ମହାଶିବରାତ୍ରିର ଓଷା ବିଧି
ପୁରାଣ ଯୁଗରେ ଶିବ ପରମପୂଜ୍ୟ ତ୍ରିଦେବଙ୍କ ମଧ୍ୟରୁ ଅନ୍ୟତମ । ସୃଷ୍ଟିକର୍ତ୍ତା ବ୍ରହ୍ମା, ପାଳନକର୍ତ୍ତା ବିଷ୍ଣୁ ଏବଂ ସଂହାରକର୍ତ୍ତା ଶିବ । ସେ ପୁରୁଷ, ସୃଷ୍ଟି ପ୍ରକ୍ରିୟାର ଆଦିସ୍ରୋତ । ତେଣୁ ସୃଷ୍ଟିର ଉତ୍ପତ୍ତି ଓ ସ୍ଥିତିର ଆଧାର ସେ । ତାଙ୍କ ତେଜ ଓ ଉଷ୍ମାରୁ ଜାତ ପ୍ରକୃତି, ଜୀବଜଗତ ସହ ସାରା ବ୍ରହ୍ମାଣ୍ଡ । ତାଙ୍କ ଅଧୀନରେ ଉଭୟ ଲୟ ଓ ପ୍ରଳୟ | ତାଙ୍କ ବିଭୂତିରୁ ଜାତ ତିନି ମହାବିଦ୍ୟା ଯୋଗ, ଜ୍ୟୋତିଷ ଓ ତନ୍ତ୍ର । ତେଣୁ ସେ ଆଦିଯୋଗୀ, ଆଦିଜ୍ୟୋତିଷ ଏବଂ ମହାତାନ୍ତ୍ରିକ । ସେ ନିଷ୍ପକ୍ଷ, ନ୍ୟାୟନିର୍ଦ୍ଧାରକ, ଜୀବନରକ୍ଷକ, ଆଶୁତୋଷ ଜୀବଜଗତର ପରମ ଆରାଧ୍ୟ ପରମେଶ୍ବର।
ଦେବଦେବ ମହାଦେବଙ୍କ କୃପାଲାଭ ପାଇଁ ତାଙ୍କର ପୂଜା ଓ ଆରାଧନା ‘ମହାଶିବରାତ୍ରି'ର ଉଦ୍ଦେଶ୍ୟ । ଅନାଦି କାଳରୁ ଶିବରାତ୍ରୀ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ପବିତ୍ର ଦିନ । ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଉପବାସ ରହି ଶିବଶଙ୍କରଙ୍କୁ ଦର୍ଶନକରି, ମନ୍ଦିର ଚୂଡ଼ାକୁ ଉଠୁଥିବା ମହାଦୀପକୁ ଦେଖୁ ମନସ୍କାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରନ୍ତି । ଆସୁତୋଷ ଏହି ଦିନ ସଭିଙ୍କ ଉପରେ, କୃପା ଢ଼ାଳନ୍ତି ।
ଉପବାସରେ ରାତ୍ରି ଜାଗରଣ କରିବା କ'ଣ ପାଇଁ ?
- ଋଷି ମୁନି ମାନେ ସମସ୍ତ ଆଧ୍ୟାତ୍ମିକ ଅନୁଷ୍ଠାନ ମାନଙ୍କରେ ଉପବାସ କୁ ମହତ୍ତ୍ଵପୂର୍ଣ୍ଣ ମାନନ୍ତି। ଅତଃ ଆଧ୍ୟାତ୍ମିକ ସାଧନା ପାଇଁ ଉପବାସ ନିତ୍ୟାନ୍ତ ଆବଶ୍ୟକ। ଉପବାସ ସହ ରାତ୍ରି ଜାଗରଣର ମହତ୍ତ୍ଵ ଉପରେ ସନ୍ଥ ମାନେ କହିଛନ୍ତି ‘ ୟା ନିଶା ସର୍ବଭୂତାନାଗ୍ ତସ୍ୟାଂ ଜାଗର୍ତି ଶୟଂମି।’
- ଏହାର ସିଧା ତାତ୍ପର୍ଜ୍ୟ ଏହିକି ଯେ ଉପାସନା ଦ୍ଵାରା ଇନ୍ଦ୍ରିୟ ଏବଂ ମନ ଉପରେ ନିୟନ୍ତ୍ରଣ କରିପାରୁଥିବା ବ୍ୟକ୍ତି ହିଁ ରାତିରେ ଉଜାଗର ରହି ନିଜର ଲକ୍ଷ୍ୟକୁ ପାଇବା ପାଇଁ ସକ୍ଷମ ଅଟେ। ଅର୍ଥାତ୍ ଶିବ ଉପାସନା ପାଇଁ ଉପବାସ ଏବଂ ରାତ୍ରି ଜାଗରଣ ଉପଯୁକ୍ତ ଅଟେ। ରାତ୍ରି ପ୍ରିୟ ଶିବଙ୍କୁ ସାକ୍ଷାତ କରିବାର ସମୟ ରାତ୍ରି ଅପେକ୍ଷା ଆଉ କେଉଁ ସମୟ ବା ହେଇପାରେ?
