ଭୀମସେନ କାହିଁକି ନିର୍ଜଳା ଏକାଦଶୀ କରିଥିଲେ ; ଜାଣନ୍ତୁ ଏହାର କାରଣ
ଅନୁକୂଲସ୍ୟ ସଂକଳ୍ପ ପ୍ରତିକୂଲସ୍ୟ ବର୍ଜନ ରକ୍ଷସ୍ୟତି ଇତି ।
ବିଶ୍ୱାସୋ ଗୋ ତୃପ୍ତେ ବରଣଂ ତଥା ଆତ୍ମ ନିକ୍ଷେପ କାର୍ପଣ୍ୟ ଷଟ୍ ବିଧିଂ ଶରଣାଗତି ।।
ଶରଣାଗତିର ଏହି ୬ଟି ବିଧି କହିଛନ୍ତି ଗୋସ୍ୱାମୀ । ଅନୁକୂଲସ୍ୟ ସଂକଳ୍ପ ଯାହା ଭକ୍ତି ପାଇଁ ଅନୁକୂଳ ତାହାକୁ ସ୍ୱୀକାର କରିବା ଆବଶ୍ୟକ । ପ୍ରତିକୂଳସ୍ୟ ବର୍ଜନଂ ଯାହା ପ୍ରତିକୂଳ ତାକୁ ତ୍ୟାଗ କରିବା ଆବଶ୍ୟକ । ରକ୍ଷସ୍ୟତି ଇତି ବିଶ୍ୱାସୋ, ଏହା ପୂର୍ଣ୍ଣ ବିଶ୍ୱାସ ହେବା ଦରକାର । କୃଷ୍ଣ ମତେ ଅବଶ୍ୟ ରଖିବେ ବା ରକ୍ଷା କରିବେ । ଏହି ସବୁ ବିଧିରେ ଆମେ ଭକ୍ତି କଲେ ଶ୍ରୀକୃଷ୍ଣଙ୍କର ଶରଣାଗତ ହୋଇପାରିବା । ଭକ୍ତିର ସମସ୍ତ ବିଧି ମଧ୍ୟରୁ ଏକାଦଶୀ ବ୍ରତର ପାଳନ ମହତ୍ୱପୂର୍ଣ୍ଣ ଅଟେ । ପ୍ରତ୍ୟେକ ଶୁକ୍ଳପକ୍ଷ ଓ କୃଷ୍ଣପକ୍ଷରେ ଏକାଦଶୀ ବ୍ରତ ପାଳନ କରାଯାଏ । ଏହା ମାଧବ ତିଥି ଅଟେ ଓ ଭକ୍ତି ଜନନୀ ଅଟେ । ଏହାକୁ ପାଳନ କରିବା ପାଇଁ ଆମକୁ ଚେଷ୍ଟା କରିବା ଆବଶ୍ୟକ । ଏହା ଭକ୍ତି ଅନୁକୂଳ ଅଟେ ।
ଏକାଦଶୀ ମାତା ସ୍ୱୟଂ ଭଗବାନଙ୍କ ଶରୀରରୁ ପ୍ରକଟ ହୋଇଥିଲେ । ଏହି ତିଥି ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଏକାଦଶୀ ଅନୁଷ୍ଠାନର ଅନେକ ବିଧି ଅଛି |
- ସର୍ବୋଚ୍ଚ ସ୍ତର ହେଉଛି ‘ନିର୍ଜଳା’ ।
- ‘ନିର୍ଜଳା’ ହୋଇ ନ’ପାରିଲେ ‘ସଜଲା’ । ଆମେ ନିର୍ଜଳା ନ’କରିପାରିଲେ ସଜଲା ବା ଜଳପାନ କରି ଏକାଦଶୀ କରିପାରିବା ।
- ତୃତୀୟ ବିଧି ସରସା । ଯେଉଁମାନେ ପାଣି ପିଇ ମଧ୍ୟ ଏକାଦଶୀ କରିବା ବିଧି ରହିଛି । ଏଥିରେ ଯଦି ଅସୁବିଧା ହୁଏ ପରବର୍ତ୍ତୀ ସ୍ତର ‘ସଫଳା’ ରହିଛି । ଫଳ ଖାଇ ମଧ୍ୟ ଏକାଦଶୀ କରାଯାଇ ପାରିବ ।
