କେବେ ଓ କାହିଁକି ପାଳନ କରାଯାଏ ମହାଶିବରାତ୍ରି (ଜାଗର) ?
କେବେ ଓ କାହିଁକି ପାଳନ କରାଯାଏ ମହାଶିବରାତ୍ରି (ଜାଗର) ?
ଉପନିଷଦ ମତରେ ଶିବ ହିଁ ଭୂତ,ଭବିଷ୍ୟତ ଓ ବର୍ତ୍ତମାନ ରୂପେ ପରିଚିତ । ସେ କାଳ, ନିତ୍ୟ, ଅନିତ୍ୟ, ଅବ୍ୟକ୍ତ, ବ୍ୟକ୍ତ,ପୁରୁଷ, ଗାୟତ୍ରୀ, ସାବିତ୍ରୀ,ସକଳ ବେଦ ସ୍ୱରୂପ, ତାଙ୍କ ଦକ୍ଷିଣରେ ସୂର୍ଯ୍ୟ, ବ୍ରହ୍ମା,ଗାର୍ହପତ୍ୟ, ବାମରେ ଉମା,ବିଷ୍ଣୁ ଓ ସୋମ ରହିଛନ୍ତି । ଶିବ ହେଉଛନ୍ତି ରାତ୍ରି । ସଂହାର କାଳର ପ୍ରତିନିଧି ତଥା ଭୂତପ୍ରେତଙ୍କର ନିୟାମକ । ତେଣୁ ଦିନରେ ସୂର୍ଯ୍ୟଙ୍କର ଆଲୋକରେ ସେ ନିଜର ପ୍ରଭାବ ଦେଖାଇନପାରି ରାତ୍ରିର ଘନକୃଷ୍ଣ ଅନ୍ଧକାରର ଆବରଣ ତଳେ ନିଜର ଶକ୍ତି ପ୍ରଦର୍ଶନ କରିଥାଆନ୍ତି ।
ସେଥିପାଇଁ ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷର ସମସ୍ତେ ନିର୍ଜଳା ଉପବାସ ପୂର୍ବକ ଉଜାଗର ରହି ସର୍ବକଲ୍ୟାଣର ପ୍ରତୀକ,ସର୍ବତ୍ୟାଗୀ ସାଗର ମନ୍ଥନରୁ ପ୍ରାପ୍ତ ହଳାହଳ ବିଷପାନକାରୀ, ତ୍ରିଲୋକର ଦୂଃଖ ସନ୍ତାପହାରୀ, ଆଶୁତୋଷ ଦେବ ଦେବ ମହାଦେବଙ୍କର ପୂଜା ଆରାଧନାରେ ମଜ୍ଜି ଥାଆନ୍ତି ।
କେବେ ପାଳନ କରାଯାଏ ?
ଫାଲ୍ଗୁନମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ । ଯେତେବେଳେ ସୂର୍ଯ୍ୟ କୁମ୍ଭ ରାଶି ଏବଂ ଚନ୍ଦ୍ର ମକର ରାଶିରେ ହୋଇଥାଏ,ସେତେବେଳେ ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ, ସେହି ଦିନର ଅର୍ଦ୍ଧରାତ୍ରିକୁ ମହାଶିବ ରାତ୍ରି ରୂପେ ପାଳନ କରାଯାଏ ଅର୍ଥାତ ଉତ୍ତରାର୍ଦ୍ଧ ଓ କାମିକଙ୍କ ମତାନୁସାରେ ସୂର୍ଯ୍ୟଙ୍କ ଅସ୍ତ ସମୟରେ ଯେଉଁ ଚତୁର୍ଦ୍ଦଶୀ ଭୋଗ ହୋଇଥାଏ, ସେହି ରାତ୍ରିକୁ ଶିବରାତ୍ରି କୁହାଯାଏ । ଏହା ଅତ୍ୟନ୍ତ ଫଳଦାୟକ ଓ ଶୁଭ କୁହାଯାଏ ।
କାହିଁକି ପାଳନ କରାଯାଏ ?
