ପ୍ରଥମାଷ୍ଟମୀ ପର୍ବଟି ମହାପ୍ରଭୁଙ୍କ 'ମାନବୀୟ ଲୀଳା'ର ଅନ୍ୟ ଏକ ଉଦାହରଣ
ପ୍ରଥମାଷ୍ଟମୀ ପର୍ବଟି ମହାପ୍ରଭୁଙ୍କ 'ମାନବୀୟ ଲୀଳା'ର ଅନ୍ୟ ଏକ ଉଦାହରଣ । ପରିବାରର ଜ୍ୟେଷ୍ଠସନ୍ତାନ ପରି ସମଗ୍ର ବିଶ୍ଵର ଜ୍ୟେଷ୍ଠ ହିସାବରେ ବଡ଼ଠାକୁରଙ୍କୁ ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ଦିନ ପଢୁଆଁ କରାଯିବା ନୀତିକୁ ଯେଉଁ ଭକ୍ତଗଣ ଚର୍ମଚକ୍ଷୁରେ ଦର୍ଶନ କରନ୍ତି, ସେମାନଙ୍କର ସମସ୍ତ ପାପତାପ ଖଣ୍ଡିତ ହୋଇ ବୈକୁଣ୍ଠପ୍ରାପ୍ତି ସୁଗମ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି ।
ପ୍ରଥମାଷ୍ଟମୀ (ଅଥବା ପଢୁଆଁଷ୍ଟମୀ, ପୋଢୁଆଁଷ୍ଟମୀ) ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ | ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ । ଏ ଦିନ ବଂଶର ପ୍ରଥମ ଜାତ ସନ୍ତାନ (ପୁଅ ବା ଝିଅ)ଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ | ଏହା ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ଗୋଟିଏ ଯାତ୍ରା ଦିବସ ।
ପ୍ରଥମାଷ୍ଟମୀ ପୂଜା ବିଧି
- ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ବା ଦୀର୍ଘ ନିରାମୟ ଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି । ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ ।
- ଆପଣ ସେଦିନ ଗୋଟିଏ କଳସ ସ୍ଥାପନା କରିବେ । କଳସ ରେ ପଞ୍ଚଦେବତା ଙ୍କୁ ଆପଣ ପୂଜା କରିବେ । ପଞ୍ଚଦେବତା ଙ୍କୁ ପୂଜା କରି ଆମ୍ଭେ ଯେଉଁ କାର୍ଯ୍ୟ କରିବା ତାହା ଅତ୍ୟନ୍ତ ଶୁଭ ହୋଇଥାଏ ।
- ପଞ୍ଚଦେବତା ଙ୍କୁ ପୂଜା କରିବା ନିମନ୍ତେ ଯେଉଁ କଳସ ସ୍ଥାପନା କରିବେ, ସେ କଳସ ଆପଣ ଠାକୁର ଘରେ ହିଁ ସ୍ଥାପନା କରି ପାରିବେ । ଯେତେବେଳେ କଳସ ସ୍ଥାପନ କରିବେ କଳସ ର ମୁଖ ପୂର୍ବ କୁ ଅଥବା ପଶ୍ଚିମ କୁ ରହିବ ।
- ଯେତେବେଳେ କଳସ କୁ ପୂଜା କରିବେ ପୂର୍ବମୁଖା ହୋଇ ପୂଜା କରିବେ ନଚେତ ଉତ୍ତର ମୁଖ ହୋଇ ପୂଜା କରିବେ । ପୂଜା ସ୍ଥାନରେ ମୁରୁଜକ ଅଥବା ଚିତା ପକାଇ ପାରନ୍ତି ।
- ଯେ ହେତୁ ପ୍ରଥମାଷ୍ଟମୀରେ ପ୍ରଥମ ସନ୍ତାନ ନୂତନ ବସ୍ତ୍ର ପିନ୍ଧିବେ, ଏଣୁ ସବୁ ଦେବାଦେବୀ ଙ୍କୁ, ମାତା ବୃନ୍ଦାବତୀ ଙ୍କୁ, ଗ୍ରାମ ଦେବୀ ଙ୍କୁ ସମସ୍ତଙ୍କୁ ଆପଣ ନୂତନ ବସ୍ତ୍ର ଅର୍ପଣ କରି ପାରିବେ । ଯଦି ବସ୍ତ୍ର ନ ଦେଇ ପାରୁଛନ୍ତି ତେବେ ନୂତନ ରକ୍ଷା ସୂତ୍ର ମଧ୍ୟ ଦେବତାଙ୍କୁ ଆପଣ ଅର୍ପଣ କରିପାରିବେ ।