- ସଫଳା ହୋଇ ନ’ପାରିଲେ ଅନୁକଳ୍ପ ପ୍ରସାଦ ବା ଉପବାସ ବ୍ୟଞ୍ଜନ ଖାଇ ମଧ୍ୟ ଏକାଦଶୀ କରିପାରିବା । ଏହି ଅନୁକଳ୍ପ ପ୍ରସାଦ ବା ଉପବାସ ବ୍ୟଞ୍ଜନ ମଧ୍ୟରେ ସାଗୁଦାନା ବା କୁଟୁଅଟାର ରୁଟି ଖାଇପାରିବେ ।
ନିର୍ଜଳା ଏକାଦଶୀର ମହତ୍ତ୍ୱ
ନିର୍ଜଳା ଏକାଦଶୀ ବା ଭୀମସେନ ଏକାଦଶୀ, ଜ୍ୟୈଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ପାଳନ କରାଯାଏ ।କୁହାଯାଏ କି, ନିଜ ଜୀବନରେ ଥରେ ହେଲେ ବି ନିର୍ଜଳା ଏକାଦଶୀ ବ୍ରତ କରିବା ଜରୁରୀ । ଏହାକୁ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ ।
ଅନ୍ୟ ଏକାଦଶୀରେ ବ୍ରତୀମାନେ ଫଳାହାର କରିଥାନ୍ତି । କିନ୍ତୁ ଏହି ଏକାଦଶୀରେ କୌଣସି ଖାଦ୍ୟ କିମ୍ବା ଜଳ ମଧ୍ୟ ଗ୍ରହଣ କରାଯାଏ ନାହିଁ । ବିଶ୍ୱାସ କରାଯାଏ ଏହି ଏକାଦଶୀ ପାଳନ କଲେ ବ୍ରତୀକୁ ଆୟୁ, ନିରୋଗ ଏବଂ ମୃତ୍ୟୁପରେ ସ୍ୱର୍ଗପ୍ରାପ୍ତି ହୋଇଥାଏ ।
କିମ୍ବଦନ୍ତୀ
ପୌରାଣିକ କଥାବସ୍ତୁରୁ ଜଣାଯାଏ ଏହି ଏକାଦଶୀରେ ଭୀମସେନ ବ୍ରତ ରଖିଥିଲେ । ସେ ଯେକୌଣସି ଖାଦ୍ୟକୁ ସହଜରେ ହଜମ କରିଦେଉଥିଲେ । ତାଙ୍କ ଉଦରରେ ବୃକ ନାମକ ଅଗ୍ନି ଥିବାରୁ ସେ ଏପରି ଖାଦ୍ୟ ପରିପାକ କରିପାରୁଥିଲେ । ନାଗଲୋକ ଯାଇ ସେଠି ମଧ୍ୟ ଦଶକୁଣ୍ଡ ଦୁଗ୍ଧ ପାନ କରିଥିବାରୁ ସେ ଦଶ ହଜାର ହାତୀର ଶକ୍ତି ପ୍ରାପ୍ତ ହୋଇଥିଲେ । ଏହି ରସ ପ୍ରଭାବରୁ ତାଙ୍କର ପ୍ରଚୁର କ୍ଷମତା ବଢ଼ିଯାଇଥିଲା । ତେଣୁ ସେ ଏହି ବ୍ରତ ପାଳନ କରି ପାରୁନଥିଲେ ।