- ଏହି ସବୁ କାରଣରୁ ଏହି ମହାନ୍ ବ୍ରତରେ ବ୍ରତାଚାରି ମାନେ ଉପବାସ ସହ ରାତ୍ରୀରେ ଚାହିଁ ଶିବଙ୍କ ପୂଜାର୍ଚ୍ଚନା କରନ୍ତି। ଏଥି ପାଇଁ ମହାଶିବରାତ୍ରି ରେ ରାତ୍ରିର ଚାରି ପ୍ରହରରେ ବିଶେଷ ପୂଜା କରାଯାଏ। ସକାଳର ଆରତୀ ସହ ଏହି ଉପାସନା ପୂର୍ଣ୍ଣ ହୁଏ।
ଓଷା ବିଧି
ଗରୁଡ ପୁରାଣ ଅନୁଯାୟୀ, ଶିବରାତ୍ରୀର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ତ୍ରୟୋଦଶୀ ତିଥି ଠାରୁ ଏକାର୍ଣ୍ଣ ଖାଇ ଭଗବାନ ଶିବଙ୍କୁ ଉପାସନା କରାଯାଇଥାଏ । ଏହାକୁ ଏକବାର ମଧ୍ୟ କୁହା ଯାଇଥାଏ | ଏହା ପରଦିନ ଚତୁର୍ଦଶୀ ତିଥିରେ ସମ୍ପୂର୍ଣ୍ଣ ଉପବାସ ରଖି ଭୋଲେନାଥଙ୍କର ପୂଜା କରାଯାଏ | ଏହି ପୂଜା ବିଧି ଚତୁର୍ଦଶୀ ସନ୍ଧ୍ୟା ଠାରୁ ଆରମ୍ଭ ହୋଇ ଅମାବାସ୍ୟା ପଶିଲେ ମହାଦୀପ ଉଠାଇ ବ୍ରତ ଶେଷ କରାଯାଇଥାଏ |
ଏହି ଦିନ ହିନ୍ଦୁ ନରନାରୀ ଶୁଦ୍ଧପୂତ ଭାବରେ ଉପବାସ ପୂର୍ବକ ଅଖଣ୍ଡ ଦୀପ ଜାଳି ରାତ୍ରି ଉଜାଗର ରହି ବ୍ରତ ପାଳୁଥିବାରୁ ଏହାକୁ ଜାଗର ଓଷା ବା ଜାଗର ବ୍ରତ ମଧ୍ୟ କୁହାଯାଇଥାଏ । ବ୍ରତାଚାରୀମାନେ ଉକ୍ତ ଦିନରେ ଉପବାସ ରହନ୍ତି ଓ ସନ୍ଧ୍ୟାରେ ଶିବ ମନ୍ଦିର ଯାଇ ଅଖଣ୍ଡ ଦୀପ ଜାଳି ଉଜାଗର ରହନ୍ତି । ସେହି ରାତ୍ରିର ଚାରିପ୍ରହରରେ ଦୀପ ଜାଳିବା ସହିତ ଶିବଙ୍କର ପୂଜା ସହିତ ନାମ ଜପ କରାଯିବାର ବିଧି ରହିଛି । ଗୁରୁଦତ୍ତ ନାମ ଜପର ବିଧି ରହିଛି ଯିଏ ଗୁରୁ କରିନଥିବ ସେ ଶିବଙ୍କର ଅଷ୍ଟନାମ ଯଥା- ଭବ, ଶର୍ବ, ରୁଦ୍ର, ପଶୁପତି, ଉଗ୍ର, ମହାନ ଭୀମ, ଈଶାନ ମଧ୍ୟରୁ ଯେକୌଣସି ନାମ କିମ୍ବା ' ଓଁ ନମଃ ଶିବାୟ' ପଞ୍ଚାକ୍ଷର ମନ୍ତ୍ର ଜପ କରିପାରିବ ।