- ତେବେ ମହାଶିବରାତ୍ରି ନିର୍ଯ୍ୟାସ ହେଲା, ଅଜ୍ଞାନ ଓ ଅନ୍ଧାରରୁ ମୁକ୍ତି ପାଇଁ ଏହି ଦିନକୁ ପାଳନ କରାଯାଏ । ଖାସ୍ ସେଇଥିପାଇଁ ଭକ୍ତମାନେ ଜାଗରଣ କରି ମନ, ଚେତନା ଓ ବୁଦ୍ଧିରେ ବଡ ଧରଣର ପରିବର୍ତ୍ତନ ଆଣିଥାନ୍ତି ।
- ମୁନି ସନତ କୁମାରଙ୍କ ମତରେ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି । ସେ ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ । ଜାବାଳି ଶ୍ରୁତି ଅନୁସାରେ ଦଶ ଶୈବ ବ୍ରତ ମଧ୍ୟରେ ଏହି ଶିବରାତ୍ରି ବ୍ରତ ଅତ୍ୟନ୍ତ ସିଦ୍ଧିଦାୟକ ।
- ମାଧବଙ୍କ ମତାନୁସାରେ “ଇଶାନ ସଂହିତା” ରେ ବର୍ଣ୍ଣିତ ଅଛିଯେ, ଯେଉଁ ରାତିର ଅର୍ଦ୍ଧ ରାତିକୁ ପ୍ରଦୋଷ ଯୁକ୍ତ ଚତୁର୍ଦ୍ଦଶୀ ଭୋଗ ହେବ, ସେହି ତିଥିରେ ମୋର ପ୍ରସନ୍ନତା ପାଇଁ ମନୁଷ୍ୟ ନିଜର କାମନା ନିମନ୍ତେ ବ୍ରତାଚରଣ କରିବେ ।
- ଅର୍ଦ୍ଧ ରାତ୍ରି ପୂର୍ବରୁ କିମ୍ବା ପରେ ଯଦି ଚତୁର୍ଦ୍ଦଶୀ ତିଥି ନଥାଏ ତେବେ ବ୍ରତ ଧାରଣ କରିବା କଥା ନୁହେଁ କାରଣ ଏହି ସମୟରେ ବ୍ରତ ଧାରଣ କଲେ ଆୟୁ ଓ ଐଶ୍ୱର୍ଯ୍ୟର ହାନି ହୋଇଥାଏ ।
ଆମ ବ୍ୟବସ୍ଥାରେ ମହାଶିବରାତ୍ରିକୁ ନେଇ ବିଭିନ୍ନ କିମ୍ୱଦନ୍ତୀ ଭିନ୍ନ ଭିନ୍ନ କଥା କୁହନ୍ତି ।
1. ପୁରାଣର ଆଖ୍ୟାନ ଅନୁସାରେ, ଦେବ ଓ ଅସୁରମାନଙ୍କଦ୍ୱାରା କ୍ଷୀରସାଗର ମନ୍ଥନ ସମୟରେ ଯେଉଁ ହଳାହଳ ବିଷ ନିର୍ଗତ ହୋଇଥିଲା, ଜଗତକୁ ରକ୍ଷା କରିବା ପାଇଁ ବିଷପାନ କରିଥିଲେ । ଏହି ବିଷକୁ ପାନ କରିବା ପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତାଙ୍କର ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗର ରହି ତାଙ୍କ ମସ୍ତକରେ ଚନ୍ଦନ କର୍ପୁର ଆଦି ବିଭିନ୍ନ ଶୀତଳ ସାମଗ୍ରୀ ତଥା ଜଳଲାଗି କରିବାରୁ ମହାଦେବଙ୍କର ପୁନଶ୍ଚ ଚେତନା ଫେରିଆସିଲା । ବିଷ୍ଣୁ ଉକ୍ତ ଦିନଟି ସଂପର୍କରେ ପ୍ରଜାପତି ବ୍ରହ୍ମାଙ୍କୁ ପଚାରିବାରୁ ବ୍ରହ୍ମା ଏହି ଦିବସଟିକୁ ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ବୋଲି କହିଥିଲେ ।