ଥରେ ଭୀମସେନ ମହର୍ଷି ବେଦବ୍ୟାସଙ୍କୁ କହିଲେ ଦ୍ରୌପଦୀ ଏବଂ ମୋର ସମସ୍ତ ଭ୍ରାତା ଏକାଦଶୀ ବ୍ରତ ରଖୁଛନ୍ତି । କିନ୍ତୁ ମୁଁ ଭୋକ ସମ୍ଭାଳି ନପାରିବାରୁ ବ୍ରତ କରିପାରୁନାହିଁ । ଆପଣ କୌଣସି ଏକ ଉପାୟ ବତାନ୍ତୁ । ବେଦବ୍ୟାସ କହିଲେ ତୁମେ ଜ୍ୟେଷ୍ଠ ଶୁକ୍ଳପକ୍ଷ ଏକାଦଶୀ ବ୍ରତ ପାଳନ କଲେ ବର୍ଷ ସାରା ଅନ୍ୟ ସବୁ ବ୍ରତର ଫଳ ମିଳିପାରିବ । ଏଥିପାଇଁ ତୁମକୁ ଉକ୍ତ ଏକାଦଶୀରେ ଦୁଇବେଳା ଭୋଜନ ଓ ଜଳତ୍ୟାଗ କରିବାକୁ ପଡ଼ିବ । ଏହିକଥା ଶୁଣି ଭୀମ ନିର୍ଜଳା ଏକାଦଶୀ ବ୍ରତ କରିବା ପାଇଁ ଯତ୍ନଶୀଳ ହେଲେ । ଭୀମସେନ ଏହି ନିର୍ଜଳା ଏକାଦଶୀ ବ୍ରତ ପାଳନ କରିଥିବାରୁ ଏହାକୁ ଭୀମସେନୀ ଏକାଦଶୀ ବୋଲି କୁହାଯାଏ ।
ଯଦି ଏକାଦଶୀ କେହି ଭୂଲି ଯାଆନ୍ତି ବା କରି ନ’ପାରନ୍ତି ସେ ଦ୍ୱାଦଶୀ ଦିନ ଏକାଦଶୀ ବ୍ରତ କରିପାରିବେ । ଶାସ୍ତ୍ରରେ ତିନିଦିନ ଉପବାସର ପ୍ରଥା ରହିଛି । ଏହି ଗୋଟିଏ ନିର୍ଜଳା ଏକାଦଶୀ ବର୍ଷରେ ଥରେ ରଖିପାରିଲେ ଆମେ ଭକ୍ତି ପଥରେ ବହୁ ଆଗକୁ ଯାଇପାରିବା ।
ଏଭଳି ଜଳ ଗ୍ରହଣ କଲେ ବ୍ରତ ଭଙ୍ଗ ହୁଏନାହିଁ
ଯଦି ଆପଣ ବ୍ରତ ସମୟରେ ପାଣି ପିଇବାକୁ ଚାହୁଁଚନ୍ତି, ତେବେ କେମିତି ପିଇବେ । ଏହାକୁ ନେଇ କିଛି ବିଧି କୁହାଯାଇଛି, ତେବେ ଜାଣନ୍ତୁ କ’ଣ :
- ନିର୍ଜଳା ଏକାଦଶୀ ଦିନ ଜଳ ଗ୍ରହଣ କରିବାକୁ ମନା କରାଯାଇଛି । ବ୍ରତର ନିୟମ ସଠିକ ଭାବେ ପାଳନ ନ କଲେ ବ୍ରତର ଫଳ କିଛି ମିଳିନଥାଏ ।
- ତେବେ ବ୍ୟକ୍ତି ବ୍ରତ ସମୟରେ ଯଦି ଅତ୍ୟଧିକ ଦେହ ଖରାପ ହୋଇଯାଏ, ତେବେ ପାଣି ପିଇପାରିବେ ।
- ତେଣୁ ଏଥିପାଇଁ ବ୍ରତଧାରୀ ୧୨ ଥର ଓମଃ ନମୋଃ ନାରାୟଣାୟ… ଜପ କରନ୍ତୁ ।
- ଏହାପରେ ଥାଳିରେ ଜଳ ଦେଇ ଆଣ୍ଠୁ ଏବଂ କହୁଣୀ ଲଗାଇ ପଶୁ ପାଣି ପିଇବା ଭଳି ପିଇପାରିବେ । ଏହିଭଳି ଜଳ ଗ୍ରହଣ କଲେ ବ୍ରତ ଭଙ୍ଗ ହୁଏନାହିଁ।
କରନ୍ତୁ ଏହି ମନ୍ତ୍ର ର ଜପ