- ମହାଶିବରାତ୍ରୀ ଦିନ ଶିବଲିଙ୍ଗକୁ ପଞ୍ଚାମୃତ,ଗଙ୍ଗାଜଳ,ରେ ଅଭିଷେକ କରି ‘ଓଁ ନମୋ ଶିବାୟ’ ମନ୍ତ୍ର ଜପି ପୂଜା କରାଯିବା ଉଚିତ୍। ଏହା ପରେ ବ୍ରତଧାରୀମାନେ ସନ୍ଧ୍ୟାରେ ଦୀପ ଜାଳି ପ୍ରତି ପ୍ରହରରେ ବିଧି ମୁତାବକ ଅଭିଷେକ କରନ୍ତୁ ଏବଂ ପରଦିନ ସକାଳେ ବ୍ରାହ୍ମଣମାନଙ୍କୁ ଦାନ କରି ଉପବାସ ଭାଙ୍ଗିବା ଉଚିତ୍।
- ଗରୁଡ ପୁରାଣ ଅନୁଯାୟୀ, ଏହି ଦିନ ଶିବଙ୍କୁ ବେଲ ପତ୍ର ସହିତ ଧଳା ରଙ୍ଗର ଫୁଲ ଅର୍ପଣ କଲେ ମହାଦେବ ପ୍ରସନ୍ନ ହୁଅନ୍ତି । ଭଗବାନ ଶିବଙ୍କର ବେଲ ପତ୍ର,କେତକୀ ଫୁଲ,ଧତୁରI ଫୁଲ,ଅରଖ ଫୁଲ,ଧଳା କନିଅର ଓ ଗଇସ ଫୁଲ ଅତ୍ୟନ୍ତ ପ୍ରିୟ ହୋଇଥାଏ I ଶିବ ପୁରାଣ ଅନୁଯାୟୀ ରୁଦ୍ରାକ୍ଷ,ବେଲପତ୍ର, ଭାଙ୍ଗ, ଏବଂ କାଶୀ ପୀଠ ଭଗବାନ ଶିବଙ୍କର ଅତି ପ୍ରିୟ।
- ଶିବରାତ୍ରୀ ଦିନ ନିଶାର୍ଦ୍ଧରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ରୋଗ, ଶୋକ ଦୂର ହୁଏ I ସେହିପରି ଏହିଦିନ ସ୍ଫଟିକ ର ଏକ ଶିବଲିଙ୍ଗ ଆଣି ଏହାକୁ ମନ୍ଦିରରେ ପୂଜା କରାଇ ଆପଣଙ୍କ ଅଫିସ କିମ୍ବା ବ୍ୟବସାୟ ପ୍ରତିଷ୍ଠାନରେ ସ୍ଥାପନ କଲେ ସମସ୍ତ ପ୍ରକାରର ଆର୍ଥିକ ସମସ୍ୟା ଦୂର ହୋଇ ଆର୍ଥିକ ଉନ୍ନତି ହୋଇଥାଏ I
- ଯଦି ଘରେ କେହି ଅନେକ ଦିନ ଧରି ଅସୁସ୍ଥ ରହୁଥାନ୍ତି,କିମ୍ବା ନିଜେ ମଧ୍ୟ କୌଣସି ଶାରୀରିକ କଷ୍ଟ ଭୋଗୁଥାନ୍ତି ,ତେବେ ଶିବରାତ୍ରୀ ଦିନ ମଧ୍ୟ ରାତ୍ରରେ ପୂଜା ସମୟରେ ଏକ ରୁଦ୍ରାକ୍ଷ ମାଳାରେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ I ସମସ୍ତ କଷ୍ଟରୁ ମୁକ୍ତି ପାଇବେ I
- ମହିଳାମାନେ ସୁଖ ସୌଭାଗ୍ୟ ପ୍ରାପ୍ତି ପାଇଁ ଭଗବାନ ଶିବଙ୍କୁ କ୍ଷୀର ଏବଂ ସୁଦ୍ଧା ଦେଶୀ ଘିଅ ରେ ଅଭିଷେକ କରନ୍ତୁ I ଏହି ସମୟରେ ‘ଓମ ହ୍ରୀ ନମୋ ଶିବାୟ ହ୍ରୀ ଓମ୍’ ମନ୍ତ୍ର ଜପ କରନ୍ତୁ I