- ପିଲାଙ୍କୁ ସେଦିନ ହଳଦୀ ଲଗାଇ ସ୍ନାନ କରାଇଦେବେ । ଯଦି ଝିଅ ହୋଇଥିବେ ତେବେ ପାଦରେ ଅଳତା ଲଗାଇଦେବେ, ଏବଂ ପୁଅ ହୋଇଥିଲେ ଉଭୟଙ୍କୁ ଚନ୍ଦନ ଟୀକା ଲଗାଇଦେବେ ।
- ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର ତାକୁ ସ୍ନାନାନ୍ତେ ନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ,ସିନ୍ଦୁର,ହଳଦୀ ଠାକୁରଙ୍କ ପାଖରେ ପୂଜା କରି ଲଗାଇ ଦିଅନ୍ତୁ । ଫୁଲ,ଦୁବ,ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ଗୋଟିଏ ଆଳତି ଦୀପ ଆପଣ ଅଲଗା ରଖିଥିବେ ସେହି ଦୀପରେ ପିଲାକୁ ମା’ ମାନେ ତାଙ୍କୁ ବନ୍ଦାପନା କରିବେ।
- ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି । ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ‘ପଢୁଆଁ ହେବା’ କହିଥାନ୍ତି | ‘ପଢୁଆଁ’ ଶବ୍ଦଟି ‘ପ୍ରଥମା’ର ଅପଭ୍ରଂଶ ।
- ଘର ଠାକୁରଙ୍କ ପାଖରେ ଏନ୍ଡ଼ୁରୀ ପିଠା ଭୋଗ କରିବେ ଏବଂ ପିଲା ମାନଙ୍କୁ ମଧ୍ୟ ଏହି ପିଠା ଖାଇବାକୁ ଦେବେ । ଯିଏ ବଡ ଅର୍ଥାତ ପ୍ରଥମ ପିଲା ହୋଇଥିବ ସେ ହିଁ ପ୍ରଥମେ ପିଠା ଖାଇବେ ଏହା ପରେ ସମସ୍ତେ ।
ମାମୁଁଙ୍କୁ ଅଷ୍ଟମୀ ବନ୍ଧୁ କୁହାଯିବାର କାରଣ
- ପରମ୍ପରା ଅନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁଁ ଘରୁ ଆସିଥାଏ । ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି । ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ଓ ପରିହାସରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ | ଅବଶ୍ୟ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଘରର ଜ୍ୟେଷ୍ଠପୁତ୍ର ବା ଜ୍ୟେଷ୍ଠକନ୍ୟାକୁ ନୂଆ ଲୁଗାପଟା ବାପ ମାଆମାନେ ପିନ୍ଧେଇଥାନ୍ତି ।
- ଏହିବିଧିରେ ସାମାଜିକ ଓ ପାରିବାରିକ ବନ୍ଧନ, ଶୃଙ୍ଖଳା ଓ ଆଦର୍ଶବୋଧ ଅତିମାତ୍ରାରେ ନିହିତ ରହିଛି । ଜ୍ୟେଷ୍ଠପୁତ୍ର, ପରିବାରରେ ପିତା ସମାନ । ପିତାଙ୍କ ଅନ୍ତେ କିମ୍ବା ପିତାଙ୍କ ଅକର୍ତ୍ତବ୍ୟରେ ଘର ଚଳାଇବା ଓ ଅନ୍ୟ ସନ୍ତାନ (ଭାଇ ଭଉଣୀ) ମାନଙ୍କୁ ପ୍ରତିପୋଷଣ କରିବା ଦାୟିତ୍ୱ ଜ୍ୟେଷ୍ଠ ପୁତ୍ର ଉପରେ ପଡ଼ିଥାଏ ।
- ତେଣୁ ତାକୁ ସମସ୍ତେ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଓ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରଥମ ସନ୍ତାନ ବା ଜ୍ୟେଷ୍ଠ ସନ୍ତାନକୁ ପୂଜା ବନ୍ଦାପନା କରିବାର ବିଧି ଆମ ସମାଜରେ ପ୍ରଚଳିତ ।