2. କିମ୍ବଦନ୍ତୀ ଅନୁଯାୟୀ ଏହି ଶିବରାତ୍ରୀ ଦିନ ବ୍ରହ୍ମା ଓ ବିଷ୍ଣୁ ନିଜ ନିଜର ଅଲୌକିକ ଶକ୍ତି ବା ଅତି ମାନବୀୟ ଶକ୍ତିକୁ ନେଇ କଳହ କରିଥିଲେ । ଏଥି ନିମିତ୍ତ ଶିବ ବ୍ରହ୍ମାଙ୍କୁ ଦଣ୍ଡବିଧାନ କରିଥିଲେ ଶିବ ନିଜ ଶକ୍ତିରୁ ପ୍ରକାଣ୍ଡ ଅଗ୍ନୀ ସୃଷ୍ଟିକଲେ ଯାହାକି ବିଶ୍ୱବ୍ରହ୍ମାଣ୍ଡ ସର୍ବତ୍ର ବ୍ୟାପିଗଲା । ଏହି ଅଗ୍ନିର ପରିସମାପ୍ତି କେଉଁଠି ଦେଖିବା ପାଇଁ ବ୍ରହ୍ମା ଓ ବିଷ୍ଣୁ ବାହାରିଥିଲେ । କିନ୍ତୁ ଏଥିରେ ହତାଶ ହେଲେ । ବ୍ରହ୍ମା ଏହାକୁ ମିଥ୍ୟାର ଆଶ୍ର ବୋଲି କହିବାରୁ କ୍ରୋଧୀ ଶିବ ବ୍ରହ୍ମାଙ୍କୁ ଅଭିଶାପ ଦେଇଥିଲେ । ତେଣୁ ବ୍ରହ୍ମାଙ୍କୁ ପୂଜା କରିବାର ପରମ୍ପରା ହିନ୍ଦୁ ସଂସ୍କୃତିରେ ନାହିଁ ।
3. ଶିବରାତ୍ରୀକୁ ନେଇ ଅନେକ କିମ୍ବଦନ୍ତୀ ରହିଛି । ଥରେ ବ୍ରହ୍ମାବିଷ୍ଣୁ ନିଜର ଶ୍ରେଷ୍ଠତାକୁ ନେଇ ଶିବଙ୍କ ପାଖକୁ ଆସି ପହଞ୍ଚିଲେ । ଶିବ ସହାସ୍ୟରେ ଦୁହିଁଙ୍କୁ ଚାହିଁଲେ ଏବଂ ତତ୍କାଳ ଏକ ଶିବଲିଙ୍ଗ ପ୍ରକଟ ହେଲା, ଶିବ ଏହାର ବ୍ୟାପ୍ତିର ଦୂରତାକୁ ଆକଳନ କରିଆସିବାକୁ କହିଲେ । ବ୍ରହ୍ମା ଆସି ଏହାର ଅନ୍ତିମ ଦୂରତା, ପ୍ରକାଶ କରନ୍ତେ, ବିଷ୍ଣୁ ନମ୍ରତାର ସହ କହିଲେ, “ମୁଁ ଏହାର ବ୍ୟାପ୍ତିର ବ୍ୟବଧାନକୁ ମାପିପାରିଲି ନାହିଁ ।’ ବ୍ରହ୍ମା ମିଛ କହୁଥିବାରୁ ଶିବ କ୍ରୋଧିତ ହୋଇ ତାଙ୍କର ଏକ ଶିରଚ୍ଛେଦନ କଲେ । କିମ୍ବଦନ୍ତୀ କହେ ଏହି ଘଟଣା ଶିବରାତ୍ରୀ ଦିନ ଘଟିଥିଲା ।
- କେବଳ ସେତିକି ନୁହେଁ, ଆଜିର ଦିନର ତତ୍ତ୍ୱ ଏକଥା ବି ସୂଚାଇଥାଏ ଯେ ଏ ସୃଷ୍ଟିର ସର୍ଜନା ଏଭଳି ହୋଇଛି, ଯେଉଁଠି ଅନ୍ତିମ ନିର୍ଣ୍ଣାୟକ ବିନ୍ଦୁରେ କେହି କେବେ ବି ପହଞ୍ଚିପାରିବେ ନାହିଁ । ଅର୍ଥାତ୍ ଜଗତର ପ୍ରତିଟି ପ୍ରାଣୀ ବଡ ବା ଛୋଟ ବୋଲି କୁହାଯାଇପାରିବ ନାହିଁ । ସମୟର ଆବଶ୍ୟକତାରେ ଜଗତର ପ୍ରତିଟି ସୃଷ୍ଟି କିିଛି ନା କିଛି ଜ୍ଞାନର ଅଧିକାରୀ ଏବଂ ସ୍ଥଳବିଶେଷରେ ଉପଯୋଗୀ ମଧ୍ୟ ।
4. ଏକଥା ବି କୁହାଯାଏ, ପ୍ରଭୁ ଆଜି ତାଣ୍ଡବ ନୃତ୍ୟ ପ୍ରଦର୍ଶନ କରିଥିଲେ । ବିଶ୍ୱାସ ଅଛି, ଆଜିର ଦିନରେ ପ୍ରଥମ ଗୁରୁ ଆଦି ଯୋଗୀ ଶିବଙ୍କୁ ଆରାଧନା କରି ଜ୍ଞାନ ପ୍ରାପ୍ତି କରିଥିଲେ ।