- ଏହି ଦିନ ମାତା ଲକ୍ଷ୍ମୀ ନିଜ ଶ୍ରୀ ସ୍ୱରୂପରେ କେବଳ ଭଗବାନ ଶିବଙ୍କ କୃପା ଦ୍ୱାରା ସମଗ୍ର ମାନବ ଜାତିକୁ ଅଖଣ୍ଡ ସୌଭାଗ୍ୟ ପ୍ରଦାନ କରିଥାନ୍ତି I ତେଣୁ ଶିବରାତ୍ରୀରେ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ‘ଓମ୍ ଶ୍ରୀ ଏଁ ଓମ୍’ ମନ୍ତ୍ରକୁ ଦଶ ମାଳା ଜପ କରନ୍ତୁ I
- ଯଦି କୌଣସି କାରଣରୁ ବିବାହରେ ବାଧା ଦେଖା ଦେଉଥାଏ ,
- ‘ହେ ଗୌରୀ ଶଙ୍କରାର୍ଦ୍ଧାଙ୍ଗି,ଯଥା ତ୍ଵଂ ଶଙ୍କର ପ୍ରିୟା, ତଥା ମାଂ କୁରୁ କଲ୍ୟାଣୀ କାନ୍ତ କାନ୍ତା ସୁଦୁର୍ଲଭIମ’
- ଏହି ମନ୍ତ୍ର ଜପ ସହିତ ଶିବ-ଶକ୍ତିଙ୍କୁ ପୂଜା କରନ୍ତୁ I ଶୀଘ୍ର ବିବାହ ଜନିତ ସମସ୍ତ ବାଧା ଦୂର ହୋଇଯିବ I
ଚାରୋଟି ପ୍ରହର
- ପ୍ରତିବର୍ଷ ଫାଲ୍ଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରୀ ପାଳନ କରାଯାଏ । ଶିବଙ୍କ ପୂଜା ଉପାସନା ନିମନ୍ତେ ସୋମବାର, ପ୍ରତ୍ୟେକ ପକ୍ଷର ଚତୁର୍ଦ୍ଦଶୀ ତିଥି ଓ ଶିବରାତ୍ରି ସର୍ବୋକୃଷ୍ଟ । ଅନ୍ୟ ଦେବତାଙ୍କ ପୂଜା ଦିନରେ ହେଉଥିବାବେଳେ ଏହି ପର୍ବରେ ଭଗବାନ ଶିବଙ୍କର ପୂଜା ରାତିରେ ହେଇଥାଏ।
- ସାରା ସଂସାରରୁ ଅଜ୍ଞାନରୂପକ ଅନ୍ଧକାରକୁ ଦୂରକରି ଆଲୋକ ପ୍ରଦାନ କରିବା ହେଉଛି ମହାଦୀପ ଉଠାଣର ଉଦ୍ଦେଶ୍ୟ । ରାତ୍ରର ପ୍ରତ୍ୟେକ ପ୍ରହରରେ ଶିବଲିଙ୍ଗକୁ ପୁଷ୍ପ, ପତ୍ର ଓ ଫଳ ଆଦି ପ୍ରଦାନ କରାଯାଇ ଉପାସନା କରାଯାଏ । ଏହିଦିନ ଭଗବାନ ଶିବଙ୍କ ଉପରେ କେତକୀଫୁଲ ଚଢ଼ାଯିବାର ବିଧି ରହିଛି ।