ନିର୍ଜଳା ଏକାଦଶୀ ଦିନ ତଳେ ଦିଆଯାଇଥିବା ମନ୍ତ୍ରର ଜପ କରନ୍ତୁ, ଏହି ସବୁ ମନ୍ତ୍ର ସବୁ ବିଷ୍ଣୁ ଙ୍କ ମନ୍ତ୍ର ଅଟେ ଓ ମନ୍ତ୍ର ଜପ କରିବା ଦ୍ଵାରା ବିଷ୍ଣୁ ଙ୍କ କୃପା ମିଳିଥାଏ ।
- ‘ଓମ୍ ନମଃ ଭଗବତେ ବାସୁଦେବାୟ’
- ଓଁ ନମଃ ନାରାୟଣ, ଓଁ ନମଃ ଭଗବତେ ବାସୁ ଦେବାୟ |
- ବିଷ୍ଣୁ ଗାୟତ୍ରୀ ମହାମନ୍ତ୍ର -ଓଁ ନାରାୟଣ ବିଦ୍ମହେ । ବସୁଦେବାୟ ଧୀମହୀ । ତନ୍ନୋ ବିଷ୍ଣୁ ପ୍ରଚୋଦୟତା ।
- ବିଷ୍ଣୁ କୃଷ୍ଣ ଅବତାର ମନ୍ତ୍ର – ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରୀ । ହେ ନାଥ ନାରାୟଣ ବାସୁଦେବାୟ ।
- ବିଷ୍ଣୁ ରୂପ ପୂଜନ ମନ୍ତ୍ର — ଶାନ୍ତ କରାମ ଭୁଜଗ ଶୟନମ୍ ପଦ୍ମ ନାଭମ ସୁରେଶମ୍ । ବିଶ୍ୱଧାରମ ଗଗନସାଦୃଶମ ମେଘବର୍ଣ୍ଣମ୍ ଶୁଭାଙ୍ଗମ୍ । ଲକ୍ଷ୍ମୀ କାନ୍ତମ୍ କମଲ ନୟନମ୍ ଯୋଗୀର୍ବିଧା ନାଗମିୟମ୍ ।
ପାଳନବିଧି
ଯଦି ଆମେ ବର୍ଷରେ ଗୋଟିଏ ଦିନ ନିର୍ଜଳା ଏକାଦଶୀରେ ଉପବାସ କରିପାରିବା ତେବେ ତାହା ବିଧିମୂଳକ ଭାବେ ବା ନିୟମ ମାନି କରିବା ଉଚିତ୍ ।
- ଏହି ବ୍ରତ ରଖିବା ପାଇଁ ବ୍ରତଧାରୀଙ୍କୁ ଗୋଟେଦିନ ପୂର୍ବରୁ ଅନ୍ନ ତ୍ୟାଗ କରିବାକୁ ପଡିଥାଏ ।
- ଏହି ଦିନ ସକାଳୁ ଜଲଦି ଉଠି ସ୍ନାନ କରି ବ୍ରତ ସଂକଳ୍ପ କରନ୍ତୁ । ଶୁଦ୍ଧ କ୍ଷୀରରେ ଭଗବାନ ବିଷ୍ଣୁଙ୍କର ଅଭିଷେକ କରନ୍ତୁ ।
- ଏକାଦଶୀ ଦିନ ସକାଳୁ ସକାଳୁ ଶୀଘ୍ର ଉଠି ଭଗବାନ ସୂର୍ଯ୍ୟଦେବଙ୍କୁ ଏକ ଘଟି ଜଳରେ ଏକ ଚୁଟକି ହଳଦୀ ପକାଇ ଅର୍ପଣ କରନ୍ତୁ ।
- ଏହାପରେ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରି ଭଗବାନ ଶ୍ରୀହରି ବିଷ୍ଣୁଙ୍କର ପୂଜା କରନ୍ତୁ ମା ଲକ୍ଷ୍ମୀଙ୍କ ସହିତ ପୂଜା କରିବେ ।