ଅଷ୍ଟମୀରେ ନଡ଼ିଆ ଖାଇବା ମନା
- ଏଣ୍ଡୁରୀ ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ରଜପର୍ବରେ ଯେପରି ପୋଡ଼ପିଠା, ଅନନ୍ତ ବ୍ରତରେ ଲଡୁ କାକରା, ବଡ଼ଓଷାରେ ମଣ୍ଡାପିଠା, ଚିତାଲାଗି ଅମାବାସ୍ୟାରେ ଚିତୋଉପିଠା, ମକର ସଂକ୍ରାନ୍ତିରେ ମକରଚାଉଳ, ଧନୁ ସଂକ୍ରାନ୍ତରେ ଧନୁମୁଆଁ, ମହାବିଷୁବ ସଂକ୍ରାନ୍ତିରେ ଛତୁ ଓ ପଣା, ଶାମ୍ବ ଦଶମୀରେ ବୁଢ଼ାଚକୁଳି ପ୍ରଭୃତି ଓଡ଼ିଆ ଘରର ଗୋଟିଏ ଗୋଟିଏ ବିଶେଷତ୍ଵ,
- ସେହିପରି ପ୍ରଥମାଷ୍ଟମୀର ବିଶେଷତ୍ୱ ହେଉଛି ଏଣ୍ଡୁରୀ ପିଠା, ଛେନା, ଗୁଡ଼ ଓ ନଡ଼ିଆରେ ପ୍ରସ୍ତୁତ ପୁର ଦିଆଯାଇ ଉଆପକ୍ଷିଆ ଚାଉଳ ଓ ବିରିରେ ଏଣ୍ଡୁରୀ ପିଠା ତିଆରି କରାଯାଏ । ଏହି ସୁସ୍ୱାଦୁ ପିଠାପାଇଁ ହଳଦୀପତ୍ର ବ୍ୟବହାର କରାଯାଏ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ | କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ପ୍ରସିଦ୍ଧ । ଏଥିପାଇଁ ଏହି ପିଠା ଅତ୍ୟନ୍ତ ସୁସ୍ୱାଦୁ ହେବା ସହ ରୁଚିକର ଓ ସୁବାସିତ ହୋଇଥାଏ ।
- ବ୍ରହ୍ମପୁରାଣର ଉତ୍ତର ଖଣ୍ଡ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ବ୍ରତ କଥାରେ ଲେଖା ଅଛି ଅଷ୍ଟମୀ ତିଥିରେ ପ୍ରଭୁ ଜନ୍ମ ଗ୍ରହଣ କରିଥିଲେ । ଏଣୁ ପ୍ରଭୁଙ୍କୁ 8 ପ୍ରକାରର ଫଳ ଅର୍ପଣ କରାଯିବ, କିନ୍ତୁ ଏଥିରେ ନାରିକେଳ ଅର୍ଥାତ ନଡିଆ କୁ ନିଷେଧ ବୋଲି ମନା ଯାଇଛି । ଏହା ସହିତ ଅସଲି ଖଡିରତ୍ନ ପଞ୍ଜିକା ରେ ମଧ୍ୟ ସ୍ପଷ୍ଟ ଭାବରେ ଲେଖା ଅଛି କି ଯେ କୌଣସି ଅଷ୍ଟମୀ ତିଥି ହେଉ ନା କାହିଁକି ଏଥିରେ ନଡିଆ ଖାଇବା ମନା । ଯେଉଁ ଭୁଲ ଆମେ ସମସ୍ତେ କରୁଥାଉ ।
ଅନ୍ୟ ବୈଶିଷ୍ଟ୍ୟ
- ଓଡ଼ିଶାରେ ପ୍ରଥମାଷ୍ଟମୀ ଦିନ ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ମାମୁଁଘର ଯାତ୍ରା ହୋଇଥାଏ । ଲିଙ୍ଗରାଜ ମହାପ୍ରଭୁ ଏହିଦିନ ତାଙ୍କ ମାମୁଁଘର ରୂପେ ପରିଚିତ କପାଳିମଠ (ଲିଙ୍ଗରାଜ ମନ୍ଦିର ସଂଲଗ୍ନ)କୁ ଯାଆନ୍ତି ପଢୁଆଁ ହେବା ପାଇଁ । ଏହିମଠର ଆରାଧ୍ୟ ଦେବତା ‘ବରୁଣେଶ୍ୱର’ ଓ ‘ବନଦେବ’ । ଏ ଦୁହେଁ ଲିଙ୍ଗରାଜଙ୍କର ମାମୁଁ- ମାଇଁ ରୂପେ ପ୍ରଖ୍ୟାତ ।
- ଏହି ମଠ ହତାରେ ଗୋଟିଏ ପୁଷ୍କରିଣୀ ରହିଛି । ତାହା ପାପନାଶିନୀ ରୂପେ ପରିଚିତ । ‘ପ୍ରଥମାଷ୍ଟମୀ' ଦିନ ଏହି ପୁଷ୍କରିଣୀର ଜଳ ପାନକଲେ ପାପକ୍ଷୟ ହୁଏ ଓ ବନ୍ଧ୍ୟାନାରୀ ସନ୍ତାନବତୀ ହୁଅନ୍ତି ବୋଲି ପ୍ରବାଦ ଅଛି ।


0 Comments
Do you have any doubts or suggestions? Ask them here in the comments!