'ହରି ଶୟନୀ' ବା 'ପଦ୍ମା' ଏକାଦଶୀ
ଏକାଦଶୀ ବ୍ରତ ବିଷ୍ଣୁ ଙ୍କର ସମସ୍ତ ବ୍ରତଠାରୁ ସର୍ବୋତ୍ତମ ବ୍ରତ ଅଟନ୍ତି । ଏହି ବ୍ରତ ଆଠବର୍ଷ ବୟସ ଠାରୁ ଅଶୀବର୍ଷ ବୟସ ପର୍ଯ୍ୟନ୍ତ ସ୍ତ୍ରୀ, ପୁରୁଷ ନିର୍ବିଶେଷରେ ଉଭୟ ଉପବାସ କରିବା ପୂର୍ବକ ପାଳନ କରିପାରିବେ । ଏକାଦଶୀ ବ୍ରତଦ୍ୱାରା ହିଁ ମନୁଷ୍ୟ ସବୁ ପାପରୁ ମୁକ୍ତ ହୋଇଥାଏ । ଅକାଳ ମୃତ୍ୟୁ ଦୂରେଇ ଯିବ, ରାଜ୍ୟରେ ଯଥା ସମୟରେ ବର୍ଷା ହେବ ଓ ଅରାଜକତା ଦୂର ହେବ ଏବଂ କେବଳ ସେତିକି ନୁହେଁ ଏହିଦିନ ତୁଳସୀ ରୋପଣ ବା ତା’ ବୀଜବପନ କଲେ, ବହୁତ ପୂଣ୍ୟ ହୁଏ ।
ଏଣୁ ସର୍ବଦା ଏହି ବ୍ରତ କରିବା ଉଚିତ । ଏହା କଦାପି ଭୁଲିବା ଉଚିତ୍ ନୁହେଁ । ଏକାଦଶୀ ମଧ୍ୟରେ ଯେଉଁ କୃଷ୍ଣପକ୍ଷୀୟ ଏକାଦଶୀମାନ ପଡ଼େ, ଗୃହସ୍ଥ ପାଇଁ କେବଳ ତାହା ହିଁ ବ୍ରତ ରଖିବା ଯୋଗ୍ୟ । ଅନ୍ୟ ମାସର କୃଷ୍ଣପକ୍ଷୀୟ ଏକାଦଶୀ ଗୃହସ୍ଥ ପାଇଁ ବ୍ରତ ରଖିବା ଯୋଗ୍ୟ ନୁହେଁ । ଶୁକ୍ଳପକ୍ଷର ସମସ୍ତ ଏକାଦଶୀ କରିବା ଉଚିତ୍ ।
- ମଳମାସକୁ ବାଦ ଦେଲେ ବର୍ଷରେ ୨୪ଟି ଏକାଦଶୀ ପାଳନ କରାଯାଏ । ତା’ ମଧ୍ୟରୁ ଆଷାଢ଼,ଭାଦ୍ରବ, କାର୍ତ୍ତିକ ଓ ମାଘ ମାସର ଶୁକ୍ଳ ବ୍ରତ ଏକାଦଶୀ ମାନଙ୍କୁ ବଡ଼ ଏକାଦଶୀ କୁହନ୍ତି ।
- ଏଣୁ ଆଷାଢ଼ ଶୁକ୍ଳ ଏକାଦଶୀ ବା ହରିଶୟନ ଏକାଦଶୀ ବା ବଡ଼ ଏକାଦଶୀ ।
- ଶାସ୍ତ୍ର ଅନୁଯାୟୀ, ଯେଉଁମାନେ ଦେବଶୟନୀ ଏକାଦଶୀ ଉପବାସ ପାଳନ କରନ୍ତି, ସେମାନେ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପାଆନ୍ତି । ସମସ୍ତ ଏକାଦଶୀ ଉପବାସ ମଧ୍ୟରେ ଦେବଶୟନୀ ଏକାଦଶୀ ଉପବାସ ସର୍ବୋତ୍ତମ |
ଦଶମୀ ଦିନରୁ କରନ୍ତୁ ଏହି ଉପାୟ
- ଦଶମୀ ସକାଳେ ଶଯ୍ୟା ତ୍ୟାଗକରି ଦନ୍ତ ମଞ୍ଜନ ଓ ତୈଳ ମର୍ଦ୍ଦନ ବ୍ୟତୀତ ସ୍ନାନ କରି ବିଷ୍ଣୁ ପୂଜନ ପୂର୍ବକ ହରିଙ୍କୁ ଧ୍ୟାନକରି ମଧ୍ୟାହ୍ନରେ ଥରେ ମାତ୍ର ଭୋଜନ କରିବେ ।