- ଆତ୍ମ କଲ୍ୟାଣର ରାସ୍ତାକୁ ପରିସ୍କାର କରିବାପାଇଁ ଅଖଣ୍ଡ ସଜାଗତା ଓ ଜ୍ଞାନର ଆଲୋକ ଏ ଦୁଇଟିର ଆବଶ୍ୟକତା ରହିଛି ବୋଲି ଏଇ ପର୍ବ ଶିକ୍ଷା ଦିଏ । ମଝିରାତିକୁ ମନ୍ଦିରର ଶିଖରକୁ ବିଶାଳ ମହାଦୀପ ନିଆଯାଏ । ତାହାକୁ ଦର୍ଶନ କରି ଭକ୍ତମାନେ ବିହ୍ୱଳ ହୁଅନ୍ତି ।
- ଶିବରାତ୍ରିକୁ ଚାରୋଟି ପ୍ରହରରେ ସମ୍ପନ୍ନ କରାଯାଏ । ପ୍ରତ୍ୟେକ ପ୍ରହରର ସମୟ ତିନି ଘଟିକା ।
- ପ୍ରଥମ ପ୍ରହର ବା ସନ୍ଧ୍ୟା ସମୟରେ ଶିବଲିଙ୍ଗକୁ ଦୁଗ୍ଧରେ ଅଭିଷେକ କରାଯାଏ ।
- ଦ୍ୱିତୀୟ ପ୍ରହର ବା ସନ୍ଧ୍ୟାର ପରବର୍ତ୍ତୀ ସମୟରେ ଲିଙ୍ଗକୁ ଦହିରେ ଅଭିଷେକ କରାଯାଏ ।
- ତୃତୀୟ ପ୍ରହର ବା ଘୋର ରାତ୍ର ସମୟରେ ଶିବଲିଙ୍ଗକୁ ମହୁରେ ଅଭିଷେକ କରାଯାଏ ।
- ରାତ୍ରର ଶେଷ ପ୍ରହର ସମୟରେ ଶିବ ମନ୍ଦିରର ଚୁଡ଼ାଦେଶକୁ ମହାଦୀପ ଉଠାଯାଏ ।
ପରଦିନ ସ୍ନାନାଦି ସମାପନ କରି ଭକ୍ତମାନେ ସେମାନଙ୍କ ଉପବାସ ଭଙ୍ଗ କରନ୍ତି । ମହାଦ୍ଵୀପ ଉଠିବା ପରେ ଦର୍ଶନ ପରେ ଯଦି କେହି ଚାହାନ୍ତି ଫଳମୂଳ ଆହାର କରିପାରିବେ | ନଚେତ ଓଷା ପରଦିନ ସ୍ନାନାଦି ସମାପନ କରି ଭକ୍ତମାନେ ସେମାନଙ୍କ ଉପବାସ ଭଙ୍ଗ କରିପାରିବେ |
ବିଶ୍ୱାସ ରହିଛି ଯେ, ନିଷ୍ଠାର ସହିତ ଶିବରାତ୍ରୀ ଉପବାସ ଓ ଅଖଣ୍ଡ ଦୀପ ପ୍ରଜ୍ୱଳନ ଦ୍ୱାରା ଜୀବନର ସମସ୍ତ ପାପତାପ ଦୂର ହୋଇ ସୁଖଶାନ୍ତି ମିଳିଥାଏ । ସଂସାରର ଦୁଃଖ ହରଣକାରୀ ଦେବ ଦେବ ମହାଦେବଙ୍କୁ ଭକ୍ତମାନେ ଦୁଧ, ପଣା, ଖୁଆ, ତ୍ରିଶାଖା, ଦୁଦୁରାଫୁଲ, ଅରଖ, କେତକୀଫୁଲ, ଆଦି ଅର୍ପଣ କରିବା ସହିତ ରାତ୍ରରେ ଉଜାଗର ରହିଥାନ୍ତି । ପରଦିନ ପ୍ରଭାତରୁ ସ୍ନାନ ପୂର୍ବକ ଶିବ ଦର୍ଶନ ଓ ଶିବ ପାଦୋଦକ ସେବନ ପରେ ଶିବରାତ୍ରୀ ବ୍ରତ ସମାପିତ ହୋଇଥାଏ ।


0 Comments
Do you have any doubts or suggestions? Ask them here in the comments!