- ତାଙ୍କୁ ଏକ ତୁଳସୀ ପତ୍ର ପକାଇ ପଞ୍ଚାମୃତର ଭୋଗ ଅବଶ୍ୟ ଅର୍ପଣ କରିବେ ।
- ଏହି ଦିନ ଏକ ଟୋପା ପାଣି ପିଇବା ଉଚିତ ନୁହେଁ ।
- ଏକାଦଶୀ ଦିନ ସନ୍ଧ୍ୟା ସମୟରେ ତୁଳସୀ ଗଛ ସାମନାରେ ଗୁଆଘିଅରେ ଦୀପ ଜଳାନ୍ତୁ ।
- ଭଗବାନଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ ।
- ଭଗବାନ ବିଷ୍ଣୁଙ୍କର ପୂଜାରେ ଫଳ , ଅକ୍ଷତ , ଦୂବ ଓ ଚନ୍ଦନରେ ପୂଜା କରନ୍ତୁ ।
- ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରି ପୂଜା କରନ୍ତୁ ।
- ପୂଜା ପରେ ମଧ୍ୟ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ ଏବଂ ନାମ ଜପ କରନ୍ତୁ ।
- ଏହାସହିତ ୬୪ ମାଳା ଜପ କରିପାରିବା ।
- ଓସ୍ତ ଗଛ ଭଗବାନ ବିଷ୍ଣୁ ବାସ କରନ୍ତି ବୋଲି କୁହାଯାଇଥାଏ ତେଣୁ ଏକାଦଶୀ ଦିନ ଓସ୍ତ ଗଛରେ ପାଣି ଢାଳନ୍ତୁ ।
- ଏଥିସହିତ ସ୍ୱାଧାୟ କରିବା, ପ୍ରବଚନ ଶୁଣିବା ଏବଂ ଭଗବାନଙ୍କ ବିଗ୍ରହ ସହ ସମୟ କାଟିବାର ବିଧି ରହିଛି ।
- ଏକାଦଶୀ ପୂର୍ବଦିନ ସନ୍ଧ୍ୟାରୁ ପରଦିନ ସୂର୍ଯ୍ୟୋଦୟ ପରେ ବା ବ୍ରତ ଭାଙ୍ଗିବାର ସମୟ ପରେ ତୁଳସୀ ପତ୍ର ଗ୍ରହଣ କରି ଉପବାସ ଭାଙ୍ଗିବା ଉଚିତ୍ ।
ଦାନ
ପୁରା ଦିନ ବ୍ରତ ରଖିବା ପରେ ପର ଦିନ ସକାଳୁ ଗାଧୋଇ ଭଗବାନଙ୍କୁ ଭୋଗ ଲଗାନ୍ତୁ ଏବଂ ବ୍ରାହ୍ମଣକୁ ଦାନ କରି ବ୍ରତ ଶେଷ କରନ୍ତୁ ।- ଯେମିତିକି ଅନାଜର ଦାନ କରିପାରିବେ ।
- ଜଳର କଳସ, କପଡାର ଦାନ, ଆସନ, ଜୂତା,ଛତା,ପଙ୍ଖା ଏବଂ ଫଳର ଦାନ କରି ପାରିବେ ।
- ଏହା ବହୁତ ଉତ୍ତମ ରହିବ। ଏହି ଦିନ ଯଦି କଳା ତିଳ ଏବଂ ଜଳ ଭର୍ତି କଳସର ଦାନ କରିବେ ତ ବର୍ଷ ସାରାର ସବୁ ଏକାଦଶୀ ବ୍ରତର ଫଳ ଏହି ଏକାଦଶୀ ବ୍ରତରେ ମିଳିଯିବ ।