- ଉକ୍ତଦିନ ଅଧିକ ଭୋଜନ କିମ୍ବା ଅଧିକ ଜଳପାନ ନିଷିଦ୍ଧ ଅଟେ । ଦଶମୀର ନିୟମ ଦ୍ଵାଦଶୀ ତିଥିରେ ମଧ୍ୟ ଅନୁରୂପ ପାଳନ କରିବାକୁ ହୁଏ ।
- କିଛି ଫଳ ପ୍ରାପ୍ତିର ଇଚ୍ଛାଥିଲେ ଦଶମୀ ରାତ୍ରି ଭୋଜନ କରିବା ଉଚିତ ନୁହେଁ ।
ଏକାଦଶୀରେ ନିୟମ
- ଯେଉଁ ମାନେ ଆତ୍ମ କଲ୍ୟାଣ ଇଚ୍ଛା କରନ୍ତି, ସେମାନେ ଏକାଦଶୀ ତିଥିରେ ଅନ୍ନ ଭୋଜନ କରିବା ଉଚିତ ନୁହେଁ ।
- ଏ ଭୌତିକ ଜଗତର ସମସ୍ତ ପ୍ରକାର ପାପ ଏକାଦଶୀ ତିଥିରେ ଅନ୍ନକୁ ଆଶ୍ରା କରିଥାଏ ।
- କଳିଯୁଗରେ ସକଳ ବ୍ୟକ୍ତି ବିପଥଗାମୀ ନିଷ୍ଠୁରତା ହେତୁ କଳୁଷିତ ହୋଇ ଅଛନ୍ତି ଏଣୁ ଏକମାତ୍ର ଏକାଦଶୀ ବ୍ରତ ହିଁ ସେମାନଙ୍କର ଉଦ୍ଧାରର ଉପାୟ ଅଟେ ଧର୍ମୋତ୍ତରରେ କୁହାଯାଇଛି - ବ୍ରହ୍ମଚାରୀ, ଗୃହୀ, ଦାନପ୍ରସ୍ଥୀ ଓ ଯତି ଯେ କେହି ହେଉ, ଏକାଦଶୀରେ ଅନ୍ନ ଭୋଜନ କଲେ ତାହା ଗୋମାଂସ ଭକ୍ଷଣ ତୁଲ୍ୟ ହୋଇଥାଏ ।
- ବାଳକ, ବୃଦ୍ଧ ବା ଆତୁର ବ୍ୟକ୍ତି ଏକାଦଶୀ ତିଥରେ ଥରେ ମାତ୍ର ଦୁଗ୍ଧ ବା ଫଳମୂଳ ସେବନ କରି ଦିନ ଯାପନ କରିବେ ।
- ସେହିଦିନ ପ୍ରତ୍ୟେକ ବ୍ୟକ୍ତି ଅଧିକ ଭଗବତ ନାମ ସ୍ମରଣ ଓ ନାମ ଭଜନ କରିବା ଉଚିତ |
- ଏକାଦଶୀ ରାତିରେ ଜାଗରଣ କରି ଶଙ୍ଖ, ଚକ୍ର ଓ ଗଦାଧାରୀ ଭଗବାନ ବିଷ୍ଣୁଙ୍କ ଭକ୍ତିପୂର୍ବକ ପୂଜା କରିବା ଉଚିତ ।
- ଯେଉଁ ମନୁଷ୍ୟ ଦୀପଦାନ, ପଳାଶ ପତ୍ରରେ ଭୋଜନ ଏବଂ ବ୍ରତ କରି ଚତୁର୍ମାସ ଅତିବାହିତ କରେ ସେ ମଧ୍ୟ ବିଷ୍ଣୁଙ୍କର ଅତି ପ୍ରିୟ ।
- ଚତୁର୍ମାସରେ ଭଗବାନ ବିଷ୍ଣୁ ଶୋଇ ରହନ୍ତି, ଏଥିପାଇଁ ମନୁଷ୍ୟ ଭୂମିରେ ଶୟନ କରିବା ଉଚିତ ।
- ଶ୍ରାବଣ ମାସରେ ଶାଗ, ଭାଦ୍ରବ ମାସରେ ଦହି, ଆଶ୍ୱିନ ମାସରେ ଦୁଧ ଏବଂ କାର୍ତ୍ତିକ ମାସରେ ଡାଲି ତ୍ୟାଗ କରିଦେବା ଉଚିତ ।
- ଯିଏ ଚତୁର୍ମାସରେ ବ୍ରହ୍ମଚର୍ଯ୍ୟ ପାଳନ କରେ, ସେ ପରମଗତି ପ୍ରାପ୍ତ ହୁଏ ।
ମହତ୍ତ୍ୱ
- ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀର ନାମ ‘ହରି ଶୟନୀ’ ବା ପଦ୍ମା ଏକାଦଶୀ । ଏହି ଏକାଦଶୀ ଦିନ ଯିଏ କମଳ ପୁଷ୍ପରେ କମଳଲୋଚନ ଭଗବାନ ବିଷ୍ଣୁଙ୍କ ପୂଜା ତଥା ଉତ୍ତମ ଏକାଦଶୀ ବ୍ରତ କରେ, ତା’ଦ୍ୱାରା ତିନିଲୋକ ଓ ତିନି ସନାତନ ଦେବତାଙ୍କ ପୂଜନ ହୋଇଥାଏ ।
- ‘ହରିଶୟନୀ ଏକାଦଶୀ’ ଦିନ ଭଗବାନଙ୍କ ଗୋଟିଏ ସ୍ୱରୂପ ରାଜା ବଳିଙ୍କ ପାଖରେ ରହେ ଓ ଅନ୍ୟଟି କ୍ଷୀର ସାଗରରେ ଶେଷନାଗ ଶଯ୍ୟାରେ ଆଗାମୀ କାର୍ତ୍ତିକ ଏକାଦଶୀ ଆସିବା ପର୍ଯ୍ୟନ୍ତ ଶୟନ କରେ ।
- ଏଣୁ ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ପର୍ଯ୍ୟନ୍ତ ମନୁଷ୍ୟ ଉତ୍ତମ ରୂପେ ଧର୍ମ ଆଚରଣ କରିବା ଉଚିତ ।
- ଯେଉଁ ମନୁଷ୍ୟ ଏହି ବ୍ରତର ଅନୁଷ୍ଠାନ କରେ, ସେ ପରମଗତି ପ୍ରାପ୍ତ ହୁଏ । ଏଣୁ ଯତ୍ନପୂର୍ବକ ଏହି ଏକାଦଶୀ ବ୍ରତ କରିବା ଉଚିତ୍ ।
- ଏହି ବ୍ରତ କରୁଥିବା ମନୁଷ୍ୟର ପୁଣ୍ୟର ଗଣନା କରିବାକୁ ସ୍ୱୟଂ ଚତୁର୍ମୁଖ ବ୍ରହ୍ମା ମଧ୍ୟ ଅସମର୍ଥ ।
- ଯିଏ ଏହି ପ୍ରକାର ଭୋଗ ଓ ମୋକ୍ଷ ପ୍ରଦାନକାରୀ ସର୍ବପାପହାରୀ ଉତ୍ତମ ଏକାଦଶୀ ବ୍ରତ ପାଳନ କରେ, ସେ ଜାତିରେ ଚଣ୍ଡାଳ ହୋଇଥିଲେ ମଧ୍ୟ ସଂସାରରେ ସର୍ବଦା ବିଷ୍ଣୁଙ୍କର ଅତି ପ୍ରିୟ ହୋଇ ରହେ ।
ଶ୍ରୀ ମନ୍ଦିରରେ ନୀତି
- ହରିଶୟନ ଏକାଦଶୀରେ ପରମ୍ପରା ଅନୁଯାୟୀ,ମହାପ୍ରଭୁ ୪ ମାସ ପର୍ଯ୍ୟନ୍ତ ଶୋଇ ରହିବେ । ଭାଦ୍ରବ ମାସରେ କଡ଼ ଲେଉଟେଇବେ। କାର୍ତ୍ତିକ ମାସ ଶୁକ୍ଲପକ୍ଷ ଏକାଦଶୀ ଦିନ ମହାପ୍ରଭୁ ନିଦରୁ ଉଠିବେ ।
- ହରି ହେଉଛନ୍ତି ବିଷ୍ଣୁ । ମହାପ୍ରଭୁ ହେଉଛନ୍ତି ବିଷ୍ଣୁଙ୍କ ଅବତାର । ଏଣୁ ମହାପ୍ରଭୁ ଆଜି ଠାରୁ ନିଦ୍ରା ଯାଇଛନ୍ତି । କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥ ନୁହଁନ୍ତି, ବିଷ୍ଣୁଙ୍କ ସମସ୍ତ ରୂପବି ଆଜିଠାରୁ ଶୋଇଛନ୍ତି । ଭାଦ୍ରବ ମାସରେ ମହାପ୍ରଭୁଙ୍କ କଡ଼ ଲେଉଟା ନୀତି ଅନୁଷ୍ଠିତ ହେବ ।
