ ସମୟରେ ସବୁ ପ୍ରକାର ମାଙ୍ଗଳିକ ଅଭ୍ୟୁଦାୟିକ କର୍ମ ସ୍ଥଗିତ ରଖାଯାଇଥାଏ।

Post a Comment

0 Comments