5. ଏପରି କୁହାଯାଏ ଯେ, ଏହିଦିନ ଭଗବାନ ଶିବଙ୍କ ବିବାହ ମାତା ପାର୍ବତୀଙ୍କ ସହିତ ହୋଇଥିଲା । ଏଥିପାଇଁ ଏହି ପବିତ୍ର ରାତ୍ରିକୁ ମହାଶିବରାତ୍ରିଙ୍କ ନାମରେ ଜଣାଶୁଣା । ଦେବଦେବ ମହାଦେବଙ୍କଦ୍ୱାରା ଏଇ ଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି ।
6. ଶିବରାତ୍ରର ମହିମା ସମ୍ପର୍କରେ ମହାଭାରତର ଶାନ୍ତିପର୍ବରେ କଥିତ ଅଛି ଯେ ପିତାମହ ଭୀଷ୍ମ ଶରଶଯ୍ୟାରେ ଥାଇ ଧର୍ମୋପଦେଶ ଦେଲାବେଳେ ମହାଶିବରାତ୍ରି ପାଳନ ସମ୍ପର୍କରେ ଇକ୍ଷାକୁ ବଂଶର ରାଜା ଚିତ୍ରଭାନୁଙ୍କ କାହାଣୀ ଉଦ୍ଧାର କରିଥିଲେ । ରାଜା ଚିତ୍ରଭାନୁ ସମଗ୍ର ଜମ୍ବୁଦ୍ୱୀପର ଏକଛତ୍ର ଶାସକ ଥିଲେ | ରାଜା ଚିତ୍ରଭାନୁଙ୍କ ସ୍ତ୍ରୀ ଥରେ ଶିବରାତ୍ରି ଉପବାସ ପାଳନ କରିଥିଲେ । ସେ ସମୟରେ ଋଷି ଅଷ୍ଟବକ୍ର ରାଜଦରବାରକୁ ଆସି ରାଜାଙ୍କୁ ଏହି ଦିବସ ପାଳନର କାରଣ ପଚାରିଥିଲେ ।
- ରାଜା ଜାତିସ୍ମର ଥିବାରୁ ନିଜ ପୂର୍ବଜନ୍ମର କାହାଣୀ ବର୍ଣ୍ଣନା କଲେ | ପୂର୍ବଜନ୍ମରେ ସୁସ୍ୱର ନାମରେ ସେ ଜଣେ ଶିକାରୀ ଥିଲେ । ଦିନେ ବଣରେ ବୁଲୁବୁଲୁ ସନ୍ଧ୍ୟା ହେଲା । ନିଜ କୁଟୀରକୁ ଫେରି ନ ପାରି ରାତିରେ ହିଂସ୍ରଜନ୍ତୁଙ୍କ କବଳରୁ ରକ୍ଷାପାଇବା ପାଇଁ ସେ ନିକଟରେ ଥିବା ବେଲଗଛ ଉପରକୁ ଚଢ଼ିଗଲେ । ରାତିସାରା ବେଲପତ୍ର ଛିଡ଼ାଇ ତଳକୁ ପକାଇବା ସହ ନିଜ ପରିବାର କଥା ଭାବି ଲୁହ ଝରାଇବାକୁ ଲାଗିଲେ । ତାଙ୍କ ଅଜାଣତରେ ସେହି ଲୁହ ଓ ପତ୍ର ବେଲ ବୃକ୍ଷର ପାଦଦେଶରେ ଥିବା ଶିବଲିଙ୍ଗ ଉପରେ ପଡୁଥାଏ । ସକାଳ ହେବାରୁ ସେ ଶିକାର ଧରି ଘରକୁ ଫେରିଲେ ।
- ପ୍ରଥମେ ଜଣେ ଭିକ୍ଷୁକୁ କିଛି ଖାଦ୍ୟ ଦାନକରି ନିଜେ ଖାଦ୍ୟଗ୍ରହଣ କଲେ । କିଛି ବର୍ଷ ପରେ ତାଙ୍କ ମୃତ୍ୟୁ ହେବାରୁ ସେ ଶୈବଲୋକ ପ୍ରାପ୍ତ ହେଲେ । ଅଜ୍ଞାତରେ, ସେ ଶିବରାତ୍ରି ଦିନ ଉପବାସ ରହି ଶିବଲିଙ୍ଗ ଉପରେ ବେଲପତ୍ର ଓ ଲୋତକ ସମର୍ପଣ କରିଥିବାରୁ ସେ ଶିବଙ୍କ ପାଖରେ ରହିବାର ସୁଯୋଗ ଲାଭ କରି ପରଜନ୍ମରେ ଚିତ୍ରଭାନୁ ରୂପରେ ରାଜଗାଦି ଭୋଗ କଲେ । ଏହା ହେଉଛି ରାଜା ଚିତ୍ରଭାନୁଙ୍କର ଶିବରାତ୍ରି ପାଳନ ମହିମା ଉପାଖ୍ୟାନ |
0 Comments
Do you have any doubts or suggestions? Ask them here in the comments!