- ଏହି ପରମ୍ପରା ଆଧାରରେ ଆଜି ବଳଭଦ୍ରଙ୍କ ଶୟନ ଠାକୁର ବାସୁଦେବ, ମା’ ସୁଭଦ୍ରାଙ୍କ ଶୟନ ଠାକୁରାଣୀ ଭୁବନେଶ୍ଵରୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶୟନ ଠାକୁର ନାରାୟଣଙ୍କ ଅଙ୍ଗଲାଗି ନୀତି ସଂପନ୍ନ ପରେ ଶ୍ରୀମନ୍ଦିର ଭଣ୍ଡାର ଘରେ ଶୟନ ପାଇଁ ଆବାହନ କରାଯାଇଥିଲା ।
- ପରେ ତିନି ଠାକୁର ଭଣ୍ଡାର ଘର ଖଟ ଉପରେ ଆଜି ଠାରୁ ଚାରିମାସ ପର୍ଯ୍ୟନ୍ତ ଶୟନ କରିଛନ୍ତି । ଏହି ସମୟ ଭିତରେ ଯେହେତୁ ମହାପ୍ରଭୁ ଶୟନ ଯାଇଥାନ୍ତି, ସେହି ଦୃଷ୍ଟିରୁ ଏହା ଭିତରେ କୌଣସି ଶୁଭ କାର୍ଯ୍ୟ କରେ ଯାଏନି ବୋଲି ବିଶ୍ୱାସ ରହିଛି ।
- ପରମ୍ପରା ଅନୁଯାୟୀ, ହରିଶୟନ ଏକାଦଶୀ ପରେ ଦ୍ୱାଦଶୀ ତିଥିରେ ଗରୁଡ଼ ଶୟନ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଭଳି ପ୍ରଭୁ ଗରୁଡ଼ ବି ଶୟନରତ ରହିବେ ।
- ମହାପ୍ରଭୁ ଚାରିମାସ ପରେ ଉଠିବା ପରେ ପ୍ରଭୁ ଗରୁଡ଼ ବି ନିଦ୍ରାରୁ ଉଠିବେ । ଗରୁଡ଼ଙ୍କୁ ଗାଧୁଆପାଧୁଆ କରାଯାଇ ବସ୍ତ୍ରାଦି ଆଭୂଷଣରେ ବେଶ କରାଯିବା ପରେ ପଞ୍ଚଭୂତରେ ଭୋଗ ହୋଇ ଗରୁଡ଼ ମହାପ୍ରଭୁଙ୍କୁ ଆବାହନ କରାଯିବ। ପରେ ମହାପ୍ରଭୁ ଶୟନ କରିଥିବା ଭଣ୍ଡାର ଘର ଖଟ ତଳେ ପ୍ରଭୁ ଗରୁଡ଼ ବିଶ୍ରାମ ନେବେ । ଠାକୁରଙ୍କ ଖଟ ତଳେ ଶୋଇ ରହିବେ ।
ଧର୍ମ କେବେ ବିଜ୍ଞାନ ରହିତ ନୁହେଁ । ଉପବାସ ଶରୀର ପାଇଁ ବିଜ୍ଞାନ ସମ୍ମତ । ଏକାଦଶୀ ବ୍ରତରେ ପୂଣ୍ୟଫଳ ଥାଉ କି ନଥାଉ, ଅନ୍ତତଃ ଏହା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିହାତି ଜରୁରୀ ହେତୁ ଅନ୍ତତଃ ସମସ୍ତେ ଏ ବ୍ରତ ପାଳନ କରିବା ବିଧେୟ ।

0 Comments
Do you have any doubts or suggestions? Ask them here in the comments!