- ଜଳଛତ୍ର ସ୍ଥାପନା କରିବା ଉଚିତ |
- ବୃକ୍ଷକୁ ପାଣି ଦେବା ଓ ବୃକ୍ଷରୋପଣ କରିବା ଉଚିତ |
- ଏହି ଦିନ ଯିଏ ନିଜେ ନିର୍ଜଳ ରହି ବ୍ରାହ୍ମଣ ବା ଗରୀବ ବ୍ୟକ୍ତିଙ୍କୁ ଶୁଦ୍ଧ ପାଣି ଭର୍ତ୍ତି ମାଟି ପାତ୍ର ଦାନ କଲେ , ତାଙ୍କୁ ଜୀବନରେ କେବେ ବି କୌଣସି ଜିନିଷରେ ଅଭାବ ପଡି ନଥାଏ ।
- ପଶୁପକ୍ଷୀଙ୍କ ପାଇଁ ଜଳ ଓ ଭୋଜନ ବ୍ୟବସ୍ଥା କରିବା ଉଚିତ |
ଯଦି କାହାରିକୁ ପାଉନାହାନ୍ତି ତେବେ ଅଳ୍ପ ଟଙ୍କା ବାହାର କରି ରଖି ଦିଅନ୍ତୁ ପରେ କାହାରିକୁ ଦାନ କରିଦେବେ।
କିଛି କାର୍ଯ୍ୟ ଏକାଦଶୀ ଦିନ କରିବା ଉଚିତ ନୁହେଁ
- ଏକାଦଶୀ ଦିନ ସକାଳ ସୂର୍ଯ୍ୟ ଉଦୟ ହେବା ଠାରୁ ନେଇ ଦ୍ଵାଦଶୀ ଦିନ ସୁର୍ଯ୍ୟ ଉଦୟ ହେବା ପର୍ଯ୍ୟନ୍ତ ପାଣି ପିଇବା ଉଚିତ ନୁହେଁ ।
- ଏହି ଦିନ ଚାଉଳ କେବେବି ବନାନ୍ତୁ ନାହିଁ।
- ଭୁଲରେ ବି ତୁଳସୀ ପତ୍ରକୁ ତୋଳିବେ ନାହିଁ।
- ଏହି ଦିନ ବ୍ରତ ରଖନ୍ତୁ କିମ୍ବା ନରଖନ୍ତୁ ବ୍ରହ୍ମଚର୍ଯ୍ୟର ପାଳନ କରନ୍ତୁ ।
- ଏହି ଦିନ ରସୁଣ ପିଆଜ ମାଛ ମାଂସ ମଦର ସେବନ କରନ୍ତୁ ନାହିଁ।
- ଅନାବଶ୍ୟକ ଆଳସ୍ୟ କରନ୍ତୁ ନାହିଁ। ଏକାଦଶୀ କରିବା ଓ ସାରାଦିନ ଶୋଇ ରହିବା ମଧ୍ୟ ବର୍ଜନୀୟ ଅଟେ ।
- ଏକାଦଶୀ ଦିନ କିଛି ବି ପୋକକୁ ନ ମାରନ୍ତି ।
- ଏହି ଦିନ ବ୍ରସରେ ଦାନ୍ତ ସଫା କରନ୍ତୁ ନାହିଁ। କୌଣସି ଗଛର ଡାଳରେ ଦାନ୍ତ ସଫା କରନ୍ତୁ ।
- ବେଡ଼ରେ ଶୋଇବା ଉଚିତ ନୁହେଁ। ସମ୍ଭବତଃ ତଳେ ଶୋଇବେ ।
- କାହାରିକୁ କଟୁ କଥା କୁହନ୍ତୁ ନାହିଁ ନଚେତ ଆପଣଙ୍କର ମନ ଅଶାନ୍ତ ରହିବ ପୂଜାର ପୁରା ଫଳ ମିଳିନଥାଏ ।

0 Comments
Do you have any doubts or suggestions? Ask them here in the comments!